ଲଗାଯିବ ସ୍ପ୍ରିଙ୍ଗ ଯୁକ୍ତ ପଙ୍ଖା

କୋଟାରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ବୃଦ୍ଧିର ପ୍ରତିକାର ଚିନ୍ତା

ପ୍ରତିକାର ରିପୋର୍ଟ ମାଗିଲେ ଉଚ୍ଚ ନ୍ୟାୟାଳୟ, କୋଚିଂ ପ୍ରତିଷ୍ଠାନ ବିଧେୟକ ଆଣିବେ ସରକାର

prayash

କୋଟା :  ଶିକ୍ଷାନଗରୀ ରାଜସ୍ଥାନର କୋଟାରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ବଢ଼ିଚାଲିଥିବାରୁ ଏହାର ପ୍ରତିକାର ପାଇଁ ଅଭିନବ ଉପାୟ ବାହାର କରିଛନ୍ତି ସ୍ଥାନୀୟ ଜିଲାପାଳ ଓମ୍‌ପ୍ରକାଶ ବୁଣକାର। ଅଧିକାଂଶ ଛାତ୍ର ଛାତ୍ରାବାସ କୋଠରିର ସିଲିଂ ପଙ୍ଖାରେ ଝୁଲି ଆତ୍ମହତ୍ୟା କରୁଥିବାରୁ ଛାତ୍ରାବାସ ମାଲିକମାନଙ୍କୁ ସ୍ପ୍ରିଙ୍ଗ ଯୁକ୍ତ ପଙ୍ଖା ଝୁଲାଇବାକୁ ଜିଲାପାଳ ନିର୍ଦେଶ ଦେଇଛନ୍ତି। ଏହି ପଙ୍ଖାରେ କେହି ଝୁଲିଲେ ସେଥିରେ ଲାଗିଥିବା ସ୍ପ୍ରିଙ୍ଗ ସମ୍ପ୍ରସାରିତ ହେବ ଓ ପଙ୍ଖା ତଳକୁ ଖସି ଆସିବ; ଫଳରେ ଆତ୍ମହତ୍ୟା ସମ୍ଭବ ହେବ ନାହିଁ।

ଜିଲାପାଳଙ୍କ ନିର୍ଦେଶାନୁସାରେ ଛାତ୍ରାବାସ ଓ ପେଇଙ୍ଗ୍‌ ଗେଷ୍ଟ(ପିଜି) ମାଲିକମାନେ ତୁରନ୍ତ ସବୁ ପୁରୁଣା ପଙ୍ଖା ବଦଳରେ ନୂଆ ସ୍ପ୍ରିଙ୍ଗ ଯୁକ୍ତ ପଙ୍ଖା ଲଗାଇବା ଆରମ୍ଭ କରିଛନ୍ତି। ଏଥିସହିତ ଜିଲାପାଳ ଛାତ୍ରଛାତ୍ରୀଙ୍କ ମାନସିକ ଶକ୍ତି ଏବଂ ସୁରକ୍ଷା ପ୍ରଦାନ କରିବାକୁ କୋଚିଂ ପ୍ରତିଷ୍ଠାନ କର୍ତ୍ତୃପକ୍ଷ ଓ ଛାତ୍ରାବାସ ପରିଚାଳକଙ୍କୁ ନିର୍ଦେଶ ଦେଇଛନ୍ତି। ପୁନଶ୍ଚ ୨୦୨୨ ଡିସେମ୍ବରରେ ଜିଲା ପ୍ରଶାସନ ପକ୍ଷରୁ ଜାରି ମାର୍ଗଦର୍ଶିକାର କଡ଼ା ଅନୁପାଳନ ପାଇଁ ଜିଲାପାଳ ନିର୍ଦେଶ ଦେଇଛନ୍ତି। ଏହି ଅନୁସାରେ ଛାତ୍ରକଲ୍ୟାଣ ପଦକ୍ଷେପ ସହ ସପ୍ତାହରେ ଗୋଟିଏ ଦିନ ବିଶ୍ରାମ, ନିୟମିତ ଛାତ୍ରଛାତ୍ରୀଙ୍କ ମନ୍ତସ୍ତାତ୍ତ୍ବିକ ବିଶ୍ଳେଷଣ, ଆବଶ୍ୟକ ଡାକ୍ତରୀ ଓ ସାମାଜିକ ଚିକିତ୍ସା ଇତ୍ୟାଦି ପ୍ରଦାନ ପାଇଁ କୁହାଯାଇଛି। କୋଟାରେ ଡାକ୍ତରୀ ଓ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ପାଇଁ ଅଢ଼େଇ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ତାଲିମ ନେଉଛନ୍ତି। ଅହେତୁକ ପ୍ରତିଯୋଗିତା ଯୋଗୁଁ ଘରଠାରୁ ଦୂରରେ ଓ ପ୍ରତିକୂଳ ପରିବେଶରେ ଛାତ୍ରଛାତ୍ରୀ ଘୋର ମାନସିକ ଚାପରେ ରହୁଛନ୍ତି। ପରୀକ୍ଷାରେ ବିଫଳ ହେବା ଭୟରେ ସେମାନେ ଆତ୍ମହତ୍ୟା କରୁଛନ୍ତି। ଚଳିତ ମାସରେ ୪ଜଣଙ୍କୁ ମିଶାଇ ଚଳିତ ବର୍ଷ ଅଦ୍ୟାବଧି ୨୨ଜଣ ଆତ୍ମହତ୍ୟା କଲେଣି। ମନସ୍ତାତ୍ତ୍ବିକ ଚିକିତ୍ସା ନକରି ପଙ୍ଖା ବଦଳାଇଦେଲେ ଆତ୍ମହତ୍ୟା କମିବ ନାହିଁ ବୋଲି ମଧ୍ୟ ଅନେକ ପ୍ରଶାସନକୁ ସମାଲୋଚନା କରୁଛନ୍ତି। ଏହି ଘଟଣାରେ ରାଜସ୍ଥାନ ଉଚ୍ଚ ନ୍ୟାୟାଳୟ ହସ୍ତକ୍ଷେପ କରିବା ସହ ସମସ୍ୟାର ସମାଧାନ ରାସ୍ତା ବାହାର କରିବାକୁ ପରାମର୍ଶ ଦେଇଛନ୍ତି। ସରକାର ତଥା କୋଚିଂ ପ୍ରତିଷ୍ଠାନ କର୍ତ୍ତୃପକ୍ଷଙ୍କଠାରୁ ଏ ସମ୍ପର୍କରେ ରିପୋର୍ଟ ମାଗିଛନ୍ତି। ଏହି ପରିପ୍ରେକ୍ଷୀରେ ସରକାର ରାଜସ୍ଥାନ କୋଚିଂ ଇନ୍‌ଷ୍ଟିଚ୍ୟୁଟ୍‌ (କ​‌େ​‌ଣ୍ଟ୍ରାଲ ଆଣ୍ଡ ରେଗୁଲେସନ୍‌) ବିଧେୟକ ଆଣିବାକୁ ପ୍ରସ୍ତୁତି ଚଳାଇଛନ୍ତି।

Comments are closed.