ଶ୍ରୀଦେବୀଙ୍କ ମୃତ୍ୟୁ ମାମଲା ବନ୍ଦ

0

ନୂଆଦିଲ୍ଲୀ/ଦୁବାଇ : ବଲିଉଡ଼ର ପ୍ରଥମ ସୁପରଷ୍ଟାର ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁର ୩ ଦିନ ପରେ ମଙ୍ଗଳବାର ଦ୍ୱିପହରରେ ତାଙ୍କ ପାର୍ଥିବ ଶରୀରରକୁ ଭାରତ ଆଣିବା ପାଇଁ ଅନୁମତି ମିଳିଛି । ଏହାସହ ଦୁବାଇ ପୁଲିସ୍‌ ଶ୍ରୀଦେବୀଙ୍କ ମୃତ୍ୟୁ ସମ୍ପର୍କିତ ମାମଲାକୁ ବନ୍ଦ କରିଦେଇଛି । ଦୁବାଇ ସରକାରୀ ଓକିଲଙ୍କ ଅନୁମତି ମଳିବା ପରେ ପାର୍ଥିବ ଶରୀରରେ ରାସାୟନିକ ଲେପ୍‌ ଲଗାଯାଉଛି । ଲେପ୍‌ ଦିଆ ସରିବା ପରେ ତାଙ୍କ ପାର୍ଥିବ ଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଦୁବାଇ ସରକାରୀ ଓକିଲ ସମସ୍ତ ତଦନ୍ତ ଶେଷ କରିବା ପରେ ପାର୍ଥିବ ଶରୀରକୁ ଭାରତକୁ ଆଣିବା ପାଇଁ ଅନୁମତି ଦଇଥିବା ସୂଚନା ମିଳିଛି । ଶ୍ରୀଦେବୀଙ୍କ ପାର୍ଥିବ ଶରୀରକୁ ବୋନି କପୁରଙ୍କ ପୁତୁରା ସୌରଭ ମାଲହୋତ୍ରା ଗ୍ରହଣ କରିଛନ୍ତି । ରାତି ୯ଟା ସୁଦ୍ଧା ଶ୍ରୀଦେବୀଙ୍କ ପାର୍ଥିବ ଶରୀର ମୁମ୍ବଇରେ ଆସି ପହଞ୍ଚିବ ବୋଲି କୁହାଯାଉଛି । ଏକ ବାହାଘର ଉତ୍ସବରେ ଯୋଗଦେବାକୁ ସପରିବାରେ ଶ୍ରୀଦେବୀ ଦୁବାଇ ଯାଇଥିବା ବେଳେ ସେଠାରେ ୨୪ ଫେବୃଆରୀ ରାତି ପ୍ରାୟ ୧୧ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଶ୍ରୀଦେବୀଙ୍କ ମୃତ୍ୟୁ ରହସ୍ୟ ଘେରରେ ରହିଛି । ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ତାଙ୍କ ମୃତ୍ୟୁ ଦୁର୍ଘଟଣାବଶତଃ ପାଣିରେ ବୁଡ଼ି ହୋଇଛି । ଫରେନସିକ ରିପୋର୍ଟରେ ଶ୍ରୀଦେବୀଙ୍କ ରକ୍ତ ନମୁନାରୁ ଆଲକହଲ ମିଳିଥିବା ଦର୍ଶାଯାଇଛି । ଘଟଣା ଅନୁସାରେ ଶ୍ରୀଦେବୀ ନିଶାସକ୍ତ ଅବସ୍ଥାରେ ହୋଟେଲ ବାଥଟବ୍‌ରେ ପଡ଼ିଯାଇଥିଲେ । ପାଣିରେ ବୁଡ଼ି ଅଣନିଶ୍ୱାସୀ ହୋଇ ତାଙ୍କ ମୃତ୍ୟୁ ଘଟିଥିଲା । ଦୁବାଇ ପୁଲିସ୍‌ ପକ୍ଷରୁ ସମସ୍ତ ଦସ୍ତାବିଜ ଯାଞ୍ଚ କରାଯାଉଥିବାରୁ ପାର୍ଥିବ ଶରୀର ଆଣିବାରେ ବିଳମ୍ବ ହେଉଥିବା କୁହାଯାଉଛି । ମଙ୍ଗଳବାର ଅପରାହ୍ନରେ ବୋନି କପୁର, ତାଙ୍କ ପୁଅ ତଥା ଅଭିନେତା ଅର୍ଜୁନ କପୁର ଦୁବାଇରେ ଯାଇ ପହଞ୍ଚିଛନ୍ତି । ଏପଟେ ମୁମ୍ବଇରେ ଶ୍ରୀଦେବୀଙ୍କ ଲକ୍ଷାଧିକ ପ୍ରଶଂସକ ତାଙ୍କ ଅନ୍ତିମ ଦର୍ଶନ ପାଇଁ ଅପେକ୍ଷା କରି ରହିଛନ୍ତି । ଶ୍ରୀଦେବୀଙ୍କ ପାର୍ଥିବ ଶରୀର ମୁମ୍ବଇରେ ପହଞ୍ଚିବା ପରେ ଅନ୍ତିମ ଦର୍ଶନ ପାଇଁ ତାଙ୍କ ଭାଗ୍ୟ ବଙ୍ଗଳାରେ କିଛି ସମୟ ରଖାଯିବ । ଶ୍ରୀଦେବୀଙ୍କ ଶେଷଇଚ୍ଛା ଅନୁସାରେ ଏହି ବଙ୍ଗଳାକୁ ତାଙ୍କ ପସନ୍ଦର ଧଳାଫୁଲରେ ସଜା ଯାଇଛି । ଅପରପକ୍ଷରେ ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ୱାମୀ ଶ୍ରୀଦେବୀଙ୍କ ହତ୍ୟା ହୋଇଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ଶ୍ରୀଦେବୀ ମଦ ପିଅନ୍ତି ନାହିଁ, ସେ ବିଅର ପିଅନ୍ତି । ତେଣୁ ବାଥଟବ୍‌ରେ ପଡ଼ି ମୃତ୍ୟୁ ହେବା ଘଟଣା ବିଶ୍ୱାସଯୋଗ୍ୟ ନୁହେଁ । ଏହି ମାମଲାର ତଦନ୍ତ ହେବା ଆବଶ୍ୟକ । ସିସିଟିଭି ଫୁଟେଜ କାହିଁକି ପଦାକୁ ଅଣାଯାଇ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ବଲିଉଡ଼ ଚଳଚ୍ଚିତ୍ର ନିର୍ମାତା ରାମଗୋପାଳ ବର୍ମା ମଧ୍ୟ ଶ୍ରୀଦେବୀଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ହେବା ଆବଶ୍ୟକ ବୋଲି ଟ୍ୱିଟ୍‌ କରିଛନ୍ତି ।

Leave A Reply