ଇତିହାସର ଚରିତ୍ର ବଡ଼ ବିଚିତ୍ର

ଗତ ଜୁଲାଇ ମାସ ୨୪ ତାରିଖ ‘ସମାଜ’ର ସମ୍ପାଦକୀୟ ପୃଷ୍ଠାରେ ‘ଇତିହାସର ଭୂଗୋଳ’ ଶୀର୍ଷକ ପ୍ରବନ୍ଧଟିକୁ ଅନେକବାର ପଢ଼ିବା ପରେ ମୋର ଏଇ ଲେଖାଟି ହେଉଛି ତା’ର ଫଳଶ୍ରୁତି।
ଆଲ୍‍ଡୋଉସ୍‍ ହକ୍ସଲେ (୧୮୯୪-୧୯୬୩) କହିଥିଲେ, “ଲୋକମାନେ ଇତିହାସରୁ ଶିଖନ୍ତି ନାହିଁ, ତାହା ହେଉଛି ଆଜିର ପରିସ୍ଥିତିରେ ସବୁଠାରୁ ବଡ଼ ଶିକ୍ଷା”। ଭାରତର ସ୍ୱାଧୀନତାକୁ ବିଚାରକୁ ନେଇ ଇତିହାସର ପୁରୁଣା ପୃଷ୍ଠାକୁ ଟିକିଏ ଓଲଟାଇବା। ଇଂଲଣ୍ଡର ପ୍ରଧାନମନ୍ତ୍ରୀ ୱିନ୍‍ଷ୍ଟନ ଚର୍ଚ୍ଚିଲ ଭାରତକୁ ସ୍ୱାଧୀନତା ଦେବା ସପକ୍ଷରେ ନଥିଲେ। ସେ କହିଥିଲେ: “Power will go to the hands of rascals, rogues, freebooters; all Indian leaders will be of low calibre & men of straw. They will have sweet tongues and silly hearts. They will fight amongst themselves for power and India will be lost in political squabbles.” ଚର୍ଚ୍ଚିଲ୍‍ ଥିଲେ ପ୍ରକୃତରେ ଜଣେ ଅନୁଭବୀ ମଣିଷ। ସେ ତାଙ୍କର ଅନୁଭୂତିରୁ ଭଲ କରି ଅନୁମାନ କରିପାରି ଥିଲେ ଯେ ଯଦି ଭାରତୀୟମାନଙ୍କୁ ସ୍ୱାଧୀନତା ଦିଆଯାଏ, ତେବେ ଦେଶ ଗୁଣ୍ଡା, ପାଜି, ବଦମାସ ଓ ପ୍ରତାରକମାନଙ୍କ ହାତକୁ ଚାଲିଯିବ। ସେତେବେଳେ ଅବଶ୍ୟ ଆମ ଦେଶର ରାଜନେତାମାନେ ଏହାର ଦୃଢ଼ ପ୍ରତିବାଦ କରିଥିଲେ।

ଆଜି ଏହି ପ୍ରବନ୍ଧକୁ ଲେଖିବାକୁ ଗଲାବେଳେ ୧୦୦ ବର୍ଷ ତଳେ ଜେଲ ଭିତରେ ଥାଇ ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ ତାଙ୍କ ଡାଏରୀରେ ଯେଉଁ ଶବ୍ଦଗୁଡ଼ିକ ଲେଖିଥିଲେ, ତାହା ମନରେ ଗଭୀର ରେଖାପାତ କରୁଛି। ସେ କହିଥିଲେ ‘Elections and their corruptions, injustice and the power and tryanny of wealth and the ineffciency of administration will make a hell of life as soon as freedom is given to us’ (24th January 1922)’.
ଚର୍ଚ୍ଚିଲଙ୍କ ସେ ସମୟର ମନ୍ତବ୍ୟ ଓ ରାଜଗୋପାଳାଚାରୀଙ୍କର ଶହେ ବର୍ଷ ତଳର ଭବିଷ୍ୟତବାଣୀ ସମ୍ପ୍ରତି କେତେ ସତ୍ୟରେ ପରିଣତ ହୋଇଛି, ତାହା ଯେ କେହି ବ୍ୟକ୍ତି ଅନୁଭବ କରିପାରିବେ। ଏହାର ଅର୍ଥ ଆମେମାନେ ଇତିହାସରୁ କିଛି ଶିଖିଲୁ ନାହିଁ ବୋଲି ପ୍ରମାଣିତ ହୋଇଛି। ଇତିହାସର ଚରିତ୍ର ବଡ଼ ବିଚିତ୍ର ସତରେ! ଏବେ ଯୁଗ ବଦଳିଛି। ରାଜନୀତି କରିବା ପାଇଁ ଆଦର୍ଶ ଜୀବନର ମୂଲ୍ୟ କିଛି ନାହିଁ। ବିବେକ ଓ ସମ୍ବେଦନାର ସ୍ଥାନ ସାମ୍ପ୍ରତିକ ରାଜନୀତିରେ ଆଦୌ ନାହିଁ। ଆମ ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ମଧ୍ୟରେ ଆମର ପ୍ରଗତି ଚମକପ୍ରଦ ବୋଲି ଆମେ ଫୁଲେଇ ହେଉଥିବାବେଳେ ସତରେ ଆମେ କେଉଁଠି ପହଞ୍ଚିଛୁ, ତା’ର ବିଚାର କରିବା ଯେ କେତେ ଜରୁରୀ ତାହା ଆମକୁ ଆଜି ବାଧ୍ୟ କରୁଛି।

ଆମ ଦେଶ ସମ୍ମୁଖରେ କୁଢ଼କୁଢ଼ ସମସ୍ୟା। ବେକାରୀ ସମସ୍ୟା ଅତ୍ୟନ୍ତ ଉତ୍କଟ, ଦରବୃଦ୍ଧିର ସମସ୍ୟା ଅଣାୟତ୍ତ ହୋଇ ପଡ଼ିଛି। ସ୍ୱାଧୀନତାର ୭୫ବର୍ଷ ପରେ ମଧ୍ୟ ‘ରୋଟି କପଡ଼ା ମକାନ୍‍’ର ସମସ୍ୟା ସମାଧାନ ହୋଇନାହିଁ। ଶିକ୍ଷାବ୍ୟବସ୍ଥା, ସ୍ୱାସ୍ଥ୍ୟସେବା ଓ ପାନୀୟ ଜଳର ସମସ୍ୟା ବିଷୟ ଆଲୋଚନା ନ କରିବା ଭଲ। ମୁଦ୍ରାସ୍ପୀତିର ହାର ଅତୀତର ସମସ୍ତ ରେକର୍ଡ଼କୁ ପଛରେ ପକାଇ ସାରିଲାଣି। ଏପରି ପରିସ୍ଥିତିରେ ଇତିହାସର ପୃଷ୍ଠା ଖୋଲିଲେ ଆମେ ସହଜରେ ଜାଣିପାରିବା ଯେ ଆମ ଦେଶ କିପରି ବାରମ୍ବାର ଏହିପରି ବଡ଼ବଡ଼ ବିପଦର ସମ୍ମୁଖୀନ ହୋଇଛି। ବିଡ଼ମ୍ବନାର ବିଷୟ ଏହି ଯେ ବର୍ତ୍ତମାନ ସମଗ୍ର ଭାରତବର୍ଷ ଏକ ଅର୍ଥନୈତିକ ଘଡ଼ିସନ୍ଧି ସମୟ ଦେଇ ଗତି କରୁଛି। ଏହି ସମୟରେ ଆମେମାନେ ଧର୍ମର ପୋଷାକ ନେଇ ଯୁକ୍ତିତର୍କରେ ବ୍ୟସ୍ତ ରହିଛୁ। ପରିସଂଖ୍ୟାନ କହୁଛି ଯେ କୋଭିଡ଼୍‍ ସଂକ୍ରମଣ ପରେ ଭାରତବର୍ଷରେ କୋଟି କୋଟି ମଧ୍ୟବିତ୍ତ ବ୍ୟକ୍ତି ଦରିଦ୍ର ହୋଇଯାଇଥିବା ବେଳେ କୋଟିକୋଟି ଦରିଦ୍ର କାଙ୍ଗାଳ ହୋଇ ଯାଇଛନ୍ତି। ଏହି ସମୟରେ ଆମେ ଦାରିଦ୍ର୍ୟ ଓ ତା’ର ଦୂରୀକରଣ ଭଳି ପ୍ରସଙ୍ଗ ଉପରେ ଚିନ୍ତା କରିବା ଆବଶ୍ୟକ। କିନ୍ତୁ କିଏ ଚିନ୍ତା କରୁଛି ଏଠି? ଯେଉଁମାନେ ଚିନ୍ତା କରିବା କଥା, ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଭଲ ଭାବରେ ଲେଖିପଢ଼ି ଜାଣନ୍ତି ନାହିଁ। ଯେଉଁମାନେ ଲେଖିପଢ଼ି ଜାଣନ୍ତି, ସେମାନେ ଦେଶର କୌଣସି ସମସ୍ୟାରେ ମୁଣ୍ଡ ଖେଳାଇବାକୁ ଉଚିତ ମନେ କରନ୍ତି ନାହିଁ। କହିବାକୁ ଗଲେ, ଚହଲା ପାଣିରେ ଗୋଡ଼ ବୁଡ଼ାନ୍ତି ନାହିଁ। ସାଧାରଣ ଲୋକମାନେ ଇତିହାସ କ’ଣ ଜାଣନ୍ତି ନାହିଁ, ମାତ୍ର ଆଜିର ପରିସ୍ଥିତିରେ ଇତିହାସ ଆମକୁ ବଡ଼ ଶିକ୍ଷା ଦେଉଛି। ସିଧାସିଧା କହିଲେ ଯେଉଁମାନେ ଅତୀତକୁ ମନେ ରଖନ୍ତି ନାହିଁ, ସେମାନେ ଅତୀତର ସବୁ ଭୁଲର ପୁନରାବୃତ୍ତି କରନ୍ତି। ନିକଟରେ ଗଣମାଧ୍ୟମରେ ମୁଖ୍ୟ ଖବରର ଶିରୋନାମା ପାଲଟିଥିଲା ‘ଆଜାଦୀ କା ଅମୃତ ମହୋତ୍ସବ।’ ସରକାର ଏହା ପାଳନ ସକାଶେ ଅଭିନବ ଅଭିଯାନ ଆରମ୍ଭ କରି ସଫଳ ହୋଇଛନ୍ତି। ପ୍ରକୃତରେ ଆମେ ଏହି ଅମୃତ ଚେତନା ଧାରଣ ପାଇଁ ମାନସିକ ଓ ଶାରୀରିକ ସ୍ତରରେ କେତେ ଯୋଗ୍ୟ ହୋଇଛୁ ଓ ସେଥିପାଇଁ କେତେ ଯତ୍ନବାନ ଅଛୁ ତାହା ସମୀକ୍ଷାର ବିଷୟ।

prayash

ପ୍ରାୟ ୨୦୦ ବର୍ଷ ଆଗରୁ ଦାର୍ଶନିକ ୟୋଶେଫ୍‍ ଡେ ମାଇଷ୍ଟ୍ରେ (୧.୪.୧୭୫୩-୧୨.୨.୧୮୨୧) କହିଥିଲେ- ‘Every nation gets government it deserves’; ଯାହାର ଓଡ଼ିଆ ମର୍ମାନୁବାଦ ହେଲା ପ୍ରତ୍ୟେକ ଦେଶ ଯେମିତି ସରକାର ପାଇବାକୁ ଯୋଗ୍ୟ, ସେମିତି ପାଆନ୍ତି। ସେହି ପରିପ୍ରେକ୍ଷୀରେ ଆମ ଓଡ଼ିଆଙ୍କ ଚରିତ୍ରରେ ଖୁଣଟିଏ ରହିଛି। ଆମେ ଅଳ୍ପରେ ସନ୍ତୁଷ୍ଟ, ଶାଗ ପଖାଳ ଖାଇ ଶାନ୍ତିରେ ଶୋଇଯିବାର ଆମର ସ୍ୱର୍ଗସୁଖ। ସନ୍ତୁଷ୍ଟି ଭଲ, ମାତ୍ର ଗୋଟିଏ ଜାତି ଯେତେବେଳେ ଅଳ୍ପରେ ତୁଷ୍ଟ ହୋଇଯାଏ, ସେତେବେଳେ ଏହା ଏକ ‘କର୍ମ ବିମୁଖ ସଂସ୍କୃତି’କୁ ଜନ୍ମ ଦିଏ। ଚାଣକ୍ୟ କହିଥିଲେ – ‘କର୍ମ ଦୋଷେଣ ଦରିଦ୍ରତା।’ ଦରିଦ୍ର ରହିବାରେ ସତେ ଯେମିତି ଓଡ଼ିଆ ଜାତି ଅଭ୍ୟସ୍ତ! ଟଙ୍କିକିଆ ଚାଉଳରେ ଆମର ଅପାର ଆନନ୍ଦ। ଏଇ କଥାକୁ ଆମ ସରକାର ଠିକ ଠଉରେଇଛନ୍ତି ଓ ଏହା ତାଙ୍କୁ ସୁହାଉଛି। ଦେଶକୁ ଯିଏ ପାରି ଯେତେ ଲୁଟ୍‍ କରୁ ପଛେ, ଓଡ଼ିଆଙ୍କର ଯାଏ କେତେ ଆସେ କେତେ?

ଆମ ଓଡ଼ିଶାରେ ଆଳୁ ଖେଳୁଛି ଖେଳ। ବଙ୍ଗାଳୀ ଦିଦିଙ୍କ ଦାନ ଉପରେ ଆମେ ନିର୍ଭରଶୀଳ। ଆଳୁ ଆସିବ ପଶ୍ଚିମବଙ୍ଗରୁ, ପିଆଜ ଓ ଟମାଟୋ ମହାରାଷ୍ଟ୍ରରୁ, ଅଣ୍ଡା, କଦଳୀ ଓ ମାଛ ଆନ୍ଧ୍ରପ୍ରଦେଶରୁ, କୋବି ଆସିବ କର୍ଣ୍ଣାଟକରୁ। ସେଇଥିରେ ହେବ ଓଡ଼ିଆଙ୍କ ଛଅ ତିଅଣ, ନଅ ଭଜା। ଟଙ୍କିକିଆ ଦାନା ଖାଇ ଏବେ ଖୁବ୍‍ ଖୁସ୍‍ ଆମ ଓଡ଼ିଆ ଘୋଡ଼ା। ଛତା, ଜୋତା, କମ୍ବଳ ଓ ମହାର୍ଘ ​‌େ​‌ରସନ କାର୍ଡ ତ ଆମର ବଡ଼ ସମ୍ବଳ। ସେ ସମ୍ବଳକୁ ନେଇ ଏବେ ଓଡ଼ିଆଏ ଦିନ ଦ୍ୱିପ୍ରହରରେ ଗାଁ ଚାନ୍ଦିନୀରେ ବସି ଖେଳୁଛନ୍ତି ତାସ୍‍, ପଶାପାଲି କିମ୍ବା ବାଘଛେଳି ଖେଳ। ଦାରିଦ୍ର୍ୟର ଅନ୍ଧକାରରୁ ମୁକ୍ତି ପାଇଁ ଦୂରଦର୍ଶୀ ଯୋଜନା ଲୋଡ଼ା।
ଜର୍ଜ ବର୍ଣ୍ଣାଡ୍‍ ଶ’ କହିଥିଲେ – ‘ଦରିଦ୍ର ହେବା ସବୁଠାରୁ ବଡ଼ ପାପ ଓ ସବୁଠାରୁ ଜଘନ୍ୟ ଅପରାଧ।’

ଗଣତନ୍ତ୍ରର ଏହି ଦୁଃସ୍ଥିତି ଆମ ରାଜ୍ୟ ଓଡ଼ିଶାରେ ଗତ କେଇ ଦଶନ୍ଧି ଧରି ଦେଖାଗଲାଣି। ଚଳିତ ବର୍ଷର ପଞ୍ଚାୟତ ନିର୍ବାଚନଠାରୁ ଆରମ୍ଭ କରି ପୌର ନିର୍ବାଚନ ପର୍ଯ୍ୟନ୍ତ ସବୁଠାରେ ଗୋଟିଏ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଅନେକ ସ୍ଥାନରେ ସରକାର ବିରୋଧୀ ଜନ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଥିଲାବେଳେ ଏବଂ ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ବହୁ ନାରାବାଜି ସ‌େ‌ତ୍ତ୍ବ ଶାସକ ଦଳର ନିରଙ୍କୁଶ ବିଜୟ ଅନେକ ବୁଦ୍ଧିଜୀବୀଙ୍କ ବୁଦ୍ଧି ହଜାଇ ଦେଇଛି। ନିଜକୁ ରାମଭକ୍ତ ବୋଲି ପରିଚୟ ଦେଇ, ରାମାନନ୍ଦୀ ଚିତା କାଟି, ସର୍ବସାଧାରଣରେ ନିଜର ଅପୂର୍ବ ବାକ୍‍ଚାତୁରୀ ଦେଖାଇ ନିର୍ବୋଧ ଲୋକଙ୍କ ମନ ମୋହୁଥିବା ଅନେକ ବିରାଡ଼ି-ବୈଷ୍ଣବ ରାଜନେତା ଯେ ଭଣ୍ଡ ସାରଥି ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି, ଏସବୁ କାହାରି ଜାଣିବାକୁ ଆଉ ବାକି ନାହିଁ। ତଥାପି ‘ରାତୋଁରାତ୍‍ ଲମ୍ବୀ ଦାଢ଼ି’ ଷ୍ଟାଇଲରେ ନିର୍ବାଚନ ପୂର୍ବ ରାତ୍ରି ପର୍ଯ୍ୟନ୍ତ ଶାସକ-ବିରୋଧୀ ନାରା ଦେଉଥିବା ଜନସାଧାରଣ ଢୋକେ ନାଲିପାଣି ଓ ଟଙ୍କା କେଇଟାର ଅଯାଚିତ ମେହମାନ୍‍ ସାଜି ରାତାରାତି ନିଜର ଜାତୀୟତାବାଦ ଓ ଅଖଣ୍ଡ ମତଦାନ କ୍ଷମତାକୁ ଭଣ୍ଡମାନଙ୍କୁ ବିକି ଦେଉଛନ୍ତି। ଅନେକ ମତଦାନ କେନ୍ଦ୍ରରେ ଶାସକ ଦଳ ସପକ୍ଷବାଦୀଙ୍କ ଦବଦବା ଦେଖିବାକୁ ମିଳୁଥିବା ଘଟଣା କ୍ରମାଗତ ଭାବରେ ଗଣତନ୍ତ୍ରର କଣ୍ଠରୋଧ କରି ଚାଲିଛି। ତଥାପି ନିର୍ବାକ୍‍ ଜନତା ଜାଣିଶୁଣି ନିଜ ଗୋଡ଼ରେ ନିଜେ କୁରାଢ଼ି ଚୋଟ ପକେଇ ପରବର୍ତ୍ତୀ ସମୟରେ ଆକୁଳ କ୍ରନ୍ଦନ କରୁଥିବାର ଦୃଶ୍ୟ ପ୍ରାୟ ଦିହସୁହା ହୋଇଗଲାଣି।

ମୋର ମନେହୁଏ ଆମ ଦେଶରେ ସବୁକିଛି ବୋଧହୁଏ ଏମିତି ହିଁ ରହିଥିବ। କିମିଆ କଲାବାଲା ରହିଥିବେ, କିମିଆରେ ଭୁଲିଯିବା ଲୋକ ବି ରହିଥିବେ। ଦିଲ୍ଲୀ ରହିଥିବ, ଭୁବନେଶ୍ୱର ରହିଥିବ ଓ ସେଠାରେ ବଡ଼ ନେତାମାନେ କେତେକେତେ ମିଛ କଥା କହି ସାଧାରଣ ଜନତାକୁ ଭୁଲେଇ ଦେଉଥିବେ। ଗୋଟାଏ ଆଇନ୍‍କୁ କାଟି ଦେବାପାଇଁ ପାରିଲାବାଲାମାନେ ନୂଆ ନୂଆ ଆଇନ୍‍ ପାସ୍‍ କରାଇ ଦେଉଥିବେ। ଏମିତି କରି ସେମାନେ ଆତ୍ମସନ୍ତୋଷ ଲାଭ କରୁଥିବେ ଓ ସିଂହାସନ ଲାଭକୁ ହିଁ ନିଜର ସଫଳତା ବୋଲି ବିଶ୍ୱାସ କରୁଥିବେ।

kalyan agarbati

Comments are closed.