ଟ୍ବେଣ୍ଟି୨୦ ଦଳକୁ ଫେରିଲେ ଜାଡ଼େଜା, ସାମ୍‌ସନ; ପନ୍ତ୍, ବିରାଟଙ୍କୁ ବିଶ୍ରାମ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍‌ର ଘରୋଇ ଟ୍ବେଣ୍ଟି୨୦ ଶୃଙ୍ଖଳା ପାଇଁ ଶନିବାର ୧୭ ଜଣିଆ ଭାରତୀୟ କ୍ରିକେଟ୍‌ ଦଳ ଘୋଷଣା କରାଯାଇଛି। ସୁସ୍ଥହେବା ପରେ ବରିଷ୍ଠ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଦଳକୁ ଫେରିଛନ୍ତି। ପୁଣି ଏହି ଶୃଙ୍ଖଳାରୁ ୱିକେଟ ରକ୍ଷକ ବ୍ୟାଟ୍‌ସମ୍ୟାନ ଋଷଭ ପନ୍ତ୍‌ଙ୍କୁ ବିଶ୍ରାମ ଦିଆ ଯାଇଥିବାରୁ କେରଳର ସଞ୍ଜୁ ସାମ୍‌ସନଙ୍କୁ ଦଳକୁ ଫେରାଇ ଅଣାଯାଇଛି। ବିରାଟ କୋହଲିଙ୍କୁ ମଧ୍ୟ ଟ୍ବେଣ୍ଟି ଶୃଙ୍ଖଳାରୁ ବିଶ୍ରାମ ଦିଆଯାଇଛି। ପୁଣି ପେସ୍ ବୋଲିଂ ଅଲ୍‌ରାଉଣ୍ଡର ସାର୍ଦୁଳ ଠାକୁରଙ୍କୁ ମଧ୍ୟ ଟ୍ବେଣ୍ଟି ଶୃଙ୍ଖଳାରୁ ବିଶ୍ରାମ ଦିଆଯାଇଛି। ଉପରୋକ୍ତ ୩ ଖେଳାଳିଙ୍କୁ ଛାଡ଼ି ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟ୍ବେଣ୍ଟି୨୦ ଶୃଙ୍ଖଳାରେ ଦଳରେ ଥିବା ଅନ୍ୟ ଖେଳାଳିଙ୍କୁ ଦଳରେ ପୁଣି ସ୍ଥାନ ଦିଆଯାଇଛି। ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟ୍ବେଣ୍ଟି୨୦ ଶୃଙ୍ଖଳାରୁ ବିଶ୍ରାମ ନେଇଥିବା ଫାଷ୍ଟବୋଲର ଯଶପ୍ରୀତ ବୁମ୍‌ରା ଦଳକୁ ଫେରିଥିବା ବେଳେ ତାଙ୍କୁ ଦଳର ଉପଅଧିନାୟକ ନିଯୁକ୍ତ କରାଯାଇଛି। ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଫିଟ୍‌ ହୋଇନଥିବାରୁ ଟ୍ବେଣ୍ଟି ଶୃଙ୍ଖଳା ପାଇଁ ତାଙ୍କ ନାମ ବିଚାରକୁ ନିଆ ଯାଇନାହିଁ। ଭାରତ-ଶ୍ରୀଲଙ୍କା ପ୍ରଥମ ଟ୍ବେଣ୍ଟି୨୦ ଫେବୃଆରୀ ୨୪ରେ ଲକ୍ଷ୍ନୌରେ ଖେଳାଯିବ। ପରେ ଧର୍ମଶାଳାରେ ୨୬ ଓ ୨୭ରେ ୨ୟ ଓ ୩ୟ ଟ୍ବେଣ୍ଟି୨୦ ଖେଳାଯିବ।

Comments are closed.