ଜଳାଭିଷେକ ପାଇଁ ଆଖଣ୍ଡଳମଣିଙ୍କ ପୀଠରେ କାଉଡିଆ ଭିଡ
ବୋଲବୋମ ହରହର ବୋମ ଧ୍ୱନିରେ ପ୍ରକମ୍ପିତ ହେଉଛି ପୀଠ
ଆରଡି : ମହାଦେବଙ୍କୁ ବର୍ଷ ତମାମ ଜଳଲାଗି କଲେ ଯେତିକି ପୂଣ୍ୟ ଅର୍ଜନ ହୋଇଥାଏ ଧାରା ଶ୍ରାବଣ ମାସରେ ଜଳାଭିଷେକ କଲେ ସେତିକି ପୂଣ୍ୟ ମିଳିଥାଏ ବୋଲି ଲୋକ ବିଶ୍ୱାସ ଅଛି। ସେଥିପାଇଁ ଭକ୍ତମାନେ ଶ୍ରାବଣମାସ ପ୍ରାରମ୍ଭରୁ ବ୍ରତ ରଖିବା ସହ ଗେରୁଆ ବସ୍ତ୍ର ପରିଧାନ କରି ମହାଦେବଙ୍କୁ ଜଳାଭିଷେକ ନିମନ୍ତେ ବାହାରିଥାନ୍ତି ରାଜ୍ୟର ବିଭିନ୍ନ ଶିବାଳୟକୁ। ଏହି କ୍ରମରେ ଚଳିତବର୍ଷ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କୁ ଜଳାଭିଷେକ କରିବା ପାଇଁ ରାଜ୍ୟର କୋଣଅନୁକୋଣରୁ କାଉଡିଆଭକ୍ତଙ୍କ ଆଗମନ ହେବାର ଲାଗିଛି ପୀଠକୁ।
ଏପରିକି କାଉଡିଆମାନଙ୍କର ବୋଲବୋମ ହରହର ବୋମ ଧ୍ୱନିରେ ପ୍ରକମ୍ପିତ ହେଉଛି ସମଗ୍ର ପୀଠ। ଅଗଣିତ କାଉଡିଆମାନଙ୍କର ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ଯେପରି କାଉଡିଆମାନେ ସୁଚାର ରୂପେ ଜଳଲାଗି କରିବେ ସେଥିପାଇଁ ଶିବଗଙ୍ଗା ପୁଷ୍କରିଣୀଠାରୁ ମନ୍ଦିର ପର୍ଯ୍ୟନ୍ତ ସ୍ୱତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ତାହାସହ ପୀଠରେ ଥିବା ଜଳପଥ ଓ ସ୍ଥଲପଥରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହିତ ନଦିଘାଟର ଉଭୟ ପାର୍ଶ୍ବରେ ଉଜ୍ୱଳ ଆଲୋକ ବ୍ୟବସ୍ଥା ସାଙ୍ଗକୁ ଓଡ୍ରାଫ ଟିମ ମୁତୟନ ରହିଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ମଣିବାବାଙ୍କ ଦୈନଦିନ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ କରାଯିବା ସହିତ କାଉଡିଆମାନଙ୍କ ଜଳଲାଗି ନିମନ୍ତେ ରବିବାର ମଧ୍ୟରାତ୍ରରୁ ମନ୍ଦିର ଦ୍ୱାର ଫିଟାଯିବ ବୋଲି ଉଭୟ ମନ୍ଦିର ପ୍ରଶାସନ ଓ ସେବାୟତ ପ୍ରକାଶ କରିଛନ୍ତି।
Comments are closed.