ଜଣେ ନୌବିହାର ପାଇଁ ବାହାରିଲେ। ଡଙ୍ଗାଟି ପାଲଟଣା ନଥିଲା କିମ୍ବା ସେ ଆହୁଲା ନେଇ ନଥିଲେ। ମୋଟର-ଚାଳିତ ମଧ୍ୟ ନଥିଲା। ପୁଣି ସେତେବେଳେ ବାୟୁ ପ୍ରାୟତଃ ସ୍ଥିର ଥିଲା। ଏମିତି ପରିସ୍ଥିତିରେ ସେ ଡଙ୍ଗାରେ ବସିଲେ। ଡଙ୍ଗା ଚାଲିବ ଓ ସେ ନୌବିହାର ଉପଭୋଗ କରିବେ! ହାସ୍ୟାସ୍ପଦ ମନେହୁଏ। ତାଙ୍କର ଏହି ଆଚରଣ ପରିପ୍ରେକ୍ଷୀରେ ‘ଲାଇଭ-ସାଇନ୍ସ’ର କର୍ମଚାରୀ ମନ୍ତବ୍ୟ ଦେଇଥିଲେ ଯେ, ସେ ଗୋଟିଏ ‘ପାଗଳ’। ପ୍ରକାଶଥାଉ କି ଏହି ସଂସ୍ଥା ବୈଜ୍ଞାନିକମାନଙ୍କ ମଧ୍ୟରୁ ଯେଉଁ ଦଶ ଜଣଙ୍କୁ ‘ପାଗଳ’ ଭାବେ ତାଲିକାଭୁକ୍ତ କରିଥିଲା, ସେଥିରେ ଉପରୋକ୍ତ ବ୍ୟକ୍ତିଜଣକ ସବା ଉପରେ ଥିଲେ। ତେବେ କଥା ହେଉଛି ଯେ, ଏହି ବ୍ୟକ୍ତିଜଣକ ଥିଲେ ଅସାଧାରଣ ଧୀଶକ୍ତିସଂପନ୍ନ, ପ୍ରଚଣ୍ଡ ପ୍ରତିଭାଶାଳୀ ବୈଜ୍ଞାନିକ ଆଇନଷ୍ଟାଇନ୍।
ଏଇ ଧରଣର ଅଜବ କାର୍ଯ୍ୟ ପଛରେ ଥିବା କାରଣ ହେଉଛି- ‘ଜଷ୍ଟ ଫଲ୍ ଏ ଚାଲେଞ୍ଜ’। ଆଇନଷ୍ଟାଇନ ଏହାକୁ ଏକ ଆହ୍ବାନ ଭାବେ ବିବେଚନା କରିଥିଲେ, ଯାହାକି ଆମକୁ ପ୍ରଥମରୁ ଏକ ନିଷ୍ଫଳ ପ୍ରୟାସ ବୋଲି ଜଳଜଳ ଦେଖାଯାଏ। ତେବେ ବୈଜ୍ଞାନିକମାନଙ୍କ ମାନସିକତା ଏମିତି ଯେ ସେମାନେ ଅମଡ଼ା ବାଟରେ ଚାଲନ୍ତି। ଯାହା ଆମକୁ ଅସମ୍ଭବ ବୋଲି ଶତକଡ଼ା ଶହେଭାଗ ଜଣାପଡ଼େ ସେମାେନ ଏଥିରେ ଭାସି ନଯାଇ ଏହା ଉପରେ ପରୀକ୍ଷାନିରୀକ୍ଷାରେ ମାତିଯା’ନ୍ତି। ଅଜାଗାରେ କେଉଁଠି ନା କେଉଁଠି ଜାଗା ରହସ୍ୟଜନକ ଭାବେ ଲୁଚି ରହିଥାଏ ବୋଲି ସେମାନଙ୍କ ଧାରଣା।
ସ୍ମରଣୀୟ ଯେ, ଆଇନଷ୍ଟାଇନ୍ ଜଳଯାତ୍ରାକୁ ପସନ୍ଦ କରନ୍ତି। ଧୀର ଗତିରେ ବା ଭାସି ଆସିବା ପରି ଡଙ୍ଗାରେ ଯିବାପାଇଁ ସେ ଇଚ୍ଛା କରିଥାନ୍ତି। ତେଣୁ ତାଙ୍କ ଶୁଭେଚ୍ଛୁମାନେ ତାଙ୍କ ପଚାଶତମ ଜନ୍ମଦିବସ ଉପଲକ୍ଷେ ଏକୋଇଶ ଫୁଟର ଲମ୍ବ ଥିବା ‘ଟୁମଲର’ ନାମକ ଗୋଟିଏ କ୍ଷୁଦ୍ର ନୌକା ଉପହାର ଦେଇଥିଲେ। ନାବ-ଚାଳନା ସମୟରେ ସେ ପାଖରେ ଗୋଟିଏ ନୋଟ୍ବୁକ୍ ରଖିଥାନ୍ତି ଏବଂ ସେଇ ସମୟରେ କୌଣସି ନୂଆ ଭାବନା ମନକୁ ଛୁଇଁଲେ, ତାହା ସେଥିରେ ଟିପି ଦିଅନ୍ତି। ତାଙ୍କ ପ୍ରିୟ ନାବଯାତ୍ରାର ଉପରୋକ୍ତ ସ୍ଖଳିତ ଖିଅ ‘ପାଗଳାମି’ ପଦବାଚ୍ୟ ହେବା ଠିକ୍ ନୁହେଁ; କିନ୍ତୁ ସେ ସର୍ବସାଧାରଣଙ୍କଠାରୁ ଯେଉଁ ଭିନ୍ନ ପଥ ବାଛିଥାନ୍ତି, ତାହା ପ୍ରଣିଧାନ ଯୋଗ୍ୟ। ଯଦି ପାଗଳାମି, ତେବେ ଅଲଗା ଧରଣର।
ଉଦାହରଣ ଭାବେ ତାଙ୍କ ପୋଷାକପତ୍ର, ବେଶଭୁଷା ବିଚାର୍ଯ୍ୟ। ତାଙ୍କ ପୋଷାକ-ଆଲମାରିରେ ଯେଉଁ ପୋଷାକ ଅତ୍ୟଧିକ ପରିମାଣରେ ଶୋଭା ପାଇଥାଏ, ସେଇ ସବୁର ବର୍ଣ୍ଣ ହେଉଛି କେବଳ ଧୂସର। ଏହା ପଛରେ ଏକ ବିଚିତ୍ର କାରଣ ସେ ଉପସ୍ଥାପନ କରିଥାନ୍ତି। ପ୍ରତିଦିନ କେଉଁ ବର୍ଣ୍ଣର ଲୁଗା ପିନ୍ଧିବେ, ସେଇ ବିଷୟରେ ନିଷ୍ପତ୍ତି ନେବାପାଇଁ ସେ ସମୟ ଦେଇ ପାରିବେ ନାହିଁ; ଦେବା ମଧ୍ୟ ଉଚିତ ନୁହେଁ। ଜୀବନରେ ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟ ରହିଛି। ସେଥିପ୍ରତି ମନୋନିବେଶ କରିବା ଉଚିତ। କେଉଁ ଲୁଗା ପିନ୍ଧିବେ, କେଉଁ ଖାଦ୍ୟ ଖାଇବେ, ଏମିତି ସାଧାରଣ ଓ ଗୌଣ ବିଷୟଗୁଡ଼ିକ ପ୍ରତି ସେ ପୂରା ଉଦାସୀନ।
ଯେତେବେଳେ ମାନ୍ୟଗଣ୍ୟ ବ୍ୟକ୍ତିମାନେ ତାଙ୍କ ସହ ସାକ୍ଷାତ କରିବାକୁ ଆସନ୍ତି, ସେଇ ଅବସରରେ ଭଲ ପୋଷାକ ପରିଚ୍ଛଦ ପରିଧାନ କରିବାକୁ ପତ୍ନୀ ଏଲ୍ସା ଅନୁରୋଧ କରିଥାନ୍ତି; କିନ୍ତୁ ସେ ସେଥିରେ କାନ ଦିଅନ୍ତି ନାହିଁ। ସେ ସୂତାର ଢ଼ିଲା ସ୍ବେଟର ଦ୍ବାରା ଦେହକୁ ଢ଼ାଙ୍କିଥା’ନ୍ତି। ଅବଶ୍ୟ ତାଙ୍କ ଦେହ କୁଣ୍ଡାଇ ହୁଏ ବୋଲି ପଶମ ଲୁଗାପଟାଠାରୁ ସେ ଦୂରରେ; କିନ୍ତୁ ଦୀର୍ଘଦିନ ଧରି ଏକା ସ୍ବେଟସାର୍ଟ ବ୍ୟବହାର କରିବାରୁ ତା’ର ଅବସ୍ଥା ଶୋଚନୀୟ ହୋଇଯାଇଥାଏ। ତେବେ ଏହା ବଦଳାଇବାକୁ ସେ ଅନୁତ୍ସାହୀ। ଓଲଟି ଏଲ୍ସାଙ୍କୁ କହନ୍ତି, ଯେଉଁ ଭଦ୍ରବ୍ୟକ୍ତି ଆସିବେ, ତାଙ୍କୁ ପ୍ରଥମେ ପଚାର ସେ ମୋତେ ଦେଖିବାକୁ ଆସୁଛନ୍ତି ନା ମୋ ପୋଷାକକୁ। ଯଦି ମୋତେ ଚାହୁଁଛନ୍ତି, ତେବେ ମୁଁ ଯେମିତି ସେଇ ଅବସ୍ଥାରେ ଦେଖନ୍ତୁ। ଯଦି ମୋ ପୋଷାକ ପାଇଁ ଇଚ୍ଛୁକ, ତେବେ ମୋ ଲୁଗା ଆଲମାରି ଖୋଲି ତାଙ୍କୁ ଦେଖାଇଦିଅ।’’
ଆଇନଷ୍ଟାଇନ ନିଜ ଜନ୍ମଦିନ ପାଳିବାକୁ ଅନାଗ୍ରହୀ। ସେ କହନ୍ତି ଏହା ଜଣାଶୁଣା ଯେ ମୁଁ ଜନ୍ମ ହୋଇଛି। ଏତିକି ମାତ୍ର ଯଥେଷ୍ଟ। ଏହାକୁ ପାଳନ କରିବା କ’ଣ ଆବଶ୍ୟକ? ଅବଶ୍ୟ ତାଙ୍କ ଆପେକ୍ଷିକ ତତ୍ତ୍ବ ଅନୁସାରେ ସମୟ ପରିବର୍ତ୍ତନ ହୁଏ ଆପେକ୍ଷିକତା କାରଣରୁ। ସେଇ ଅନୁସାରେ ଜନ୍ମଦିନରେ ନିର୍ଦିଷ୍ଟତା ପ୍ରଶ୍ନାତୀତ ନୁହେଁ। ତଥାପି ସାମାଜିକ ଚାପ ଓ ବନ୍ଧୁବାନ୍ଧବ ତଥା ଶୁଭେଚ୍ଛୁଙ୍କ ଚାପରେ ସେ ମୁଣ୍ଡ ନୁଆଁଇଥାନ୍ତି। ତାଙ୍କ ୭୨ତମ ଜନ୍ମଦିବସ ପାଳନ ବେଳର ଘଟଣା। ୧୪ ମାର୍ଚ୍ଚ ୧୯୫୧ରେ ପ୍ରିନ୍ସଟନଠାରେ ଉତ୍ସବ ସମାପନ ପରେ ସେ ବାସସ୍ଥାନକୁ ଫେରିବା ପାଇଁ କାର୍ ନିକଟକୁ ଯାଉଥାନ୍ତି। ସାଥିରେ ଯାଉଥାନ୍ତି ଆଡଭାନ୍ସ ଷ୍ଟଡିର ପୂର୍ବ ନିର୍ଦେଶକ ଡକ୍ଟର ଫ୍ରାଙ୍କ୍ ଆଡେଲୋଟ ଓ ତାଙ୍କ ପତ୍ନୀ। ବହୁ ଫଟୋଗ୍ରାଫର ତାଙ୍କ ଫଟୋ ଉତ୍ତୋଳନ ପାଇଁ ବ୍ୟଗ୍ର। ସେମାନଙ୍କ ଭିଡ଼ ଓ ଅତ୍ୟାଗ୍ରହ ତାଙ୍କୁ ଅତିଷ୍ଠ କରିଦେଲା। କ୍ୟାେମରାମେନ ତାଙ୍କ ଆଡ଼କୁ ମୁହାଁଇଥାନ୍ତି। ତେବେ ଭିଡ଼ କମିବାର ସଙ୍କେତ ପାଇ ୟୁପିଆଇର ଅପେକ୍ଷାରତ ଫଟୋଗ୍ରାଫର ଆର୍ଥର ସାସେ ଫଟୋ ଉଠାଇବା ପାଇଁ ତାଙ୍କୁ ହସିବାକୁ ଅନୁରୋଧ କଲେ; କିନ୍ତୁ ଅତ୍ୟନ୍ତ ବିରକ୍ତ ଥିବା ଆଇନଷ୍ଟାଇନ ହସିବେ କ’ଣ, ଜିଭ ବାହାରକୁ କାଢ଼ି ନିଜ ନାପସନ୍ଦ ସୂଚାଇଲେ; ତେବେ ଜାଗ୍ରତ ସାସେଙ୍କ କ୍ୟାମେରାରେ ମୁହଁର ଏହି ବିରଳ ଚିତ୍ର କଏଦ ହୋଇଗଲା। ଅବଶ୍ୟ ଏହି ପୋଜ୍ ଦେଇ ଆଇନଷ୍ଟାଇନ ଫଟୋଗ୍ରାଫରଙ୍କ ଆଗ୍ରହକୁ ନଷ୍ଟବିନଷ୍ଟ କରିବାକୁ ଚାହୁଁଥିଲେ; କିନ୍ତୁ ଏହା ସେତେବେଳେ ପାଲଟିଗଲା ଏକ ମହାର୍ଘ ପ୍ରତୀକ (ଆଇକନ)।
ପ୍ରକାଶଥାଉ କି, ଉକ୍ତ ସମ୍ବାଦସଂସ୍ଥାର ସମ୍ପାଦକ ଏହି ଫଟୋ ପ୍ରକାଶ କରିବାକୁ ପ୍ରଥମେ ଦୋଦୋପାଞ୍ଚ ହୋଇଥିଲେ। ଯାହାହେଉ, ପ୍ରକାଶିତ ହେବାପରେ ଲୋକେ ମତ ଦେଲେ, ‘ନଟ୍ଟି ପ୍ରଫେସର’। ବାସ୍ତବିକ ୧୯ଜୁନ ୨୦୦୯ରେ ଏହା ଯେତେବେଳେ ନିଲାମ ହେଲା,ଏହାର ମୂଲ୍ୟ ଅପ୍ରତ୍ୟାଶିତ ଭାବେ ଆକାଶଛୁଆଁ ଦାମରେ ୭୪,୩୨୪ ଡଲାରରେ ବିକ୍ରି ହେଲା।
ଡଙ୍ଗା ସ୍ଥିର ହେଉ ବା ଗତିଶୀଳ, ପାଖରେ ପ୍ରସ୍ତୁତ ହୋଇ ରହିଥାଏ ଆଇନଷ୍ଟାଇନଙ୍କ ଟିପା-ଖାତା ନୂତନ ବୈଜ୍ଞାନିକ ଧାରଣାକୁ ସଂକ୍ଷିପ୍ତ ଭାେବ ଲିପିବଦ୍ଧ କରିବାକୁ। ପୋଷାକ ସୌଖୀନ, ରୁଚିସମ୍ମତ ନହୋଇ ଅବର୍ଜିଆ ହେଲେ ହୋଇଥାଉ, ତାହା ଧନ୍ୟ ହୋଇଯାଏ, କାରଣ ତାହା ଆଇନଷ୍ଟାଇନ୍ ପିନ୍ଧିଛନ୍ତି। (ପ୍ରକାଶଥାଉ କି, ଆଇନଷ୍ଟାଇନଙ୍କ ମନୋବୃତ୍ତି ସଦା ଗ୍ରେ-ଟି ସାର୍ଟ ପିନ୍ଧୁଥିବା ମାର୍କ ଜୁକରବର୍ଗ ଓ ସତତ ବ୍ଲାକ୍ ଟର୍ଟଲ-ନେକ୍ ଓ ବ୍ଲୁ ଜିନ୍ସ ପିନ୍ଧୁଥିବା ଷ୍ଟିଭ୍ ଜବ୍ସଙ୍କ ଠାରେ ମଧ୍ୟ ପରିଦୃଷ୍ଟ।) ସହାସ୍ୟ ବଦନରେ ଫଟୋ ପୋଜ୍ ନ ନେଇ, ଖତେଇ ହେବା ପରି ଆଲୋକଚିତ୍ର ହୋଇଯାଏ ଆଇକନିକ।
ଯିଏ ଅମଡ଼ାବାଟରେ ଯାଏ, ଲୋକେ ତାକୁ କଠୋର ହୋଇ ପାଗଳ ନ କହିଲେ ମଧ୍ୟ ଆଡ଼ବାୟା କହିପାରନ୍ତି; କିନ୍ତୁ ଏମାନେ ହିଁ ମାନବ ସଭ୍ୟତାକୁ ଆଗେଇନିଅନ୍ତି। ପାଗଳ ଓ ‘ଜିନିଅସ’ ମଧ୍ୟରେ ଯେଉଁ ପାଖାପାଖି ସମ୍ପର୍କ ରହିଛି, ଆର୍ଥର ସୋପେନହର(ଜର୍ମାନୀ ଦାର୍ଶନିକ, ୧୭୮୮-୧୮୬୦)ଙ୍କ ଉଦ୍ଧୃତିରୁ ଏହାର ସଙ୍କେତ ମିଳେ: ‘‘ପାଗଳାମିର ଉପର ମହଲାରେ ଜିନିଅସ (ଅସାଧାରଣ ସୃଜନୀ ବା ଧୀଶକ୍ତି ସଂପନ୍ନ ବ୍ୟକ୍ତି) ବାସ କରେ।’’ ଅମଡ଼ା ବାଟରେ ଚାଲୁଥିବା ଏହି ତଥାକଥିତ ପାଗଳମାନେ ଆମର ନମସ୍ୟ।


