ପରଧର୍ମୋ ଭୟାବହଃ

‘ଭାରତ, ଦେବତାର, ଦେବଦୂତର ଦେଶ’। ଏ କଥା ପାଳ ପକାଇ ଉଚ୍ଚା ହେବା ମାନସିକତାର ଜଣେ କହୁନି, ଜଣେ ବିଶ୍ବ ବିଖ୍ୟାତ ଦାର୍ଶନିକ, ଗ୍ରୀକ୍‌ବୀର ଆଲେକ୍‌ଜାଣ୍ଡରଙ୍କ ଗୁରୁ ଆରିଷ୍ଟୋଟଲ ତାଙ୍କ ପ୍ରିୟ ଶିଷ୍ୟ ଆଲେକ୍‌ଜାଣ୍ଡାରଙ୍କୁ ଭାରତ ଭ୍ରମଣରେ ଯିବା ପ୍ରସଙ୍ଗରେ କହିଥିଲେ। ସତରେ ପୁଞ୍ଜା ପୁଞ୍ଜା ବାଲ୍ମୀକି, ବିଶ୍ବାମିତ୍ର, ଆରୁଣି, ଉପମନ୍ୟୁ, ବିବେକାନନ୍ଦ, ଶିବାନନ୍ଦ, ରାମକୃଷ୍ଣ, ଲକ୍ଷ୍ମୀବାଈ, ଲୀଲାବତୀ, ସୀତା, ସାବିତ୍ରୀ କେମିତି ଏ ଦେଶରେ ଜନ୍ମ ହେଉଥିଲେ!! ଆହାର, ନିଦ୍ରା, ଭୟ, ମୈଥୁନାଧୀନ ସୃଷ୍ଟିର ସବୁ ଜୀବଙ୍କ ଏ ଦୁର୍ବଳତାକୁ ଭାରତୀୟମାନେ ଯେମିତି ଜିଣିଥିଲେ, ଏଇ ଚାରି ପ୍ରବୃତ୍ତିକୁ ସେମିତି ‘ଧର୍ମ-ଅର୍ଥ-କାମ-ମୋକ୍ଷ’ ଆଦି ଚତୁର୍ବର୍ଗରେ ରୂପାନ୍ତରିତ କରିଥିଲେ, ତା’ର ଉଦାହରଣ ପୃଥିବୀରେ ଆଉ କେଉଁଠି ଅଛି ଦେଖଉନା?

ବିଶ୍ବବିଖ୍ୟାତ ଅର୍ଥନୀତିଜ୍ଞ ଜେ.ଏସ୍‌.ମିଲ କହିଲେ, ‘Man does not want to be rich but richer than others.’ ପାଶ୍ଚାତ୍ୟ ପଣ୍ଡିତେ ଏକୁ ଆଜି ନୂତନ ତଥ୍ୟ କହି ଆଖି ଝଲସାଇ ଦେଉଛନ୍ତି। ଆରେ ବେଦ ଯୁଗରୁ ପରା କୁହାଯାଇଛି, ‘ସ ତୁ ଭବତି ଦରିଦ୍ରୋର୍ଯସ୍ୟ ତୃଷ୍ଣା ବିଶାଳାଃ, ମନସି ଚ ପରିତୁଷ୍ଟେ କୋଽର୍ଥବାନ କୋ ଦରିଦ୍ରଃ’। ମନ ସନ୍ତୋଷ ହେଲେ ଗାଡ଼ିଆ ଗଙ୍ଗା। ଯାହାର ଯେତେ ଅଧିକ କାମନା, ସେ ସେତେ ଦରିଦ୍ର। ହିମାଳୟ ପର୍ବତରେ ଥିବା ଭାୱେଲ ସନ୍ନ୍ୟାସୀଙ୍କ ମୋକଦ୍ଦମା ପୃଥିବୀର ଦୀର୍ଘତମ ଫୌଜଦାରୀ ମୋକଦ୍ଦମା। ଏ ତ ଗୁଲି ଗପ ନୁହେଁ। ଏକୁ ପଢ଼ୁନା। ଜଣେ ସର୍ବଶକ୍ତିମାନ୍‌ ସବୁ କାର୍ଯ୍ୟ ପୃଷ୍ଠ ଦେଶରେ ଅଲକ୍ଷ୍ୟ ଦଣ୍ଡାୟମାନ ଏଥିରୁ ପ୍ରମାଣିତ ହିଁ ହୋଇଯାଇଛି। ଆରେ ବାବୁ ଗୌତମ ବୁଦ୍ଧଙ୍କ କଥା କ’ଣ କାଳ୍ପନିକ? ରାଜପୁତ୍ର ସିଦ୍ଧାର୍ଥ ନେପାଳ ରାଜକୁମାର ନଥିଲେ! କ’ଣ ତାଙ୍କର ଅଭାବ ଥିଲା? ମାତ୍ର ରାଜପ୍ରାସାଦ ଛାଡ଼ି ସେ କ’ଣ ପାଇଁ ବଣକୁ ପଳେଇଲେ? କାମିନୀ କାଞ୍ଚନ, ରାଜମୁକୁଟ କୁଆଡେ ଭୋଗ ବା ଦୁଃଖର କାରଣ ସେ କହିଲେ। ପ୍ରମାଣ ବି କରିଦେଲେ। ସାରା ବିଶ୍ବରେ ଭାରତର ଏକାନ୍ନବର୍ତ୍ତୀ ପରିବାର ଏକ ବିସ୍ମୟ ଥିଲା। ମେଣ୍ଢାପଲ, ଗାଈ ଗୁହାଳ ପରି ମଣିଷଗୁଡ଼ା ଜେଜେବାପ, କକା, କକାପୁଅ ଭାଇ ଆଦି ସମସ୍ତେ ଗୋଟେ ଘରେ ଗୋଟେ ହାଣ୍ଡିରେ କେମିତି ଖାଉଥିଲେ? ଆରେ ‘ବସୁଧୈବ କୁଟୁମ୍ବକମ୍‌’ର ଇଏ ବି ପ୍ରେରଣା ସୂତ୍ର। ମଣିଷକୁ ଅମଣିଷ ପାଶ୍ଚାତ୍ୟ ଓ ବସ୍ତୁବାଦ ଦୁନିଆ କଲାବେଳେ ମଣିଷକୁ ମହାମଣିଷ ଏଇ ଭାରତୀୟ ସଭ୍ୟତା, ସଂସ୍କୃତି ଓ ସଂସ୍କାର କରୁଥିଲା, ମଣିଷ ଦିହକୁ ସ୍ରଷ୍ଟା ଯେମିତି ସୃଷ୍ଟି କରିଛି, ସେଥିରେ କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ ଜାଲରୁ ମୁକୁଳିବ କିଏ, କେମିତି? ଠିକ୍‌ ବେଳକୁ, ଘାଟିମୁଣ୍ଡରେ ଜନନେନ୍ଦ୍ରିୟ ଏମିତି ଘାଣ୍ଟି ଦେବ ଯେ, ‘ବାର ବରଷର ତପସ୍ୟା ଶୁଖୁଆ ପୋଡ଼ାରେ ଗଲା’ ଜାଣ। ତେଣୁ ଏ ଦେହ ଓ ତା ମଧ୍ୟସ୍ଥ ସମସ୍ତ ଇନ୍ଦ୍ରିୟକୁ ଆକଟାଧୀନ ରଖିବାକୁ ଏ ଦେଶରେ ଗୋଟେ ମହାମନ୍ତ୍ର, ସୂତ୍ର ଦିଆଯାଇଥିଲା। ପିତରି ପ୍ରୀତିମାପନ୍ନେ ପ୍ରିୟନ୍ତେ ସର୍ବ ଦେବତାଃ’, ଏ ଦେଶ ହେଲା ‘ବାପମା’ଙ୍କ ଦେଶ। ଏକୁ ମାନିଥିବା କିଏ ଜଣେ ଅବହେଳିତ ହୋଇ ମରିଯାଇଛି ଦେଖନ୍ତୁ ତ, କହନ୍ତୁ ତ?

ପିତ୍ରାଦେଶ ପାଳନ କରି ପର୍ଶୁରାମ କଳ୍ପାନ୍ତଜୀବୀ ବନିଗଲେ। ପିତାଙ୍କ ପ୍ରତିଶ୍ରୁତି ପୂରଣ ପାଇଁ ରାଜଗାଦିର ମୋହ ଛାଡ଼ି ଶ୍ରୀରାମ ବନବାସୀ ସିନା ବନିଲେ, ତା’ ତ ତାଙ୍କୁ ଅବତାରୀ ବନାଇ ଦେଲା। ଭାରତୀୟ ସଂସ୍କାର ଓ ସଂସ୍କୃତିର ନିର୍ଯାସକୁ ଧରି ନପାରି, ତଥାକଥିତ ଜ୍ଞାନଲାଭ ପରେ, ବାପମା’ଙ୍କ ଏକମାତ୍ର ପୁତ୍ର ତାଙ୍କୁ ପୋଷିବ କ’ଣ, ସାଧନା ପାଇଁ ଗଙ୍ଗା କୂଳକୁ ପଳାଇଲେ। ଆକାଶରେ ଉଡ଼ିଯାଉଥିବା ବଗର ଝାଡ଼ା ତାଙ୍କ ଉପରେ ପଡ଼ିଗଲା। ରାଗରେ ଲାଲ ହୋଇ ଚାହିଁଦେଲେ ଆକାଶକୁ, ବଗଆଡ଼େ। ବିଚରା ବ୍ରହ୍ମରୁଷିଙ୍କ କ୍ରୋଧାଗ୍ନିରେ ବଗ ପାଉଁଶ ହୋଇଗଲା। ଅକାରଣ ଜୀବହତ୍ୟା ପାପର ପ୍ରାୟଶ୍ଚିତ୍ତ ପ୍ରାୟ ଭିକ୍ଷା ପାଇଁ ବାହାରିଥିବା ଏ ବ୍ରହ୍ମଚାରୀଙ୍କୁ ଭିକ୍ଷା ଦେବାରେ ସାମାନ୍ୟ ବିଳମ୍ବ ହେବାରୁ, ପ୍ରକୃତିସ୍ଥ କୋଧାନ୍ଧ ବ୍ରାହ୍ମଣଙ୍କୁ ଦେଖି ସ୍ବାମୀପରାୟଣା ସ୍ତ୍ରୀ କହିଲେ, ‘ଗୋସେଇଁ ଏତେ ଗରମ କ’ଣ ହେଉଛ, ମୋ ସ୍ବାମୀ ମୋର ପ୍ରଭୁ। ତାଙ୍କ ସେବାସାରି ଆସୁଛି। ମୁଁ କ’ଣ ବଗ ହୋଇଛି ଯେ ତମ ନାଲିଆଖିରେ ପୋଡ଼ିଯିବି’? ‘ନାହଂ ବଳାକାନାଂ ତବ କୋପାଷ୍ପଦମ୍‌’। ସ୍ତମ୍ଭୀଭୂତ ହୋଇଗଲେ ବ୍ରହ୍ମଚାରୀ। ପତିବ୍ରତା ମହିଳା କହିଲେ, ତମକୁ ଏତେ ବ୍ୟାଖ୍ୟାନର ବେଳ ନାହିଁ। ତ​‌େ​‌ମ ଧର୍ମବ୍ୟାଧଙ୍କ ପାଖୁ ଯାଆ। ସେ ନିଜ ପାପ ପ୍ରାୟଶ୍ଚିତ୍ତ କଥା ଭୁଲି ମହିଳାଙ୍କ ଏ ଅଦ୍ଭୁତ ଶକ୍ତି ବିଷୟରେ ଜାଣିବାକୁ ଧର୍ମବ୍ୟାଧ ପାଖରେ ପହଞ୍ଚିଲେ। ଆରେ, ଏ କି କଥା। ଏଟା ତ ମାଂସ ବେପାରୀ। କେତେ ଜୀବ ହତ୍ୟା କରୁଛି। ୟେ କି ବାର୍ତ୍ତା ଦେବ!’ ମାତ୍ର ତାଙ୍କୁ ଦେଖୁଦେଖୁ ଧର୍ମବ୍ୟାଧ ପ୍ରଣାମ କଲେ ଓ ସେ ସ୍ତ୍ରୀଲୋକ ପଠାଇଛନ୍ତି ଜାଣନ୍ତି କହି ବସିବାକୁ ନିବେଦନ କଲେ। ମାଂସ ବିକ୍ରୟ ପରେ ତାଙ୍କୁ ସଙ୍ଗରେ ଘରକୁ ନେଇଗଲେ। ସେଠି ପ୍ରଥମେ ତାଙ୍କ ପିତା, ମାତାଙ୍କୁ ସ୍ନାନାଦି କରି ଖାଇବାକୁ ଦେଇ ଖୁଆଇ ବ୍ରହ୍ମଚାରୀଙ୍କ ପାଖେ ବିଳମ୍ବ ପାଇଁ କ୍ଷମା ମାଗିଲେ। ମାତ୍ର ସେ ଏସବୁ କେମିତି ଜାଣି ପାରୁଛନ୍ତି ବୋଲି ବ୍ରହ୍ମଚାରୀ ଜହ୍ଲାଦଙ୍କୁ ପ୍ରଶ୍ନ କଲେ। ଏ ଗପ ଶୁଣୁଥିବା ଘନିଆ କହିଲା, ‘ମଲା ମୋବାଇଲ ହେଲେ ଦିଲ୍ଲୀକୁ ମିନିଟ୍‌ରେ ପହଞ୍ଚିବ ଖବର।’ ଆରେ ଘନିଆ ସେତେବେଳେ ତମର ଦିନକୁ ତିନିଥର ଖରାପ ହେଉଥିବା ହାଙ୍ଗ୍‌ ହେଉଥିବା ମୋବାଇଲ ନ ଥିଲା। ସେ ଏକ ଆଧିଭୌତିକ ନିର୍ମିତ ମୋବାଇଲ। ମନ ଭିତରେ ତା’ ଖୋଳ ଓ ମୂଳ, ଛାଡ଼ନ୍ତୁ ସେ କଥା। ଧର୍ମବ୍ୟାଧ କେବଳ ପଦେ କଥା କହିଲେ।
କହିଲେ, ‘ମହାପ୍ରୁ ଆଜ୍ଞା, ଯୋଗ ଧ୍ୟାନ ଆଦି ମତେ ଜଣାନାହିଁ।’ ପିତା ଧର୍ମ, ପିତା ସ୍ବର୍ଗଃ ପିତା ହି ପରମତପଃ।

ପିତରି ପ୍ରୀତିମାପନ୍ନେ ପ୍ରିୟନ୍ତେ ସର୍ବଃ ଦେବତାଃ’। ମୋ ପିତା ହିଁ ମୋର ଧର୍ମ, ମୋ ପିତା ହିଁ ମୋ ସ୍ବର୍ଗ, ମୋ ପିତା ହଁି ମୋର ପରମ ତପସ୍ୟା, ପିତାମାତା ସନ୍ତୁଷ୍ଟ ହେଲେ ସର୍ବ ଦେବଦେବୀ ଆପେଆପେ ସନ୍ତୁଷ୍ଟ ହୋଇ ଯାଆନ୍ତି। ଏକମାତ୍ର ପୁତ୍ର ଆପଣଙ୍କୁ ଜ୍ଞାନ ଦେଇ, ତାଙ୍କୁ ରୋଜଗାର କରି ଚଳାଇବାବେଳେ ଆପଣ ତାଙ୍କୁ ଅସହାୟ, କ୍ଷୁଧାତୁର ଛାଡ଼ି, ଏଠି କି ତପସ୍ୟା କରୁଛନ୍ତି? ସବୁ ବୃଥା, ଯାଆନ୍ତୁ ଘରକୁ ଫେରି ଯାଆନ୍ତୁ। ସେ ଘରକୁ ଧାଇଁଲେ, ଅଣନିଃଶ୍ବାସୀ ହୋଇ। କ୍ଷୁଧା ଜର୍ଜରିତ, ବିପନ୍ନ ବୃଦ୍ଧ ପିତାମାତାଙ୍କ ଗୋଡ଼ତଳେ ପଡ଼ି ଅଶ୍ରୁଜଳରେ ତାଙ୍କ ପାଦ ଧୋଇ କ୍ଷମା ମାଗିଲାବେଳେ ସେ ଅନୁଭବ କରିନେଲେ, ସ୍ବାମୀବ୍ରତା ସେ ରମଣୀ ଓ ଧର୍ମବ୍ୟାଧଙ୍କ ଦିବ୍ୟଶକ୍ତି ଲାଭ ହୋଇସାରିଛି। କ୍ଷମାଶୀଳ ପିତାମାତା ପୁଅକୁ କୁଣ୍ଢାଇ ପକାଇବା ବେଳରେ ଏ ଅନୁଭବ ତାଙ୍କର । କାହାକୁ ଗୁଲି ଭଳି ଲାଗୁଛି ତ ଲାଗୁ। ଇତିହାସର ବିମ୍ବିସାର ଓ ଅଜାତଶତ୍ରୁଙ୍କ କଥା ଦେଖୁନା। ପ୍ରାୟ ଅଢ଼େଇ ହଜାର ବର୍ଷ ତଳର କଥା। ଖ୍ରୀଷ୍ଟପୂର୍ବ ୫୫୮ହେବ, ପ୍ରାୟ ତେତିଶବର୍ଷ ରାଜଗାଦି ଦଖଲରେ ରହିଲେ। କେମିତି କେଜାଣି ଏ ଭାରତୀୟ ରକ୍ତରେ ବର୍ଣ୍ଣସଙ୍କର ଅଜାତଶତ୍ରୁ ଜନ୍ମିଥିଲେ। ବାପ ଯେତେଦିନ ବଞ୍ଚିବ ପୁଅ ଯୁବରାଜ ହିଁ ରହିଥିବ। ଷାଠିଏ ବର୍ଷ ହେଲାଣି ‘ଯୁବରାଜ’! ସେ ବାପାଙ୍କୁ ବନ୍ଦୀକଲା। ୟେ ମୋଗଲ ସାମ୍ରାଜ୍ୟର ପିଢ଼ିକୁ ପିଢ଼ି କାହାଣୀ। ସେମିତି ଅଜାତଶତ୍ରୁ ନିଜ ପିତା ବିମ୍ବିସାରଙ୍କୁ ନିଷ୍ଠୁର ଭାବେ ବନ୍ଦୀ କଲେ, ଖାଇବାକୁ ଦେ‌େ‌ଲନି, ତ ପିଇବାକୁ ପାଣି ଖାଲି ବଞ୍ଚିବା ପର୍ଯ୍ୟନ୍ତ ଯାତନା ଦେବାକୁ ରଖାଇବାକୁ କହିଲେ। ଯେଉଁ ଦିନ ତାଙ୍କର ପୁତ୍ର ହେଲା ଖବର ରାଣୀ ଅନ୍ତପୁରରୁ ମିଳିଲା, ତାଙ୍କ ଅନ୍ତର ଏକ ଅଜଣା ପୁଲକ‌େ‌ର ପୂରି ଉଠିଲା। ତା’ ପୁଣି ଦପ୍‌କିନା ଲିଭିଗଲା। ସେ ବି ଦିନେ ବିମ୍ବିସାରଙ୍କ ପୁତ୍ର ହୋଇ ଜନ୍ମିଥିଲେ ଓ ଏମିତି ଆନନ୍ଦର ଉତ୍ସ ସେ ତାଙ୍କ ବାପାଙ୍କ ପାଇଁ ଥିଲେ। ଏ ନବ ଜାତକ ସେଇଆ କରିବନି ତ? ଧାଇଁଲେ କାରାଗାରକୁ। ଅନ୍ଧାର, ପୂତିଗନ୍ଧ କୋଠରିର ଲୁହା କବାଟ ଫିଟାଇ ଧାଇଁଗଲେ, ବାପାଙ୍କ ପାଖୁ। ସେତେବେଳେ ବାପା ଆଉ ନଥିଲେ। କ୍ଷୁଧା ତୃଷାରେ ନିଜ ହାତକୁ ବିକଳରେ ଏ ରାଜା କାମୁଡ଼ି ପକାଇଛନ୍ତି। ବୋହି ଯାଇଥିବା ଦି’ଧାର ରକ୍ତ ଶୁଖିଯାଇ ଦି’ଟା କଳାଧାର ବନିଯାଇଛି। ଇତିହାସ କହେ ଅଜାତଶତ୍ରୁଙ୍କ ପର ତିନିପିଢ଼ି ସେମିତି ପିତୃଦ୍ରୋହୀ ଓ ପିତୃହନ୍ତା ହେତୁ ଲୋକେ କାଶୀରାଜ ବଂଶକୁ ଏଠା ରାଜଗାଦି ଅର୍ପଣ କରି, ମୂଳ ବଦଳେଇ ଦେଇଥିଲେ।

ଆଜି ବେପାରପତ୍ରମାନଙ୍କରୁ ସେମିତି ଏକ ମର୍ମନ୍ତୁଦ ସମ୍ବାଦ, ପ୍ରାଣକୁ ମଥିତ କରିଦେଲା। ହରିୟାଣାର ୭୮ ବର୍ଷର ବୃଦ୍ଧ ଜଗଦୀଶ ଓ ତାଙ୍କ ୭୭ ବର୍ଷର ସ୍ତ୍ରୀ ଭାଗଲି ଦେବୀ ଗତ ତା୨୯ରିଖ ଦିନ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ସଲଫର ବଟିକା ଖାଇ ଆତ୍ମହତ୍ୟା କରିବା ପୂର୍ବରୁ ବୃଦ୍ଧ ଦମ୍ପତି ପୁଲିସଙ୍କୁ ଜଣାଇଥିଲେ, ପୁଲିସ ପହଞ୍ଚିବା ପରେ ତାଙ୍କ ହାତକୁ ତାଙ୍କ ମୃତ୍ୟୁର କରଲେଖ ଧରାଇଦେଇ ଫେରିଗଲେ ଅଜଣା ପୁରକୁ, ଯେଉଁଠୁ ଆଉ କେହି ଫେରନ୍ତିନି। ଦି’ ପୁଅ। ସାନ ପୁଅ ପାଖରେ ଥିଲେ, ମାତ୍ର ତା’ର ଅକାଳ ମୃତ୍ୟୁ ପରେ ବୋହୂଠାରୁ ତଡ଼ା ଖାଇ ଅନାଥାଶ୍ରମରେ ରହିଲେ ଦି’ ବର୍ଷ। ବୃଦ୍ଧା ସ୍ତ୍ରୀ ପକ୍ଷାଘାତାକ୍ରାନ୍ତ ହେବାରୁ ବଡ଼ପୁଅ ବୀରେନ୍ଦ୍ର ପାଖୁ ଫେରି ଆସିଲେ। ବଡ଼ପୁଅ ବୀରେନ୍ଦ୍ର ୩୦କୋଟି ଟଙ୍କାର ମାଲିକ, ନାତି ଜଣେ ଆଇ.ଏ.ଏସ। ତାଙ୍କୁ ରୁଟି ଖଣ୍ଡେ ବି ଖାଇବାକୁ ଦେଲେନି। ଶେଷକୁ ଆତ୍ମହତ୍ୟା ବାଛିନେଲେ। ଆତ୍ମହତ୍ୟା ମହାପାପ କି ନୁହେଁ ଭିନ୍ନକଥା, ମାତ୍ର ଆତ୍ମଯନ୍ତ୍ରଣା କୁ ପୁଣ୍ୟଟେ କି? ଏ କଥା ଆଜି ଏ ଦେଶ ଭୂମିରେ ଘଟୁଛି, କାହିଁକି, କେମିତି? ପଶ୍ଚିମାଙ୍କ ଅନୁକରଣ, ଅନୁସରଣ, ହାଲୋ ଡାଡି ମମିର ଇଏ କ୍ରମବିକାଶ ମାତ୍ର। ‘ସ୍ବଧର୍ମେ ନିଧନଂ ଶ୍ରେୟଃ, ପରଧ​‌େ​‌ର୍ମା ଭୟାବହଃ’। ହେ ଭଗବାନ, କି ଥିଲା ଏ ଦେଶ କି ହୋଇଛି ଆଜ’। ‘ଜୟ ଜଗନ୍ନାଥ’!

Comments are closed.