ସଙ୍କର ଜାତୀୟ ସୋରିଷର ଔଷଧୀୟ ଗୁଣ ବଜାୟ ରହିବ କି?
ଜଗତବନ୍ଧୁ ମହାପାତ୍ର
ଆମ ଦେଶକୁ ‘ସୋରିଷ ବିବିଧତାର’ ଦେଶ ବୋଲି କୁହାଯାଏ। କେହି କେହି ଭାରତକୁ ‘ସୋରିଷର ଜନ୍ମଭୂମି’ ରୂପେ ବର୍ଣ୍ଣନା କରିଛନ୍ତି। ବିଶ୍ବ ସ୍ତରରେ ସୋରିଷ ଉତ୍ପାଦନ କ୍ଷେତ୍ରରେ ଭାରତର ସ୍ଥାନ ତୃତୀୟ (ଚୀନ ଓ କାନାଡା ପରେ)। ତୈଳ ବୀଜ, ଶାଗ-ପତ୍ର ଓ ଗୋଖାଦ୍ୟ ଭାବରେ ଏହା ଚାଷ କରାଯାଇଥାଏ।
ଜେନେଟିକାଲି ମୋଡ଼ିଫାଏଡ ବା ଜିନୀୟ ବିବର୍ତ୍ତନ ପଦ୍ଧତିରେ ଆଉ ଏକ ନୂତନ ସଙ୍କର ଜାତୀୟ ଗଛ ସୃଷ୍ଟି ହୋଇଥାଏ । ଉକ୍ତ ସଙ୍କର ଜାତୀୟ ସୋରିଷ ଗଛ ସାଧାରଣତଃ ଏକ ଜାତିର ଦୁଇଟି ଅାନୁବଂଶିକ ସୋରିଷ ଗଛରୁ ସୃଷ୍ଟି ହୋଇଥାନ୍ତି। ପ୍ରଥମ ପିଢିର ଅପତ୍ୟମାନେ ତାଙ୍କ ପିତୃମାତୃଙ୍କ ଠାରୁ ଅଧିକ ଅମଳକ୍ଷମ ହୋଇଥା’ନ୍ତି । ମାତ୍ର ସୋରିଷ କ୍ଷେତ୍ରରେ କୌଣସି ପ୍ରାକୃତିକ ବିଜାତିକରଣ ହୁଏ ନାହିଁ ବରଂ ପ୍ରାକୃତିକ ବିଜାତିକରଣ- କପା, ମକା ଓ ବିଲାତି ବାଇଗଣ କ୍ଷେତ୍ରରେ ବିଶେଷ ଭାବେ ଦେଖାଯାଇଥାଏ । ଯେହେତୁ କପା, ମକା ଓ ବିଲାତି ବାଇଗଣର ଫୁଲଗୁଡ଼ିକରେ ପୁଂ ଓ ସ୍ତ୍ରୀ ପରାଗରେଣୁ ଉଭୟ ଥାଏ । ଯାହାକି ଏମାନଙ୍କୁ ନିଜସ୍ବ ପରାଗ ସଂଗମ କରାଇବାରେ ସକ୍ଷମ କରାଇଥାଏ ।
ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ବୈଜ୍ଞାନିକମାନେ ଏହି ଜିନ୍ ପରିବର୍ତ୍ତିତ ସୋରିଷ ବିହନକୁ ଡି.ଏମ.ଏଚ -୧୧ ବୋଲି ନାମିତ କରିଛନ୍ତି । ଏହି ସୋରିଷରେ ଏକ ବୀଜାଣୁର ଜିନ୍ ପ୍ରବେଶ କରାଇ ମୂଳ ସୋରିଷ ବିହନର ପରିବର୍ତ୍ତନ ଅଣାଯାଇଛି । ଯାହା ଫଳରେ ମୂଳ ସୋରିଷରେ ଥିବା ପୁରୁଷ ଜିନ୍କୁ ବନ୍ଧ୍ୟା କରାଯାଇଛି। ଏଥିରେ ବିଷାକ୍ତ ତୃଣନାଶକକୁ ସହ୍ୟ କରିପାରୁଥିବା ଆଉ ଏକ ଜିନ୍କୁ ମଧ୍ୟ ସଂଗମ କରାଯାଉଛି । ଯାହା ଫଳରେ କି ଗଛ କୃତ୍ରିମ ରାସାୟନିକ ତୃଣନାଶକ (ଘାସମରା ବିଷ) ସହ୍ୟ କରିପାରିବ। ଏହି ନୂତନ ସଙ୍କର ଜାତୀୟ ସୋରିଷ ଗଛ ଅନ୍ୟୂନ ଶତକଡା ୨୫ ରୁ ୩୦ ଭାଗ ଅଧିକ ସୋରିଷ ଉତ୍ପାଦନ କରିବାରେ ସକ୍ଷମ ହେବ ବୋଲି ପ୍ରସ୍ତୁତକାରୀମାନେ ଦାବି କରୁଛନ୍ତି।
ଭାରତରେ ଅନେକ କୃଷକ ସୋରିଷ ଚାଷ କରିଥାନ୍ତି। ସୋରିଷ ଓ ସୋରିଷ ତେଲ ମୁଖ୍ୟତଃ ଖାଦ୍ୟ ପଦାର୍ଥ ତିଆରିରେ ବ୍ୟବହାର ହେଉଛି। । ଆମ ରାଜ୍ୟରେ ସୋରିଷ ତେଲ ପ୍ରତିଦିନ ଖାଦ୍ୟରେ ବ୍ୟବହାର କରାଯାଏ। ସୋରିଷ ପିଡିଆକୁ ପଶୁ ଖାଦ୍ୟ ରୂପେ ଓ ମାଟିର ଉର୍ବରତା ବୃଦ୍ଧି ପାଇଁ ବି ବ୍ୟବହାର କରାଯାଏ। ଓଡ଼ିଶାର ପ୍ରାଣକେନ୍ଦ୍ର ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କ ମହାପ୍ରସାଦ ଭୋଗରେ ପ୍ରସ୍ତୁତ ତରକାରି ଯଥା-ବେସର ତରକାରିରେ ସୋରିଷ ବ୍ୟବହାର କରାଯାଇଥାଏ। ଅନେକ ଦେବଦେବୀଙ୍କ ନିମନ୍ତେ ପ୍ରସ୍ତୁତ ସଂଖୁଡି ଭୋଗରେ ସୋରିଷର ମଧ୍ୟ ବ୍ୟବହାର କରାଯାଇଥାଏ। ଓଡ଼ିଆ ଘରେ ଶୀତଦିନେ ମାଣବସା ଗୁରୁବାରରେ ସୋରିଷ ଗଛ ପୂଜା ହୁଏ। ବିଭିନ୍ନ ହୋମକର୍ମରେ ଆବଶ୍ୟକ ହେଉଥିବା ପଞ୍ଚଶସ୍ୟ ମଧ୍ୟରେ ସୋରିଷ ଅନ୍ୟତମ।
ଆୟୁର୍ବେଦ କ୍ଷେତ୍ରରେ ସୋରିଷକୁ ଔଷଧରୂପେ ବ୍ୟବହାର କରାଯାଏ । ଅଥର୍ବ ବେଦ, ଚରକ ସଂହିତା, ସୁଶ୍ରୁତ ସଂହିତା, ବାଗଭଟ୍ଟ ତଥା ଲଘୁତ୍ରୟୀ ଓ ନିଘଣ୍ଟୁ ମାନଙ୍କରେ ସୋରିଷର ଔଷଧୀୟ ପ୍ରୟୋଗ ବିଷୟରେ ବର୍ଣ୍ଣନା କରାଯାଇଛି। ସୋରିଷ ଓ ସୋରିଷ ତେଲ କଫ ଓ ବାତଜନିତ ରୋଗଗୁଡିକର ଚିକିତ୍ସା ପାଇଁ ଉଦ୍ଦିଷ୍ଟ। ଥଣ୍ଡା, ସର୍ଦି, କଫ ଆଦି ହେଲେ ଘରେ ଘରେ ସୋରିଷ ତେଲରେ ରସୁଣ ଫୁଟାଇ ମାଲିସ କରିବା ଏକ ସାଧାରଣ କଥା । ଶୀତଦିନେ ଭାରତର ଅନେକ ଲୋକ ଦେହରେ ସୋରିଷ ତେଲ ଲଗାଇବାକୁ ଭଲ ପାଆନ୍ତି। କଅଁଳା ଶିଶୁକୁ ମାଲିସ କରିବାକୁ ବି ଜେଜେମା’ମାନେ ସୋରିଷ ତେଲ ଖୋଜନ୍ତି। ଧବଳକୁଷ୍ଠ, କୁଷ୍ଠ, ଜ୍ବର,ଅପସ୍ମାର, ଆଣ୍ଠୁଗଣ୍ଠି ବାତ, ସ୍ନାୟବିକ ରୋଗ, ସ୍ତ୍ରୀ ରୋଗ ଭଳି ଅନେକ ରୋଗରୁ ଉପଶମ ପାଇଁ ସୋରିଷ ବ୍ୟବହୃତ ହୋଇଥାଏ। ଏହାଛଡା ସ୍ତ୍ରୀ ଲୋକମାନଙ୍କର କ୍ଷୀର ହେବାରେ ଅସୁବିଧା ହେଲେ, ଶରୀରର କୌଣସି ବାହ୍ୟ ଅଂଶରେ କ୍ଷତ ହେଲେ, ପାଟି ଭିତରେ ଘା’ ହେଲେ ସୋରିଷ ତେଲ ଓ ସୋରିଷର ବ୍ୟବହାର କରାଯାଏ। ବିଭିନ୍ନ ପ୍ରକାରର ଚର୍ମ ରୋଗର ନିରାକରଣ ପାଇଁ ସୋରିଷକୁ ବାଟି ପ୍ରଲେପ ଆକାରରେ ଦିଆଯାଏ ।
ପଞ୍ଚକର୍ମ ଅନୁଯାୟୀ ଶରୀର ମଧ୍ୟରୁ ବିଷାକ୍ତ ପଦାର୍ଥ ମାନଙ୍କର ନିର୍ହରଣ ନିମନ୍ତେ ସୋରିଷର ବ୍ୟବହାର କରାଯାଏ । ବମନ ଓ ବସ୍ତି କର୍ମରେ ସୋରିଷର ବ୍ୟବହାର କରାଯାଇଥାଏ। ଆୟୁର୍ବେଦୀୟ ଶାସ୍ତ୍ରୀୟ ଔଷଧି ଯଥା- ଅଷ୍ଟକତ୍ବର ତୈଳ, ସିଦ୍ଧାର୍ଥକ ତୈଳ, ମରିକଦ୍ୟମ ତୈଳ, କୁଷ୍ଠକଳନାଲମ ତୈଳ ଓ ଅଜମୋଦାଦ୍ୟ ତୈଳର ମୁଖ୍ୟ ଘଟକ ଦ୍ରବ୍ୟ ରୂପେ ସୋରିଷର ବ୍ୟବହାର କରାଯାଏ।
ଆଇସୋଥିଓସିଆନେଟ ଯାହା ସୋରିଷ ମଞ୍ଜିରେ ଥାଏ, ତାହା କ୍ୟାନସର ଓ ଟ୍ୟୁମରରୁ ରକ୍ଷା କରିଥାଏ। ଆଇସୋଥିଓସିଆନେଟର ଆଣ୍ଟିମାଇକ୍ରୋବାୟଲ ଓ ଆଣ୍ଟିଫଙ୍ଗାଲ ଗୁଣ ରହିଛି। ସୋରିଷ ତେଲରେ ସବୁଠୁ କମ ପରିମାଣରେ ସାଚୁରେଟେଡ ଫ୍ୟାଟି ଏସିଡ ଓ ଯଥେଷ୍ଟ ପରିମାଣରେ ଲିନୋଲେଇକ ଓ ଲିନୋଲେନିକ ଫ୍ୟାଟି ଏସିଡ ଥାଏ, ଯାହା ଦ୍ବାରା ଓମେଗା ୩ ଓ ୬ ଆମ ଶରୀରକୁ ମିଳିଥାଏ। ଏହା ଶରୀର ପକ୍ଷରେ ହିତ କାରକ ଅଟେ। ସୋରିଷ ଶାଗରେ ପ୍ରଚୁର ପରିମାଣରେ ଭିଟାମିନ-ଏ, ସି, ବି କମ୍ପ୍ଲେକ୍ସ ଓ କେ ରହିଛି। ଏହା ବ୍ୟତୀତ କ୍ୟାଲସିଅମ, ମ୍ୟାଗ୍ନେସିଅମ, ପୋଟାସିଅମ, ଜିଙ୍କ, ମାଙ୍ଗାନିଜ ଆଦି ଖଣିଜ ଲବଣର ଏହା ଏକ ମୁଖ୍ୟ ଉତ୍ସ।
ଜେନେଟିକ୍ ମୋଡିଫିକେସନରେ ସୃଷ୍ଟି କରାଯାଉଥିବା ଶଙ୍କର ଜାତୀୟ ସୋରିଷ ଗଛରେ ଔଷଧୀୟ ଗୁଣଗୁଡିକ ନିଶ୍ଚିତ ଭାବେ ପରିବର୍ତ୍ତିତ ହୋଇଯିବ ବୋଲି ମୋର ବିଶ୍ବାସ। ତେଣୁ ବୈଜ୍ଞାନିକ ପଦ୍ଧତିରେ ଠିକ ଭାବରେ ପରୀକ୍ଷା ନ କରି ଜେନେଟିକ୍ ମୋଡିଫିକେସନ ପଦ୍ଧତିରେ ସୃଷ୍ଟ ସଙ୍କର ଜାତୀୟ ସୋରିଷ ଗଛ ଚାଷ ପାଇଁ ପ୍ରୋତ୍ସାହନ ଦେବା ଆଦୌ ଠିକ ହେବ ନାହିଁ । ଉପଯୁକ୍ତ ପରୀକ୍ଷା ପରେ ଯଦି ଏହାର ଔଷଧୀୟ ଗୁଣ ପୂର୍ବ ପରି ବଜାୟ ରହେ, ତା’ ହେଲେ ଏହାର ଚାଷ କରାଯିବ ଉଚିତ।
ଆଉ ଗୋଟିଏ କଥା ଏଠାରେ କହିବାକୁ ଚାହୁଁଛି ଯେ, ଜିନ୍ ପରିବର୍ତ୍ତନ ମାଧ୍ୟମ ପ୍ରକୃତି ବିରୋଧରେ କରାଯାଉଅଛି। କାରଣ ପ୍ରକୃତିରେ ଏପରି ଦୁଇଟି ଭିନ୍ନ ଭିନ୍ନ ଜାତି ମଧ୍ୟରେ ସଂଗମ ହୁଏ ନାହିଁ ଓ ପ୍ରାକୃତିକ ପରିବର୍ତ୍ତନଗୁଡିକ ଧୀରେ ଧୀରେ ପ୍ରକୃତିର ବିବର୍ତ୍ତନ ଅନୁଯାୟୀ ହୋଇଥାଏ। ତେଣୁ ମଣିଷ ଶରୀର ଉପରେ ଏହାର କୁପ୍ରଭାବ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି । ଜିନ୍ ପରିବର୍ତ୍ତିତ ଖାଦ୍ୟ ମୂଷାମାନଙ୍କ କ୍ଷେତ୍ରରେ ପରୀକ୍ଷା କରିବା ପରେ ସେମାନଙ୍କ ଶରୀରରେ ଅସ୍ବାଭାବିକତା ଦେଖା ଦେବା ସହିତ ଦୁଇ ତିନି ପିଢି ପରେ ସେମାନଙ୍କର ପ୍ରଜନନ କ୍ଷମତା ହ୍ରାସ ପାଉଥିବା ଦେଖାଯାଇଛି । ଜିନ୍ ପରିବର୍ତ୍ତିତ ଫସଲରେ ବିଭିନ୍ନ ପ୍ରକାର କୀଟନାଶକର ବହୁଳ ବ୍ୟବହାର ଯୋଗୁଁ ଏହା ପରାଗ ସଙ୍ଗମରେ ସାହାଯ୍ୟ କରୁଥିବା ପତଙ୍ଗ ଯଥା- ମହୁମାଛି, ପ୍ରଜାପତି ଆଦିଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି । ସ୍ୱାସ୍ଥ୍ୟ, ପରିବେଶ ଓ ଜୈବ ବିବିଧତା ଉପରେ ଜି.ଏମ ଫସଲର ଅନେକ କୁପ୍ରଭାବ ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇଲାଣି। ରାଜସ୍ଥାନ, ମଧ୍ୟପ୍ରଦେଶ, ହରିଆଣା ଆଦି ସୋରିଷ ଚାଷ ବହୁଳ ରାଜ୍ୟ ସେହି ସମସ୍ତ ରାଜ୍ୟରେ ଜିନ୍ ପରିବର୍ତ୍ତିତ ସୋରିଷର କ୍ଷେତ୍ର ପରୀକ୍ଷଣ ପାଇଁ ମନା କରିଦେଇଛନ୍ତି । ତେଣୁ ଆମ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରି ଜି.ଏମ ସୋରିଷକୁ ମନା କରିବା ନିତାନ୍ତ ଆବଶ୍ୟକ ।
Comments are closed.