ଜାତୀୟ ଜୀବନରେ ଐକ୍ୟ ଓ ଜାତୀୟ ସଂହତି
ଡ.କିଶୋର ମହାନ୍ତି
ଏ ସସାଗରା ପୃଥିବୀରେ ପ୍ରକୃତି ଦ୍ୱାରା ବିଭିନ୍ନ ରଙ୍ଗରେ ସଜ୍ଜିତ ଭାରତ ଏକ ସୁନ୍ଦର ଦେଶ। କେଉଁଠି ମାଇଲ ମାଇଲ ବ୍ୟାପୀ ଘଞ୍ଚ ସବୁଜ ଜଙ୍ଗଲ ତ କେଉଁଠି ଦିଗନ୍ତ ବିସ୍ତାରିତ ମରୁସ୍ଥଳ। ପୁଣି କେଉଁଠି ନୀଳ ସାଗରର ଚିତ୍ତାକର୍ଷକ କ୍ରୀଡ଼ା ତ କେଉଁଠି ଆନମନା ହୋଇ କେତେ ବାଟରୁ ଅଙ୍କାବଙ୍କା ପଥଦେଇ ଗୁଣୁଗୁଣୁ ଗୀତ ଗାଇ ଗାଇ ପ୍ରବାହିତ ହେଉଛି କେତେ ନଈ। ଏହି ପ୍ରକାର ବିଚିତ୍ର ବର୍ଣ୍ଣାଢ଼୍ୟ ଭାରତରେ ଭିନ୍ନ ଭିନ୍ନ ଜାତି, ଉପଜାତି ତଥା ରଙ୍ଗ ରୂପର ଓ ଭାଷାରେ ଭିନ୍ନତା ପରିଲକ୍ଷିତ ହେଇଥିଲେ ବି ଭାରତ ଏକ। ହିମାଳୟଠାରୁ କନ୍ୟା କୁମାରୀ ଯାଏ ସେଇ ଗୋଟିଏ ବାସ୍ନା, ‘ଭାରତୀୟ’ ବାସ୍ନା। ଭାରତର ବିଶେଷତା ହେଉଛି ବିଭିନ୍ନତା ମଧ୍ୟରେ ଏକତା। ଏତେ ବଡ଼ ପରିବାରକୁ ଚଳାଇବା ପାଇଁ ତ ରାଷ୍ଟ୍ରୀୟ ସଂହତି ତଥା ଏକତା ଅନିବାର୍ଯ୍ୟ।
ଏହି ଦେଶର ସଂସ୍କୃତି ସଭ୍ୟତା ବିଶ୍ୱରେ ସ୍ୱତନ୍ତ୍ର ଓ ଅତୁଳନୀୟ। କେଉଁ ପୁରାତନ ଯୁଗରୁ ଏଠାରେ କେତେ ଧର୍ମ, ଜାତି, ପ୍ରଜାତି ଏବଂ ଭାଷାଭାଷୀ ଚଳାଚଳ କରିଆସୁଛନ୍ତି। ଲୋକେ ନିର୍ଭୟରେ ପରସ୍ପର ସହଯୋଗ, ସହାନୁଭୂତି ଓ ଆପୋସ ବୁଝାମଣାରେ ନିଜ ନିଜର ଅସ୍ତିତ୍ୱ ବଜାୟ ରଖିବା ତଥା ସମୟର କାଳଚକ୍ରରେ ଆଜି ସାଂପ୍ରଦାୟିକତା, ଭାଷାବାଦ, ଆଞ୍ଚଳିକବାଦ ଶକ୍ତି ଗୁଡ଼ିକର ଅଭ୍ୟୁଦୟ ସେତ୍ତ୍ବ ବି ଜାତୀୟ ସଂହତି ତଥା ଭାରତର ଅଖଣ୍ଡତା ବଜାୟ ରହିଛି।
ବାସ୍ତବିକ ବିଚ୍ଛିନ୍ନତାବାଦୀ ଶକ୍ତିଗୁଡ଼ିକୁ ପ୍ରତିହତ କରି ସମସ୍ତଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ଏକତା ପ୍ରତିଷ୍ଠା କରାଯାଏ ସେହି ପ୍ରକ୍ରିୟାକୁ ଜାତୀୟ ସଂହତି କୁହାଯାଏ। କହିବାକୁ ଗଲେ ଜାତୀୟ ସଂହତି ଏକ ବ୍ୟାପକ ଏବଂ ବହୁମୁଖୀ ପ୍ରକ୍ରିୟା। ଏହା ସମସ୍ତ ପ୍ରକାର ଆନୁଗତ୍ୟକୁ ଏକତ୍ର ମିଶାଇ ଗୋଟିଏ ଜାତୀୟ ଆନୁଗତ୍ୟ ସୃଷ୍ଟି କରିଥାଏ। ଏହା ଗୋଟିଏ ମନୋବୈଜ୍ଞାନିକ ପ୍ରକ୍ରିୟା ଦ୍ୱାରା ପ୍ରଭାବିତ ହେଲେ ବି ବ୍ୟକ୍ତି ନିଜର ବ୍ୟକ୍ତିଗତ ଓ ସଂକୀର୍ଣ୍ଣ ସ୍ୱାର୍ଥ ସ୍ଥାନରେ ଜାତୀୟ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଇଥାଏ। ଏଣୁ ଜାତୀୟ ସଂହତି ହେଉଛି ପାରସ୍ପରିକ ସହନଶୀଳତା। ଯଥାର୍ଥରେ ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର; କିନ୍ତୁ ଏଠି କିଛି କିଛି ସ୍ୱାର୍ଥାନ୍ୱେଷୀ ବ୍ୟକ୍ତି ଧର୍ମ ମଧ୍ୟରେ ବିଭେଦ ସୃଷ୍ଟି କରିଚାଲିଛନ୍ତି ଯାହା ଜାତୀୟ ସଂହତି ପ୍ରତି ଏକ ପ୍ରକାରର କୁଠାରାଘାତ। ଜାତୀୟତାବାଦ ଜାତୀୟ ସଂହତିର ଅନ୍ୟଏକ ମହତ୍ତ୍ବପୂର୍ଣ୍ଣ ଅଂଶ ବିଶେଷ। ଅନ୍ୟଥା କୁହାଯାଇପାରେ ରାଷ୍ଟ୍ରବାଦ ଅର୍ଥାତ୍ ରାଷ୍ଟ୍ର ପ୍ରତି ସମର୍ପଣ ଭାବର ପରିପ୍ରକାଶ ଏପରିକି ଦେଶର ନାଗରିକମାନଙ୍କର ସଂଘବଦ୍ଧତା ହିଁ ଏହା ସଷ୍ଟ ସୂଚାଇଥାଏ।
ଦେଶର ବିକାଶ କ୍ଷେତ୍ରରେ ପ୍ରତ୍ୟେକ ନାଗରିକ ଏକତ୍ର ହୋଇ କାମ କରିବା ଭାବନା ହେଉଛି ରାଷ୍ଟ୍ରବାଦର ଧାରା। ଐତିହାସିକ ଅନୀଲ ଶୀଲ୍ କହିଛନ୍ତି ଯେ, ପାଶ୍ଚାତ୍ୟ ନବ ସଂସ୍କୃତି ତଥା ପ୍ରାଚ୍ୟ ଐତିହ୍ୟର ଶ୍ରେଷ୍ଠ ପ୍ରତିନିଧି ରାଜା ରାମମୋହନ ରାୟଙ୍କର ପ୍ରଗତିଶୀଳ ଦୃଷ୍ଟିକୋଣ ତଥା ସମାଜ ସଂସ୍କାରକ ମନେଭାବ, ବ୍ରାହ୍ମସମାଜ ତଥା ସେତେବେଳେ ପ୍ରକାଶ ପାଉଥିବା ଖବର କାଗଜ ଗୁଡ଼ିକ ଅଧିକ ଭାବରେ ଜାତୀୟବାଦୀ ଚିନ୍ତାଧାରା ତଥା ରାଷ୍ଟ୍ରବାଦକୁ ପ୍ରୋତ୍ସାହିତ କରୁଥିଲା। ବିଶିଷ୍ଟ ଲେଖକ ଲୁସିଏନ ପାଏ ଏଇ ରାଷ୍ଟ୍ରବାଦ ବା ଜାତୀୟତାବାଦ ସମ୍ପର୍କରେ ମତ ଉତ୍ଥାପନ କରି କହିଛନ୍ତି -‘‘ସେତିକି ବେଳେ ଜାତୀୟତାର ଜୟଗାନ ଶୁଣାଯାଏ ଯେତେବେଳେ ସାଧାରଣ ଜନତା ତା’ର ବ୍ୟକ୍ତିଗତ ଓ ଜାତୀୟ ସତ୍ତା ମଧ୍ୟରେ ନିବିଡ଼ ସମ୍ପର୍କ ଅନୁଭବ କରିପାରେ।’’
ଏତଦ୍ ବ୍ୟତୀତ ଭାରତୀୟଙ୍କ ଭିତରେ ଜାତୀୟ ଜୀବନର ଅଭ୍ୟୁଦୟ ଘଟିଲା ବଙ୍କିମଚନ୍ଦ୍ରଙ୍କ କାଳଜୟୀ କବିତା – ‘ବନ୍ଦେମାତରମ୍’ ମାଧ୍ୟମରେ ଯାହା ପ୍ରତିଟି ପ୍ରାଣରେ ଜାତୀୟ ମନ୍ତ୍ରରେ ଉଦ୍ବୁଦ୍ଧ ହେବା ପାଇଁ ଆହ୍ୱାନ ଦେଲା। ତପସ୍ୱୀ ସାଧକ ବିବେକାନନ୍ଦଙ୍କର ଜାତୀୟ ଚେତନାକୁ ପ୍ରଜ୍ୱଳିତ କଲା, ସେ ବଜ୍ର ଗମ୍ଭୀର ସ୍ୱରରେ କହିଲେ –
‘ଉଠ, ଜାଗ, ଲକ୍ଷ୍ୟସ୍ଥଳରେ ଆନୀତ ନହେବା ଯାଏ ସଂଗ୍ରାମ କରି ଯାଅ-’।
ମହାଭାରତୀୟ ନବଚେତନାରେ ଉଦ୍ବୁଦ୍ଧ କଲେ ଯୋଗୀ ଶ୍ରୀ ଅରବିନ୍ଦ। ଜାତୀୟତା ଭାବକୁ ରାଜନୈତିକ ଧାରା ସହ ମିଶାଇ ଉପଯୁକ୍ତ କାର୍ଯ୍ୟ ସମ୍ପନ୍ନ କରିବାକୁ ଭାରତୀୟଙ୍କୁ ମୁକ୍ତି ସଂଗ୍ରାମରେ ଯୋଗଦେବା ପାଇଁ ଆହ୍ୱାନ ଦେଇଥିଲା ତାଙ୍କର ସେହି ଧାରାବାଣୀ। ଜାତୀୟ ଚେତନାର ପ୍ରବକ୍ତା ମହାମାନବ ମହାତ୍ମା ଗାନ୍ଧୀ ଓ ଓଡ଼ିଶାର ଅନେକ ନେତାଙ୍କ ସହ ସଂଗ୍ରାମୀ ଗୋପବନ୍ଧୁ ଭାରତରେ ଏକ ରାଷ୍ଟ୍ର, ଏକ ପ୍ରାଣ ଏକତାବଦ୍ଧ ଭାବରେ ସଂଗ୍ରାମ କରିବା ପାଇଁ ଯେଉଁ ଆହ୍ୱାନ ଦେଲେ ତାହା ଭାରତୀୟ ହୃଦୟକୁ ମନ୍ତ୍ରବିମୁଗ୍ଧ କଲା। ଆରମ୍ଭ ହେଲା ମୁକ୍ତି ସଂଗ୍ରାମ ପାଇଁ କ୍ରାନ୍ତିକାରୀ ଯାତ୍ରା। ଭାରତର ଆତ୍ମା ସତରେ ‘ଭାରତୀୟ’ର ସ୍ୱତନ୍ତ୍ର ପରିଚୟ ରହିଛି। ଜାତୀୟ ପତାକା ତ୍ରିରଙ୍ଗା ଭିତରେ ସବୁରଙ୍ଗର ବର୍ଣ୍ଣ ବିଭା ଉକୁଟି ଉଠୁଛି, ତେଣୁ ଭାରତୀୟତାର ରଙ୍ଗ ବର୍ଣ୍ଣିଳ ଓ ବିରଳ।
ସ୍ୱାଧୀନତା ପ୍ରାପ୍ତିର ୭୫ବର୍ଷ ପରେ ବି ଆମର ରାଷ୍ଟ୍ରବାଦ ତଥା ଜାତୀୟ ସଂହତି ପ୍ରତି ସତର୍କତା ଅବଲମ୍ବନ କରିବା ଉଚିତ। କାରଣ ଆମ ଦେଶ ଭିତରେ ଓ ବାହାରର ବିଚ୍ଛିନ୍ନତାବାଦୀ ଓ ବହୁ ବିଘଟଣକାରୀ ଶକ୍ତି ରାଷ୍ଟ୍ରୀୟ ସୁରକ୍ଷା ଓ ଏକତା ପ୍ରତି ବିପଦ ଟାଣି ଆଣୁଛନ୍ତି। ସଂପ୍ରତି ଆମ ଜାତୀୟ ସଂହତି ବିପଦର ସମ୍ମୁଖୀନ। ଆମ ହୃଦୟରେ ନିଜ ମାତୃଭୂମି ପ୍ରତି ସମ୍ମାନ ଓ ପ୍ରେମର ପରିପୂର୍ଣ୍ଣ ଭବ୍ୟ ଭାବନା ହିଁ ଯଥାର୍ଥରେ ରାଷ୍ଟ୍ରବାଦ ଓ ଜାତୀୟ ସଂହତିର ମୂଳମନ୍ତ୍ର। ଜାତୀୟ ସଂହତି ବିପନ୍ନ ହେେଲ ଜାତୀୟ ଅର୍ଥନୀତି କ୍ଷେତ୍ରରେ ବାଧକ ସୃଷ୍ଟିହେବା ସୁନିଶ୍ଚିତ। ଜାତୀୟ ବିକାଶ ଧାରା ନିଶ୍ଚିତ ଭାବରେ ବାଧାପ୍ରାପ୍ତ ହେବ। ଏପରି ହେଲେ ଅନ୍ୟ ବିକାଶଶୀଳ ରାଷ୍ଟ୍ର ସହ ପାଦକୁ ପାଦ ମିଶାଇ ଭାରତ ଆଗକୁ ବଢି ପାରିବନାହିଁ। ସାଂପ୍ରାଦାୟିକ ଭାବ ଓ ଆଞ୍ଚଳିକବାଦ ଆମକୁ ବିକାଶ କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରିବ। ଏଣୁ ଆମକୁ ସଦାସର୍ବଦା ସତର୍କ ଦୃଷ୍ଟି ଦେବାକୁ ହେବ। ମାଓବାଦୀ ଓ ଆତଙ୍କବାଦୀଙ୍କ ଦମନ କ୍ଷେତ୍ରରେ ଏକଜୁଟ ହୋଇ ଏହାର ଦୃଢ଼ ମୁକାବିଲା କରିବାକୁ ହେବ। ବିଶ୍ୱ ପଟଳରେ ଏହି ଉତ୍କଟ ସମସ୍ୟାଗୁଡ଼ିକ ଚିତ୍ର ପ୍ରଦାନ କରି ଏହା କିପରି ଲୁପ୍ତ ହେବ ସେଥିପ୍ରତି ବିଶ୍ୱମତ ଲୋଡ଼ି ତାହାର ସମାଧାନ ଦିଗରେ ଆପ୍ରାଣ ଉଦ୍ୟମ କରିବାକୁ ହେବ। ତେବେ ଯାଇ ବିକାଶ ସମ୍ଭବ। ଜାତୀୟ ସଂହତି ମାଧ୍ୟମରେ ଅର୍ଥନୈତିକ ପ୍ରଗତି ସହ ସାମାଜିକ ବିକାଶ ସମ୍ଭବପର। ସାମାଜିକ ବିକାଶ ନିମନ୍ତେ ପ୍ରଧାନ ଅନ୍ତରାୟ ହେଉଛି ଜାତିଆଣଭାବ, ଧର୍ମବିେଦ୍ବୖଷୀ ଭାବ ଏବଂ ଆଞ୍ଚଳିକବାଦ। ଏ ସବୁର ମୂେଳାତ୍ପାଟନ ନହେଲେ ସାମାଜିକ ବିକାଶ ସମ୍ଭବପର ନୁହେଁ। ସାମାଜିକ ଭିତ୍ତିଭୂମି ସୁଦୃଢ଼ ନହେଲେ ଅର୍ଥନୈତିକ ବିକାଶ ପାଇଁ ନିଶ୍ଚିତ ଭାବେ ପ୍ରତିବନ୍ଧକ ସୃଷ୍ଟି ହେବ। ବିକାଶ ତ୍ୱରାନ୍ୱିତ ହେବ ଯେତେବେଳେ ଯାଏ ସଂହତି ଅତୁଟ ରହିବ।
ଜାତୀୟ ସଂହତି ଦିବସ ଭାବରେ ମଧ୍ୟ ଆମେ ପାଳନ କରିଥାଉଁ। ରାଷ୍ଟ୍ରକୁ ମଜଭୁତ ଓ ସୁରକ୍ଷା ଦେବା ପାଇଁ ଏହା ଆମକୁ ପ୍ରେରଣା ଦେଇଥାଏ। ଏକତା ପ୍ରତିଷ୍ଠା ପାଇଁ ଆମକୁ ପ୍ରଚୋଦିତ କରିଥାଏ। ଏକ ଭାରତ- ଶ୍ରେଷ୍ଠ ଭାରତର ଏହି ଭବ୍ୟ ଆହ୍ୱାନରେ ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତା ବିଶେଷ ଭାବରେ ଜାତୀୟ ସଂହତି ଉପରେ ଯଥେଷ୍ଟ ଗୁରୁତ୍ୱ ଆରୋପ କରିବା ଉଚିତ। ଆମ ଭିତରେ ଜାତୀୟ ଏକତା ବା ସଂହତି ଅତୁଟ ରହୁ। ଭାରତୀୟର ସୁଗନ୍ଧ ସାରା ଜଗତକୁ ମହକିତ କରୁ ଏହାହିଁ କାମନା।
Comments are closed.