ଗୁରୁଡିଝାଟିଆ : ପବିତ୍ର ଶ୍ରାବଣମାସରେ ଶୈବପୀଠରେ ଜଳଲାଗି କଲେ ପୁଣ୍ୟଫଳ ପ୍ରାପ୍ତିର ବିଶ୍ୱାସ ରହିଛି। ଏଥିପାଇଁ ହଜାର ହଜାର ଶ୍ରଦ୍ଧାଳୁ ଓ କାଉଡିଆ ଶୈବପୀଠକୁ ଆସିଥାନ୍ତି । ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭାବେ ପ୍ରଭୁ ଧବଳେଶ୍ୱରଙ୍କ ମହିମା ବେଶ ଖ୍ୟାତ। ଶୃଙ୍ଖଳିତ ଦର୍ଶନ ଓ ସୁବିଧା ସୁଯୋଗ ଯୋଗାଇଦେବା ନିମନ୍ତେ ବୁଧବାର ଧବଳେଶ୍ୱର ପୀଠ ପରିସରରେ ଆଠଗଡ ଦେବୋତ୍ତର ବିଭାଗ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଭାରପ୍ରାପ୍ତ ଉପଜିଲ୍ଲାପାଳ ଦିପ୍ତିମୟୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ନୂତନ କଂକ୍ରିଟ ସେତୁରେ ଆଲୋକ ବ୍ୟବସ୍ଥା, ୨୪ଘଣ୍ଟିଆ ବିଦ୍ୟୁତ୍ ଆଲୋକ, ପାନୀୟଜଳ ଯୋଗାଣ, ସ୍ୱଚ୍ଛତା ଓ ଚିକିତ୍ସା ବ୍ୟବସ୍ଥା ସଂପର୍କରେ ବିଶଦ ଭାବରେ ଆଲୋଚନା କରାଯିବା ସହ ଗହଳି ଦୃଷ୍ଟିରୁ ବାଉଁଶରେ ବ୍ୟାରିକେଟ ନିର୍ମାଣ ଆଦି କାର୍ଯ୍ୟ ଆସନ୍ତା ଶୁକ୍ରବାର ସୁଦ୍ଧା ସମାପନ କରିବା ପାଇଁ ସ୍ଥିରିକୃତ ହୋଇଛି । ଏହି ବୈଠକରେ ଆଠଗଡ ତହସିଲଦାର ତଥା ସହକାରୀ ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରିୟବ୍ରତ ଦାସ, ଚୌଦ୍ୱାର ଏସଡିପିଓ ସତ୍ୟବ୍ରତ ଲେଙ୍କା, ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଦିଲ୍ଲିପ ଦାସ, ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ଅଜୟ ମହାପାତ୍ର, କୋଠାବାଡି ଓ ରାସ୍ତା ବିଭାଗ ଯନ୍ତ୍ରୀ ପ୍ରଭାତ କୁମାର ବେହେରା, ଧବଳେଶ୍ୱର ପୂଜକ ସମିତି ସଭାପତି ବିଷ୍ଣୁ ଚରଣ ପତ୍ରୀ, ସଂପାଦକ ନରେନ୍ଦ୍ର ପଣ୍ଡା, ଅଜୟ କୁମାର ପତ୍ରୀ, ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ପ୍ରିୟବ୍ରତ ସାହୁ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
Popular Categories



