ଆଧ୍ୟାତ୍ମିକତା ଓ ସାମ୍ୟବାଦ

ଅରୁଣ କୁମାର ପଣ୍ଡା, ବରିଷ୍ଠ ସାମ୍ବାଦିକ

ଆର୍ଥିକ ଦୃଷ୍ଟିକୋଣରୁ ସମାଜକୁ ଦୁଇଭାଗରେ ବିଭକ୍ତ କରାଯାଇପାରିବ ଧନୀ ଓ ଗରିବ, ଥିବାବର୍ଗ ଓ ନଥିବା ବର୍ଗ (Have and Have nots)। କିଛି ଲୋକଙ୍କ ପାଖରେ ପ୍ରଚୁରମାତ୍ରାରେ ଧନ ଥିବାବେଳେ ସେମାନେ ସବୁପ୍ରକାର ସୁଖସୁବିଧା ବିଳାସ ବ୍ୟସନରେ ଜୀବନଯାପନ କରୁଛନ୍ତି। ଅନ୍ୟପକ୍ଷରେ ଏଭଳି କିଛି ବର୍ଗ ଅଛନ୍ତି ଯେଉଁମାନଙ୍କ ପାଖରେ ନିଜର ସର୍ବନିମ୍ନ ଆବଶ୍ୟକତାକୁ ପୂରଣ କରିବାପାଇଁ ଧନ କିମ୍ବା ସାଧନ ନାହିଁ। ଦିନସାରା ଖରା, ବର୍ଷା, ଶୀତରେ ଅକ୍ଳାନ୍ତ ଶ୍ରମ କଲା ପରେ ମଧ୍ୟ ସେମାନଙ୍କ ପରିବାରକୁ ଦୁଇଓଳି ଦୁଇମୁଠା ଠିକ୍‌ଭାବେ ଖାଦ୍ୟ ଉପଲବ୍ଧ ହୁଏନାହିଁ। ପ୍ରଥମ ବର୍ଗର ଲୋକମାନଙ୍କୁ ଆମେ ପୁଞ୍ଜିପତି ଆଖ୍ୟା ଦେଇଥାଉ। ସେମାନଙ୍କ ମତ ହେଲା ନିଜର ବୁଦ୍ଧିବଳରେ ତଥା ସୁଯୋଗର ଠିକ୍‌ ଉପଯୋଗ କରି ଜଣେ ଜୀବନକାଳ ମଧ୍ୟରେ ଅମାପ ସମ୍ପତ୍ତିର ଅଧିକାରୀ ହୋଇପାରିବ। କେବଳ ହଳ ଚଳାଇ, କାରଖାନାରେ ଶ୍ରମିକ ଭାବେ କାମ କରି କିମ୍ବା ଦିନସାରା ମେହନତ ମଜଦୁରି କରି କେହି​ ‌େକ‌ବେ ବିତ୍ତଶାଳୀ ହୋଇପାରିବ ନାହିଁ। ଏହି ବର୍ଗର ଲୋକେ ବଂଶବଂଶ ଧରି ଜୀବନସାରା ଚାକିରି କରି କିମ୍ବା କଳକାରଖାନାରେ ଶ୍ରମ କରି ଜୀବନ ନିର୍ବାହ କରୁଛନ୍ତି, ମାତ୍ର ଧନୀ ହେବା ପାଇଁ ସଂକଳ୍ପ ପୂର୍ବକଏମାନେ କେବେ ବୁଦ୍ଧି ବଳରେ ଅର୍ଥାଗମର ରାସ୍ତା ଖୋଜନ୍ତି ନାହିଁ।

ଏକବିଂଶ ଶତାବ୍ଦୀ ସମାଜରେ ଆଉ ଏକପ୍ରକାର ଧନିକ ଶ୍ରେଣୀର ଉଦ୍‌ଭବ ହୋଇଛି ଯେଉଁମାନେ କଳ,ବଳ,ଛଳ ପ୍ରୟୋଗ କରି ନିଜ ପଦମର୍ଯ୍ୟାଦାର ଦୁରୁପଯୋଗ କରି ତଥା ଦୁର୍ନୀତି ଓ ଭ୍ରଷ୍ଟାଚାରର ସାହାର ନେଇ ରାତାରାତି କାଙ୍ଗାଳରୁ କୋଟିପତିରେ ପରିଣତ ହେଉଛନ୍ତି। ସମାଜସେବା ପାଇଁ ଉଦ୍ଦିଷ୍ଟ ରାଜନୀତି, ପ୍ରଶାସନିକ ପେସାକୁ ଏମାନେ ବେପାରରେ ପରିଣତ କରି ନେତାଙ୍କ ଅର୍ଥରେ ପରିପୁଷ୍ଠ ରାଜକୋଷକୁ ଲୁଣ୍ଠନ କରୁଛନ୍ତି। ଏମାନେ କମ୍‌ ପରିଶ୍ରମରେ କିମ୍ବା ଆଦୌ ଶ୍ରମ ନକରି ପ୍ରଚୁର ଧନ ଉପାର୍ଜନ କରୁଥିବାବେଳେ ଶ୍ରମ ଓ ସଂଘର୍ଷ କରି ସକାଳୁ ରାତିପର୍ଯ୍ୟନ୍ତ ଅହରହ ଶରୀରକୁ ଯନ୍ତ୍ରଣା ଦେଉଥିବା ବ୍ୟକ୍ତିଙ୍କୁ ପେଟପାଟଣା ପାଇଁ ସାମାନ୍ୟ ଆବଶ୍ୟକତା ଉପଲବ୍ଧ ହେଉନାହିଁ। କୁହାଯାଉଥିଲା ଦେଶର ଅର୍ଦ୍ଧାଧିକ ପୁଞ୍ଜି ମାତ୍ର ଆଠଟି ଧନାଢ଼୍ୟ ପରିବାର ହାତରେ ଠୁଳ ହୋଇ ରହିଛି। ପରିସ୍ଥିତି ଏଭଳି ହୋଇଛି ଯେ ଧନୀ ଅଧିକ ଧନୀ ଏବଂ ଗରିବ ଅଧିକ ଗରିବ ହେବାରେ ଲାଗିଛି। ଅନାହାର ମୃତ୍ୟୁ ଓ ଚାଷୀ ଆତ୍ମହତ୍ୟା ଭଳି ସମ୍ବାଦରେ ପ୍ରତିଦିନ ଗଣମାଧ୍ୟମ ଭରପୂର ହେଉଛି। ଜନତାର ଜୀବନ ଧାରଣ ମାନକୁ ଉନ୍ନତ କରିବା ପାଇଁ ଲକ୍ଷଲକ୍ଷ କୋଟିଟଙ୍କା ବ୍ୟୟବରାଦ ହେଉଥିଲେ ହେଁ ନିର୍ଦିଷ୍ଟ କେତେକ ଗୋଷ୍ଠୀ ଏହି ଅର୍ଥର ଦଶ କୋଡ଼ିଏ ପ୍ରତିଶତ ମାତ୍ର ଉପଯୋଗ କରି ବାକୀସବୁ ବାଟମାରଣା କରୁଛନ୍ତି। ବି‌େଶଷ ଭାବରେ କହିବାକୁ ଗଲେ ମନୁଷ୍ୟ ଭିତରେ ପଶୁତ୍ବର ପ୍ରବୃତ୍ତି ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟାୟ, ଅନୀତି, ଶୋଷଣ, ଅତ୍ୟାଚାର ଦ୍ବାରା ସାମାଜିକ ବ୍ୟବସ୍ଥା କବଳିତ। ଶାସନ ଦାୟିତ୍ବ ସମ୍ଭାଳିଥିବା ବ୍ୟକ୍ତିମାନେ ମଧ୍ୟ ପ୍ରାୟତଃ ଏହି ଚରିତ୍ରର ହୋଇଥିବା କାରଣରୁ- ‘ଯଥା ରାଜା, ତଥା ପ୍ରଜା’ର ସ୍ଥିତି ଉତ୍ପନ୍ନ ହୋଇଛି।

ସଂସାରର ଏହି ଅବସ୍ଥାକୁ ଲକ୍ଷ୍ୟ କରି ପ୍ରସିଦ୍ଧ ଚିନ୍ତା ନାୟକ କାର୍ଲମାର୍କସ ‘ସାମ୍ୟବାଦ’ ନାମରେ ଏକ ସିଦ୍ଧାନ୍ତ ପ୍ରଚଳନ କଲେ ଏବଂ ନିଜସ୍ବ ସିଦ୍ଧାନ୍ତକୁ ତର୍କ ସଙ୍ଗତ କରିବାପାଇଁ ‘ଦାସ୍‌ କ୍ୟାପିଟାଲ’ ନାମକ ଏକ ଗ୍ରନ୍ଥ ରଚନା କଲେ। ତାଙ୍କର ଦୃଷ୍ଟିକୋଣ ହେଲା ଯେଉଁ ଶ୍ରମିକ ଝାଳବୁହାଇ ପରିଶ୍ରମ କରୁଛି, ବାସ୍ତବରେ ରୋଜଗାର ତାହାର। ମାଲିକ କେବଳ ବସି ରହି ଉପାର୍ଜିତ ଧନର ଅଧିକାରୀ ହୋଇପାରିବ ନାହିଁ। ସେଥିପାଇଁ ଆମଦାନୀର ହକ୍‌ଦାର ଶ୍ରମିକ ମାଲିକ ନୁହେଁ। ସେହି ଦୃଷ୍ଟିରୁ ଆମଦାନୀର ଅଧିକ ଭାଗ ଶ୍ରମିକକୁ ମିଳିବା ଦରକାର। ତାଙ୍କର ସ୍ଲୋଗାନ ଥିଲା ‘କାରଖାନା ଶ୍ରମିକର ଏବଂ କ୍ଷେତ୍ର ହଳ ଚଳାଇବା ବ୍ୟକ୍ତିର। ଯଦି ଶ୍ରମିକକୁ ତା’ର ଉପଯୁକ୍ତ ମୂଲ୍ୟ ନମିଳେ ତେବେ ସେ ବିଦ୍ରୋହ କରିବାପାଇଁ ବାଧ୍ୟ। ଶେଷରେ ସେ ମାଲିକଠାରୁ ତା’ର ଅଂଶଧନକୁ ଛଡ଼ାଇ ଆଣିବ। ଏହି ମର୍ମରେ ସେ ଆହ୍ବାନ ଦେଲେ- ଦୁନିଆର ମଜଦୁର ଏକ ହୁଅ। ମାର୍କସଙ୍କ ସିଦ୍ଧାନ୍ତକୁ ଭିତ୍ତିକରି ବିଶ୍ବବ୍ୟାପୀ ଶ୍ରମିକମାନେ ସଙ୍ଗଠିତ ହେଲେ ଏବଂ ଅନେକ ଦେଶରେ ଶ୍ରମିକ ବିପ୍ଳବ ଆରମ୍ଭ ହେଲା। ମାର୍କସ୍‌ଙ୍କ ଦାବି ଥିଲା ଧନୀଙ୍କ ସମସ୍ତ ସମ୍ପତ୍ତି ଜବତ କରି ତା’ର ରାଷ୍ଟ୍ରୀୟକରଣ କରାଯିବା ଉଚିତ ତଥା ସମସ୍ତଙ୍କୁ ବରାବର କାମ ଦେଇ ସମସ୍ତଙ୍କୁ ସମାନସ୍ତରକୁ ଆଣିବା ଆବଶ୍ୟକ। ଏହାଫଳରେ ଧନୀ ଆଉ ଧନୀ କିମ୍ବା ଗରିବ ଆଉ ଗରିବ ରହିବ ନାହିଁ। ସଭିଙ୍କୁ ରୋଟି, କପଡ଼ା ଓ ମକାନ୍‌ ଉପଲବ୍ଧ ହେବ। ଏହା ହିଁ ହେଉଛି ସାମ୍ୟବାଦ। ଏହି ଆଦର୍ଶକୁ ଭିତ୍ତିକରି ଅନେକ ରାଷ୍ଟ୍ର ବିପ୍ଳବ ପରେ ଚୀନ, ରୁଷିଆ, ମଙ୍ଗୋଲିଆ, ଜର୍ମାନୀ ଭଳି ଦେଶମାନଙ୍କରେ ସାମ୍ୟବାଦ ଆଧାରରେ ସରକାରମାନ ପ୍ରତିଷ୍ଠିତ ହେଲା ଏବଂ ଶ୍ରମିକ ପ୍ରତିନିଧିଙ୍କ ହାତରେ ଶାସନ ଭାର ଅର୍ପଣ କରାଗଲା।

ପରନ୍ତୁ କିଛି ବର୍ଷର ପରୀକ୍ଷା ନିରୀକ୍ଷା ପରେ ତାସ ଘର ପରି ରୁଷିଆ ଭଳି କେତେକ ଶକ୍ତିଶାଳୀ ଦେଶରେ ସାମ୍ୟବାଦ ଧ୍ବଂସ ପାଇଲା ଏବଂ ପୁଣି ସେଠାରେ ଗଣତନ୍ତ୍ର ପ୍ରତିଷ୍ଠିତ ହେଲା। ଏହାର କାରଣ ସ୍ବରୂପ କୁହାଯାଇପାରେ କେବଳ ବସ୍ତୁବାଦକୁ ଭିତ୍ତିକରି କରାଯାଇଥିବା ଆନ୍ଦୋଳନ ବା ସଂସ୍କାର ଚିରସ୍ଥାୟୀ ହୋଇ ରହେନାହିଁ। ଯଦି ଠିକ୍‌ ଭାବରେ ବିଚାର କରାଯାଏ ତେବେ ସାମ୍ୟବାଦର ମୂଳସ୍ରୋତ ହେଉଛି ଆଧ୍ୟାତ୍ମିକତା। ଆଧ୍ୟାତ୍ମିକତାର ମନ୍ତ୍ର ହେଲା- ‘ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା। ସର୍ବେ ଭ୍ରଦାଣି ପଶ୍ୟନ୍ତୁ, ମା କଶ୍ଚିତ୍‌ ଦୁଃଖଭାଗ ଭବେତ୍‌।’ ଅର୍ଥାତ୍‌ ସମସ୍ତେ ସୁଖୀ ରହନ୍ତୁ, ସମସ୍ତଙ୍କ ସ୍ବାସ୍ଥ୍ୟ ଠିକ୍‌ ରହୁ, ସମସ୍ତେ ସାଧୁ ଓ ସଚ୍ଚୋଟ ହୁଅନ୍ତୁ ତଥା କାହାକୁ କେତେବେଳେ ଦୁଃଖନପଡ଼ୁ। ଏଭଳି ଉଦାତ୍ତ ବିଚାର ମାର୍କସଙ୍କ ଦର୍ଶନରେ ନାହିଁ। ଧନିକଙ୍କଠାରୁ ଛଡ଼ାଇ ନେଇ ଗରିବଙ୍କୁ ଧନୀ କରିବା ଅର୍ଥ ଧନିକଙ୍କୁ ଗରିବ କରିବା। ଫଳସ୍ବରୂପ ସେହି ସମାନ ସ୍ଥିତିର ସୃଷ୍ଟି।

ଏକ ପରମପିତା ପରମାତ୍ମାଙ୍କ ସନ୍ତାନ ହେବା କାରଣରୁ ଆମ ଭିତରେ ପରସ୍ପର ଭ୍ରାତୃଭାବ ଆସିବା ଦରକାର। ଭାଇ ଭାଇର ବିଚାର ଆସିଲେ ଆମେ ଅନ୍ୟ ପ୍ରତି ଶଠତା, ପ୍ରବଞ୍ଚନା, ଛନ୍ଦ, କପଟ କରିବା ନାହିଁ ଏବଂ ପ୍ରେମ ସମ୍ବନ୍ଧ ଭିତରେ ରହିବ, ପରସ୍ପରକୁ ସହଯୋଗ କରିବାର ପ୍ରବୃତ୍ତି ଆମ ଭିତରେ ଜାଗ୍ରତ ହେବ, ଯାହାକି ମନୁଷ୍ୟର ସ୍ବାଭାବିକ ଗୁଣ। ଆତ୍ମିକ ଭ୍ରାତୃତ୍ବର ଭାବନା ଦ୍ବାରା ଆମେ ଶୋଷଣମୁକ୍ତ ଏକ ସାମ୍ୟବାଦର ସମାଜଗଠନ କରିବାକୁ ସମର୍ଥ ହୋଇପାରିବା। ସମାଜରେ ଉଚ୍ଚ-ନୀଚ ଧନୀ ଗରିବର ଭେଦଭାବ ରହିବ ନାହିଁ। ଅମିର ଗରିବ ସଂଘର୍ଷର ସମାପ୍ତି ଘଟିବ ଏବଂ ସର୍ବତ୍ର ସମାନତା ବା ସାମ୍ୟ ବିରାଜମାନ କରିବ। ଅତଃ ଆଧ୍ୟାତ୍ମିକତାର ପରିପ୍ରକାଶ ସାମ୍ୟବାଦ ବା ସମାଜବାଦ ରୂପରେ ହିଁ ହେବ।

ଏବେ ବିଚାର କରିବା ଆଧ୍ୟାତ୍ମିକତା ଓ ମାର୍କସଙ୍କ ସାମ୍ୟବାଦ ଭିତରେ ଫରକ କ’ଣ! ସାମ୍ୟବାଦ ସମାଜକୁ ଏକ ମେସିନ ବୋଲି ଭାବୁଥିବାବେଳେ ଆଧ୍ୟାତ୍ମିକତା ସମାଜକୁ ଏକ ପରିବାର ଭାବରେ ଦେଖେ- ‘ବସୁଧୈବ କୁଟୁମ୍ବକମ୍‌’। ଯେପରି ପରିବାରରେ ମା, ବାପା, ଭାଇ, ଭଉଣୀ ଥାଆନ୍ତି, ସେହିପରି ସଂସାର ପରିବାରରେ ପରମାତ୍ମା ଆମର ମାତାପିତା। ଆତ୍ମିକ ଭାବନାରେ ଆମେ ସମସ୍ତ ଆତ୍ମା ସେହି ପରମାତ୍ମାଙ୍କ ସନ୍ତାନ ହୋଇଥିବାରୁ ଭାଇ ଭଉଣୀ ସମସ୍ତେ ନିଜନିଜର କର୍ତ୍ତବ୍ୟ ଠିକ୍‌ ଭାବରେ ନିର୍ବାହ କଲେ ପରିବାରରେ ସୁଖ, ଶାନ୍ତି ଓ ସମୃଦ୍ଧି ଆସେ। ସେହିଭଳି ଦେଶ ଓ ସମାଜରେ ଆ​‌େ​‌ମ ଉତ୍ତରଦାୟୀ ଭାବେ କାର୍ଯ୍ୟ କଲେ ସାମାଜିକ ବ୍ୟବସ୍ଥା ସମରସତା ଭିତ୍ତିରେ ଗଢ଼ିଉଠେ। ସମାଜର ବିକାଶ ସହିତ ପ୍ରତ୍ୟେକ ବ୍ୟକ୍ତିର ବିକାଶ ହୁଏ। ଯେଭଳି ଗୋଟିଏ ପରିବାରରେ ଜଣେ ସଦସ୍ୟର ଦେହ ଖରାପ ହେଲେ ଅନ୍ୟମାନେ ମିଳିମିଶି ତା’କାର୍ଯ୍ୟ ସମ୍ପାଦନ କରିବାପାଇଁ ଉଦ୍ୟମ କରନ୍ତି, ଠିକ୍‌ ସେହିଭଳି ସମାଜ, ରାଷ୍ଟ୍ର ଓ ବିଶ୍ବରେ ଦୁର୍ବଳକୁ ସବଳ ଏବଂ ନିରାଶ୍ରୟକୁ ଆଶ୍ରୟ ଦେବାର ବ୍ୟବସ୍ଥା କେଉଁ ଅନାଦି ଅନନ୍ତ କାଳରୁ ଚାଲି ଆସିଛି। ବସ୍ତୁବାଦ ଓ ଆଧ୍ୟାତ୍ମିକ ବିଚାର ଅଭାବରୁ ଏକବିଂଶ ଶତାବ୍ଦୀରେ ଆମେ ସେହି ରୀତିକୁ ଛାଡ଼ି ଦେଇଛୁ, ଫଳରେ ସାମାଜିକ ବିଘଟନ ଓ ସମସ୍ୟା ଆମକୁ ଗ୍ରାସ କରିଛି। ସେହିଭଳି ସାମ୍ୟବାଦର କାର୍ଯ୍ୟପ୍ରଣାଳୀ ସ୍ଥୂଳ ଓ ଆଧ୍ୟାତ୍ମିକତାର ସୂକ୍ଷ୍ମ। ଏହି ସୂକ୍ଷ୍ମ କାର୍ଯ୍ୟଧାରାର ରୂପାୟନ ପାଇଁ ଶିକ୍ଷାକ୍ରମରେ ନିଶ୍ଚିତ ଭାବରେ ଅାଧ୍ୟାତ୍ମିକତାକୁ ପ୍ରାଧାନ୍ୟ ଦିଆଯିବା ଉଚିତ।

Comments are closed.