www.samajalive.in
Wednesday, December 10, 2025
16.1 C
Bhubaneswar

ଇସ୍ତଫା ଅପେକ୍ଷାରେ ତିନି ଡଜନ୍‍ ଏସ୍‍ପିଓ!

ଶ୍ରୀନଗର : ଜାମ୍ମୁ-କାଶ୍ମୀର ସରକାରଙ୍କ ଦ୍ୱାରା ନିଯୁକ୍ତ ବହୁ ସଂଖ୍ୟକ ସ୍ୱତନ୍ତ୍ର ପୁଲିସ ଅଧିକାରୀ ବା ଏସ୍‍ପିଓ ହ୍ୱାଟ୍ସ ଆପ୍‍ ତଥା ଫେସ୍‍ବୁକ୍‍ ଭଳି ସାମାଜିକ ଗଣମାଧ୍ୟମ ଜରିଆରେ ଇସ୍ତଫା ଦେଉଥିବା ପ୍ରଚାର ହେଉଛି। ଆତଙ୍କବାଦୀଙ୍କ ଧମକ ଆଗରେ ମୁଣ୍ଡ ନୁଆଁଇ ସେମାନେ ଚାକିରି ଛାଡ଼ୁଥିବା କୁହାଯାଉଛି। ଆତଙ୍କବାଦୀ ତଥା ବିଚ୍ଛିନ୍ନତାବାଦୀଙ୍କ ସହିତ ସଂଯୁକ୍ତ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ ଗତ ଦୁଇ ଦିନ ମଧ୍ୟରେ ତିନି ଡଜନ୍‍ରୁ ଅଧିକ ଏସ୍‍ପିଓ ଇସ୍ତଫା ଦେବାକୁ ଚାହୁଁଥିବା ଜଣାପଡ଼ିଛି। ସୋପିଆନ୍‍ରେ ଗତ ୨୧ତାରିଖରେ ତିନି ଜଣ ଏସ୍‍ପିଓଙ୍କୁ ଆତଙ୍କବାଦୀ ଘରୁ ଡାକିନେଇ ହତ୍ୟା କରିବା ସହ ଚାକିରି ଛାଡ଼ିବାକୁ ଚେତାବନୀ ଦେବା ପରେ ଏଭଳି ପ୍ରଚାର ଜୋର୍‍ ଧରିଛି।
ଏଭଳି ଏକ ଘଟଣାରେ ଗତ ୧୫ବର୍ଷ ଧରି କାର୍ଯ୍ୟ କରୁଥିବା ମହିଳା ଏସ୍‍ପିଓ ରଫିକ୍‍ ଅଖତାର ଚାକିରିରୁ ଇସ୍ତଫା ଦେଇଥିବା ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି। କୁଲଗାମ୍‍ ଅନ୍ତର୍ଗତ ବନଗାମ୍‍ବାସୀ ଅଖତାର ସୋମବାର ଏଭଳି ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ସେ କାହାରି ଚାପରେ ପଡ଼ି କିମ୍ବା ଭୟରେ ଏଭଳି ପଦକ୍ଷେପ ନେଇଥିବା କଥାକୁ ଅସ୍ୱୀକାର କରିଛନ୍ତି। ସେହିଭଳି ଦକ୍ଷିଣ କାଶ୍ମୀରର ସାମ୍‍ନୁବାସୀ ଏସ୍‍ପିଓ ସବୀର ଅହମ୍ମଦ ଥୋକାର ମଧ୍ୟ ଏକ ଭିଡିଓ ଜାରିକରି ଇସ୍ତଫା ଦେଇଥିବା କହିଛନ୍ତି। ଗତ ଆଠ ବର୍ଷ ହେଲା ସେ ଏସ୍‍ପିଓ ଭାବେ କାର୍ଯ୍ୟ କରୁଥିଲେ। ସୋପିଆନ୍‍ର ଡାଇଗାମ୍‍ଠାରେ କାର୍ଯ୍ୟରତ ଏସ୍‍ପିଓ ଇର୍ଶାଦ ଅହମ୍ମଦ ବାବା ମଧ୍ୟ ନିଜର ଇସ୍ତଫା ବିଷୟ ଭିଡିଓରେ ପ୍ରସାର କରିଛନ୍ତି। ସୋପିଆନ୍‍ ଅଦାଲତରେ ବହୁ ସଂଖ୍ୟକ ଏସ୍‍ପିଓ ଇସ୍ତଫା ଦେବା ସଂକ୍ରାନ୍ତ ସତ୍ୟପାଠ ପାଇଁ ଲମ୍ବାଧାଡ଼ି ଲଗାଇଥିବା କହିଛନ୍ତି ଜଣେ ଆଇନଜୀବୀ ହବିବ ଇକବଲ।
ଉଲ୍ଲେଖଯୋଗ୍ୟ ଯେ ଏସ୍‍ପିଓମାନେ ପୂର୍ଣ୍ଣକାଳୀନ ସରକାରୀ କର୍ମଚାରୀ କିମ୍ବା ପୁଲିସ ନୁହନ୍ତି। ସେମାନେ ପୁଲିସ ପୋଷାକରେ ଆତଙ୍କବାଦୀ ନିରୋଧୀ କାର୍ଯ୍ୟରେ ସାମିଲ ହୋଇଥାନ୍ତି। ସେମାନଙ୍କୁ ମାସିକ ୬ହଜାର ଟଙ୍କା ପାରିଶ୍ରମିକ ମିଳିଥାଏ। ରାଜ୍ୟରେ ଏବେ ୩୦ହଜାର ଏସ୍‍ପିଓ କାର୍ଯ୍ୟରତ ଅଛନ୍ତି। ରାଜ୍ୟ ପୁଲିସ ମହାନିର୍ଦେଶକ ଦିଲବାଗ୍‍ ସିଂହଙ୍କ କହିବାନୁଯାୟୀ, ଆତଙ୍କବାଦୀଙ୍କ ସମର୍ଥକମାନେ ଏଭଳି ଅପପ୍ରଚାର କରୁଛନ୍ତି; ବାସ୍ତବରେ କେହି ଇସ୍ତଫା ଦେଇ ନାହାନ୍ତି। ଯେଉଁମାନେ ଇସ୍ତଫା ଦେଇଥିବା କହୁଛନ୍ତି ସେମାନଙ୍କ ଇସ୍ତଫା ପତ୍ର ଗୃହୀତ ହୋଇନାହିଁ। ତେବେ ସାମାଜିକ ଗଣମାଧ୍ୟମରେ ଦକ୍ଷିଣ କାଶ୍ମୀରର ଯେଉଁ ଏସ୍‍ପିଓଙ୍କ ଇସ୍ତଫା ବିଷୟ ଘୁରିବୁଲୁଛି ସେମାନଙ୍କ ପରିବାର ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି। ସୁରକ୍ଷା ଦୃଷ୍ଟିରୁ ସେମାନଙ୍କ ଘରକୁ ପୁଲିସ କର୍ମଚାରୀ ନ ଯିବାକୁ ସମ୍ପୃକ୍ତ ଅଞ୍ଚଳର ଥାନାଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ଅପରପକ୍ଷରେ ରାଜ୍ୟ ମୁଖ୍ୟ ଶାସନ ସଚିବ ବିଭିଆର ସୁବ୍ରମଣ୍ୟମ୍‍ଙ୍କ ସୂଚନାନୁସାରେ ଏସ୍‍ପିଓମାନେ ଇସ୍ତଫା ଦେବା ଖବରୀ ସତ୍ୟ; କିନ୍ତୁ ଏହାର କିଛି ଗୁରୁତ୍ୱ ନାହିଁ। ସରକାର ସେମାନଙ୍କ ଦରମା ବୃଦ୍ଧି କରିବା ଯୋଜନା ରଖିଛନ୍ତି। ଏସ୍‍ପିଓମାନଙ୍କୁ ନିଜର ସୁରକ୍ଷା ପ୍ରତି ସଜାଗ ରହିବାକୁ ପରାମର୍ଶ ଦିଆଯାଇଥିବା ସେ କହିଛନ୍ତି।

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories