ଉଳମୟ ନୂଆ ସକାଳ ଅନୁଚିନ୍ତା
ବୈଷ୍ଣବ ମେହେର
ଜୀବନର ପ୍ରତ୍ୟେକଟି ସକାଳ ନୂତନ ସମ୍ଭାବନା ନେଇ ଆସିଥାଏ। ସକାଳର ପାହାଚ ଉପରେ ପାଦ ଥାପି ତମାମ ଦିବସର ଉଠାଣି ଗଡ଼ାଣିକୁ ପାର ହେବାକୁ ପଡ଼େ। ଯଦି ଏହି ସକାଳଟି ନୂଆବର୍ଷର ପ୍ରଥମ ସକାଳ ହୋଇଥିବ ତେବେ ଏଭଳି ସକାଳକୁ ନେଇ ଆଶା ଓ ସ୍ୱପ୍ନର ପାହାଡ଼ଟିଏ ତୋଳି ଧରିବାକୁ ହୁଏ। ଜୀବନକୁ ବୁଝିବାର ନୂତନ ଅବସର ହିଁ ତ ଆଣେ ନୂଆ ସକାଳ। ୨୦୨୩ ର ବିଦାୟ ପରେ ନୂତନ ସମ୍ଭାବନା ନେଇ ନୂଆବର୍ଷ ୨୦୨୪ ଧରାପୃଷ୍ଠକୁ ପଦାର୍ପଣ କରିବ।
ନୂଆବର୍ଷ ମଉଜମସ୍ତିର ଅବସର ନୁହେଁ ; ବରଂ ଆଗାମୀ ଜୀବନକୁ ସରସ, ସୁନ୍ଦର କରିବା ପାଇଁ ପୁଣି ଏକ ଜାଗରଣର ଅୟମାରମ୍ଭ ଘଟେ। ଭାରତୀୟ ସଂସ୍କୁତିକୁ ଅଣଦେଖା କରି ପାଶ୍ଚାତ୍ୟ ପରମ୍ପରା ଅନୁକରଣରେ ମଦମାଂସ ଓ ଅଶ୍ଳୀଳ ସଙ୍ଗୀତରେ ନୂଆବର୍ଷ ପାଳିବା ଆଦୌ ଶୋଭନୀୟ ନୁହେଁ । ଯଦିଓ ନୂଆବର୍ଷର ଅନେକ ଇଂରାଜୀ ମାସର ଜନକ ରୋମ ସଭ୍ୟତାରେ ଜନ୍ମଲାଭ କରିଥିଲେ ହେଁ, ରୋମ ଦେଶରେ ବିଳାସବ୍ୟସନରେ ନୂଆବର୍ଷ ପାଳିବାକୁ ଅପରାଧ ବୋଲି ମଣାଯାଏ । ଥାଇଲାଣ୍ତ ଭଳି ଦେଶକୁ ଦେଖନ୍ତୁ, ସେଠାରେ ଗରିବଗୁରୁବାଙ୍କୁ ଭୋଜନ ଖୁଆଇ ଓ ନୂଆଲୁଗା ବଣ୍ଟନ କରି ନୂଆବର୍ଷ ଏବେ ବି ପାଳିତ ହେଉଛି। ଆମ ଦେଶରେ କାହିଁ କେଉଁକାଳରୁ ଭାବପୂର୍ଣ୍ଣ ସଂସ୍କୁତିଟେ ଥାଇ ସୁଦ୍ଧା ନୂଆବର୍ଷ ପାଳନରେ ଆମ ଜନଜୀବନ କେଜାଣି କାହିଁକି ଦିଗହରା ହେଉଛି, ତାହା ହିଁ ବିଡ଼ମ୍ବନାର ବିଷୟ । ବର୍ତ୍ତମାନରେ ବଞ୍ଚୁଛୁ ବୋଲି ଯଦି ଆମେ ବର୍ତ୍ତମାନ ସର୍ବସ୍ୱ ହୋଇଯିବା ତେବେ ଆମର ଭବିଷ୍ୟତ ଆଶଙ୍କାଗ୍ରସ୍ତ ହୋଇଯିବା ସ୍ବାଭାବିକ; କିନ୍ତୁ ଭବିଷ୍ୟତ ତା’ଠାରୁ ଅଧିକ ଅନ୍ଧାରମୟ ହୋଇଯାଏ, ଯେବେ ଆମେ ଆମର ଅତୀତକୁ ଭୁଲିଯାଉ ା କାରଣ ଅତୀତ ହିଁ ଜ୍ଞାନର ଭଣ୍ତାର ା ଯେଉଁଠୁ ଆମେ ଅନେକ କିଛି ଶିକ୍ଷା ଲାଭ କରି ଆଗାମୀ ଜୀବନକୁ ପରିମାର୍ଜିତ କରିବାର ଅନ୍ୟ ଉପାଦାନକୁ ସାଉଁଟି ପାରୁ ା ସାମ୍ନାରେ ଯେତେ ବଡ଼ ଉଳ ସକାଳଟିଏ ଥାଉନା କାହିଁକି ପୁରୁଣା ଦିନର ସ୍ମୃତିକୁ ଆଧାର ନ କଲା ଯାଏ ନୂଆ ସକାଳରେ ବି ଅକାଳ ଅନ୍ଧାର ଘୋଟି ଯାଇପାରେ।
ଯଦିଓ ଚନ୍ଦ୍ରଯାନର ସଫଳତା, ସିକ୍କୟାରା ସୁଡ଼ଙ୍ଗରୁ ଶ୍ରମିକଙ୍କ ଉଦ୍ଧାର, ୧୫ଫୁଟର ଗାତରେ ପ୍ରାୟ ୧୫ଘଣ୍ଟା ଓଲଟା ପଡ଼ିରହି ନବଜାତକ ଜୀବନ୍ତ ଉଦ୍ଧାର ପାଇବା ଭଳି ଅନେକ ଘଟଣା ଜୀବନକୁ ଉତ୍ସାହିତ କରିଛି; ତଥାପି ବିଗତ ବାରଟି ମାସ ମଧ୍ୟରେ ଏଭଳି ଅନେକ ଅଘଟଣ ସଂଘଟିତ ହୋଇଛି ଯାହା କେବଳ ମର୍ମାହତ କରୁନାହିଁ ବରଂ ଦୁଇ ପାଦ ପଛକୁ ଟାଣି ନେଉଛି। ସେ ମଧ୍ୟରୁ ଥମୁ ନଥିବା ମଣିପୁର ନିଆଁ, ଋଷ୍ ୟୁକ୍ରେନ୍ ଯୁଦ୍ଧ, ଭୂକମ୍ପ ଯୋଗୁଁ ଗତ ବାର ମାସରେ ବିଶ୍ୱରେ ୭୦ ହଜାର ଲୋକଙ୍କ ଜୀବନ ଯିବା, ଦ୍ରୁତ ଦୁର୍ଘଟଣା, ପରିବେଶ ପ୍ରଦୂଷଣ, ତାପମାତ୍ରାରେ ଅବିଶ୍ୱସନୀୟ ଅଭିବୃଦ୍ଧି, ଅନିୟମିତ ବର୍ଷା, ବନ୍ୟା, ମରୁଡ଼ି, ପ୍ରଚଣ୍ତ ଖରା, ଆତଙ୍କବାଦ, ବେରୋଜଗାରୀ, ବେଲଗାମ ଦର, ଚୋରି, ହତ୍ୟା, ଆତ୍ମହତ୍ୟା, ନିର୍ଯାତନା, ଭେଜାଲ ସାମଗ୍ରୀର ପ୍ରାଦୁର୍ଭାବ ଭଳି ଅନେକ ସମସ୍ୟା ସହ କ୍ୟାନସର୍, କିଡ୍ନୀ, ହାର୍ଟ ଭଳି ଗୁରୁତର ରୋଗରେ ମଣିଷ ସମାଜ ଭୀତତ୍ରସ୍ତ ହୋଇଛି ା ଏଭଳି ସ୍ଥଳେ ବର୍ଷ ଶେଷ ଆଡ଼କୁ କରୋନାର ନୂଆ ପ୍ରଜାତି କେଏନ.୧ର ଅପ୍ରତ୍ୟାଶିତ ଆବିର୍ଭାବକୁ ଭୁଲି ଯିବା ଆମ ପାଇଁ କେତେ ଭୟାବହ ହେବ ତା’ର ବିଧିବଦ୍ଧ ବିଚାର ନୂଆ ବର୍ଷର ପବିତ୍ର ପ୍ରଥମ ସକାଳରେ ହେଲେ ଯାଇ ଆମ ପାଇଁ ଆଗାମୀ ଜୀବନ ଶୁଭଙ୍କର ସାବ୍ୟସ୍ତ ହେବ।
ବର୍ଷ ପରେ ବର୍ଷ ଯେତିକି ବିତି ଯାଉଛି, ମଣିଷ ଭିତରେ ଥିବା ଆବେଗ, ସ୍ନେହ, ଶ୍ରଦ୍ଧା, ସହାନୁଭୂତିର ଅଭାବ ସେତିକି ଅଧିକ ପରିଲିକ୍ଷିତ ହେଉଛି । ପ୍ରତିଟି ମଣିଷ ଯଦି ପରସ୍ପରକୁ ନିଃସର୍ତ୍ତ ଭଲପାଇବେ, ଅପରକୁ ସମ୍ମାନ ଦେବେ, ଅନ୍ୟର ଭାବନାକୁ ଯଥା ସମ୍ଭବ ଶ୍ରଦ୍ଧା କରିବେ ତା’ହେଲେ ଯାଇ ସାରା ବିଶ୍ୱ ସ୍ୱର୍ଗ ପାଲଟିଯିବ। ବିଶ୍ୱର ଯେକୌଣସି ସ୍ଥାନରେ ଘଟି ଯାଉଥିବା ଅଘଟଣ, ଦୁଃଖ, ଦୁର୍ଭାଗ୍ୟ ପାଇଁ ସ୍ୱାଭାବିକ ଭାବରେ ଯଦି ଆମ ଆଖିରୁ ଲୁହ ଟୋପେ ଝରି ପାରିବ ତେବେ ତାହା ହିଁ ଆମ ଜୀବନକୁ କରିବ ଖୁବ ଅର୍ଥପୂର୍ଣ୍ଣ। ଗୋଟିଏ ବର୍ଷର ଅବଧି ମଧ୍ୟରେ ପ୍ରତ୍ୟେକ ମଣିଷ ଉଭୟ ସକାରାତ୍ମକ ଏବଂ ନକାରାତ୍ମକ ଫଳାଫଳର ଅନୁଭବ ରଖେ। ତେଣୁ ପୁରୁଣା ବର୍ଷର ଶେଷ ଓ ନୂଆବର୍ଷର ଅବ୍ୟବହିତ ସମୟ ହିଁ ଏକ ମହାର୍ଘ୍ୟ ସୁଯୋଗ ଯେଉଁଠୁ ଜୀବନର ସଫଳତା ବିଫଳତାକୁ ସମୁଚିତ ସମୀକ୍ଷା କରାଯାଇ ଭବିଷ୍ୟତର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇ ପାରିବ।
ତଥାପି ଆଶା ଅଛି ବୋଲି ତ ମଣିଷ ବଞ୍ଚିଛି। ସକଳ ନିରାଶା ଭିତରେ ନୂତନ ବର୍ଷ ମାନବ ସମାଜ ପାଇଁ ନେଇ ଆସିଛି ନୂତନ ସମ୍ଭାବନା ଆଉ ନବ ସ୍ୱପ୍ନର ସମ୍ଭାର। ଏବେ ଏହି ବିଶ୍ୱାସକୁ ଆମକୁ ଆହୁରି ଅଧିକ ବଳବତ୍ତର କରିବାକୁ ପଡ଼ିବ। ଯେମିତି ନୂଆଁବର୍ଷର ଆରମ୍ଭରୁ ଶେଷ ଯାଏ ମଣିଷଙ୍କ ମନରୁ ଦୁଃଖ, ଶୋକ, ଭୟ, ଅସ୍ଥିରତା, ଅଶାନ୍ତି ଦୂରେଇ ଯାଇ ସୁଖ, ଶାନ୍ତି, ସନ୍ତୋଷ, ସମୃଦ୍ଧିରେ ତା’ର ଚାରିପଟ ସଦା ଋଦ୍ଧିମନ୍ତ ହେଉଥିବ।
Comments are closed.