ଜୁଲାଇ ସୁଦ୍ଧା ଆଇପିଏଲ ସ୍ପଟ୍‍ ଫିକ୍ସିଂ ମାମଲାର ରାୟ ପ୍ରକାଶ କର

0

ନୂଆଦିଲ୍ଲୀ : ୨୦୧୩ ଆଇପିଏଲ ସ୍ପଟ୍‍ ଫିକ୍ସିଂ ମାମଲାରେ ପୂର୍ବତନ ଫାଷ୍ଟ ବୋଲର ଶ୍ରୀଶାନ୍ତ ବିସିସିଆଇ ଦ୍ୱାରା ଆଜୀବନ ବାସନ୍ଦ ହୋଇଛନ୍ତି। ଗୋଟିଏପଟେ ନିମ୍ନ ଅଦାଲତ ଏହି ମାମଲାରେ ଶ୍ରୀଶାନ୍ତ ଓ ଅନ୍ୟ ଅଭିଯୁକ୍ତଙ୍କୁ ନିର୍ଦୋଷରେ ଖଲାସ କରିଥିବାବେଳେ ଅନ୍ୟପଟରେ କେରଳ ହାଇକୋର୍ଟ ଏହି ବାସନ୍ଦାଦେଶକୁ କାଏମ ରଖିଛନ୍ତି। ହାଇକୋର୍ଟଙ୍କ ଏହି ରାୟ ପ୍ରତିବାଦରେ ଶ୍ରୀଶାନ୍ତ ସୁପ୍ରିମକୋର୍ଟରେ ପିଟିସନ ଦାଏର କରିଥିଲେ। ଏପରିକି ଘରୋଇ କ୍ରିକେଟରୁ ବାଦପଡିବାପରେ ଇଂଲଣ୍ଡରେ କାଉଣ୍ଟି ଖେଳିବାକୁ ଶ୍ରୀଶାନ୍ତ ଆଗ୍ରହ ପ୍ରକାଶ କରିଥିଲେ; ତେବେ ବିସିସିଆଇ ପକ୍ଷରୁ ତାଙ୍କୁ ଏନଓସି (ନୋ ଅବ୍‍ଜେକ୍ସନ ସାର୍ଟିଫିକେଟ) ପ୍ରଦାନ କରାଯାଇନଥିଲା। ଏହି ପରିପ୍ରେକ୍ଷୀରେ କାଉଣ୍ଟି ଖେଳିବାକୁ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଅନୁମତି ପ୍ରଦାନ କରାଯାଉ ବୋଲି ଶ୍ରୀଶାନ୍ତ ତାଙ୍କ ପିଟିସନରେ ଉଲ୍ଲେଖ କରିଛନ୍ତି। ଅପରପକ୍ଷରେ ସ୍ପଟ୍‍ ଫିକ୍ସିଂ ମାମଲାରେ ଶ୍ରୀଶାନ୍ତ ଓ ଅନ୍ୟ ଅଭିଯୁକ୍ତଙ୍କୁ ନିର୍ଦୋଷରେ ଖଲାସ କରାଯାଇଥିବାରୁ ଦିଲ୍ଲୀ ପୁଲିସ ଇତିମଧ୍ୟରେ ନିମ୍ନ ଅଦାଲତଙ୍କ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛି। ଏହି ପରିପ୍ରେକ୍ଷୀରେ ଜୁଲାଇ ସୁଦ୍ଧା ସ୍ପଟ୍‍ ଫିକ୍ସିଂ ମାମଲାର ରାୟ ପ୍ରକାଶ କରିବାକୁ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଦିଲ୍ଲୀ ହାଇକୋର୍ଟଙ୍କୁ ନିର୍ଦେଶ ଦେଇଛନ୍ତି। ଜଣେ କ୍ରିକେଟରଙ୍କ ଉତ୍ସୁକତାକୁ ସୁପ୍ରିମକୋର୍ଟ ଖଣ୍ଡପୀଠ ହୃଦୟଙ୍ଗମ କରିଥିଲେ ସୁଦ୍ଧା ହାଇକୋର୍ଟ ରାୟ ପ୍ରକାଶ ପାଇବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପିଟିସନଧାରୀଙ୍କୁ ପରାମର୍ଶ ଦେଇଛନ୍ତି।
୨୦୧୩ ଆଇପିଏଲ ଚାଲିଥିବାବେଳେ ସ୍ପଟ୍‍ ଫିକ୍ସିଂ ଓ ବେଟିଂ ମାମଲାରେ ଦିଲ୍ଲୀ ପୁଲିସ ରାଜସ୍ଥାନ ରୟାଲ୍‍ସର ତିନିଜଣ ଖେଳାଳି ଶ୍ରୀଶାନ୍ତ, ଅଜିତ ଚାନ୍ଦିଲା ଓ ଅଙ୍କିତ ଚୌହ୍ୱାନଙ୍କ ସମେତ ୨୩ ଜଣଙ୍କୁ ଗିରଫ କରିଥିବାବେଳେ ମୁମ୍ବଇ ପୁଲିସ ଚେନ୍ନଇ ସୁପର କିଙ୍ଗ୍‍ସର ତତ୍କାଳୀନ ମ୍ୟାନେଜର ଗୁରୁନାଥ ମୈୟପ୍ପାନ ଓ ବିନ୍ଦୁ ଦାରାସିଂହଙ୍କୁ ଗିରଫ କରିଥିଲା। ୨୦୧୩ ଜୁନରେ ଦିଲ୍ଲୀର ଏକ ଅଦାଲତ ପ୍ରମାଣ ଅଭାବରୁ ଶ୍ରୀଶାନ୍ତ ଓ ଅଙ୍କିତଙ୍କ ସମେତ ୧୯ ଜଣଙ୍କୁ ଜାମିନ ପ୍ରଦାନ କରିଥିଲେ। ୨୦୧୩ ସେପ୍ଟେମ୍ବର ୧୩ରେ ଶୃଙ୍ଖଳା କମିଟି ରିପୋର୍ଟକୁ ଆଧାର କରି ବିସିସିଆଇ ଶ୍ରୀଶାନ୍ତ, ଅଙ୍କିତଙ୍କୁ ଆଜୀବନ ବାସନ୍ଦ କରିଥିଲା। ୨୦୧୫ ଜୁଲାଇରେ ଦିଲ୍ଲୀର ଏକ ନିମ୍ନ ଅଦାଲତ ଶ୍ରୀଶାନ୍ତଙ୍କୁ ଦୋଷମୁକ୍ତ କରିଥିବାବେଳେ ୨୦୧୭ ଅକ୍ଟୋବରରେ କେରଳ ହାଇକୋର୍ଟ ଶ୍ରୀଶାନ୍ତଙ୍କ ବାସନ୍ଦାଦେଶକୁ କାଏମ ରଖିଥିଲେ।

Leave A Reply