ଆନନ୍ଦର ଅନ୍ବେଷଣ

ଗିରିଶ ଚନ୍ଦ୍ର ଶତପଥୀ

ଆଦ୍ୟ ଫାଲ୍‌ଗୁନର ସନ୍ଧ୍ୟାରେ ଏକ ଆଧ୍ୟାତ୍ମିକ ସଭାର ଆୟୋଜନ ହୋଇଥିଲା। ମୁଖ୍ୟ ପ୍ରବଚକ ଜଣେ ଅତ୍ୟନ୍ତ ଜ୍ଞାନୀ ଓ ଲୋକପ୍ରିୟ ବକ୍ତା। ପହଞ୍ଚିବାରେ ସାମାନ୍ୟ ବିଳମ୍ବ ଯୋଗୁଁ, ଆସିବା ମାତ୍ରେ ସଭାମଞ୍ଚ ଉପରକୁ ଉଠିଯାଇ ସେ ସେଥିପାଇଁ ଦୁଃଖ ପ୍ରକାଶ କଲେ ଓ ତାଙ୍କର ଆଶୀର୍ବଚନ ଆରମ୍ଭ କଲେ। ଶ୍ରୋତାମାନଙ୍କୁ ଅଭିନନ୍ଦନ ଜଣାଇ ସେ ଆରମ୍ଭରୁ ଏକ ପ୍ରଶ୍ନ କଲେ, ଯେ ଉପସ୍ଥିତ ଶ୍ରୋତା ବନ୍ଧୁମାନଙ୍କ ମଧ୍ୟରୁ ଯେଉଁମାନେ ଆନନ୍ଦଲାଭ କରିବାକୁ ଚାହାନ୍ତି ନାହିଁ ସେମାନେ ଦୟାକରି ହାତଟେକନ୍ତୁ। ସ୍ବାଭାବିକ ଭାବେ କେହି ହାତ ଟେକିଲେ ନାହିଁ ଓ ପ୍ରବଚକ ମହାଶୟ କହିଲେ ଯେ ତା’ହେଲେ ସମସ୍ତେ ଆନନ୍ଦ ଲାଭ କରିବାକୁ ଇଚ୍ଛା କରନ୍ତି। ତେବେ ସେ ଆନନ୍ଦ ମିଳିବ କେଉଁଠି? କୌଣସି ବିପଣୀରେ ଅର୍ଥର ବିନିମୟରେ ତ ଏହା ମିଳିବା ଅସମ୍ଭବ। ତେବେ ଏହି ଆନନ୍ଦ ପ୍ରାପ୍ତିର ଉତ୍ସ କ’ଣ ! ଏହି କଥାରୁ ଆଲୋଚନା ଆରମ୍ଭ କରି ସେ ସୂଚାଇଦେଲେ ଯେ ଏ ସୃଷ୍ଟିରେ ଜଣେ ହିଁ ଆନନ୍ଦଦାତା ଓ ଆମେ ସମସ୍ତେ ଆନନ୍ଦର ଗ୍ରହୀତା। ପ୍ରାର୍ଥନାର ଏକ ଛୋଟିଆ ପଙ୍‌କ୍ତିର ଆବୃତ୍ତି କରି ସେ ଉଲ୍ଲେଖ କଲେ ‘ହେ ପ୍ରଭୁ ଆନନ୍ଦଦାତା ଜ୍ଞାନ ହମ୍‌କୋ ଦିଜିଏ…..’। ଅର୍ଥାତ୍‌ ଏ ସମୁଦାୟ ଜଗତରେ ଜଣେ ହେଲେ ଆନନ୍ଦଦାତା ଓ ସେ ହେଲେ ଈଶ୍ବର। ସୁତରାଂ ସେହି ଦାତାଙ୍କଠାରୁ ଆନନ୍ଦପ୍ରାପ୍ତି ନିମନ୍ତେ ସମସ୍ତ ଉଦ୍ୟମ ସହ ଆମେ ଯୋଗ୍ୟ ହେବା ଆବଶ୍ୟକ। ଆଲୋଚନାର ପରବର୍ତ୍ତୀ ବିଶ୍ଳେଷଣ, ପ୍ରକୃତରେ ଆନନ୍ଦ କ’ଣ! ଆନନ୍ଦ, ଜ୍ଞାନୀମାନଙ୍କ ମତରେ ବସ୍ତୁତଃ ଏକ ବିଶେଷ ମାନସିକ ସ୍ଥିତି। ଆମେ ସାଧାରଣ ଭାବେ ଆନନ୍ଦକୁ ଅନୁଭବ କରୁ। ଆମର ଦେହ ଓ ମନରେ ଏହା ଏକ ପୁଲକ ସୃଷ୍ଟିକରେ, ଆମକୁ ଆହ୍ଲାଦିତ ଲାଗେ। ଶରୀର ବିଜ୍ଞାନୀମାନଙ୍କ ମତରେ ​‌େ​‌କ​‌​ତେକ ବିଶେଷ ପରିସ୍ଥିତିରେ ଆମ ଶରୀରରେ ଥିବା ନିର୍ଦିଷ୍ଟ ଗ୍ରନ୍ଥିମାନଙ୍କରୁ ଏକ ସ୍ବତନ୍ତ୍ର ରସ କ୍ଷରଣ ହୁଏ, ଯାହା ଫଳରେ ଆମ ଦେହ ଓ ମନରେ ଏକ ସୁଖଦ ଅନୁଭବ ସୃଷ୍ଟିହୁଏ, ଆମକୁ ଆନନ୍ଦିତ ଲାଗେ। ତେବେ ସେ ଯାହାହେଉ ନିଜର ଅଭିଜ୍ଞତାରୁ ଆମେ ଏକଥା ଅନୁଭବ କରୁ ଯେ ଶିଶୁଟିର ଦରୋଟି କଥା ଓ ହସ, ପବନରେ ଫୁଲର ସୁଗନ୍ଧ, ନିଦାଘରେ ବୃକ୍ଷର ସୁଶୀତଳ ଛାୟା, ସକାଳର ଶାନ୍ତ ପରିବେଶରେ ପକ୍ଷୀର କାକଳି, କାହାରି ପ୍ରେମପୂର୍ଣ୍ଣ ସମ୍ଭାଷଣ, ସୁଲଳିତ ସଂଗୀତର ମୂର୍ଚ୍ଛନା, ଝରଣାର କୁୁଳୁକୁଳୁ ଶବ୍ଦ, ଜ୍ୟୋତ୍ସ୍ନାବିଧୌତ ରଜନୀର ସ୍ନିଗ୍ଧତା, ଏସବୁ ଅଚିରେ ଆମକୁ ଆନନ୍ଦ ପ୍ରଦାନ କରେ। ମନରେ ଭାବାନ୍ତର ସୃଷ୍ଟିହୁଏ। ସାମାନ୍ୟ ସଚେତନତାର ସହିତ ଭାବିଲେ ମନକୁ ଆସେ ଯେ ଆନନ୍ଦ ପ୍ରାପ୍ତିର ଉପରୋକ୍ତ ବର୍ଣ୍ଣିତ ଉପାଦାନଗୁଡ଼ିକର ସ୍ରଷ୍ଟା କିଏ। ନିଃସନ୍ଦେହରେ ଏହା ଈଶ୍ବରଙ୍କର ସୃଷ୍ଟି ଓ ପ୍ରକୃତିର ଅବଦାନ ବୋଲି ଆମେ ଜାଣୁ। ଯେଭଳି ସନ୍ତାନ ପ୍ରାପ୍ତି, ଦୀର୍ଘ ବିଚ୍ଛେଦ ପରର ମିଳନ, ଦୁରାରୋଗ୍ୟ ବ୍ୟାଧିରୁ ଆରୋଗ୍ୟ ଲାଭ, ପରୀକ୍ଷାରେ ସଫଳତାର ସହ କୃତକାର୍ଯ୍ୟ ହେବା, ବୃତ୍ତିଗତ ଜୀବନରେ ଉନ୍ନତ୍ତି ତଥା ବିବାହାଦି ଅନେକ ମାଙ୍ଗଳିକ କାର୍ଯ୍ୟ ଇତ୍ୟାଦି ଆନନ୍ଦ ପ୍ରାପ୍ତିର ଅନେକ ଉଦାହରଣ ରହିଅଛି।

prayash

ବିଜ୍ଞ ପାଠକମାନେ ନିଶ୍ଚୟ ହୃଦୟଙ୍ଗମ କରିଥିବେ ଯେ ଆନନ୍ଦ, ଏ ଭଳି ଏକ ସୂକ୍ଷ୍ମ ଅନୁଭବ, ଏଭଳି ଏକ ଆବେଗପୂର୍ଣ୍ଣ ସୁଖଦ ମାନସିକ ସ୍ଥିତି ଯେ ଏହାର ଲାଭ ପାଇବାକୁ ହେଲେ ଆମର ମଧ୍ୟ ଏକ ଉଦାର ମାନସିକତାର ଆବଶ୍ୟକତା ଅଛି, ଆନନ୍ଦର ଉପଲବ୍ଧି ପାଇଁ। ଆମ୍ଭମାନଙ୍କର ଭାବନା, ବିଚାରବୋଧ, ବ୍ୟବହାର ଓ ଦୃଷ୍ଟିଭଙ୍ଗୀରେ ଏହା ପ୍ରତିଫଳିତ ହେବା ବିଧେୟ। ଆମେ ପାଞ୍ଚଟି କାମ ପାଇଁ ପଦାକୁ ଯାଇଥିବାବେଳେ, ଯଦି ଚାରିଟି କାମ ହୋଇଯାଏ ଓ ଗୋଟିଏ କାମ ନ ହୋଇପାରେ, ସେଠାରେ ନ ହୋଇପାରିଥିବା ଗୋଟିଏ କାମ ପାଇଁ ଆମେ ଅତ୍ୟନ୍ତ ବ୍ୟସ୍ତତା ପ୍ରକାଶ କଲେ, ଆମେ ଆଉ ହୋଇଥିବା କାମଗୁଡ଼ିକ ପାଇଁ ଖୁସି ପାଇପାରିବା ନାହିଁ। ଗୀତାରେ କୁହାଯାଇଛି- ‘ଅଶାନ୍ତସ୍ୟ କୁତଃ ସୁଖମ୍‌’ ଅର୍ଥାତ୍‌ ଯାହାର ମନ ସର୍ବଦା ଅଶାନ୍ତ ସେ ସୁଖ ବା ଆନନ୍ଦ କିପରି ପାଇବ! କାରଣ ଶାନ୍ତ ମନ ହିଁ ଆନନ୍ଦ ବା ସୁଖପ୍ରାପ୍ତିର ଆଧାର। ବିଭିନ୍ନ ପରିସ୍ଥିତିର ପ୍ରକୃତ ବିଶ୍ଳେଷଣ ଆମକୁ ଏହି ସୂଚନା ଦିଏ ଯେ ପରିବେଶ ଓ ପରିସ୍ଥିତିରେ ଆନନ୍ଦର ଉପସ୍ଥିତି ଥିଲେ ମଧ୍ୟ ଏହାକୁ ଲାଭ କରିବାପାଇଁ ଆମମାନଙ୍କ ମଧ୍ୟରେ ଆବଶ୍ୟକ ମାନସିକ ପ୍ରସ୍ତୁତି ଏକାନ୍ତ କାମ୍ୟ। ସୁଖ ଓ ଦୁଃଖର ପରିଭାଷା ଆମକୁ ବୁଝିବାକୁ ହେବ ତଥା ମାନସିକତାରେ ସନ୍ତୁଳନ ରକ୍ଷା କରିବାର କଳା ଆମକୁ ଆପଣାଇବାକୁ ହେବ। ଗୋଟିଏ ଉଦାହରଣ ଏଠାରେ କଥାଟିକୁ ଅଧିକ ବୋଧଗମ୍ୟ କରାଇବ। ଯେପରି ଆକାଶରୁ ଯେତେ ବୃଷ୍ଟି ହେଲେ ମଧ୍ୟ ଆମେ ଧରିଥିବା ପାତ୍ରଟି (ଆଧାର) ଯଦି ତଳମୁହାଁ କରିଥାଉ, ତା ହେଲେ ବୁନ୍ଦାଏ ବି ବର୍ଷାଜଳ ସେଥିରେ ରହିବ ନାହିଁ, ଠିକ୍‌ ସେହିପରି ପ୍ରଭୁଙ୍କର କୃପାବର୍ଷା ଓ ପରିବେଶରେ ଯେତେ ଆନନ୍ଦମୟ ସ୍ଥିତିରହିଥିଲେ ମଧ୍ୟ, ଆମ୍ଭର ମାନସିକତାରେ ସକାରାତ୍ମକ ଭାବ ପ୍ରତିଷ୍ଠା ନହେଲେ ସେହି ଆନନ୍ଦର ଅନୁଭୂତି ଆମକୁ ପ୍ରାପ୍ତି ନ ହୋଇପାରେ। କସ୍ତୁରୀ ମୃଗ, କସ୍ତୁରୀର ଲୋଭନୀୟ ସୁଗନ୍ଧ ଆଘ୍ରାଣ କରିବାର ଆକର୍ଷଣରେ ବ୍ୟସ୍ତ ହୋଇପଡ଼େ ଓ ଏହି ସୁଗନ୍ଧର ଉତ୍ସକୁ ଅନ୍ବେଷଣ କରିବାରେ ବିଭିନ୍ନ ଜାଗାକୁ ଧାବନ କରି ବହୁତ କ୍ଲାନ୍ତ ହୋଇପଡ଼େ ସିନା, କିନ୍ତୁ ଏହି ସୁଗନ୍ଧର ଉତ୍ସ ଯେ ସେ ନିଜେ, ଏକଥା ତାକୁ ଜ୍ଞାତ ହୁଏନାହିଁ। ବ୍ୟସ୍ତ ଓ ବିବ୍ରତ ଅବସ୍ଥାରେ ପରିବର୍ତ୍ତନ ସମ୍ଭବ ହୁଅନ୍ତା, ଯଦି ଏ ସୁଗନ୍ଧର ଉତ୍ସ ସେ ନିଜେ, ଏକତା ତାକୁ ଜ୍ଞାତ ହୁଅନ୍ତା। ଠିକ୍‌ ସେହିପରି ଆନନ୍ଦପ୍ରାପ୍ତି ନିମିତ୍ତ ଆମର ନିଜର ମାନସିକତା‌େ‌ର ଉଦାରତା ଓ ସକାରାତ୍ମକ ପରିବର୍ତ୍ତନ ହେଲେ ଆନନ୍ଦଲାଭ କରିବା ଆମ ପକ୍ଷେ ମଧ୍ୟ ସମ୍ଭବ ହୁଅନ୍ତା।

ପୂଜ୍ୟ ମହର୍ଷି ବ୍ୟାସଦେବଙ୍କ ମତରେ ‘ପରୋପକାରାୟ ସ୍ବର୍ଗାୟ, ପାପାୟ ପର ପୀଡ଼ନମ୍‌।’ ଅର୍ଥାତ୍‌ ଆମେ ଯଦି ପରର ବା ଅନ୍ୟର ଦୁଃଖରେ ଉପକାର କରିବା ପାଇଁ ଆଗ୍ରହ ପ୍ରକାଶ କରୁ ଓ ସେ ଦିଗରେ ଉଦ୍ୟମ ଆରମ୍ଭ କରୁ ତେବେ ଆମକୁ ସ୍ବର୍ଗସୁଖ ବା ଆନନ୍ଦ ପ୍ରାପ୍ତି ହେବ। ନିଃସ୍ବାର୍ଥପର ସେବାଯୁକ୍ତ ଉପକାର ହୃଦୟକୁ ପବିତ୍ର କରେ। ଦିବ୍ୟାଲୋକ ପ୍ରାପ୍ତିପାଇଁ ପବିତ୍ର ହୃଦୟ ଉନ୍ମୁକ୍ତ ହୁଏ। ମନରେ ସୃଷ୍ଟ ଅସୁମାରି ଆଶାକୁ ତ୍ୟାଗ କରି ନିଜକୁ ଆବଶ୍ୟକମତେ ଶୃଙ୍ଖଳିତ ତଥା ଅନ୍ତରରେ ବ୍ୟବସ୍ଥିତ ଭାବ ଉଦ୍ରେକ କରିବା ଆମର ଏକ ପ୍ରଧାନ ପ୍ରାଥମିକତା ଆନନ୍ଦପ୍ରାପ୍ତି ପାଇଁ। ଏ ପ୍ରକାର ମାନସିକ ସ୍ଥିତି ସାଧାରଣ ଭାବେ କଷ୍ଟକର ନିଶ୍ଚୟ କିନ୍ତୁ ଅସମ୍ଭବ ନୁହେଁ। ଏଭଳି ଆତ୍ମପ୍ରତ୍ୟୟ ଆମ ଭିତରେ ସୃଷ୍ଟି ହେଲେ ଧୀରେଧୀରେ ଏହା ଆନନ୍ଦପ୍ରାପ୍ତିରେ ସହାୟକ ହେବ। ‘ଦିବ୍ୟଜୀବନ’ର ବାଣୀ ଅନୁସାରେ ଦୃଷ୍ଟିରେ ଦୟା, ବଚନରେ ମାଧୁର୍ଯ୍ୟ ଓ ସ୍ପର୍ଶରେ କୋମଳତା ରହିଲେ, ଏହା ଆପଣଙ୍କୁ ଦିବ୍ୟଆନନ୍ଦ ପ୍ରଦାନ କରିବ। ଆସନ୍ତୁ ପୂଜ୍ୟ ସନ୍ଥମାନଙ୍କର ପ୍ରଦତ୍ତ ଏହି ବାଣୀକୁ ଜୀବନରେ ପ୍ରତିଫଳିତ କରିବା ସହ ଆନନ୍ଦର ଅନ୍ବେଷଣ ଶେଷ କରି ଆନନ୍ଦ ପ୍ରାପ୍ତି ଦ୍ବାରା ଜୀବନକୁ ଆନନ୍ଦମୟ କରି ଗଢ଼ିତୋଳିବା।

kalyan agarbati

Comments are closed.