ଆମ ସଂସ୍କାର ଓ ସଂସ୍କୃତି

[ପ୍ରସିଦ୍ଧ ଦାର୍ଶନିକ ଅଧ୍ୟାପକ ଜିତେନ୍ଦ୍ର ମହାନ୍ତି ଏ ମାସ ଆରମ୍ଭରେ ଆମେରିକାର ଫିଲାଡେଲ୍ଫିଆଠାରେ ସମସ୍ତଙ୍କୁ ଛାଡ଼ି ଚାଲିଗଲେ। କୋଡ଼ିଏ ବର୍ଷ ତଳେ ସେ ଆମେରିକାରେ ଥିବା ଓଡ଼ିଆଙ୍କ ସଭାରେ ଦେଇଥିବା ଅପ୍ରକାଶିତ ଭାଷଣର ଏହା ଓଡ଼ିଆ ଅନୁବାଦ। ତାଙ୍କ ସମୁଳ ସ୍ମୃତିକୁ ଅନୁବାଦକର ସାଦର ପ୍ରଣାମ। ]
ପ୍ରିୟ ବନ୍ଧୁଗଣ,
ଜଣେ ଓଡ଼ିଆ ଭାବରେ କହିବା ପାଇଁ ଆପଣମାନଙ୍କ ଆଗରେ ଠିଆହେଲାବେଳେ ମତେ ଓଡ଼ିଆରେ କହିବାକୁ ସୁଖ ଲାଗିଥାଆନ୍ତା। ପ୍ରକୃତପକ୍ଷେ ତା’ ନିହାତି ସ୍ବାଭାବିକ ଓ ସହଜ ହୋଇଥାଆନ୍ତା। ମାତ୍ର, ମତେ ସେପରି ନକରିବାକୁ ସୂଚାଗଲା। ଯଦି ଜଣେ ଇଂଗ୍ଲିଶ୍ ଭାଷିକକୁ ଇଂଗ୍ଲିଶ୍ ଲୋକଙ୍କ ସଭାରେ କହିବାକୁ କୁହାଯାଏ ତେବେ ସେ ଇଂଗ୍ଲିଶ୍ ଛଡ଼ା ଅନ୍ୟ କୌଣସି ଭାଷାରେ କହିବନାହିଁ। ଜର୍ମାନୀରେ ଏକ ବିଶିଷ୍ଟ ଦାର୍ଶନିକଙ୍କ ସଭାରେ କହିଲାବେଳେ ମୁଁ ଜର୍ମାନ୍ ଭାଷାରେ କହିଲି। ମାତ୍ର, ଥରେ, ପଇଁତିରିଶ ବର୍ଷ ତଳେ, ମତେ ଯେତେବେଳେ ଉତ୍କଳ ବିଶ୍ବବିଦ୍ୟାଳୟର ଦର୍ଶନ ବିଭାଗର ବାର୍ଷିକ ସଭାରେ ସେ ବର୍ଷର ଭାଷଣ ଦେବାକୁ ଡକାଗଲା, ସେତେବେଳେ ମୁଁ ବିଭାଗ-ମୁଖ୍ୟଙ୍କୁ ଓଡ଼ିଆରେ କହିପାରିବି କି ବୋଲି ପଚାରିଲି। ତାଙ୍କୁ ଲାଗିଲା, ମୁଁ ଥଟ୍ଟା କରୁଚି। ୟେ ହେଲା ଆମର ଘରଛଡ଼ା ଅସ୍ତିତ୍ବ।
ଆଉ ଗୋଟେ ବାଟ ଅଛି, ହେଲେ ତା’ ବି ବନ୍ଦ। କିଛି ବର୍ଷ ତଳେ, ପୋକୋଭ ପାର୍ବତ୍ୟାଞ୍ଚଳରେ ଥିବା ଏକ ହିନ୍ଦୁ ମନ୍ଦିରକୁ ଯାଇଥିଲାବେଳେ, ଜଣେ ପୂଜାରୀ ଭେଟିଲେ ଯିଏ ମାନ୍ଦ୍ରାଜରୁ ଆସିଥାଆନ୍ତି। ତାଙ୍କୁ ଇଂରାଜୀ ବା ହିନ୍ଦୀ ଜଣାନଥିଲା। ମୁଁ ତାଙ୍କୁ ସହଜରେ ପଚାରିଲି, “ଆପଣ ସଂସ୍କୃତରେ କହିପାରିବେ?”। ତାଙ୍କ ଆଖି ଚମକି ଉଠିଲା, ତାଙ୍କୁ କେହି ସେମିତି ପଚାରିନଥିଲେ। ସେ ସେଇ ପ୍ରାଚୀନ ଭାଷାରେ ଅନର୍ଗଳ କହିବାକୁ ଲାଗିଲେ ଓ ମୁଁ ତାଙ୍କ ପଛକୁ ଦୌଡ଼ିଲି ଓ ଆମର ଭାରି ସନ୍ତୋଷଜନକ ସଂଭାଷଣ ହେଲା।
ମୁଁ ଭାଷା ବିଷୟରେ କହିବାର କାରଣ, ବହୁ ବର୍ଷର ବିଚାର ପରେ ମୁଁ ଏକ ନିଷ୍କର୍ଷରେ ପହଁଚିଛି ଯେ କୌଣସି ସମାଜର ସଂସ୍କୃତି ସେ କହୁଥିବା ଭାଷାରେ ସର୍ବାର୍ଥେ ପ୍ରତିଫଳିତ। ସେ ସଂସ୍କୃତିର ବିଶ୍ବାସ ଓ କ୍ରିୟାକର୍ମ, ବିଶ୍ବଦୃଷ୍ଟି, ତା’ର ପ୍ରକୃତିର (ନିସର୍ଗର), ଦେବ-ଦେବତାଙ୍କର, ମନୁଷ୍ୟର, ବୃକ୍ଷଲତାଙ୍କର, ପଶୁପକ୍ଷୀଙ୍କର, ପାଣିର, ପରିବର୍ତ୍ତନଶୀଳ ଋତୁର, ଶବ୍ଦ, ରଙ୍ଗ ଓ ଘ୍ରାଣର ବୈଚାରିକ ଦୃଶ୍ୟସବୁ ସେମାନଙ୍କ ରଙ୍ଗଢଙ୍ଗରେ ଅନୁଭବ କରିହେବ ଯଦି ଆମେ ସେ ଭାଷା କହିପାରିବା, ତାହାର ତରଙ୍ଗ ଅନୁଭବ କରିପାରିବା। ମିତ୍ର ହେ, ଯଦି ତମେ ତମ ପିଲାଙ୍କୁ ଓଡ଼ିଆ ବା ଭାରତୀୟ, ସଂସ୍କୃତିରେ ପରିଚିତ କରାଇବାକୁ ଚହଁ, ତେବେ ତାଙ୍କୁ ଆମ ମହାନ ଭାଷା କହିବାକୁ ଓ ପଢିବାକୁ ଶିଖାଅ। ଇଂଗ୍ଲିଶ୍ ପାଇଁ ଚିନ୍ତା କରିବାର କାରଣ ନାହିଁ, କାରଣ ସେମାନେ ତାହା ଶିଖିବେ ଓ ତମେ ଚାହଁ ନ ଚାହଁ, ଭଲରେ ଶିଖିବେ।
ସାଙ୍ଗମାନେ ପଚାରନ୍ତି, ଆମେ କିପରି ଆମ ମୂଳ ଜନ୍ମଭୂମିରେ ଆମ ସଂସ୍କୃତିକୁ ବଳବାନ କରାଇପାରିବା, ତାହାର ପୁନରୁତ୍ଥାନ ଓ ପୁନର୍ଜନ୍ମ କରାଇପାରିବା ଓ ଆମ ନୂଆଭୂମିରେ ତାହାର ରୋପଣ କରିପାରିବା। ଏ ବାବଦରେ ମୁଁ ଆପଣମାନଙ୍କ ଆଗରେ କିଛି ଉପସ୍ଥାପିତ କରିବାକୁ ଚାହୁଁଚି।
ଆଧୁନିକ, ମାନେ ଏକେବାରେ ନୂତନ, ତାନ୍ତ୍ରିକ ଉଦ୍ଭାବନ ଯାହାର ଜନ୍ମସ୍ଥାନ ହେଲା ଏ ଦେଶ, ଦି’ଟି ଦିଗରେ କାମ କରୁଚି। ଇଣ୍ଟରନେଟରେ ଆମେ ବହି, ପୁରୁଣା ପୋଥି, ଓ ଭୁବନେଶ୍ବରରୁ ଖବର ଜାଣିପାରିବା, ଖୋଜିପାରିବା। ସେମାନେ ବି ଚିଲିକା କୂଳରେ ବସି ଆମ ଏଠାର ସେ ସବୁ ଅବଗତ ହୋଇପାରିବେ। ସଂସ୍କୃତି ଏଭଳି ପହଁଚିପାରିବା ଯୋଗୁଁ ଆମେ ବୈଶ୍ବିକତାର ଫଳାଫଳରେ ସନ୍ତୁଷ୍ଟ । ମାତ୍ର, ସଂସ୍କୃତି ଉପରେ ବୈଶ୍ବିକତାର ପରିଣାମ ବାବଦରେ ଆମର ସାବଧାନ ହେବାର ଅଛି।
ଏ ନୂଆ ତାନ୍ତ୍ରିକ ଉଦ୍ଭାବନ ଫଳରେ ଏକ ଅନୁଲକ୍ଷିତ ଘଟଣା ଘଟିଛି: ଅନେକ ଛୋଟ ସମାଜର ଭାଷା, ଯାହା ଏ ପର୍ଯ୍ୟନ୍ତ ମୃତ ବା ମୁମୂର୍ଷୁ ବୋଲି ଧରିନିଆଯାଉଥିଲା, ସେ ସବୁ ଇଣ୍ଟରନେଟରେ ନବଜୀବନ ପାଇଛନ୍ତି। ଦୁନିଆର ବିଭିନ୍ନ କୋଣରେ ଥିବା ସେ ଭାଷାଭାଷିକ ଏବେ ଇଣ୍ଟରନେଟରେ ଭେଟିପାରୁଚନ୍ତି ଓ ତାଙ୍କ ଭାଷା ପାଇଁ ସ୍ବୀକୃତି ଦାବି କରୁଚନ୍ତି। (ୟା ଓଲଟ, ଏସ୍ପେରାନ୍ତେ ଯାହାକୁ ବହୁକାଳ ଧରି ସେ ଭାଷାଭାଷୀ ବଞ୍ଚାଇ ରଖିଥିଲେ, ଏବେ କହିଲାବାଲା ହରାଇଲାଣି।) ଦ ଜର୍ନାଲ୍ ଅଫ୍ ଲିଙ୍ଗୁଇଷ୍ଟିକ୍ସର କହିବା କଥା, ଏହା ଫଳରେ ଅନେକ ଛୋଟ ଭାଷା ବଞ୍ଚିପାରିଚନ୍ତି। ମାତ୍ର, ଜାଣିବାର କଥା ଯେ ଏ ଜନ୍ମ ଘଟିଚି ଇଣ୍ଟରନେଟ ଉପରେ; ସେ ଭାଷା କହୁଥିବା ମୂଳ ଗାଁରେ ତାହା ଏବେ ବି ମୃତ।
ଏ ଚିତ୍ର ଆଗକୁ ଆସିଲାବେଳେ ଆଉ ଏକ ଶତାବ୍ଦୀ ପରେ ଓଡ଼ିଆ ସଂସ୍କୃତି କଥା ମନକୁ ଆସି ଭୟ ଲାଗେ। ସେପଟେ ଆମ ଦେଶରେ ନୂତନ ତାନ୍ତ୍ରିକ ଆବିଷ୍କାର ଫଳରେ ପାଶ୍ଚିମାତ୍ୟ ସଂସ୍କୃତିର ପ୍ରବଳ ପ୍ରଭାବ ଯୋଗୁଁ ଓଡ଼ିଆ ସଂସ୍କୃତି ଏକ ଜୀବିତ ସଂସ୍କୃତି ଭାବରେ ଲୋପପାଇ, ସଂସ୍କୃତି ବିଭାଗର ଉଦ୍ୟମରୁ କେବଳ ମ୍ୟୁଜିୟମରେ ସ୍ଥାନ ପାଇଥିବ। ମାତ୍ର, ଇଣ୍ଟରନେଟରେ ଆମକୁ ଓଡ଼ିଆ ସଂସ୍କୃତି କିପରି ଥିଲା ତାହା ଦେଖିବାକୁ ଓ ପଢିବାକୁ ମିଳିବ।
ଏ କଥାକୁ ଏବେ ଘଟିଯାଇଥିବା ସତ ଘଟଣା ସହ ତୁଳନା କରନ୍ତୁ। ପ୍ରଥମ ମହାଯୁଦ୍ଧ ପରେ ପେନସିଲଭାନିଆରେ ରହୁଥିବା ଓଲଂଦାଜ (ଡଚ୍) ସମ୍ପ୍ରଦାୟର ଲୋକେ, ସେମାନେ ଦି’ଶହ ବର୍ଷ ପୂର୍ବେ ଛାଡିଥିବା ମୂଳ ଗାଁରେ ମୂଳ ସଂସ୍କୃତି କିପରି ଅଛି ତାହା ଦେଖି ବୁଝିବା ପାଇଁ ତାଙ୍କ ଭିତରୁ ଦଳଙ୍କୁ ପଠାଇଲେ। ସେ ଦଳକ ସେଠାରୁ ଫେରି ଜଣେଇଲେ, ସେଠାରୁ ଶିଖିବାର କିଛିନାହିଁ। ପୁରୁଣା ଜୀବନ ଓ ସଂସ୍କୃତି ଲୋପପାଇଛି। ବରଂ ସେମାନେ, ମାନେ ପେନସିଲଭାନିଆର ଓଲଂଦାଜ, ତାହା ସମ୍ଭାଳି ରଖିଚନ୍ତି। ମୂଳ ଦେଶରୁ ଶିଖିବାର କିଛିନାହିଁ। ଓଡ଼ିଶା ବାବଦରେ ଏପରି ହୋଇପାରେ କି?
ଯୁରୋପ ବଦଳିଲା, ମାତ୍ର ତାହା ନିଜ ଭିତରୁ। କେବଳ ମୁଖ୍ୟତଃ ଧର୍ମଯୁଦ୍ଧ (କ୍ରୁସେଡ୍) ଯୋଗୁଁ ବାହାରର ପ୍ରଭାବକୁ ଛାଡିଦେଲେ, ଶିଳ୍ପ ବିପ୍ଳବ ୟୁରୋପରେ ହିଁ ଘଟିଲା ଓ ତାହା ସେଠାର ଜୀବନକୁ ଆମୂଳାଗ୍ର ବଦଳାଇଦେଲା। ମାତ୍ର, ଆମଜୀବନ ବଦଳୁଚି ଓ ବଦଳିବ ବାହାରର ପ୍ରଭାବ ଫଳରେ: ପ୍ରଥମେ ଉପନିବେଶିକ ରାଜତ୍ବ, ରାଜକୀୟ ଓ ସାମ୍ରାଜ୍ୟ ପାଇଁ। କିନ୍ତୁ ଏବେ ବୈଶ୍ବିକ ବ୍ୟବହାର ଫଳରେ ଆଧୁନିକ ତନ୍ତ୍ରଜ୍ଞାନର ଆକ୍ରମଣ, ସାହାଯ୍ୟ ଓ ବିକାଶ ନାଆଁରେ। ତନ୍ତ୍ରଜ୍ଞାନ କିଛି ଶକ୍ତି-ନିରପେକ୍ଷ ନୁହେଁ। ଶକ୍ତି ଶକ୍ତିମାନଠାରୁ କମ୍ ବଳଶାଳୀ ଆଡକୁ ବୋହେ। ୟେ କିଛି ସମାନ ଖେଳପଡିଆ ନୁହେଁ। ତନ୍ତ୍ରଜ୍ଞାନ ତା’ ସହିତ ଆଣେ ଭିନ୍ନ ସଂସ୍କୃତି ଯାହା ଦେଖିବାକୁ ମତେ ସୁଖ ଲାଗେ ନାହିଁ। ଦିନଆସୁଚି ଯେତେବେଳେ ମୋ ଗାଁର ଚାଷୀ ଜୈବିକ ତନ୍ତ୍ର ଦ୍ବାରା ପରିବର୍ତ୍ତିତ ଧାନ ବିହନ ମୋନସାନଟୋଠାରୁ କିଣିବ। ଏଥି ସହିତ ଓଡିଆ ସଂସ୍କୃତି ଲୋପପାଇବ ବାସ୍ତବରେ; ରହିବ ଯାଇ ଇଣ୍ଟରନେଟରେ ଓ ମ୍ୟୁଜିୟମରେ।
ଆମ ପୁରାତନ, ପାରମ୍ପରିକ ସଂସ୍କୃତି ଏ ନୂଆ ଆଧୁନିକ ତନ୍ତ୍ରଜ୍ଞାନର ସମସ୍କନ୍ଦ ହୋଇପାରିବ କି? କାହିଁକି ନହୋଇପାରିବ ତାହାର କୌଣସି ସ୍ବତଃସିଦ୍ଧ କାରଣ ନାହିଁ। କିନ୍ତୁ, ବାସ୍ତବରେ ଏହା ମୂଳପୋଛ ହୋଇଯିବ। ଏ ସମ୍ଭାବନା ଆଗରୁ ଧର୍ମର ବାଟ ଧରାଯାଇପାରେ। ଓଡ଼ିଆ ଲୋକେ ଜଗନ୍ନାଥ ଧର୍ମର ରାହା ଧରନ୍ତି। ମୁଁ ଏଇ ବୈଚାରିକ ଗୋଳମୋଳ ବିଷୟରେ ଦି’ପଦ କହିବି।
ପ୍ରଥମ କଥା ହେଲା, ଏ ‘ସଂସ୍କୃତି’ (ଭାରତୀୟ, ଓଡ଼ିଆ) କଥାଟା ଭାରି ନୂଆ। ଆମେ ଇଂଗ୍ଲିଶ୍ କଲ୍ଚର୍ ଶବ୍ଦର ଅନୁବାଦ କରୁଛେ, ସଂସ୍କୃତି। ଦେଖନ୍ତୁ, ସଂସ୍କୃତରେ ସାହିତ୍ୟ, ସଙ୍ଗୀତ, ନୃତ୍ୟ, କଳା ପାଇଁ ଶବ୍ଦ ଅଛି। କିନ୍ତୁ କଲ୍ଚର୍ ପାଇଁ ନାହିଁ। ସଂସ୍କାର, ସଂସ୍କୃତ ଶବ୍ଦ ଅଛି, ମାତ୍ର ସଂସ୍କୃତି ନଥିଲା। ଏହାର ଏକମାତ୍ର ବ୍ୟବହାର ଥିଲା ସଂରକ୍ଷଣ ଅର୍ଥରେ।
ଜର୍ମାନ ଭାଷାରେ ବି ଷୋଡଶ ଶତାବ୍ଦୀ ପୂର୍ବରୁ kultur ଶବ୍ଦ ନଥିଲା। ପୂର୍ବ କାଳରେ, ଯାହାସବୁ ଏବେ ସଂସ୍କୃତି ବୋଲି କୁହାଯାଉଚି, ସେ ସବୁ ବାସ୍ତବ ଜଗତର ଭାଗ ନଥିଲା। ଏହା ବିଶେଷରେ ଧର୍ମ ବାବଦରେ। ଧାର୍ମିକ ଉପଚାର, ସଙ୍ଗୀତ, ନୃତ୍ୟ, କର୍ମକାଣ୍ଡ ସବୁ ବାସ୍ତବ ଜୀବନର ବିଷୟ ଥିଲା। ଯେତେବେଳେ ଦେବ-ଦେବତାଙ୍କଠାରୁ ଓ ଅଲୌକିକ ବିଶ୍ବାସରୁ ଦୂରେଇଗଲେ ଓ ଜୀବନ ଓ ପ୍ରକୃତି ବିଜ୍ଞାନବେଶିତ ହେଲେ, ସେତେବେଳେ ଯାହାସବୁ ନିସର୍ଗଠାରୁ ଭିନ୍ନ ତାଙ୍କୁ ସଂସ୍କୃତି କୁହାଗଲା, ଯାହା ସୌନ୍ଦର୍ଯ୍ୟବୋଧ ଓ ସନ୍ତୋଷର ବିଷୟବସ୍ତୁ ହେଲେ।
ଯେତେବେଳେ ମୋ ବାପା-ବୋଉ ଗାଁ ଦେଉଳକୁ ସନ୍ଧ୍ୟା ଆରତି ଦେଖିବାକୁ ଯାଉଥିଲେ, ତାଙ୍କ ଆଖିରୁ ଲୁହ ଗଡୁଥିଲା। ଆଧିଭୌତିକ ପାଇଁ ତାଙ୍କୁ ବାଟ ମିଳୁଥିଲା। ମୂର୍ତ୍ତିମାନଙ୍କ ଭିତରେ ବାସ୍ତବରେ ଦେବତା ବିରାଜମାନ ଥିଲେ। ଦେବତାମାନେ ବାସ୍ତବରେ ପ୍ରାର୍ଥନା ଓ ପ୍ରଶଂସା ଶୁଣୁଥିଲେ। ମୁଁ ଯେତେବେଳେ ବୋଉକୁ ପୁରୀରେ ଜଗନ୍ନାଥ ମନ୍ଦିରକୁ ନେଇଯାଉଥିଲି, ସେ ବାସ୍ତବରେ ଦେବତାଙ୍କ ସମ୍ମୁଖରେ ଥିଲା। ସେ ପୂଜାର କର୍ମକାଣ୍ଡରେ, ପଟଚିତ୍ରରେ, ଜଣାଣରେ ଜଗନ୍ନାଥ ସଂସ୍କୃତି ଦେଖୁନଥିଲା। ଆମ ପରିସ୍ଥିତି ଆଜି ଭିନ୍ନ। ମାକ୍ସ ୱେବର ଠିକ୍ କହିଥିଲେ, ଏନ୍ଲାଇଟନମେଣ୍ଟ ଫଳରେ ଜଗତ ଏନ୍ଚ୍ୟାନ୍ଟମେଣ୍ଟ (ସମ୍ମୋହନ) ପାସୋରିଗଲା। ମାତ୍ର ଏ ସବୁ ଯାହା ଦିନେ ଜଗତକୁ ସମୃଦ୍ଧ କରି ତାକୁ ପରିଚିତ କରାଉଥିଲା, ତାହା ଏବେ ବାସ୍ତବର ଭାଗ ହୋଇ ରହିଲାନାହିଁ, ତା’ ହେଲା ସଂସ୍କୃତିର ଚିହ୍ନ।
ପ୍ରକୃତି (ନିସର୍ଗ) ଓ ସଂସ୍କୃତି ଏବେ ଭିନ୍ନ। ଏ ଭିନ୍ନତା ଆସିବା ପରେ ସଂସ୍କୃତି ସାରା ଜୀବନକୁ ବ୍ୟାପିବାରେ ଲାଗିଚି। ବିଜ୍ଞାନ, ଯାହା ପ୍ରଥମେ ଏ ଭିନ୍ନତାର କାରଣ ହେଲା, ତା’ ମଧ୍ୟ ଏବେ ସଂସ୍କୃତିର ବିଷୟ ହେଲାଣି। ଆମର ଆଜିର ପ୍ରିୟ ସାଧନ, କମ୍ପ୍ୟୁଟର ପିସି (PC), ଯାହା ସାହାଯ୍ୟରେ ଆମେ ବାସ୍ତବକୁ ଖୋଜୁଚେ, ତାହା ବି ଏବେ ସଂସ୍କୃତିର ବିଷୟ। ଆଜିର ଅସଲ ବାସ୍ତବ ହେଲେ ଆର୍ଥିକ ଉତ୍ପାଦନ ଉଦ୍ୟୋଗ ଓ ମୁଦ୍ରାର ବ୍ୟବହାର। ଏହା ସଂସ୍କୃତିଠାରୁ ଭିନ୍ନ, ମାତ୍ର କେବଳ ପ୍ରଥମରୁ। ଏହା ମଧ୍ୟ ଏବେ ସଂସ୍କୃତିର ଭାଗ। ସଂସ୍କୃତିକୁ ଅର୍ଥ ବ୍ୟବସ୍ଥା ସହ କିପରି ଯୋଡିବା ତାହା ଅନେକ ବିଚାରବନ୍ତଙ୍କ ଚିନ୍ତନର ବିଷୟ। ଆମ ଦେଶରେ ଗାନ୍ଧୀ ଗୋଟାଏ ବାଟ ବତେଇଲେ। ମାତ୍ର ମୁଁ ଆଜି ସେ ବିଷୟ ଭିତରକୁ ଯିବାକୁ ଚାହୁଁନାହିଁ।
ପୁଣି ଜଗନ୍ନାଥ ସଂସ୍କୃତି ଆଡ଼କୁ ଫେରିବା। ଓଡ଼ିଆଙ୍କ ପାଇଁ ତାହା ଭାରି ମହତ୍ତ୍ବପୂର୍ଣ୍ଣ। ଆମକୁ ଆମ ନିଜସ୍ବ ଏଥିରୁ ମିଳେ ବୋଲି ଧାରଣା। ହେଲେ, ଆମକୁ ଗଭୀର ଭାବରେ ବିଚାର କରିବାର ଅଛି। ଆମେ ସ୍ପଷ୍ଟ ମନେରଖିବା ଆବଶ୍ୟକ ଯେ ଜଗନ୍ନାଥ-ସଂସ୍କୃତି ଧର୍ମ ନୁହେଁ। ଧର୍ମ ବୋଇଲେ ଈଶ୍ବର ବାବଦରେ ପ୍ରବଳ ନିଷ୍ଠା। ଧର୍ମ ଜାଗାରେ ଏବେ ସଂସ୍କୃତି ଠିଆ। ଆମର ତା’ ଆଉ ନାହିଁ। ମୁଁ ଆଉ ଦିଅଁଙ୍କ ସାମନାରେ ମୋ ବୋଉର ଅନୁଭବକୁ ମୋ ଭିତରକୁ ଫେରାଇ ଆଣିପାରିବି ନାହିଁ। ସେ ଦେବତାପୂର୍ଣ୍ଣ, ଦୈବୀଶକ୍ତିମୟ ଜଗତରେ ବାସ କରୁଥିଲା। ମୋ ଜଗତ ବିଜ୍ଞାନାଧାରିତ। ମୁଁ ବା ମୋର ନିକଟବର୍ତ୍ତୀୟ ବେମାର ପଡିଲେ ମୁଁ ଦିଅଁକୁ ଆବାହନ କରେନି। ମୁଁ ସବୁଠାରୁ ଭଲ ଡାକ୍ତର ଖୋଜେ। ମାତ୍ର କେହି ଭଲ ଭଜନଗାୟକ ଜଗନ୍ନାଥ ଜଣାଣ ଗାଉଥିଲେ ବା ଓଡ଼ିଶୀ ନାଚ କରୁଥିଲେ ମୁଁ ବିମୋହିତ ହୁଏ। ମୁଁ ସମୟର ପ୍ରତିଗାମୀ ହୋଇପାରିବି ନାହିଁ। ମୋତେ ଏ ଭେଦଭାବାପନ୍ନ ଜୀବନରେ ବାଟ ଖୋଜିବାକୁ ପଡିବ। ଅନେକେ ଏ କଥା ମନକୁ ଆଣିପାରୁ ନାହାନ୍ତି।
ମୁଁ ମୋ ପ୍ରବାସ ମନେପକାଇ ଏ କଥାଟା ବିଶଦ କରେ। ମୁଁ ସତର ବର୍ଷ ବୟସରେ, ୧୯୪୫ ମସିହାରେ, କଟକ ଛାଡିଲି। ସେକାଳୁ ଆଜି ପର୍ଯ୍ୟନ୍ତ ମୁଁ ନିୟମିତ ଓଡ଼ିଶା ଆସେ, ହେଲେ କେବେ ସିଧାସଳଖ ଦି’ ମାସରୁ ଅଧିକ କାଳ ପାଇଁ ନୁହେଁ। କଲିକତା, ଅକ୍ସଫୋର୍ଡ, ବର୍ଲିନ୍, ଗଟିଂଜେନ୍ଓ ପାରିଶର ମହାନ ବିଶ୍ବବିଦ୍ୟାଳୟରେ ପଢି, ଗବେଷଣା କରି ଓ ପଢାଇ ଏବେ ଏଠାରେ (ଫିଲାଡେଲଫିଆର ଟେଂପ୍ଲ ବିଶ୍ବବିଦ୍ୟାଳୟରେ) ରହୁଚି। ହେଲେ, ବିଶ୍ବଭ୍ରମଣ ଓ ଉଚ୍ଚ ବିଚାରର କଥା ସବୁ ସଇଲେ, ମଧ୍ୟରାତିର ନୀରବତାରେ, ଜ୍ୟୋତ୍ସ୍ନାଧୌତ ଆକାଶର ମେଘଖଣ୍ଡର ସାକ୍ଷୀରେ ମୋର ହୃଦୟର ଗଭୀରତମ ପ୍ରଦେଶରୁ ଊର୍ମି ଉଠେ- ବାକ୍‌ଙ୍କ ମଧୁର ବାଦ୍ୟଧ୍ବନି ନୁହେଁ, ରବୀନ୍ଦ୍ର ସଙ୍ଗୀତ ନୁହେଁ, କାଳିଦାସଙ୍କ ମେଘଦୂତର ପଂକ୍ତି ନୁହେଁ- ମୋ ଗାଁର ଗୋରୁଜଗା ପିଲାର ମଧୁର ବଂଶୀସ୍ବନ, ଜଗନ୍ନାଥ ଜଣାଣର ପଦେ, ଗାଁ ମାଟିକାନ୍ଥରେ ସୁନ୍ଦର ଚିତାର ସ୍ମରଣ, ଆଉ ପୋଖରୀକୂଳର ପାହାଚ ଉପରେ ଠିଆ ଷୋଡଶୀର ମନହାରୀ ରୂପ। ୟେ ସବୁ ମୋ ଚେତନାର ବାହ୍ୟ ଜାଣ ନୁହେଁ, ୟେ ସବୁ ମୋ ଆତ୍ମାର ଗଭୀରତମ ଭାଗର ପରିପ୍ରକାଶ। ଏହା ଲିଭିବାର ନୁହେଁ, ଜର୍ମାନ ଓ ସଂସ୍କୃତର ସମସ୍ତ ବିଦ୍ୟା ଏହା ପୋଛିପାରିବାର ନୁହେଁ। ଏହା ହିଁ ମୁଁ।
ପ୍ରିୟ ବନ୍ଧୁଗଣ, ତୁମର ସମସ୍ତ ଜ୍ଞାନକୌଶଳ, ତାନ୍ତ୍ରିକ ସାମର୍ଥ୍ୟ ଓ ଆର୍ଥିକ ବଳ ଯାହାକୁ ତୁମେ ଓଡ଼ିଶାର ଦାରିଦ୍ର୍ୟ ଦୂର କରିବା ପାଇଁ ବ୍ୟବହାର କରିପାରିବ ବୋଲି ଭାବୁଚ, ତା’ ପୂର୍ବରୁ ଆଗ ଯତନ କର- ଦୋଷ ଭାବନା ନୁହେଁ- ତୁମ ଭିତରର ତାକୁ।
ମୋ ଅନୁଭବ କଥା କହି ରଖେ। ମୋ ବୋଉ ଜଗନ୍ନାଥଙ୍କ ସମ୍ମୁଖରେ ଭକ୍ତିରେ ଗଦ୍‌ଗଦ୍‌ ଥାଏ। ମୋର ସେ ବିଶ୍ବାସବେଶିତ ଭକ୍ତି ନାହିଁ। ମାତ୍ର ତା’ର ଓ ତା’ଭଳି ଅସଂଖ୍ୟ ଭକ୍ତଙ୍କର ଭାବନାଆବେଗ ମତେ ଅବିଭୂତ କରେ। ତାଙ୍କ ପ୍ରଥମ ଶ୍ରେଣୀର ଭାବନା ବିଷୟରେ ମୋ ଭାବନା ଦ୍ବିତୀୟ ଶ୍ରେଣୀର। ଯେମିତି ଜେଜେବାପାଙ୍କ ନାତୁଣୀର ଖେଳଣା ସହ ଆନନ୍ଦ ଅନୁଭବର ସୁଖକଥା ଲେଖିଥିବାର ଆନନ୍ଦ କବିଙ୍କର। ଆମ ପୁରାତନ ଲେଖକମାନେ ଏ ଅନୁଭୂତିକୁ କହିଚନ୍ତି, ରସ, ରସାନୁଭୂତି। ମୋର ଦେଉଳକୁ ଯିବା ଏକ ଗଭୀର ରସାନୁଭୂତି, ମୋ ବୋଉର ଧାର୍ମିକ ଭାବୋତ୍ସ। ମୋର ଦୂରସ୍ଥ ଅବସ୍ଥାନରେ କେବଳ ଏହା ହିଁ ମୋ ପକ୍ଷରେ ସମ୍ଭବ।
ଶେଷରେ ମୁଁ ଓଡ଼ିଶା ବାବଦରେ ଗଭୀର ଭାବନା ଥିବା ଦି’ ଜଣଙ୍କ କଥା କହେ। ଥରେ ଓଡ଼ିଶାର ପୁରୀ ଜିଲାରେ ଘୋର ବଢ଼ିହେଲା। ବନ୍ୟାଗ୍ରସ୍ତଙ୍କ ସାହାଯ୍ୟ ପାଇଁ କଟକ ଟାଉନ ହଲରେ ସଭାର ବନ୍ଦୋବସ୍ତ ହେଲା। ଉତ୍କଳମଣି ସେଠାରେ ହାଜର ହେବାର ଥିଲା। ମାତ୍ର ସଭାବେଳକୁ ଦିଶିଲା ସେ ମଞ୍ଚ ଉପରେ ନାହାନ୍ତି। ଖୋଜୁ ଖୋଜୁ ଦିଶିଲେ ଗୋଟେ କଣରେ, ଆଖିରୁ ଲୁହଗଡ଼ାଇ ବସିଚନ୍ତି। ଆଉ ଜଣେ ରମାଦେବୀ, ସମୟର ଦୂରତା ଦୃଷ୍ଟିରୁ ଆମର ବେଶି ପାଖର। ଆମେ ସେମାନଙ୍କୁ ମନେ ରଖିବା ଓଡ଼ିଶା ପାଇଁ ଆମର ଗଭୀରତମ ଭାବନାରେ।

ଜିତେନ୍ଦ୍ରନାଥ ମହାନ୍ତି
ଅନୁବାଦକ : ନୀଳକଂଠ ରଥ
nrath66@yahoo.co.in
ଦୂରଭାଷ:୯୪୨୨୬୫୬୦୩୨

Comments are closed.