କାର୍ତ୍ତିକ ପଞ୍ଚକ ଓ ଶ୍ରୀଜଗନ୍ନାଥଙ୍କର ବେଶ

ସମ୍ବେଦନା ମିଶ୍ର

ପବିତ୍ର କାର୍ତ୍ତିକ ମାସ ଭଗବାନ ଶ୍ରୀ ବିଷ୍ଣୁଙ୍କର ପ୍ରିୟ ମାସ । ଆଶ୍ବିନ ପୂର୍ଣ୍ଣିମା ତିଥି ପରେ କାର୍ତ୍ତିକ ମାସ ଆରମ୍ଭ ହୁଏ । କାର୍ତ୍ତିକ ପୂର୍ଣ୍ଣିମା ସହ ଏହି ପବିତ୍ର ମାସ ଶେଷ ହୋଇଥାଏ । କାର୍ତ୍ତିକ ମାସକୁ ଧର୍ମ ମାସ ମଧ୍ୟ କୁହାଯାଏ। କୃତ୍ତିକା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡୁଥିବା ଚାନ୍ଦ୍ରମାସକୁ କାର୍ତ୍ତିକ ମାସ କହନ୍ତି । ନାରଦୀୟ ପୁରାଣ ମତେ ମାସ ମଧ୍ୟରେ କାର୍ତ୍ତିକ ମାସ ହେଉଛି ଶ୍ରେଷ୍ଠ ମାସ, ଯେପରି ଯୁଗ ମଧ୍ୟରେ ଶ୍ରେଷ୍ଠ ସତ୍ୟଯୁଗ । ଏହା ଧର୍ମ ମାସ ହୋଇଥିବାରୁ ଗାଁରୁ ସହର ପର୍ଯ୍ୟନ୍ତ ଜନଗଣ ଏ ମାସଟିକୁ ନିଷ୍ଠା ସହକାରେ ପାଳନ କରନ୍ତି । ମାସସାରା ପାଳି ନ ପାରିଲେ ପଞ୍ଚୁକ ପାଞ୍ଚଦିନ ପାଳନ୍ତି । ଏହି ମାସରେ ଓଡ଼ିଆ ହିନ୍ଦୁମାନେ ଆମିଷ ଖାଆନ୍ତି ନାହିଁ। ଏହା ଓଡ଼ିଆ ହିନ୍ଦୁମାନଙ୍କର ସପ୍ତମ ମାସ।
ପୌରାଣିକ ମତେ ପରମପିତା ବ୍ରହ୍ମା ଦେବର୍ଷି ନାଦଙ୍କୁ କାର୍ତ୍ତିକ ମାସର ମହାତ୍ମ୍ୟ ବୁଝାଇ କହୁଛନ୍ତି – ମାସମାନଙ୍କ ମଧ୍ୟରେ କାର୍ତ୍ତିକ, ଦେବତାମାନଙ୍କ ମଧ୍ୟରେ ଭଗବାନ ବିଷ୍ଣୁ ଏବଂ ତୀର୍ଥମାନଙ୍କ ମଧ୍ୟରେ ନାରାୟଣ ତୀର୍ଥ ବଦରିକାଶ୍ରମ ଶ୍ରେଷ୍ଠ ଅଟେ । ଏ ତିନି କଳିଯୁଗରେ ଅତ୍ୟନ୍ତ ଦୁର୍ଲଭ – ‘ନ କାର୍ତ୍ତିକ ସମୋ ମାସୋ ନ କୃତେନ ସମଂ ଯୁଗମ୍ବ ନ ବେଦ ସଦୃଶଂ ଶାସ୍ତ୍ରଂ ନ ତୀର୍ଥଂ ଗଙ୍ଗାୟା ସମମ୍।’ ଅର୍ଥାତ୍‌ କାର୍ତ୍ତିକ ପରି ମାସ ନାହିଁ, ସତ୍ୟଯୁଗ ପରି ଯୁଗ ନାହିଁ, ବେଦସଦୃଶ ଶାସ୍ତ୍ର ନାହିଁ ଏବଂ ଗଙ୍ଗା ପରି ତୀର୍ଥ ନାହିଁ । କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କର ଅତିପ୍ରିୟ ମାସ । ତନ୍ମଧ୍ୟରୁ ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପବିତ୍ର ଦିବସ । ଏହି ପାଞ୍ଚଦିନକୁ ଭୀଷ୍ମ ପଞ୍ଚକ, ବକ ପଞ୍ଚକ, ମହାପଞ୍ଚକ ଇତ୍ୟାଦି। ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ କରିପାରନ୍ତି ନାହିଁ, ସେମାନେ ଏହି ପାଞ୍ଚଦିନ ହବିଷ ପାଳନ କରନ୍ତି । ଅନେକ ଅଁଳା ନବମୀ, ରାଧାପାଦ ଦର୍ଶନ ଦିବସଠାରୁ ସାତଦିନ ହବିଷ କରନ୍ତି । ଏହି ପାଞ୍ଚଦିନ ହିନ୍ଦୁମାନେ ଆମିଷ ପରିତ୍ୟାଗ କରି ସାତ୍ତ୍ୱିକ ଖାଦ୍ୟ ଆହାର କରିଥାନ୍ତି ।

କିମ୍ବଦନ୍ତୀ ଅନୁସାରେ ବଗସବୁ ମଧ୍ୟ ଆମିଷ ଭୋଜନରୁ ନିବୃତ୍ତ ରହନ୍ତି ବୋଲି କଥିତ ଥିବାରୁ ଏହାକୁ ‘ବକ ପଞ୍ଚକ’ ମଧ୍ୟ କୁହାଯାଏ । ଶର ଶଯ୍ୟା ଉପରେ ଶାୟିତ ଭୀଷ୍ମ ରାଜଧର୍ମ, ମୋକ୍ଷଧର୍ମ, ଦାନଧର୍ମ ବର୍ଣ୍ଣନା କରିଥିଲେ, ଯାହାକୁ ପାଣ୍ଡବମାନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଶୁଣିଥିଲେ । ଏଥିରେ ପ୍ରସନ୍ନ ହୋଇ ସେ ଭୀଷ୍ମଙ୍କୁ କହିଲେ, ‘‘ଆପଣ ଧନ୍ୟ। ଧର୍ମର ଗୂଢ଼ ରହସ୍ୟ ବର୍ଣ୍ଣନା କରିଛନ୍ତି । କାର୍ତ୍ତିକ ଏକାଦଶୀ ଦିନ ଜଳର ଇଚ୍ଛା କରିଛନ୍ତି । ଅର୍ଜୁନ ବାଣଦ୍ୱାରା ଗଙ୍ଗାଜଳ ପ୍ରସ୍ତୁତ କଲେ, ଯାହାଦ୍ୱାରା ଆପଣଙ୍କର ଦେହମନ ସନ୍ତୁଷ୍ଟ ହେଲା । ଏଣୁ ଆଜିଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ଯେଉଁମାନେ ତୁମକୁ ଜଳ ଅର୍ଘ୍ୟଦାନ କରିବେ ସେମାନେ ମୋତେ ତୃପ୍ତ କରିବେ । ଏହା ହେଉଛି ଭୀଷ୍ମପଞ୍ଚକ ଓ ଏହା ପ୍ରତିବର୍ଷ ପାଳିତ ହେବ।’’ ସାଧାରଣତଃ ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ ଅନେକ ଲୋକ ଏହି ଭୀଷ୍ମପଞ୍ଚକ ବ୍ରତ ପାଳନ କରନ୍ତି । କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଏକଲକ୍ଷ ତୁଳସୀପତ୍ର ଚଢ଼ାଇ ବିଷ୍ଣୁଙ୍କୁ ପୂଜାକଲେ ସମସ୍ତ ଦେବତା ପ୍ରସନ୍ନ ହୋଇ ବର ପ୍ରଦାନ କରନ୍ତି ବୋଲି ଲୋକ ବିଶ୍ୱାସ ମଧ୍ୟ ରହିଛି ।

ଶ୍ରୀମନ୍ଦିରରେ ପଞ୍ଚକ ଅବସରରେ ଠାକୁରମାନଙ୍କୁ ଆକର୍ଷଣୀୟ ବେଶରେ ସୁସଜ୍ଜିତ କରାଯାଏ । ଏକାଦଶୀରେ ଲକ୍ଷ୍ମୀନାରାୟଣ ବେଶ ବା ଠିଆକିଆ ବେଶ। ଦ୍ୱାଦଶୀରେ ବାଙ୍କଚୂଡ଼ା ବେଶ ବା ବାମନ ବେଶ। ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ ବା ଆଡ଼କିଆ ବେଶ। ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶ ବା ଡାଳିକିଆ ବେଶ।

ପୂର୍ଣ୍ଣମୀରେ ରାଜରାଜେଶ୍ୱର ବେଶ ବା ସୁନାବେଶ। ମଳ ତିଥିରେ ନାଗାର୍ଜୁନ ବେଶ।

ପ୍ରତ୍ୟହ ଅବକାଶ ନୀତି ଶେଷହେବା ପରେ ତିନିଠାକୁରଙ୍କୁ ଏହିସବୁ ବେଶରେ ସଜ୍ଜିତ କରାଯାଏ । ବେଶ ଥାଇ ଠାକୁରମାନଙ୍କ ଗୋପାଳବଲ୍ଲଭ, ସକାଳଧୂପ, ବାଳଧୂପ ଓ ଭୋଗମଣ୍ଡପ ନୀତି ଆଦି ଅନୁଷ୍ଠିତ ହୋଇଥାଏ । ଭୋଗମଣ୍ଡପ ନୀତି ଶେଷହେବା ପରେ ଏହି ବେଶ ଓ ଅଳଙ୍କାର ଆଦି ମଇଲମ ହୋଇ ମଧ୍ୟାହ୍ନଧୂପ ଅନୁଷ୍ଠିତ ହେବାର ପରମ୍ପରା ରହିଛି । ଜଗନ୍ନାଥଙ୍କ ପଞ୍ଚକ ପାଞ୍ଚଦିନ ଏହି ବେଶ ଦର୍ଶନ କରିବାକୁ ଶ୍ରୀମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଥାଏ । କାର୍ତ୍ତିକ ମାସରେ ପଞ୍ଚକ ଛଅ ଦିନ ପଡ଼ିଲେ ମଳତିଥି ଦିନ ଜଗନ୍ନାଥଙ୍କର ନାଗାର୍ଜୁନ ବେଶ ଅନୁଷ୍ଠିତ ହୁଏ।

ଠିଆକିଆ ବେଶ
କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୁଏ। ଏହି ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ ନିଦରୁ ଉଠନ୍ତି। ଆଷାଢ଼ ଶୁକ୍ଳପକ୍ଷ ଏକାଦଶୀରୁ ମହାପ୍ରଭୁ ଶୟନ କରିଥାନ୍ତି। ମହାପ୍ରଭୁଙ୍କ ଏହି ଉତଥାପନ ଏକାଦଶୀକୁ ବଡ଼ ଏକାଦଶୀ ବୋଲି କୁହାଯାଏ। ଏହି ଦିନରୁ ପଞ୍ଚକ ମଧ୍ୟ ଆରମ୍ଭ ହୋଇଥାଏ । ଶାସ୍ତ୍ର ମତରେ ବଡ଼ ଏକାଦଶୀଠାରୁ ଶୁଭ ସମୟ ଆରମ୍ଭ ହେଉଥିବାରୁ ସମସ୍ତ ମାଙ୍ଗଳିକ କାର୍ଯ୍ୟ ମଧ୍ୟ ଆରମ୍ଭ କରାଯାଏ । ୪ ମାସ ପରେ ଶୟନରୁ ଉଠୁଥିବା ମହାପ୍ରଭୁ ମହାଲକ୍ଷ୍ମୀଙ୍କ ସହ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ସେଥିପାଇଁ ରତ୍ନସିଂହାସନରେ ଶ୍ରୀଜଗନ୍ନାଥଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୁଏ ।

ଆଡ଼କିଆ ବେଶ
କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥି ଦିନ ଶ୍ରୀମନ୍ଦିରରେ ଠାକୁରମାନଙ୍କର ଆଡ଼କିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହୋଇଥାଏ । ଉକ୍ତଦିନ ପ୍ରାତଃ ସମୟରେ ଶ୍ରୀଜୀଉମାନଙ୍କର ଅବକାଶ ନୀତି ଶେଷ ହେବା ପରେ ଏହି ବେଶ ଆରମ୍ଭ ହୋଇଥାଏ । ପୁଷ୍ପାଳକ ସେବକମାନେ ଏହି ବେଶ ସମ୍ପାଦନ କରିଥାନ୍ତି ।

ରାଜରାଜେଶ୍ୱର ବେଶ
କାର୍ତ୍ତିକମାସ ପୂର୍ଣ୍ଣିମାରେ ପାରମ୍ପରିକ ରୀତି ମତେ ଶ୍ରୀମନ୍ଦିରର ରତ୍ନସିଂହାସନ ଉପରେ ବିରାଜିତ ତିନି ଠାକୁରଙ୍କୁ ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଥାଏ । ଏହା ସୁନାବେଶର ଅନୁରୂପ । ଅତୀତରେ ଓଡ଼ିଶାର ବହୁ ରାଜା, ଜମିଦାର ଓ ସାମନ୍ତ ବର୍ଗ ଶ୍ରୀମନ୍ଦିରକୁ ଆଗମନ ପୂର୍ବକ ଦାରୁବ୍ରହ୍ମ ରୂପୀ ଶ୍ରୀବିଗ୍ରହମାନଙ୍କର ଏହି ରାଜ ବେଶ ଦର୍ଶନରେ ପରମ ସନ୍ତୋଷ ଲାଭ କରିବା ସଙ୍ଗେ ସଙ୍ଗେ ଠାକୁରମାନଙ୍କର ଉଦ୍ଦେଶ୍ୟରେ ନାନାଦି ରତ୍ନ ଅଳଙ୍କାର ଦାନ କରୁଥିଲେ । ମୟୂରଭଞ୍ଜର ରାଜା ଓ ପାରଳାଖେମୁଣ୍ଡି ରାଜ୍ୟର ଗଜପତିମାନେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଠାକୁରମାନଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରି ମହାପ୍ରଭୁଙ୍କୁ ସୁନିଆ ଭେଟିଦେଇ ମହୋତ୍ସବ କରାଉଥିବା ଜଣାଯାଏ । ଉତ୍କଳର ରାଜା ସାମନ୍ତରାଜାଙ୍କ ପକ୍ଷେ ଏହି ବେଶ ଅତ୍ୟନ୍ତ ପବିତ୍ର ଓ ଦର୍ଶନୀୟ ଥିଲା । ଶ୍ରୀଜୀଉମାନଙ୍କର ଅବକାଶ ନୀତି ଶେଷ ହେବା ପରେ ପୁଷ୍ପାଳକ ସେବକମାନେ ବିଭିନ୍ନ ରତ୍ନ ଅଳଙ୍କାର ଓ ପାଟବସ୍ତ୍ରରେ ଶ୍ରୀଜୀଉମାନଙ୍କୁ ରାଜବେଶରେ ସଜାଇଥାନ୍ତି । ଏହି ବେଶରେ ଠାକୁରମାନେ ଶ୍ରୀଭୁଜ, କିରୀଟ, ଶ୍ରୀପୟର, ଓଡ଼ିଆଣୀ, ଚନ୍ଦ୍ରସୂର୍ଯ୍ୟ, କୁଣ୍ଡଳ, ଚିତା, ଚନ୍ଦ୍ରିକା, ଶଙ୍ଖ, ଚକ୍ର, ହଳ, ମୂଷଳ, ତ୍ରିଶାଖା, ଅଳକା, ତଡ଼ଗି, ଶ୍ରୀମୁଖ ପଦ୍ମ, ଘାଗଡ଼ା ମାଳି, କଦମ୍ବ ମାଳି, ହରିଡ଼ା କଦମ୍ବ ମାଳି, ବାହାଡ଼ା ମାଳି, ତାବିଜ ମାଳି, ବାଘନଖି ମାଳି ଓ ସେବତୀ ମାଳି ଆଦି ରତ୍ନ ଅଳଙ୍କାର ଧାରଣ କରିଥାନ୍ତି। ଏହି ବେଶରେ ଗୋପାଳ ବଲ୍ଲଭ, ସକାଳଧୂପ ଓ ଭୋଗମଣ୍ଡପ ଆଦି ନୀତି ଶେଷହେବା ପରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ସାହାଣମେଲା କରାଯାଇଥାଏ ।

ନାଗାର୍ଜୁନ ବେଶ
କାର୍ତ୍ତିକ ମାସରେ ପାଳନ କରାଯାଉଥିବା ନାଗାର୍ଜୁନ ବେଶ ଜଗନ୍ନାଥ ମନ୍ଦିରରେ ଦିଅଁମାନଙ୍କୁ କରାଯାଉଥିବା ବେଶଗୁଡ଼ିକ ଭିତରୁ ଏକ ବେଶ । ଯେଉଁ ବର୍ଷ କାର୍ତ୍ତିକ ମାସରେ ପଞ୍ଚକ ଛଅ ଦିନ ପଡ଼େ ସେହି ବର୍ଷ ମଳ ତିଥିରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ନାଗାର୍ଜୁନ ବେଶ ହୁଏ।

ବାମନ ବେଶ
ବାମନ ବେଶ ବା ବଳିବାମନ ବେଶ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ଦିନ ଜଗନ୍ନାଥ ମନ୍ଦିରରେ ପାଳନ କରାଯାଏ । ପୌରାଣିକ ଉପାଖ୍ୟାନ ଅନୁସାରେ ଏହିଦିନ ଏକ ଶୁଭ ମୁହୂର୍ତ୍ତରେ ଭଗବାନ ବିଷ୍ଣୁ ନିଜ ପଞ୍ଚମ ଅବତାରରେ ଏକ ଦିବ୍ୟ, ଜ୍ୟୋତିର୍ମୟ ବାମନ ବାଳକ ରୂପରେ ଧରିତ୍ରୀରେ ଅବତରଣ କରିଥିଲେ । ନୃସିଂହ ଜନ୍ମ ଓ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପରି ଶ୍ରୀମନ୍ଦିରରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ଦିନ ବାମନ ଜନ୍ମ ପାଳିତ ହେବା ସହ ଶୁକ୍ଳ ପକ୍ଷ ତ୍ରୟୋଦଶୀ ଦିନ ମଧ୍ୟାହ୍ମ ଧୂପ ପରେ ଶ୍ରୀଜଗନ୍ନାଥଙ୍କୁ ଏକ ବାମନରୂପ ବାଳକ ବେଶରେ ସଜ୍ଜିତ କରାଯାଇଥାଏ।

ଡାଳିକିଆ ବେଶ
ପଞ୍ଚକର ଚତୁର୍ଥ ଦିବସ ଅର୍ଥାତ କାର୍ତ୍ତିକମାସ ଶୁକ୍ଳପକ୍ଷ ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥି ଦିନ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କୁ ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶରେ ସଜ୍ଜିତ କରାଯାଇଥାଏ। ଏହି ଦିନ ଶ୍ରୀକ୍ଷେତ୍ରସ୍ଥ ଚକ୍ରନୃସିଂହଙ୍କ ନିକଟରୁ ଶ୍ରୀଜୀଉଙ୍କ ପାଖକୁ ଆଜ୍ଞାମାଳ ଆସିଥାଏ । ନେପାଳର ରାଜା, ଶ୍ରୀରାମଦାସ ମଠ ଓ ବଡ଼ଛତା ମଠ ଏହି ବେଶ ପାଇଁ ସହଯୋଗ କରିଥାନ୍ତି। ଶ୍ରୀଜୀଉମାନଙ୍କର ଅବକାଶ ନୀତି ଶେଷ ହେବା ପରେ ଏହି ବେଶ ଆରମ୍ଭ ହୋଇଥାଏ । ସେବାୟତମାନେ ରତ୍ନଭାଣ୍ଡାରରୁ ଆଣିଥିବା ବିଭିନ୍ନ ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ଦିଅଁମାନଙ୍କୁ ସଜାଇଥାନ୍ତି । ସୋଲ ଓ ଜରିରେ ଡାଳି କରାଯାଇ ସେଥିରେ ପର୍ଯ୍ୟାପ୍ତ ସଂଖ୍ୟକ ରଙ୍ଗବେରଙ୍ଗର ଫୁଲ ସବୁକୁ ଶ୍ରୀମସ୍ତକରେ ଲଗାଯାଏ । ଏହି ଡାଳ ମଝି ମଝିରେ ଠିଆପାଖୁଡ଼ା ଆକୃତିର ସ୍ୱର୍ଣ୍ଣକିଆ ଖଞ୍ଜାଯାଇଥାଏ । ଗୋପାଳ ବଲ୍ଲଭ, ବାଳଭୋଗ ଓ ସକାଳଧୂପ ଶେଷହେବା ପର୍ଯ୍ୟନ୍ତ ଏହି ବେଶ ରହିଥାଏ । ଧର୍ମ ଓ କର୍ମ ପରସ୍ପରର ପରିପୂରକ। ନିଜର କର୍ମକୁ ସତ ମାର୍ଗରେ ବିନିଯୋଗ କଲେ ହିଁ କାର୍ତ୍ତିକ ମାସର ଧର୍ମ ଫଳ ଆମକୁ ମିଳିପାରିବ। ପ୍ରଭୁ ଜଗନ୍ନାଥଙ୍କୁ ମନରେ ଦର୍ଶନ କରି ମଧ୍ୟ କାର୍ତ୍ତିକ ମାସର ପୁଣ୍ୟ ଫଳ ମିଳିପାରିବ । ତେଣୁ ଶ୍ରୀ ମନ୍ଦିର ନ ଯାଇ ପାରିଲେ ମଧ୍ୟ ପ୍ରଭୁଙ୍କୁ ମନରେ ସ୍ମରଣ କରି କାର୍ତ୍ତିକ ପଞ୍ଚକକୁ ସଫଳ କରିବା । ଜୟ ଜଗନ୍ନାଥ ।

Comments are closed.