ଆନ୍ତଃଜିଲା ଲୁଟେରା ଗିରଫ, ବନ୍ଧୁକ ସମେତ ବିପୁଳ ସାମଗ୍ରୀ ଜବତ

କେନ୍ଦୁଝରଗଡ଼: କେନ୍ଦୁଝର ସମେତ ସୁନ୍ଦରଗଡ, ସମ୍ବଲପୁର ଓ ଢ଼େଙ୍କାନାଳ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଲୁଟ୍‌‌ ଓ ଡକାୟତି ଘଟଣାର ମାଷ୍ଟରମାଇଣ୍ଡ ଦାସ ଓରଫ ଦାଶରଥୀ ଧୀବରକୁ କେନ୍ଦୁଝର ପୁଲିସ ଶୁକ୍ରବାର ଗିରଫ କରି ଶନିବାର ର୍କୋର୍ଟ ଚାଲାଣ କରିଛି। ୧୮ ଅକ୍ଟୋବର ୨୦୨୩ ରାତି ପ୍ରାୟ ସାଢ଼େ ୧୨ରୁ ୧ଟା ମଧ୍ୟରେ କେନ୍ଦୁଝର ଜିଲା ନୟାକୋଟ ଥାନା ଅଧିନ ଫୁଲଝରସ୍ଥିତ ସ୍ବପ୍ନେଶ୍ୱର ଫିଲିଂ ଷ୍ଟେସନରେ ୫/୬ଜଣ ଅଜଣା ଦୁର୍ବୃତ୍ତ ବନ୍ଧୁକ ଓ ମାରଣାସ୍ତ୍ର ଧରି ପହଞ୍ଚି ନଗଦ ୪ଲକ୍ଷ ଟଙ୍କା ସମେତ ଲାପଟପ୍‌‌, ସିସିଟିଭି ହାର୍ଡଡିସ୍କ ଲୁଟି ନେବା ସହ ଲୁଟ ଘଟଣାର ପ୍ରମାଣ ନଷ୍ଟ ଲକ୍ଷ୍ୟରେ ଦୁଇଟି ସିସିଟିଭି କ୍ୟାମେରାକୁ ଭାଙ୍ଗି ଅନ୍ୟତ୍ର ଫିଙ୍ଗି ଦେଇ ପଳାଇଥିଲେ। ଏ ନେଇ ଫିଲିଂ ଷ୍ଟେସନର ମାଲିକ କ୍ଷେତ୍ରମୋହନ ମହାନ୍ତ ନୟାକୋଟ ଥାନାରେ ଅଭିଯୋଗ କରିଥିଲେ।

ଏହାପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇ ଯୋଡା ଥାନା ଅଞ୍ଚଳର ବିଜୁ ଓରଫ ବିଜୟ ପାତ୍ର, ବାବୁଜି ଓରଫ ପ୍ରଭାକର ଲୋହାର ଓ ଡାଡୁ ଓରଫ ଅନୀଲ ଗୋପକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଏହି ଘଟଣାରେ ଜଡିତ ଅନ୍ୟ ଅଭିଯୁକ୍ତ ସଦର ଥାନା କୁସୁମୁଳା ଗ୍ରାମର ନିହାର ରଞ୍ଜନ ମହାନ୍ତକୁ ୧୬ ନଭେମ୍ବରରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବାମେବାରୀ ଥାନା ଧର୍ନୁଜୟପୁର ଗ୍ରାମର ତନୁ ଧୀବରର ପୁଅ ଦାସ ଓ ଦାଶରଥୀ ଧୀବର ଫେରାରଥିବାରୁ ତାକୁ ଗିରଫ କରିବା ନେଇ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍‌‌ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଥିବା ବେଳେ ଶୁକ୍ରବାର ତାକୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରାଯାଇଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲ୍ଲୀପ କୁମାର ନାୟକ ଶନିବାର ଜିଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ପ୍ରଦାନ କରିଛନ୍ତି।

ଗିରଫ ସମୟରେ ଦାଶରଥୀ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ଗୋଟି ଧାରୁଆ ଛୁରୀ, ଏୟାରଟେଲ ସିମ୍‌‌ ସହ ମୋବାଇଲ, ହିରୋହୁଣ୍ଡା ବାଇକ୍‌‌, ଗୋଟିଏ ବୋଲେରୋ, ୫୦୦ଗ୍ରାମର ରୁପା ଅଳଙ୍କାର ଓ ୧୪ଟି ସୁନା ଲକେଟକୁ ମଧ୍ୟ ପୁଲିସ ଜବତ କରିବାରେ ସଫଳ ହୋଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ସଦର ଏସ୍‌‌ଡିପିଓ ମହେନ୍ଦ୍ରନାଥ ମୁର୍ମୁ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ଗିରଫ ଦାଶରଥୀ ନାମରେ କେନ୍ଦୁଝର ଜିଲାର ବିଭିନ୍ନ ଥାନାରେ ୨୦ଟି ମାମଲା ରୁଜୁ ହୋଇଥିବା ବେଳେ ରାଉରକେଲାର ବଣେଇ, ଲହୁଣୀପଡା ଓ ଲାଟିକଟା ଥାନାରେ ୬ଟି, ସମ୍ବଲପୁର ଓ ଢ଼େଙ୍କାନାଳ ଜିଲାରେ ଗୋଟିଏ ଲେଖାଏଁ ଥାନାରେ ଲୁଟ୍‌‌ ଓ ଡକାୟତି ମାମଲା ରୁଜୁ ହୋଇଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ନାୟକ ସୂଚନା ଦେଇଛନ୍ତି।

Comments are closed.