ସର୍ବେ ଭବନ୍ତୁ ସୁଖିନଃ…

ଏ ସଂସାରରେ ବନ୍ଧୁ କିଏ? ଅବଶ୍ୟ ସଂସାରତ୍ୟାଗୀ ସନ୍ନ୍ୟାସୀ ବା ବୈଷ୍ଣବମାନେ ଭିନ୍ନ କଥା କହନ୍ତି। କଷ୍ଟାର୍ଜିତ ଧନସବୁ ମଲାବେଳକୁ ତମଠୁ ହକଳା ଯାଇ ଭୂଇଁରେ ପଡ଼ିରହିବେ, ପାଳିତ ପଶୁ ଗାଈ ଆଦି ତମ ମୃତ୍ୟୁବେଳେ ସେଥିରେ ବ୍ୟସ୍ତ ନ ହୋଇ ପାକୁଳି କରି ଚାଲିଥିବେ। ପ୍ରିୟତମ ଅଶ୍ରୁସିକ୍ତା ସ୍ତ୍ରୀ ଦ୍ବାରବନ୍ଧ ଯାଏ ଯିବ, ସାଇ ପଡ଼ିଶା ଲୋକେ ଶବ ସହ ଶ୍ମଶାନ ଯାଏ ଯିବେ, ପ୍ରିୟତମ ଦେହ ଚିତା ଯାଏ ଯିବ, ମାତ୍ର ସାଥିରେ କେବଳ ତମ ଅର୍ଜିତ ଧର୍ମ ହିଁ ଯିବ। ‘ଧର୍ମାନୁଗଚ୍ଛତି ଜୀବ ଏକା ା’ ମଣିଷକୁ ଶୁଦ୍ଧ ପବିତ୍ର ଓ ପରୋପକାରୀ ଭାବରେ ବିଜଡ଼ିତ ରହିବାର ଇଏ ଏକ ଦିବ୍ୟ ପ୍ରେରଣା। ମାତ୍ର ତେଲ, ଲୁଣ ସଂସାର ଚଳନି ଭିନ୍ନ। ‘ସଂସାର ପଥ ଦୁରୁଗମ ଭୟେ ଭାଜନ୍ତି ଯୋଗୀଜନ।’ ଏଠି ଦେବାନେବା ଆଦିର ଭାବଗତ ଚଳନି ବନ୍ଧୁ ବା ମିତ୍ର ସୃଷ୍ଟି କରେ। ମହାଭାରତ ଯୁଦ୍ଧରେ କୌରବ ପାଣ୍ଡବ ଦୁଇପକ୍ଷ ତାଙ୍କ ସପକ୍ଷରେ ରାଜାମାନଙ୍କୁ ନିମନ୍ତ୍ରଣ କରିବାକୁ ଯାଇଥିଲେ। ଢେର ଶିକ୍ଷଣୀୟ ଓ ପ୍ରେରଣାପ୍ରଦ ଏଇ କଥା। ଯା ହେଉ ଶ୍ରୀକୃଷ୍ଣ ପାଣ୍ଡବମାନଙ୍କ ପକ୍ଷ ନେବାରେ ଯୁଧିଷ୍ଠିରଙ୍କ ବିନମ୍ରତା ତାଙ୍କୁ ବେଶ୍‌ ପ୍ରଭାବିତ କଲା। ନିମନ୍ତ୍ରଣ କରିବାକୁ ଯୁଧିଷ୍ଠିରଙ୍କ ଆଗରୁ ଦୁ​‌େ​‌ର୍ଯ୍ୟାଧନ ଯାଇଥିଲେ ବି କୃଷ୍ଣ ପାଣ୍ଡବମାନଙ୍କ ପକ୍ଷ ନେଲେ। ତା’ପରେ ନୀତିନିଷ୍ଠ ଲୋକ, ନୀତିନିଷ୍ଠର ବନ୍ଧୁ ଆପେ ଆପେ ବନିଯାଏ। ‘Birds of the same feather flog together.’ ରାମାୟଣରେ ଭାଇ ବିଭୀଷଣ ରାବଣଙ୍କୁ ଛାଡ଼ି ରାମଙ୍କ ପାଖେ ଶରଣ ନେଲେ, କାରଣ ରାବଣଙ୍କ ସୀତାଚୋରିକୁ ସେ ଆଦୌ ସହିପାରିଲେନି। ସୀତା ଫେରାଇ ଦେବାକୁ ତାଙ୍କ ଅନୁରୋଧ ରାବଣ ନ ଶୁଣିବାରୁ ସେ ଏ ଅଧର୍ମ ଓ ଅନ୍ୟାୟରେ ଭାଗୀ ହେବାକୁ ଚାହିଁଲେନି। ରାମଙ୍କ ପାଖେ ଶରଣ ପଶିଲେ। ‘ଉତ୍ସବେ ବ୍ୟସନେ ଚୈବ ଦୁର୍ଭିକ୍ଷେ ରାଷ୍ଟ୍ରବିପ୍ଳବେ, ରାଜଦ୍ବାରେ ଶ୍ମଶାନେ ଚ ଯଃ ତିଷ୍ଠତି ସଃ ବାନ୍ଧବଃ ା’ ତା’ପରେ ସତରେ ବି ଏ ମାୟାମୋହଗ୍ରସ୍ତ ସଂସାରରେ ବନ୍ଧୁହୀନ ଜୀବନ ଦୁର୍ବିସହ। କୁହା ବି ଯାଇଛି, ‘ଅବନ୍ଧୁ ଜୀବନ, ଅସୂର୍ଯ୍ୟ ମହୀ ଦେହଧରି କେବେ ହୁଅଇ ରହି।’ ବନ୍ଧୁତା ଖୋଜିବା, ବନ୍ଧୁ ଲୋଡ଼ିବା ମଣିଷର ଏକ ସହଜାତ ପ୍ରବୃତ୍ତି। ‘A man without society is either a beast or God.’

ଏମିତି କେତେ କଥା ଏ ବନ୍ଧୁମୟ ଜୀବନ ବିଷୟରେ, ସମାଜ ବିଷୟରେ କୁହାଯାଇଛି। ବ୍ୟକ୍ତିଗତ ଜୀବନରେ ଏ କଥା ଯେମିତି ସତ, ସାମାଜିକ ରାଷ୍ଟ୍ରୀୟ ଜୀବନରେ ବି ସେମିତି ସତ। ଦେଶ ଦେଶ ମଧ୍ୟରେ ବନ୍ଧୁତା ସାରା ଦେଶର ବିକାଶରେ ସହାୟତା ହୁଏ। ଗୋଟାଏ ପୋଚା ଆଳୁ ବସ୍ତାକଯାକ ଆଳୁ ପୋଚା କରି ଦେଲାପରି, ଜଣେ ଜଣେ କଳୁଷିତ ଅହଂକାରୀ ନେତାଙ୍କ ଯୋଗୁଁ ପୃଥିବୀରେ ବିଶ୍ବଯୁଦ୍ଧ ସଂଘଟିତ ହୋଇଛି। ୧୯୧୪ ମସିହାର ପ୍ରଥମ ବିଶ୍ବଯୁଦ୍ଧ ଓ ତା’ର ଖଳନାୟକ କୁହାଯାଉଥିବା ରୁଷୀୟ ସମ୍ରାଟ ଦ୍ବିତୀୟ ନିକୋଲାସ ଓ ୧୯୩୯ ମସିହାରୁ ଆରମ୍ଭ ହୋଇଥିବା ଦ୍ବିତୀୟ ବିଶ୍ବଯୁଦ୍ଧର ଖଳନାୟକ ହିଟଲର ଓ ମୁସୋଲିନ୍‌ଙ୍କ ଦ୍ବାରା ନାଗାସାକୀ ଓ ହିରୋସିମା ପରମାଣୁ ବୋମା ବିସ୍ଫୋରଣରେ କେମିତି ଧ୍ବସ୍ତବିଧ୍ବସ୍ତ ହୋଇଗଲା ତା’ର ଭୟଙ୍କର ସ୍ମୃତି ଓ ପରିଣତି ଏବେ ବି ମଣିଷ ସମାଜକୁ ଚହଲେଇ ଦେଇଛି। ସତ କହିବାଠାରୁ ସତ୍ୟକୁ ରକ୍ଷା କରିବା ଓ ଅସତ୍ୟର ବିରୋଧ କରିବା ସବୁଠୁ ଗୁରୁତ୍ବପୂର୍ଣ୍ଣ। ଦୁଷ୍ଟ ଶକ୍ତିର ଅଭ୍ୟୁତ୍‌ଥାନ ଘଟିଲେ ଏମିତି ଧ୍ବଂସାବସ୍ଥା ସୃଷ୍ଟି ହୁଏ।

ଏ ଆଦିମ ଅବସ୍ଥା ଓ ଭାବ କ୍ରମେ ସଙ୍କୁଚିତ ହେଉଛି। ଜନ ସମାଜ ସବୁ ସ୍ତରରେ ବାସ୍ତବତା ଓ ସତ୍ୟକୁ କ୍ରମେ ଅନୁଭବୁଛନ୍ତି। ପ୍ରଗତିଶୀଳ, ଶାନ୍ତିକାମୀ ଦେଶ ଓ ନେତାମାନେ ସେମାନଙ୍କ ମଧ୍ୟରେ ବନ୍ଧୁତା ବାନ୍ଧିଲେ ଯାଇ ଏ ବିଶ୍ବ ଦୁଷ୍ଟଶକ୍ତି ହାବୁଡ଼ରୁ ରକ୍ଷା ପାଇବ। ସାମ୍ରାଜ୍ୟବାଦୀ ଭାବର ନେତାମାନେ ନିଜ ସହିତ ନିଜ ଦେଶର ଓ ବିଶ୍ବର କ୍ଷତି କରି ଆସିଥିବା ଏକ ଐତିହାସିକ ତଥ୍ୟ, ସତ୍ୟ। ଭାରତବର୍ଷ କେବେ ବି ସାମ୍ରାଜ୍ୟବାଦୀ ନ ଥିଲା। ଶାନ୍ତି ସହାବସ୍ଥାନ ଏ ଦେଶର ନାରା ଥିଲା, ନୀତି ଥିଲା। ‘ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା…’ ଏ ଦେଶ ଜନତାର ପ୍ରତି ସ୍ପନ୍ଦନରେ, ପ୍ରତିଧ୍ବନିତ। ଦୁର୍ଭାଗ୍ୟକୁ ପ୍ରତିବେଶୀ ଚୀନ ତା’ର ସାମ୍ରାଜ୍ୟବାଦ ଭାବରେ ଭାରତକୁ ହଠାତ୍‌ ୧୯୬୨ ମସିହାରେ ଆକ୍ରମଣ କରି ଏ ଦେଶର ଖଣ୍ଡେ ଭୂଖଣ୍ଡ ଭିତରକୁ ପଶିଆସିଲା। ନେହେରୁଙ୍କ ପଞ୍ଚଶୀଳ ନୀତି ସହ ଯୋଡ଼ି ହୋଇଥିବା ଏ ଦେଶ ସେତେବେଳେ ବିଶ୍ବାସଘାତକତା କରିଥିଲା। ସ୍ବର୍ଗତ ପ୍ରଧାନମନ୍ତ୍ରୀ ଶାସ୍ତ୍ରୀଙ୍କ ଶାନ୍ତି ପ୍ରତିଷ୍ଠା ପାଇଁ ରୁଷର ନିମନ୍ତ୍ରଣରେ ତାସ୍‌କେଣ୍ଟ ଯାଇ ସେଠି ସହିଦ ହେବାର ଆଘାତ ଭାରତବାସୀ ଭୁଲି ପାରିବେନି। ତଥାପି ମଧ୍ୟ ଏ ଦେଶ ପଡ଼ୋଶୀ ସହ ବନ୍ଧୁତାରେ କେବେ ଖିଲାପ କରିନାହିଁ। ବିଶ୍ବର ଦୁଇ ବୃହତ୍‌ ଶକ୍ତି ଆମେରିକା ଓ ରୁଷିଆ ମଧ୍ୟରେ ସମତୁଲ ଭାବ ଭାରତ ଗ୍ରହଣ କରିଆସିଛି। ଏବେ ଆମେରିକା ବନ୍ଧୁତାରେ ଭାରତ ଢେର ନିକଟତର ହୋଇଯାଇଛି। ଚୀନ ଓ ଭାରତ ସୀମାକୁ ମାକ୍‌ମୋହନ ଲାଇନ ଅନ୍ତର୍ଜାତୀୟ ସ୍ତରରେ ସ୍ବୀକାର କରାଯାଇଥିଲେ ମଧ୍ୟ ବିଶ୍ବ ରାଜନୀତିର ସୂତାରେ ଇଏ କେତେବେଳେ କାହାର ଭିନ୍ନ ପରିଭାଷାକୁ ଆସୁଛି। ମାତ୍ର ଏବେ ଢେର ସ୍ପଷ୍ଟ ଭାବେ ଆମେରିକା, ଭାରତ, ଚୀନ ମଧ୍ୟରୁ ଏ ସୀମାରେଖାକୁ ସ୍ବୀକାର କରିଥିବା ଆଶ୍ବାସନାର ବିଷୟ। ଅରୁଣାଚଳ ପ୍ରଦେଶକୁ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଯୁକ୍ତରାଷ୍ଟ୍ର ଆମେରିକା ସିନେଟ କମିଟିରେ ଏକ ସଂକଳ୍ପ ଆଗତ କରାଇ ସମଗ୍ର ବିଶ୍ବ ରାଜନୀତିରେ ଏକ ନୂତନ ମୋଡ଼ ଓ ଦିଗନ୍ତ ସୃଷ୍ଟି କରିଛି। ଆମେରିକାର ଏପରି ପଦକ୍ଷେପ ଚୀନକୁ ବିଚଳିତ କରିଛି ଓ ଶକ୍ତ ଆଘାତ ଦେଇଛି। ସିନେଟ ସଭ୍ୟ ଜେଫ୍‌ ମର୍କଲେ ଆଦି ଚାରିଜଣଙ୍କ ଦ୍ବାରା ଆଗତ ଏହି ବିଲ୍‌ ପାରିତ ହେଲେ ପୂର୍ଣ୍ଣାଙ୍ଗ ଭୋଟ ପାଇଁ ସିନେଟକୁ ଯିବ। ଏଠାରେ ଗୃହୀତ ପରେ ଏ ପ୍ରକ୍ରିୟା ଚୂଡ଼ାନ୍ତ ହେବ। ଏହି ପଦକ୍ଷେପ ଦ୍ବାରା ଆମେରିକା ସ୍ବାଧୀନ ଓ ଆଇନ ଆଧାରିତ ଶାସନକୁ ସମର୍ଥନ କରେ ବୋଲି ସିନେଟର ମର୍କଲେ କହିଛନ୍ତି। ଚୀନର ବିସ୍ତାରବାଦୀ ନୀତିକୁ ଆମେରିକା ଗ୍ରହଣ କରିପାରିବ ନାହିଁ। ହଗେର୍ଟି ପୁଣି କହିଛନ୍ତି ଯେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପ୍ରତି ଚୀନ ଅଯଥା ବିପଦ ସୃଷ୍ଟି କରୁଛି ଓ ଆମେରିକା ଏହାକୁ ସହ୍ୟ କରିପାରିବନି। ସାବାସ୍‌ ଆମେରିକା। କିଛିଦିନ ତଳେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଆମେରିକା ଗସ୍ତ ପରେ, ଆମେରିକାର ଏପରି ପଦକ୍ଷେପ ଶ୍ରୀ ମୋଦୀଙ୍କ ଗସ୍ତର ଏକ କୂଟନୈତିକ ବିଜୟ ବୋଲିବାକୁ ହେବ। ଭାରତକୁ ଆମେରିକାର ଏ ସମର୍ଥନ ଚୀନର ବିସ୍ତାରବାଦୀ ନୀତିକୁ ଏକ ଧକ୍‌କା ବୋଲିବାକୁ ହେବ। ଭାରତର ‘ବସୁଧୈବ କୁଟୁମ୍ବକମ୍‌’ ନୀତି ଯେ ବିଶ୍ବ ରାଜନୀତିକୁ ପ୍ରଭାବିତ କରୁଛି, ତା’ କ୍ରମେ ଅନୁଭବ ହେଉଛି। ଚୀନର ପରୋକ୍ଷରେ ପାକିସ୍ତାନକୁ ଯୁଦ୍ଧାସ୍ତ୍ର ସହ ବିପୁଳ ଆର୍ଥିକ ସାହାଯ୍ୟରୁ ଭାରତ ବିରୋଧରେ ପାକିସ୍ତାନକୁ ଏକ ଶକ୍ତି ଭାବେ ଗଢ଼ିବାର ମନ୍ଦ ଉଦ୍ଦେଶ୍ୟ ନିହିତ। ତେବେ ଖପରାରେ କୁ ହାଣ୍ଡି ଗଢ଼ି ହେବ? ଭାରତ ଭଳି ଏକ ବିକଶିତ ଦେଶ ସହ ଆମେରିକାର ବନ୍ଧୁତ୍ବରେ ଉନ୍ନତି ବିଶ୍ବବାସୀଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର। ମୀନକୁ ବିପଦ ସୃଷ୍ଟି କରୁଥିବା ବଗର ଥଣ୍ଟ ଏମିତି ବନ୍ଧନ ଦ୍ବାରା ପାମ୍ପେରା ହୋଇଯିବ, ଭାଙ୍ଗିଯିବ।

ଆମ ପ୍ରିୟ ସଙ୍ଗୀତ ହେଲା, ‘ସର୍ବେଷାଂ ନୋ ଜନନୀ ଭାରତ ଧରଣୀ କଳ୍ପଲତେୟଂ…।
ଜୟ ଜୟଗନ୍ନାଥ।

Comments are closed.