ସମାନ ନାଗରିକ ସଂହିତା-ସମସ୍ୟା ଓ ସମ୍ଭାବନା
ଶ୍ରୀକାନ୍ତ ଚାଟାର୍ଜୀ
ବର୍ତ୍ତମାନ ଦେଶରେ ‘ୟୁନିଫର୍ମ୍ ସିଭିଲ କୋଡ’ (ୟୁସିସି)ସମାନ ନାଗରିକ ସଂହିତା ଉପରେ ଚର୍ଚ୍ଚା ଚାଲିଛି। ଏ ପ୍ରବନ୍ଧରେ ଏହି ବିଷୟରେ ଅଳ୍ପ ଆଲୋଚନା କରିବା।
ସମ୍ବିଧାନର ଧାରା ୪୪ରେ ଲେଖା ହୋଇଛି, ‘ଦେଶର ନାଗରିକମାନଙ୍କ ପାଇଁ ସାରା ଭାରତରେ ସମାନ ନାଗରିକ ସଂହିତା ଲାଗୁ କରିବା ହେତୁ ସରକାର ପ୍ରୟାସ କରିବେ।’ ଏହି ଧାରା ସମ୍ବିଧାନର ଚତୁର୍ଥ ଭାଗ ଅର୍ଥାତ୍ ଡାଇରେକ୍ଟିଭ୍ ପ୍ରିନ୍ସିପୁଲ୍ସ ଅଫ୍ ଷ୍ଟେଟ୍ ପଲିସି ଅନ୍ତର୍ଗତ। ଏହା ହେଲା ସମ୍ବିଧାନ ରଚୟିତାଙ୍କ ଭବିଷ୍ୟତ ପିଢ଼ି ଉଦ୍ଦେଶ୍ୟରେ ଦିଶା ନିର୍ଦେଶ। ଏହା ବାଧ୍ୟତାମୂଳକ ନୁହେଁ। ଅଦାଲତ ଜରିଆରେ ଏହାର କାର୍ଯ୍ୟାନ୍ବୟନ ସୁନିଶ୍ଚିତ କରି ହେବନାହିଁ। ତେବେ ସରକାରଙ୍କ ଉପରେ ଏହା ଏକ ନୈତିକ ଦାୟିତ୍ବ। ଭାରତରେ ବ୍ରିଟିଶ ଅମଳରୁ ପାଶ୍ଚାତ୍ୟ ଢ଼ାଞ୍ଚାରେ ତିଆରି ସର୍ବମାନ୍ୟ ଆଇନ ସବୁ ପ୍ରଚଳିିତ ଅଛି। ଆଇପିସି କଥା ଦେଖନ୍ତୁ। ଚୋରି ବା ଡକାୟତି କ’ଣ, ଚୋରି/ଡକାୟତି କଲେ କି ଦଣ୍ଡାଦେଶ ହେବ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମସ୍ତଙ୍କ କ୍ଷେତ୍ରରେ ଏହା ପ୍ରଯୁଜ୍ୟ। କଣ୍ଟ୍ରାକ୍ଟ ଆଇନ କଥା ଦେଖନ୍ତୁ। ଆପଣ ଜଣଙ୍କଠୁ ଋଣ ନେଲେ, ଫେରସ୍ତ କରୁନାହାନ୍ତି। ଅଦାଲତ ଆପଣଙ୍କୁ ସମୂଳ ସୁଧ ସହିତ ଟଙ୍କା ପଇଠ କରିବାପାଇଁ ବାଧ୍ୟ କରି ପାରନ୍ତି। ଏହା ମଧ୍ୟ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ। ପ୍ରଥମଟି ହେଲା ଫୌଜଦାରୀ ଆଇନ, ଦ୍ବିତୀୟଟି ଦେୱାନୀ ଆଇନ। ତେବେ କେତୋଟି ବିଷୟ ଅଛି ଯାହା ଏଭଳି ଆଇନ ପରିଧି ବାହାରେ ବୋଲି ଧରାଯାଏ। ବିବାହର ରୀତିନୀତି କ’ଣ ହେବ, ସମ୍ପତ୍ତିବାଡ଼ିର ମାଲିକାନା କାହା ହାତରେ ରହିବ ଇତ୍ୟାଦି ହେଲା ‘ବ୍ୟକ୍ତିଗତ’ ଆଇନ ବା ପର୍ସନାଲ ଲ’ର ବିଷୟ। ସାଧାରଣତଃ ଏସବୁ କଥା ‘ଧର୍ମ’ର ଅଧିକାର କ୍ଷେତ୍ର ଅନ୍ତର୍ଭୁକ୍ତ ଧରାଯାଏ। ଅର୍ଥାତ୍ ଯିଏ ଯେଉଁ ଧର୍ମାବଲମ୍ବୀ, ତାଙ୍କ ବିବାହ, ସମ୍ପତ୍ତି ମାଲିକାନା, ଉତ୍ତରାଧିକାର ଆଦି ତାଙ୍କ ଧର୍ମର ନିୟମ ଅନୁସାରେ ଚାଲିବ। ସମ୍ବିଧାନ ପ୍ରଣୟନ ସମୟରେ କଥା ଉଠିଥିଲା ଯେ, ଅନ୍ୟ କ୍ଷେତ୍ରରେ ସର୍ବମାନ୍ୟ ଆଇନ ଭଳି ବ୍ୟକ୍ତିଗତ ବିଷୟ ସମ୍ବନ୍ଧରେ ମଧ୍ୟ ସର୍ବମାନ୍ୟ ଆଇନ ଲାଗୁହେବା ଉଚିତ୍। ବିଭିନ୍ନ କାରଣରୁ ତାହା ସମ୍ଭବ ହେଲା ନାହିଁ ଏବଂ ଡିପିଏସପିରେ ଏଥିପାଇଁ ପ୍ରାବଧାନ ରହିଲା। ଅର୍ଥାତ୍ ଏ ଯାବତ୍ ସାରାଦେଶରେ ସବୁ ଧର୍ମାବଲମ୍ବୀଙ୍କ କ୍ଷେତ୍ରରେ ସମାନ ନାଗରିକ ଆଇନ୍ ପ୍ରଯୁଜ୍ୟ ହୋଇନାହିଁ।
ଭାରତରେ ବିଭିନ୍ନ ଧର୍ମାବଲମ୍ବୀ ଏବଂ ବିଭିନ୍ନ ପରମ୍ପରାରେ ବିଶ୍ବାସ କରୁଥିବା ଲୋକେ ବାସ କରନ୍ତି। ‘ଧର୍ମ’ ସମାଜ ପରିଚାଳନାରେ ନିର୍ଣ୍ଣାୟକ ଭୂମିକା ପାଳନ କରୁଥିଲା। ସବୁ ଧର୍ମରେ କିଛି ସମୟ ପରେ ଧର୍ମ ନାଁରେ କିଛି ଅନ୍ଧ ବିଶ୍ବାସ ଓ କୁସଂସ୍କାର ସୃଷ୍ଟିହୁଏ। ଊନବିଂଶ ଶତାବ୍ଦୀରେ ହିନ୍ଦୁଧର୍ମ କଥା ଦେଖାଯାଉ। ସେ ସମୟରେ ବହୁପତ୍ନୀ ବିବାହ, ସତୀଦାହ ପ୍ରଥା, ବିଧବା ବିବାହ ଓ ନାରୀଶିକ୍ଷା ଉପରେ କଟକଣା ଭଳି ପ୍ରଥା ପ୍ରଚଳିତ ଥିଲା। ରାମ ମୋହନ ରାୟ, ଈଶ୍ବରଚନ୍ଦ୍ର ବିଦ୍ୟାସାଗର, ଜୋତିବା ଫୁଲେ ଆଦି ମନୀଷୀଙ୍କ ପ୍ରୟାସ ଯୋଗୁଁ ଏଥିରେ ‘ସଂସ୍କାର’ର ପ୍ରକ୍ରିୟା ଆରମ୍ଭ ହେଲା। କ୍ରମଶଃ ଏଥିପାଇଁ ଆଇନ ତିଆରି ହେଲା, ଯଥା ସତୀଦାହ ପ୍ରଥା କ୍ଷେତ୍ରରେ ତେବେ ଏଠି ମନେ ରଖିବାକୁ ପଡ଼ିବ ଯେ ପ୍ରଥମେ ପାଶ୍ଚାତ୍ୟ ଶିକ୍ଷାଯୋଗୁଁ ଏକ ସଚେତନତା ସୃଷ୍ଟିହେଲା; ସଂସ୍କାର ପାଇଁ ହିନ୍ଦୁ ସମାଜରୁ ସ୍ବର ଉଠିଲା ଏବଂ ତା’ ପରେ କିଛି ଆଇନ ତିଆରି ହେଲା। ଏ ଦୃଷ୍ଟିରୁ ବିଚାର କଲେ, ପାଶ୍ଚାତ୍ୟ ଶିକ୍ଷା ଆହରଣ ଏବଂ ଧର୍ମ ସଂସ୍କାର କ୍ଷେତ୍ରରେ ସଂଖ୍ୟା ଗରିଷ୍ଠ ହିନ୍ଦୁମାନେ ଆଗେଇ ଗଲେ। ‘ଧର୍ମସୂତ୍ର’ ସମୂହ ଏବଂ ‘ଧର୍ମଶାସ୍ତ୍ର’କୁ ସାଧାରଣତଃ ହିନ୍ଦୁ ଜୀବନଚର୍ଯ୍ୟାର ସଂହିତା ଧରାଯାଏ। ତେଣେ ସମ୍ପତ୍ତି, ଉତ୍ତରାଧିକାର ଇତ୍ୟାଦି ପାଇଁ ଦୟାଭାଗ (ଆସାମ ଓ ପଶ୍ଚିମବଙ୍ଗ ପାଇଁ) ଏବଂ ମିତାକ୍ଷର (ଓଡ଼ିଶା ସମେତ ଭାରତର ଅନ୍ୟାନ୍ୟ ଅଞ୍ଚଳପାଇଁ) ନାମକ ଦୁଇଟି ଆଇନ/ସଂହିତା ଅଛି। ଏସବୁକୁ ସାମଗ୍ରିକ ଭାବେ ବିଚାର କଲେ ମହିଳାଙ୍କ ଅଧିକାର ଜନିତ ସମସ୍ୟା ଏବଂ ଜାତିଭିତ୍ତିକ ଅସମତାର ସଙ୍କେତ ମିଳେ। ଏହା ଛଡ଼ା ଭାରତ ଏକ ବିଶାଳ ଦେଶ। ଏଣୁ ବୃହତ୍ତର ହିନ୍ଦୁଧର୍ମ ପରିଧି ଭିତରେ ବିଭିନ୍ନ ପ୍ରକାରର ଆଞ୍ଚଳିକ ମାନ୍ୟତା, ପରମ୍ପରା, ଲୋକାଚାର ପ୍ରଥା ଆଦି ଦେଖିବାକୁ ମିଳେ। ସ୍ବାଧୀନତା ସଂଗ୍ରାମରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏବଂ ବିଶେଷତଃ ମହିଳାମାନେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ। ସଂଗ୍ରାମର ଶୀର୍ଷ ନେତାମାନେ ଉଚ୍ଚମଣିଷ ଉଚ୍ଚଶିକ୍ଷିତ ଥିଲେ ଏବଂ ଆଧୁନିକ ଚିନ୍ତାଧାରା ସହିତ ପରିଚିତ ଥିଲେ। ଫଳତଃ, ହିନ୍ଦୁ ଧାର୍ମିକ ବ୍ୟବସ୍ଥାରେ ଆହୁରି ଦୂରଗାମୀ ସଂସ୍କାର ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇ ସାରିଥିଲା।
ଧାର୍ମିକ ମାନ୍ୟତାରେ ସମ୍ପତ୍ତି ଉପରେ ମହିଳାଙ୍କ ଅଧିକାର ଏକ ମୌଳିକ ପ୍ରସଙ୍ଗ। ସାଧାରଣତଃ ସମ୍ପତ୍ତିର ମାଲିକ ପୁରୁଷଙ୍କୁ ଧରାଯାଏ। ଏଣୁ ଉତ୍ତରାଧିକାରୀ କ୍ଷେତ୍ରରେ ମଧ୍ୟ ପୁଅଙ୍କ ପାଖକୁ ସମ୍ପତ୍ତି ଯାଏ। ପତ୍ନୀ (ବିଧବା) ବା ‘ଝିଅଙ୍କ ପାଖକୁ ନୁହେଁ।’ ଏଥିରେ ପ୍ରଥମ ନ୍ୟାୟିକ ସଂସ୍କାର ଆସିଲା ୧୯୩୭ ମସିହାରେ ‘ହିନ୍ଦୁ ୱିମେନ୍ ରାଇଟ୍ସ ଟୁ ପ୍ରପର୍ଟି ଆକ୍ଟ’୍ (ସମ୍ପତ୍ତି ଉପରେ ମହିଳାଙ୍କ ଅଧିକାର ଆଇନ୍) ମାଧ୍ୟମରେ। ଏହି ଆଇନ୍ ବଳରେ ସ୍ବାମୀଙ୍କ ମୃତ୍ୟୁ ଅନ୍ତେ ବିଧବାଙ୍କୁ ମୃତକଙ୍କ ସମ୍ପତ୍ତି ଉପରେ ସୀମିତ ଅଧିକାର ମିଳିଲା। ୧୯୪୧ ମସିହାରେ ବ୍ରିଟିଶ୍ ସରକାର ବିଏନ୍ ରାଉଙ୍କ ଅଧ୍ୟକ୍ଷତାରେ ଚାରି ସଦସ୍ୟ ବିଶିଷ୍ଟ ‘ହିନ୍ଦୁ ଆଇନ୍ କମିଟି’ ଗଠନ କଲେ। ଏହି କମିଟି ମତ ଦେଲେ ଯେ ‘ହିନ୍ଦୁ କୋଡ’ର ସମୟ ଆସିଛି। କମିଟି ସେହି ବର୍ଷ ରିପୋର୍ଟ ସହ ଦୁଇଟି ‘ଡ୍ରାଫ୍ଟ ବିଲ୍’ (ଚିଠା ବିଧେୟକ) ପେସ କଲେ। ଏହା ଉପରେ ଆଲୋଚନା ଚାଲିଲା। ୧୯୪୪ ମସିହାରେ ବିଏନ୍ ରାଉ ଏକ ଡ୍ରାଫ୍ଟକୋଡ ପ୍ରସ୍ତୁତ କଲେ। ଏଥିରେ ଉତ୍ତରାଧିକାର (ସକ୍ସେସନ୍) ମେଣ୍ଟେନାନ୍ସ (ବିଚ୍ଛେଦ ଇତ୍ୟାଦି ପରେ ଜୀବନଧାରଣ ପାଇଁ ଅର୍ଥ), ବିବାହ, ବିବାହ ବିଚ୍ଛେଦ, ଶୈଶବାବସ୍ଥା, ଅବିଭାବକତ୍ବ ଏବଂ ପୋଷ୍ୟ ସନ୍ତାନ ଗ୍ରହଣ ବିଷୟରେ ପ୍ରସ୍ତାବିତ ଆଇନର ଚିଠାଥିଲା। ଏହାକୁ ‘ ‘ହିନ୍ଦୁ କୋଡ ବିଲ୍’ କୁହାଗଲା। ଏହାକୁ ବାରଟି ଆଞ୍ଚଳିକ ଭାଷାରେ ଅନୁବାଦ କରି ବିଶେଷ ଭାବରେ ପ୍ରଚାର ପ୍ରସାର କରାଗଲା ଜାନୁଆରୀ ୧- ୧୯୪୮ ତାରିଖଦିନ ଏହାକୁ ଆଇନର ପରିଣତ କରିବାର ଚେଷ୍ଟାଥିଲା। ହେଲେ, ବିଭିନ୍ନ କାରଣ ଯୋଗୁଁ ହୋଇପାରିଲା ନାହିଁ। ପରେ ଭାରତ ସରକାରଙ୍କ ଆଇନ ବିଭାଗ ଏଥିରେ କିଛି ସଂଶୋଧନ କରି ଏହାକୁ ନୂତନ ଭାବରେ ଆଗତ କଲେ। ବିଲ୍ଟି ଆଇନ୍ମନ୍ତ୍ରୀ ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ଗଠିତ ସିଲେକ୍ଟ କମିଟିକୁ ଗଲା। ବିଚାର ବିମର୍ଶ ପରେ ଆମ୍ବେଦକର ଆଉ ଥରେ ସମ୍ବିଧାନ ସଭାରେ ହିନ୍ଦୁକୋଡ ବିଲ୍ ଉପସ୍ଥାପନ କଲେ। ଏଥିରେ କିଛି ଯୁଗାନ୍ତକାରୀ ପ୍ରସ୍ତାବ ଥିଲା, ଯଥା: ହିନ୍ଦୁ ପୁରୁଷଙ୍କ ବହୁବିବାହ ଉପରେ କଟକଣା, ବିବାହ ପାଇଁ ଜାତି ସୀମା ଉଚ୍ଛେଦ, ସମ୍ପତ୍ତି ଉପରେ ମହିଳାଙ୍କ ଅଧିକାର, ବିବାହ ବିଚ୍ଛେଦ ଇତ୍ୟାଦି। ଏହି ପ୍ରସ୍ତାବର ଦୃଢ଼ ସମର୍ଥକ ଥିଲେ ନେହେରୁ ଏବଂ ଆମ୍ବେଦକର। ତାଙ୍କ ମତ ଥିଲା ଧର୍ମ ଭିତ୍ତିରୁ ଦୂରେଇ ଯାଇ ବିଜ୍ଞାନ ଭିତ୍ତିକ ଆଧୁନିକ ସମାଜ ତିଆରି ପାଇଁ ଏସବୁ ସାମାଜିକ ସଂସ୍କାର ଏକାନ୍ତ କାମ୍ୟ। ଏହାର ଘୋର ବିରୋଧୀ ଥିଲେ କଂଗ୍ରେସ ଦଳର ସଭାପତି ପୁରୁଷୋତ୍ତମ ଦାସ ଟଣ୍ଡନ, ସମ୍ବିଧାନ ସଭାର ଅଧ୍ୟକ୍ଷ ରଜେନ୍ଦ୍ର ପ୍ରସାଦ ଇତ୍ୟାଦି। ପଟେଲ ମଧ୍ୟ ନୀତିଗତ ଭାବେ ଏହି ପ୍ରସ୍ତାବର ବିରୋଧୀ ଥିଲେ। କଂଗ୍ରେସ ଦଳ ବାହାରେ ‘ହିନ୍ଦୁବାଦୀ’ ସଂଗଠନ ଏବଂ ବ୍ୟକ୍ତି ଯଥା ହିନ୍ଦୁ ମହାସଭା, ଆରଏସଏସ ଭାରତୀୟ ଜନସଙ୍ଘ ଏବଂ ବାରାଣସୀର କରପାତ୍ରୀ ମହାରାଜ ପ୍ରମୁଖ ଏସବୁ ପ୍ରସ୍ତାବିତ ଆଇନ୍ର ବିରୋଧ କଲେ। ବିରୋଧୀ ମତ ଥିଲା ଧାର୍ମିକ ମାନ୍ୟତାରେ ନ୍ୟାୟିକ ହସ୍ତକ୍ଷେପ ଅନୁଚିତ। ଅବସ୍ଥା ଏଭଳି ହେଲା ଯେ ରାଜେନ୍ଦ୍ର ପ୍ରସାଦ ଘୋଷଣା କଲେ, ଯଦି ଏହି ବିଲ୍ ପାସ୍ ହୁଏ ତେବେ ରାଷ୍ଟ୍ରପତି ଭାବେ ତାହାକୁ ସେ ସ୍ବୀକୃତି ପ୍ରଦାନ କରିବେ ନାହିଁ। ଫଳରେ ବିଲ୍ ପାସ୍ ହୋଇପାରିଲା ନାହିଁ। ଆମ୍ବେଦକର ମନ୍ତ୍ରିପଦରୁ ଇସ୍ତଫା ଦେଲେ। ୧୯୫୨ ମସିହାରେ ପ୍ରଥମ ସାଧାରଣ ନିର୍ବାଚନ ହେଲା। ନେହେରୁ ସଂସ୍କାରଧର୍ମୀ ହିନ୍ଦୁ କୋଡ୍ ବିଲ୍ ସପକ୍ଷରେ ପ୍ରଚାର କଲେ। କଂଗ୍ରେସ/ନେହେରୁଙ୍କୁ ସଂଖ୍ୟା ଗରିଷ୍ଠତା ହାସଲ ହେଲା। ଆଉ ଥରେ ଏହି ବିଲ୍ କଥା ଉଠିଲା। ରାଜେନ୍ଦ୍ର ପ୍ରସାଦ ରାଷ୍ଟ୍ରପତି ଥିଲେ। ବହୁ ବାଦ ବିବାଦ ପରେ ୧୯୫୫-୫୬ ଅବଧିରେ ଚାରିଟି ଆଇନ୍ ପ୍ରଣୀତ ହେଲା: ହିନ୍ଦୁ ବିବାହର ଆଇନ୍ ୧୯୫୫; ହିନ୍ଦୁ ସକ୍ସେସନ୍ ଆକ୍ଟ, ୧୯୫୬; ହିନ୍ଦୁ ମାଇନରିଟିର ଆଣ୍ଡ୍ ଗାର୍ଡିଆନ୍ସିପ୍ ଆକ୍ଟ, ୧୯୫୬; ହିନ୍ଦୁ ଆଡପସନ୍ ଆଣ୍ଡ୍ ମେଣ୍ଟେନାନ୍ସ ଆକ୍ଟ ୧୯୫୬। ଏସବୁ ଆଇନ୍ ବଳରେ ସମ୍ପତ୍ତି ଉପରେ ମହିଳାଙ୍କ ଅଧିକାର, ଜାତିସୀମା ବାହାରେ ବିବାହ, ବିବାହ ବିଚ୍ଛେଦ ଆଦି ସୁନିଶ୍ଚିତ ହେଲା; ହିନ୍ଦୁ ପୁରୁଷଙ୍କ ବହୁ ବିବାହ ଉପରେ ଅଙ୍କୁଶ ଲାଗିଲା।
ଆମେ ଉପରେ ହିନ୍ଦୁ ଧର୍ମରେ ସଂସ୍କାରଧର୍ମୀ ଆଇନର ସଂକ୍ଷିପ୍ତ ଇତିହାସ ଦେଖିଲୁ। ଏହାକୁ ଧାର୍ମିକ ମାନ୍ୟତା ଏବଂ ଆଧୁନିକ ନ୍ୟାୟିକ ସିଦ୍ଧାନ୍ତର ଦ୍ବନ୍ଦ୍ବ ଧରାଯାଇପାରେ- ରକ୍ଷଣଶୀଳ ବନାମ୍ ପ୍ରଗତିଶୀଳ ଚିନ୍ତାଧାରା ସେ ସମୟ ଲକ୍ଷ୍ୟ କରନ୍ତୁ। ଭାରତ ସ୍ବାଧୀନତା ପ୍ରାପ୍ତି ଦ୍ବାର ଦେଶରେ; ଦେଶ ବିଭାଜନ ଏବଂ ସାମ୍ପ୍ରଦାୟିକ ହିଂସାର ସମ୍ମୁଖୀନ; ସମ୍ବିଧାନ ତିଆରି ପ୍ରକ୍ରିୟା ଚାଲିଛି। ଏମିତି ସମୟରେ ହିନ୍ଦୁଧର୍ମ ସମ୍ବନ୍ଧୀୟ ବ୍ୟକ୍ତିଗତ ଆଇନ୍ରେ ଯୁଗାନ୍ତକାରୀ ସଂସ୍କାରର ପ୍ରୟାସ! ଉଦ୍ଦେଶ୍ୟ ଥିଲା ଅନ୍ୟାନ୍ୟ ଧାର୍ମିକ ମାନ୍ୟତାରେ ମଧ୍ୟ ଅନୁରୂପ ସଂସ୍କାର ଆଣିବା। ଆଶାଥିଲା, ୟୁସିସି ଆସିଲେ ଦେଶରେ ଏକତା ଆସିବ, ଧର୍ମର ପ୍ରଭାବ କମ୍ ହେବ ଏବଂ ସମସ୍ତେ ଗୋଟିଏ ବ୍ୟକ୍ତିଗତ ଆଇନ୍ ଦ୍ବାରା ପରିଚାଳିତ ହେବେ। ଅନ୍ୟପକ୍ଷରେ ୧୯୩୭ ମସିହାରେ ‘ମୁସଲିମ୍ ପର୍ସନାଲ୍ ଲ (ସାରିଆତ୍) ଆଇନ୍’ ପ୍ରଣୟନ କରା ହୋଇଥିଲା। ଅର୍ଥାତ୍, ‘ମୁସଲିମ୍’ ମାନଙ୍କ ପାଇଁ ଏକ ଆଇନ୍ ଥିଲା। ଯେତେବେଳେ ୟୁୁସିସିର ପ୍ରସ୍ତାବ ଆସିଲା , ହିନ୍ଦୁ ପକ୍ଷ ଭଳି ମୁସ୍ଲିମ୍ ପକ୍ଷରୁ ମଧ୍ୟ ପ୍ରବଳ ବିରୋଧ ହେଲା। ତେବେ, ହିନ୍ଦୁ ପକ୍ଷରେ ଏକ ପ୍ରଗତିଶୀଳ ସଂସ୍କାରଧର୍ମୀ ସ୍ବର ମଧ୍ୟ ଥିଲା, ଯାହା ଆଗକୁ ଯାଇ ହିନ୍ଦୁ ଧର୍ମରେ ସଂସ୍କାରବାଦୀ ବ୍ୟକ୍ତିଗତ ଆଇନ୍ ପ୍ରଣୟନରେ ସକ୍ଷମ ହେଲା। ଯାହା ହେଉ, ବିରୋଧ ଯୋଗୁଁ ୟୁସିସି ପ୍ରକ୍ରିୟାକୁ କ୍ଷଣିକ ଭାବେ ସ୍ଥଗିତ ରଖାଗଲା। ତେବେ, ୟୁସିସିକୁ ଉଜ୍ଜୀବିତ ରଖିବାପାଇଁ ଡିପିଏସପିରେ ପ୍ରାବଧାନ ରଖାଗଲା। ଆଉ ଏକ ବି କାରଣ ଥିଲା, ସ୍ବାଧୀନତା ସଂଗ୍ରାମର ତୁଙ୍ଗ ନେତାମାନେ ବିଭାଜନର ବିଭୀଷିକା ପରେ ଯେଉଁ ମୁସଲିମମାନେ ଭାରତରେ ରହିବାକୁ ନିଷ୍ପତ୍ତି ନେଲେ ତାଙ୍କୁ ଆଶ୍ବାସନା ଦେବାକୁ ଚାହୁଁଥିଲେ ଯେ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ରହିବ; ଭାରତରେ ବାସ କରୁଥିବା ମୁସ୍ଲିମମାନଙ୍କ ଧାର୍ମିକ ମାନ୍ୟତା ଅକ୍ଷୁଣ୍ଣ ରହିବ ଏବଂ ସେମାନେ ନାଗରିକଭାବେ ସମାନ ସାମ୍ବିଧାନିକ ଅଧିକାର ଲାଭ କରିବେ। ଏଣୁ ଡିପିଏସପି ଏକମାତ୍ର ବିକଳ୍ପ ଥିଲା।
ସମ୍ବିଧାନ ପ୍ରଣୟନ ପରଠୁ ୟୁସିସି ତିଆରି କରିବାର ପ୍ରୟାସ ହୋଇନାହିଁ। ୨୧ତମ ଆଇନ ଆୟୁକ୍ତ ୨୦୧୮ ମସିହାରେ ତାଙ୍କ ରିପୋର୍ଟରେ ଭାରତରେ ବିବିଧତା ଦୃଷ୍ଟିରୁ ୟୁସିସି ବର୍ତ୍ତମାନ ସମ୍ଭବ ନୁହେଁ ବୋଲି ମତ ପ୍ରକାଶ କଲେ। ଆୟୁକ୍ତଙ୍କ ରିପୋର୍ଟର ମନ୍ତବ୍ୟ ହେଲା, ‘ସଂସ୍କୃତିଗତ ବିବିଧତାକୁ ଏତେ ସଂକୁଚିତ କରି ହେବ ନାହିଁ ଯେ ସମାନତା ପ୍ରତି ଆମର ବ୍ୟଗ୍ରତା ହିଁ ଦେଶର ଏକତା ଓ ସଂହତି ପ୍ରତି ବିପଦର କାରଣ ହୋଇଯିବ।’ ଏଣୁ ଆୟୁକ୍ତ କହିଲେ ୟୁସିସି ‘ବର୍ତ୍ତମାନ ସମୟରେ ଆବଶ୍ୟକ ନୁହେଁ କି ବାଞ୍ଛନୀୟ ନୁହେଁ।’ ତେବେ ବର୍ତ୍ତମାନ ୟୁସିସି ନେଇ ହଇଚଇ କାହିଁକି? ୨୨ତମ ଆଇନ ଆୟୁକ୍ତ ଜୁନ ୧୪-୨୦୨୩ ତାରିଖ ଏକ ନୂଆ ନୋଟିଫିକେସନ୍ ଜାରିକରି ୟୁସିସି ଉପରେ ସର୍ବସାଧାରଣ, ଧାର୍ମିକ ସଂଗଠନ ଆଦିଙ୍କ ପାଖରୁ ମତ ଲୋଡ଼ିଛନ୍ତି। ଅର୍ଥାତ୍, ୟୁସିସି ପ୍ରକ୍ରିୟାକୁ ଆଉ ଥରେ ସକ୍ରିୟ କରାଗଲା। ସାମାଜିକ ଗଣମାଧ୍ୟମର ଯୋଦ୍ଧାମାନେ ସାଙ୍ଗେସାଙ୍ଗେ ୟୁସିସି ସପକ୍ଷରେ ପ୍ରଚାର ଆରମ୍ଭ କରିଦେଲେ। ବର୍ତ୍ତମାନର ସ୍ଥିତି ହେଲା, ଆଇନ୍ ଆୟୁକ୍ତ ମତ ଲୋଡ଼ିଛନ୍ତି। କିଛି ଖବରରୁ ଜଣାପଡ଼ୁଛି ଆୟୁକ୍ତ ୮.୫ ଲକ୍ଷ ଉତ୍ତର ପାଇଛନ୍ତି। ସ୍ପଷ୍ଟତଃ, ଏ ସବୁର ତର୍ଜମା ହେବ, ଆଇନ ଆୟୁକ୍ତ ଏକ ଚିଠା ଆଇନ ପ୍ରସ୍ତୁତ କରିବେ। ତା’ପରେ ୟୁସିସିର ପ୍ରସ୍ତାବିତ ସ୍ବରୂପ ଜାଣି ହେବ। ପରେ ଏକ ନ୍ୟାୟିକ ପ୍ରକ୍ରିୟା ଦେଇ ଗତିକଲେ ଆଇନ ତିଆରି ହୋଇପାରେ। ଏହି ମୁହୂର୍ତ୍ତରେ ଆୟୁକ୍ତଙ୍କ ବା ସରକାରଙ୍କ ତରଫରୁ କୌଣସି ରୂପରେଖର ବର୍ଣ୍ଣନା ଆସିନାହିଁ। ଏଣୁ ଏହା ଉପରେ ମନ୍ତବ୍ୟ ଦେଇହେବ ନାହିଁ। ସମାନ ନାଗରିକ ସଂହିତା ସହଜ କଥା ନୁହେଁ। ଏକ ଧାରଣା ଅଛି ଯେ ୟୁସିସି ଫଳରେ ମୁସ୍ଲିମ୍ମାନଙ୍କ ବେଶୀ ଅସୁବିଧା ହେବ। ହିନ୍ଦୁଙ୍କ କଥା ଦେଖନ୍ତୁ। ଏଚ୍ୟୁଏଫ୍ (ହିନ୍ଦୁ ଅନ୍ଡିଭାଇଡେଡ୍ ଫାମିଲି- ହିନ୍ଦୁ ଅବିଭକ୍ତ ପରିବାର)ର ଏକ ତତ୍ତ୍ବ ଅଛି। ଏଚୟୁଏଫ ଏକ ନ୍ୟାୟିକ ‘ବ୍ୟକ୍ତି’। ଏଚୟୁଏଫ୍ ସମ୍ପତ୍ତିର ମାଲିକ ହୋଇପାରନ୍ତି, ବ୍ୟାପାର କରିପାରନ୍ତି, ଟିକସ ପଇଠ କରି ପାରନ୍ତି, ଇତ୍ୟାଦି। ୟୁସିସି ଆସିଲେ ଏଚୟୁଏଫ କ’ଣ ଲୋପ ପାଇଯିବ? ଦେଶର ବିଭିନ୍ନ ଆଦିମ ଅଧିବାସୀ ଯଥା ଆଣ୍ଡାମାନରେ ଥିବା ସମ୍ପ୍ରଦାୟ, ଅଛନ୍ତି। ସେମାନଙ୍କ ମାନ୍ୟତାର କ’ଣ ହେବ? ଅର୍ଥାତ୍ ୟୁସିସି ଏକ ଜଟିଳ ପ୍ରକ୍ରିୟା।
ଉପସଂହାରକୁ ଆସିବା। ଧାର୍ମିକ ମାନ୍ୟତାରେ ସଂସ୍କାର ଏକ ମନ୍ଥର ଏବଂ ଦୀର୍ଘ ପ୍ରକ୍ରିୟା। ଶିକ୍ଷାତ୍ବରକ ହୋଇପାରେ। ଜ୍ଞାନଦୀପ୍ତ ଉଚ୍ଚକୋଟୀର ନେତୃତ୍ବ ଆବଶ୍ୟକ। ତେବେ ପରିବର୍ତ୍ତନର ସ୍ବର ଗୋଷ୍ଠୀ ଭିତରୁ ଆସିବା ବିଧେୟ। ତେବେ ହିଁ ପରିବର୍ତ୍ତିତ ଆଇନ ଗ୍ରହଣୀୟ ହେବ। ଆମେ ଉପରେ ରକ୍ଷଣଶୀଳ ବନାମ୍ ପ୍ରଗତିଶୀଳଙ୍କ ଦ୍ବନ୍ଦ୍ବ ଦେଖିଲୁ। ୨୧ତମ ଆଇନ୍ ଆୟୁକ୍ତର ରିପୋର୍ଟରେ ସମାନତା ବନାମ୍ ବିବିଧତାର ତତ୍ତ୍ବ ଦେଖିଲୁ। ଏକମତ ଏହା ବି ହୋଇପାରେ ଯେ ବିବିଧତା ହିଁ ଶକ୍ତି। ଚୂଡ଼ାନ୍ତ ଆଦର୍ଶ ୟୁସିସି ଧରା ଯାଇପାରେ। ତେବେ ତରବର ହୋଇ କିଛି କଲେ ଆହୁରି ଜଟିଳତା ସୃଷ୍ଟିହୋଇପାରେ। ଗୋଟିଏ ସମ୍ଭାବ୍ୟ ସମାଧାନ ହେଲା, କିଛି ପ୍ରମୁଖ ଧର୍ମର ଉଦାହରଣ ନିଆଯାଉ: ଧରନ୍ତୁ ହିନ୍ଦୁ, ଇସଲାମ୍, ଶିଖ୍, ଖ୍ରୀଷ୍ଟିଆନ୍ ଧର୍ମରେ ପ୍ରଥମେ ଧର୍ମ ଭିତରେ ସମ୍ବିଧାନ ସମ୍ମତ ‘କମନ୍ କୋଡ’ (ସାଧାରଣ ଆଇନ) ତିଆରି ହେଉ। ଏସବୁ ସ୍ଥିର ହୋଇଗଲେ ଧର୍ମ-ଧର୍ମ ଭିତରେ ଯାହା କିଛି ବିବିଧତା ଅଛି ସମ୍ବିଧାନ ସମ୍ମତ ଭାବେ ସେ ଗୁଡ଼ିକର ସମାଧାନ କରି ଏକ ୟୁସିସିର ପରିକଳ୍ପନା କରାଯାଇପାରେ। ଏଥିପାଇଁ ନିରନ୍ତର ଓ ଦୀର୍ଘମିଆଦୀ ପ୍ରୟାସ ଆବଶ୍ୟକ। ଭାରତ ଏକ ଗଣତାନ୍ତ୍ରିକ ଦେଶ। ଏଣୁ ରାଜନୀତି ହେବ ହିଁ ହେବ। ତେବେେନହେରୁ ହିନ୍ଦୁଧର୍ମରେ ସଂସ୍କାର ପାଇଁ ନିର୍ବାଚନରେ ପ୍ରଚାର କରିଥିଲେ। ଏହା ଏକ ବାଟ ଦେଖାଏ। ଯାହା ହେଉ, ଏହି ମୁହୂର୍ତ୍ତରେ ତରବରିଆ ଭାବେ ମତବ୍ୟକ୍ତ ନ କରି ଆଇନ ଆୟୁକ୍ତଙ୍କ ଚିଠା ପ୍ରସ୍ତାବକୁ ଅପେକ୍ଷା କରିବା ଉଚିତ୍ ହେବ।
Comments are closed.