ପରିସଂଖ୍ୟାନ,ବାସ୍ତବତା ଓ ଦାରିଦ୍ର୍ୟ ହ୍ରାସ

ସୁକାନ୍ତ କୁମାର ପଟେଲ

ଆମ ଭାରତର ଅର୍ଥନୈତିକ ସର୍ବେକ୍ଷଣ ୨୦୨୨-୨୩ ଏବେ ପ୍ରକାଶିତ ହୋଇଛି। ଏଥିରେ ଦର୍ଶାଯାଇଛି ଯେ ୨୦୦୫-୦୬ରୁ ୨୦୧୯-୨୧ ମଧ୍ୟରେ ଭାରତରେ ୪୧.୫ କୋଟି ଜନତା ଦାରିଦ୍ର୍ୟ ସୀମାରେଖା ନିମ୍ନରୁ ଊର୍ଦ୍ଧ୍ବକୁ ଉଠିବାରେ ସଫଳ ହୋଇଛନ୍ତି। ଏହା ଛଡା ନିତି ଆୟୋଗ ଦ୍ବାରା ଅନୁମୋଦିତ ‘ବିଶ୍ବ ବହୁମୁଖୀ ଦାରିଦ୍ର୍ୟ ମାନଦଣ୍ଡ’ ମଧ୍ୟ ଦର୍ଶାଇଛି ଯେ ଆମ ଦେଶରେ ଦାରିଦ୍ର୍ୟ ହାର ବହୁଳ ଭାବେ ହ୍ରାସ ପାଇଛି; କିନ୍ତୁ ଏହା ପୋଥିଗତ ବିଦ୍ୟା କେବଳ ମାତ୍ର।

ପ୍ରକୃତପକ୍ଷେ ବାସ୍ତବତା ଅନୁସାରେ ଭାରତରେ ଏବେ ବି ୨୨.୮ କୋଟି ଜନତା ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଛନ୍ତି ଯାହାକି ବିଶ୍ବରେ ସବୁଠାରୁ ଅଧିକ।

କହିବା ବାହୁଲ୍ୟ ଯେ ‘ବିଶ୍ବ ବହୁମୁଖୀ ଦାରିଦ୍ର୍ୟ ମାନଦଣ୍ଡ’ର ୨୦୨୦ ରିପୋର୍ଟ ଅନୁଯାୟୀ ବିଶ୍ବର ଦାରିଦ୍ର୍ୟ ତାଲିକାରେ ୧୦୭ ଦେଶ ମଧ୍ୟରେ ଭାରତ ଥିଲା ୬୨। ଏହି ତାଲିକାରେ ଦକ୍ଷିଣ ଏସିଆର ଆମ ପଡୋଶୀ ଦେଶ ଶ୍ରୀଲଙ୍କାର ସ୍ଥାନ ଥିଲା ୨୫। ସେହିପରି ବାଂଲାଦେଶ ଏବଂ ଚାଇନାର ସ୍ଥାନ ଥିଲା ଯଥାକ୍ରମେ ୫୮ ଏବଂ ୩୦। ଆହୁରି ମଧ୍ୟ ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲର ସ୍ଥାନ ଥିଲା ଯଥାକ୍ରମେ ୪୨ ଏବଂ ୩୩। ବିଡମ୍ବନାର ବିଷୟ ଏହି ଯେ ସେହି ୨୦୨୨ ରିପୋର୍ଟ ତାଲିକାରେ କୌଣସି କ୍ରମାଙ୍କ ସୂଚିତ ହୋଇ ନ ଥିଲା। ଏଥିରେ ଦର୍ଶାଯାଇଥିଲା ଯେ ଭାରତରେ ବିଶ୍ବର ସବୁଠାରୁ ଅଧିକ ଦରିଦ୍ର ଅଛନ୍ତି ଯେଉଁମାନଙ୍କର ସଂଖ୍ୟା ୨୨୮.୯ ନିୟୁତ। ଏଠାରେ ସ୍ବତଃ ପ୍ରଶ୍ନ ଉଠେ ଯେ ଅନ୍ୟ ଦେଶଗୁଡିକ ଆମ ଦେଶ ତୁଳନାରେ ଅଧିକ ଭଲ କରୁଥିବା ବେଳେ ଆମ ଦେଶର ମୋଟ ସାମଗ୍ରିକ ଆୟର ଅଭିବୃଦ୍ଧି ସେମାନଙ୍କ ଅଭିବୃଦ୍ଧି ଅପେକ୍ଷା ଯଥେଷ୍ଟ ଅଧିକ କିପରି ? ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଶ୍ବ ବହୁମୁଖୀ ଦାରିଦ୍ର୍ୟ ମାନଦଣ୍ଡ କେବଳ ଅର୍ଥନୈତିକ ଅବସ୍ଥାକୁ ବିଚାରକୁ ନିଏ ନାହିଁ ବରଂ ଅନ୍ୟ ମୌଳିକ ବିଷୟ ଯଥା ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଜୀବନଜୀବିକାର ଉପାଦାନଗୁଡିକୁ ବିଚାରକୁ ନେଇ ଦାରିଦ୍ର୍ୟ ଅବସ୍ଥାକୁ ନିର୍ଣ୍ଣୟ କରିଥାଏ।

ଯଦି ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ୨୦୨୨-୨୩କୁ ବିଚାରକୁ ନିଆଯାଏ ତେବେ ଜଣାଯିବ ଯେ ଏହି ରିପୋର୍ଟ ଅନୁଯାୟୀ ଭାରତର ଦାରିଦ୍ର୍ୟର ମୁଖ୍ୟକାରଣ ସ୍ୱାସ୍ଥ୍ୟ ଯତ୍ନ ନିମନ୍ତେ ବହୁଳ ଖର୍ଚ୍ଚ। ଅଧିକନ୍ତୁ ପ୍ରତ୍ୟକ ନିଜ ପକେଟରୁ ୪୮.୨ ପ୍ରତିଶତ ଖର୍ଚ୍ଚ କରୁଥିବାର ଏକ ଆକଳନରୁ ଜଣାଯାଏ। ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ପରିସଂଖ୍ୟାନ ୨୦୨୧-୨୨ ଅନୁଯାୟୀ ଆମ ଦେଶର ୬୦୬୪ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୮୦ ପ୍ରତିଶତ ଡାକ୍ତର ଏବଂ ଶିଶୁ ରୋଗ ବିଶେଷଜ୍ଞଙ୍କ ଅଭାବ ରହିଛି। ସେହିପରି ସହରାଞ୍ଚଳରେ ମଧ୍ୟ ସର୍ବ ଭାରତୀୟ ଆୟୁର୍ବିଜ୍ଞାନକୁ ମିଶାଇ ଅନ୍ୟାନ୍ୟ ସରକାରୀ ଏବଂ ବେସରକାରୀ ଚିକିତ୍ସାଳୟରେ ଅଭାବ ରହିଛି। ତଥାପି ଆମ କେନ୍ଦ୍ର ବଜେଟରେ ସ୍ୱାସ୍ଥ୍ୟ ନିମନ୍ତେ ଅନୁଦାନରେ ଯଥେଷ୍ଟ ହ୍ରାସ ଘଟିଛି। ଏପରି କି ୨୦୨୩ର ବଜେଟ ଅନୁଦାନ ଏବଂ ସଂଶୋଧିତ ବଜେଟ ଅନୁଦାନ ମଧ୍ୟରେ ତୁଳନାତ୍ମକ ବିଶ୍ଳେଷଣ କଲେ ଜଣାଯାଏ ଯେ ଅନୁଦାନ ହ୍ରାସ ୧୧.୬ ପ୍ରତିଶତ। ଯଦିଓ ଜାତୀୟ ସ୍ୱାସ୍ଥ୍ୟ ଯୋଜନାର ଲକ୍ଷ୍ୟ ୨୦୨୫ ସୁଦ୍ଧା ସ୍ୱାସ୍ଥ୍ୟ ଅନୁଦାନ ବୃଦ୍ଧି ପାଇ ମୋଟ ସାମଗ୍ରିକ ଆୟର ୨.୫ ପ୍ରତିଶତ ହେବ। ବିଡମ୍ବନାର ବିଷୟ ଏହି ଯେ ଏହି ବର୍ଷ ବଜେଟରେ ବର୍ତ୍ତମାନର ସ୍ବାସ୍ଥ୍ୟ କ୍ଷେତ୍ର ପ୍ରତି ଅନୁଦାନ ମାତ୍ର ୧.୯୮ ପ୍ରତିଶତ ଯାହା ପୂର୍ବ ବର୍ଷ ଥିଲା ୨.୧ ପ୍ରତିଶତ। କହିବା ବାହୁଲ୍ୟ ଯେ ଉନ୍ନତ ଦେଶ, ଯଥା- ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆରେ ଏହା ସେହି ଦେଶର ମୋଟ ସାମଗ୍ରିକ ଆୟର ୯ ପ୍ରତିଶତ ଥିବାବେଳେ ଜାପାନରେ ଏହା ୧୦ ପ୍ରତିଶତ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ସର୍ବାଧିକ ୧୬ ପ୍ରତିଶତ।

ଏହା ସତ୍ତ୍ବେ କେନ୍ଦ୍ର ସରକାର ସଂସଦରେ ଘୋଷଣା କରିଥିଲେ ଯେ ପୋଷଣ ଅଭିଯାନ ଯୋଜନା ଦ୍ବାରା ୨୦୨୨ ସୁଦ୍ଧା ଭାରତ ଏକ ଅପପୁଷ୍ଟି ମୁକ୍ତ ଦେଶ ହୋଇପାରିବ। ୨୦୧୯-୨୧ର ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (୫ମ) ଅନୁସାରେ ରକ୍ତହୀନତା ଥିବା ୫ ବର୍ଷରୁ କମ୍‌ ବୟସ୍କ ଶିଶୁଙ୍କ ସଂଖ୍ୟା ୫୮.୬ ପ୍ରତିଶତରୁ ୬୭.୧ ପ୍ରତିଶତକୁ ବୃଦ୍ଧି ପାଇଛି। ଏହାର ଅର୍ଥ ୫ ବର୍ଷରୁ କମ ବୟସ୍କ ପ୍ରତି ତିନିଟି ଶିଶୁରେ ଦୁଇ ଜଣ ରକ୍ତହୀନତା ରୋଗରେ ଆକ୍ରାନ୍ତ। କେବଳ ସେତିକି ନୁହେଁ; ସେହି ବର୍ଷମାନଙ୍କରେ ଅପପୁଷ୍ଟିରେ ପୀଡିତ ଶିଶୁଙ୍କ ସଂଖ୍ୟା ୨.୧ ପ୍ରତିଶତରୁ ବୃଦ୍ଧି ପାଇ ୩.୪ ପ୍ରତିଶତରେ ପହଞ୍ଚିଛି। ସର୍ବୋପରି ଖାଦ୍ୟ ସବ୍‌ସିଡି ଅଥବା ସରକାରୀ ଅର୍ଥ ସାହାଯ୍ୟ ୨୦୨୩-୨୪ ଆର୍ଥିକ ବର୍ଷରେ ପୂର୍ବ ବର୍ଷ ୨୦୨୨-୨୩ ଅପେକ୍ଷା ୩୨ ପ୍ରତିଶତ ହ୍ରାସ ପାଇଛି। କେନ୍ଦ୍ର ସରକାରଙ୍କର ପୋଷଣ-୨.୦ ଯୋଜନାରେ ଅନୁଦାନ ମଧ୍ୟ ଅନ୍ୟ ସମ୍ବନ୍ଧିତ ଯୋଜନାଠାରୁ ୭୧୦ କୋଟି କମ୍‌।

prayash

ଏବେ ଶିକ୍ଷା ବିଷୟ ଆଲୋଚନାଯୋଗ୍ୟ। ବିଶ୍ବର ବହୁମୁଖୀ ଡିଜିଟାଲ ପ୍ରକାଶନ ଅନୁଷ୍ଠାନ ଅଥବା ଏମ୍‌ଡିପିଆଇର ସର୍ବେକ୍ଷଣ ଅନୁସାରେ ଆମ ଦେଶରେ ୧୫.୪ ପ୍ରତିଶତ ବିଦ୍ୟାଳୟ ଶିକ୍ଷାରୁ ବଞ୍ଚିତ। ଏପରି କି ପ୍ରତ୍ୟେକ ପରିବାରରୁ ଜଣେ ବିଦ୍ୟାଳୟର ନିରବଚ୍ଛିନ୍ନ ୫ ବର୍ଷ ଶିକ୍ଷାରୁ ବଞ୍ଚିତ। ଆହୁରି ମଧ୍ୟ ପ୍ରଥମ ଶ୍ରେଣୀରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭.୩୯ ପ୍ରତିଶତଙ୍କର ନିୟମିତ ଉପସ୍ଥାନ ବିଦ୍ୟାଳୟରେ ନାହିଁ।

ସରକାରଙ୍କର ସମଗ୍ର ଶିକ୍ଷା ଅଭିଯାନ ଯୋଜନାର ରିପୋର୍ଟ ଅନୁସାରେ ୨୦୨୩-୨୪ ବର୍ଷରେ ଛାତ୍ରଛାତ୍ରୀ ଉପସ୍ଥାନରେ ମାତ୍ର ୦.୧୮ ପ୍ରତିଶତ ବୃଦ୍ଧି ଘଟିଛି। ୩୨୮ତମ ଷ୍ଟାଣ୍ଡିଂ ଶିକ୍ଷା କମିଟିର ଶିକ୍ଷା ଶୂନ୍ୟ ସ୍ଥାନ ରିପୋର୍ଟ ଅନୁସାରେ ଆମ ଦେଶରେ ମାତ୍ର ୧୧.୫୮ ପ୍ରତିଶତ ବିଦ୍ୟାଳୟରେ ଇଣ୍ଟରନେଟ୍‌ ସୁବିଧା ରହିଛି। ଅର୍ଥନୈତିକ ସର୍ବେକ୍ଷଣ ୨୦୨୨-୨୩ ଅନୁସାରେ ମଧ୍ୟ ବିଦ୍ୟାଳୟମାନଙ୍କରେ ୨୦୧୨-୨୦୨୧ ମଧ୍ୟରେ କମ୍ପ୍ୟୁଟର ଶିକ୍ଷାରେ ୨୦ ପ୍ରତିଶତ ଉନ୍ନତି ଘଟିଛି। ୨୦୨୩ -୨୪ ବଜେଟରେ ଘୋଷଣା କରାଯାଇଥିବା ଜାତୀୟ ଡିଜିଟାଲ ପାଠାଗାର ଉନ୍ନତ ଇଣ୍ଟରନେଟ ସଂଯୋଗ ନ ଥିବା ଯୋଗୁଁ ଏ ପର୍ଯ୍ୟନ୍ତ ସଫଳ ହୋଇପାରି ନାହିଁ। ନୂତନ ଶିକ୍ଷାନୀତି ୨୦୨୦ ଅନୁସାରେ ଶିକ୍ଷା ଉପରେ ବଜେଟ ଅନୁଦାନ ମୋଟ ସାମଗ୍ରିକ ଆୟର ୬ ପ୍ରତିଶତ ହେବା ଜରୁରୀ; କିନ୍ତୁ ଏହା ୨୦୨୩ ବଜେଟରେ ମୋଟ ସାମଗ୍ରିକ ଆୟର ୨.୯ ପ୍ରତିଶତରେ ସୀମିତ ରହିଛି।

ଜୀବନ ଜୀବିକାରେ ରହିଛି ତିନିଟି ବିଷୟ ଯଥା ଖାଦ୍ୟ ପ୍ରସ୍ତୁତି ପାଇଁ ଇନ୍ଧନ, ପାନୀୟ ଜଳ, ପରିମଳ ଓ ବାସଗୃହ ଯାହା ପ୍ରଣିଧାନଯୋଗ୍ୟ। ସରକାରଙ୍କ ତଥ୍ୟ ଅନୁସାରେ ପ୍ରଧାନମନ୍ତ୍ରୀ ଉଳା ଯୋଜନାରେ ୯.୫୮ କୋଟି ଦରିଦ୍ର ଜନତାଙ୍କୁ ରନ୍ଧନ ଗ୍ୟାସ ଯୋଗାଣ କରାଯାଇଛି; କିନ୍ତୁ ୨୦୨୧-୨୨ରେ ସେଥି ମଧ୍ୟରୁ ୯.୬ ପ୍ରତିଶତ ପୁନଃ ଭରଣା ରନ୍ଧନ ଗ୍ୟାସଟାଙ୍କି ନେଇ ନ ଥିବା ବେଳେ ମାତ୍ର ୧୧.୩ ପ୍ରତିଶତ ଗୋଟିଏ ଟାଙ୍କି ନେଇଛନ୍ତି। ମାତ୍ର ୫୬.୫ ପ୍ରତିଶତ ୪ଟି କିମ୍ବା କମ ରନ୍ଧନ ଗ୍ୟାସଟାଙ୍କି ନେଇଥିବାର ସରକାରଙ୍କ ପିଏମୟୁୱାଇ ଡ୍ୟାଶ ବୋର୍ଡରୁ ଜଣାଯାଏ।

ଜାତୀୟ ପରିବାର ସ୍ୱାସ୍ଥ୍ୟ ଯୋଜନାର ୫ମ ସର୍ବେକ୍ଷଣ ଅନୁସାରେ ଆମ ଦେଶର ୧୯ ପ୍ରତିଶତ ଜନତାଙ୍କର ଶୌଚ ନିମନ୍ତେ ପାଇଖାନାର ସୁବିଧା ନାହିଁ ଯଦିଓ ସରକାର ଅକ୍ଟୋବର ୨୦୧୯ରେ ଘୋଷଣା କରିଛନ୍ତି ଯେ ଆମ ଦେଶ ବାହ୍ୟ ମଳମୁକ୍ତ ଦେଶ। ଏଣେ ଜଳ ଜୀବନ ମିଶନର ୨୦୨୨ର ରିପୋର୍ଟ ଅନୁସାରେ ୩୮ ପ୍ରତିଶତ ପରିବାରରେ ପାଣି ଟ୍ୟାପ ସଂଯୋଗ କରାଯାଇ ନାହିଁ। ୨୦୧୬ରେ ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ଗ୍ରାମୀଣ ଅନୁସାରେ ୨୦୨୨ ସୁବିଧା ସମସ୍ତ ପରିବାରଙ୍କୁ ପକ୍କା ଗୃହ ମିଳିବ; କିନ୍ତୁ ୨୦୨୩ର ମଧ୍ୟ ଭାଗରେ ଏହି ଯୋଜନାରୁ ସଂଖ୍ୟାଧିକ ଯୋଗ୍ୟ ହିତାଧିକାରୀ ପରିବାର ଏବେ ମଧ୍ୟ ବଞ୍ଚିତ। ସରକାରଙ୍କ ଘୋଷଣା ଅନୁସାରେ ୨୦୨୨ରେ ଲକ୍ଷ୍ୟ ଧାର୍ଯ୍ୟ ଥିଲା ୨.୯୫ କୋଟି ପକ୍କା ବାସଗୃହ ଯୋଗାଣ; କିନ୍ତୁ ବାସ୍ତବରେ କେତେ ଅସଲ ହିତାଧିକାରୀଙ୍କୁ ପ୍ରଦାନ କରାଗଲା ତାହା ସାର୍ବଜନୀନ ହୋଇନାହିଁ। ସରକାର କେବଳ ବାହୁସ୍ଫୋଟ ମାରୁଛନ୍ତି ଯେ ଆୱାସ ଯୋଜନା-ଗ୍ରାମୀଣ ନିମନ୍ତେ ବଜେଟ ଅନୁଦାନ ୨୦୨୨-୨୩ ଅପେକ୍ଷା ୨୦୨୩-୨୪ବଜେଟ ଅନୁଦାନରେ ୬୫ ପ୍ରତିଶତ ବୃଦ୍ଧି କରାଯାଇଛି; କିନ୍ତୁ ବାସ୍ତବରେ ୨୦୨୨-୨୩ରେ ଆୱାସ ଯୋଜନା-ଗ୍ରାମୀଣ ନିମନ୍ତେ ଯାହା ଖର୍ଚ୍ଚ କରାଯାଇଥିଲା ତାହାର ୧୩ ପ୍ରତିଶତ ହ୍ରାସ କରାଯାଇ ୨୦୨୩-୨୪ର ଅନୁଦାନ ଭାବେ ସ୍ଥିରୀକୃତ କରାଯାଇଛି। ଆହୁରି ଅର୍ଥନୈତିକ ସର୍ବେକ୍ଷଣ ୨୦୨୩ରେ ପ୍ରାୟ ୮୦ ଲକ୍ଷ ଆୱାସ ଗୃହ ଏ ପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ରହିଛି।

ତେବେ ପରିସଂଖ୍ୟାନ ଏବଂ ବାସ୍ତବତାର ବିକଳ ଚିତ୍ର ଏବେ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପିତ ହୋଇଛି। ସରକାର ବହୁସ୍ଫୋଟ ମାରିବା ପୂର୍ବରୁ ବାସ୍ତବତାକୁ ବିଶ୍ଳେଷଣ କରିବା ବିଧେୟ। ଦାରିଦ୍ର୍ୟ ହ୍ରାସ ନିମନ୍ତେ ପ୍ରଥମେ ସ୍ୱାସ୍ଥ୍ୟ ଭଳି ମୌଳିକ କ୍ଷେତ୍ରରେ ଅଧିକ ଅନୁଦାନ ବିନିଯୋଗ କରିବା ଉଚିତ ଯାହା ଫଳରେ ଏହା ମୋଟ ସାମଗ୍ରିକ ଆୟର ୬ ପ୍ରତିଶତ ହେବ। ଏହା ଛଡା ଅନ୍ୟାନ୍ୟ ମୌଳିକ କ୍ଷେତ୍ର ଯଥା ଶିକ୍ଷା, ପାନୀୟ ଜଳ ଏବଂ ପରିମଳ, ବାସଗୃହ ଇତ୍ୟାଦିରେ ମଧ୍ୟ ଅନୁଦାନ ବୃଦ୍ଧି କରିବା ସହ ଭିତ୍ତିଭୂମିର ମଧ୍ୟ ସମାନ୍ତରାଳ ଉନ୍ନତି ଆବଶ୍ୟକ। ଏହା ହୋଇପାରିଲେ ଆମେ ଭାରତବାସୀ ଦାରିଦ୍ର୍ୟ ରାକ୍ଷସ କବଳରୁ ମୁକ୍ତ ହୋଇପାରିବା। ଅନ୍ୟଥା ସରକାର ପରେ ସରକାର କେବଳ ପରିସଂଖ୍ୟାନ ଗତ ତଥ୍ୟ ପ୍ରଦାନପୂର୍ବକ ବାହୁସ୍ଫୋଟ ମାରୁଥିବେ ଏବଂ ଦାରିଦ୍ର୍ୟ କବଳିତ ହେଉଥିବେ ଆମ ଭାରତବାସୀ।

kalyan agarbati

Comments are closed.