ମଣିଷ ତିଆରି ଦୁର୍ଭିକ୍ଷ

ନଟବର ଷଡ଼ଙ୍ଗୀ

ମିଳିତ ଜାତିସଂଘ ଘୋଷଣା କରିଥିଲା, ‘୨୦୨୧ଠାରୁ ପୃଥିବୀରେ ଆଉ ଦୁର୍ଭିକ୍ଷ ଘଟିବାକୁ ଦିଆଯିବ ନାହିଁ।’ ଆଫ୍ରିକାର ସୋମାଲିଆରେ ୨୦୨୧ଠାରୁ ଭୟଙ୍କର ଦୁର୍ଭିକ୍ଷ। ୨୦୨୨ରେ ପୃଥିବୀରେ ୩୪.୫ କୋଟି ଲୋକ ଭୋକରେ ଆଉଟୁପାଉଟୁ ହେଉଛନ୍ତି। ୟୁକ୍ରେନ ଯୁଦ୍ଧ ଯୋଗୁଁ ଆଉ ୭ କୋଟି ଭୋକିଲା। ଖବର ପ୍ରକାଶ ପାଇଛି, ପ୍ରତି ୪ ସେକେଣ୍ଡରେ ପୃଥିବୀରେ ଜଣେ ଲୋକ ଭୋକରେ ମରୁଛି”। ‘ସମାଜ’(ଅକ୍ଟୋବର ୨୦, ୨୦୨୨) ରେ ପ୍ରକାଶ ପାଇଛି, ‘ପୃଥିବୀକୁ ଗ୍ରାସ କରିବ ଖାଦ୍ୟ ସଙ୍କଟ। ଭାରତ ମହାସାଗରରେ ଏଲ-ନିନୋର ପ୍ରଭାବରୁ ସୋମାଲିଆରେ ମରୁଡି। ଫଳତଃ ଦୁର୍ଭିକ୍ଷ। ସୋମାଲିଆରେ ୭.୧ ନିୟୁତ ଲୋକ ମୃତ୍ୟୁର ଦ୍ବାରଦେଶରେ।’ ବିଶ୍ବ ତାପନ ଓ ଜଳବାୟୁ ପରିବର୍ତ୍ତନ ଏହାର କାରଣ । ସୋମାଲିଆର ସ୍ଥିତି ଏତେ ଗମ୍ଭୀର ଯେ ସେଠାରେ ହାଡମାଳ ଶିଶୁମାନେ ହସିବା ତ ଦୂରର କଥା କାନ୍ଦି ବି ପାରୁନାହାନ୍ତି। ଅକ୍ଟୋବର ଶେଷ ସୁଦ୍ଧା ସେ ଦେଶରେ ୧୫ ଲକ୍ଷ ଶିଶୁ ମାରାତ୍ମକ ଅପପୁଷ୍ଟିର ଶିକାର ହେବେ। ୨୦୨୨ ବିଶ୍ବ କ୍ଷୁଧା ସୂଚକାଙ୍କରେ ଭାରତର ସ୍ଥାନ ୧୦୭ । ଆତ୍ମନିର୍ଭର ଭାରତର ନମୁନା ! ଆମ ପଡୋଶୀ ଦେଶଗୁଡ଼ିକର ସ୍ଥିତି ଆମଠାରୁ ଭଲ । ଭାରତୀୟ ଖାଦ୍ୟ ଭଣ୍ଡାରରେ ୩ ବର୍ଷ ପାଇଁ ଖାଦ୍ୟ ମହଜୁଦ ଥାଇ ଆମେ ଭୋକିଲା।

ମିଳିତ ଜାତିସଂଘ ଦୁର୍ଭିକ୍ଷର ୩ ଗୋଟି ଲକ୍ଷଣ ନିରୂପଣ କରିଛନ୍ତି । କୌଣସି ଦେଶରେ (୧)ସର୍ବନିମ୍ନ ୨୦% ପରିବାର ଉତ୍କଟ ଖାଦ୍ୟାଭାବ ଭୋଗୁଥିବେ (୨) ୩୦% ଶିଶୁ ଅତିମାତ୍ରାରେ ଅପପୁଷ୍ଟିର ଶିକାର ହୋଇଥିବେ। (୩) ପ୍ରତି ୧୦ହଜାର ଲୋକରେ ଦୈନିକ ୨ ବା ଅଧିକ ଲୋକ ଭୋକରେ ମରୁଥିବେ।
ଚାଣକ୍ୟ କହନ୍ତି “ଦୁର୍ଭିକ୍ଷ ଭଗବାନଙ୍କର ସୃଷ୍ଟି। ବ୍ରାହ୍ମଣଙ୍କୁ ଅସମ୍ମାନ କଲେ ଦେଶରେ ଦୁର୍ଭିକ୍ଷ ପଡେ । ଚାଣକ୍ୟ ରାଜାମାନଙ୍କ ଉ​‌େ​‌ଦ୍ଦଶ୍ୟରେ କହିଛନ୍ତି ଦୁର୍ଭିକ୍ଷ ସମୟରେ ସେମାନେ (୧) ପ୍ରଜାମାନଙ୍କୁ ବିହନ ଓ ଖାଦ୍ୟ ଯୋଗାଇବେ (୨) ରାଷ୍ଟ୍ରର ଖାଦ୍ୟ ଭଣ୍ଡାର ଭୋକିଲାଙ୍କ ପାଇଁ ଖୋଲିଦେବେ (୩) ଖାଦ୍ୟ ପାଇଁ କାମ ଆରମ୍ଭ କରିବେ (୪) ଅସାଧୁ କଳା ବଜାରୀ ଓ ଖାଦ୍ୟ ମହଜୁଦକାରୀଙ୍କଠାରୁ ଖାଦ୍ୟ ଭୋକିଲାଙ୍କୁ ବାଣ୍ଟିବେ।’’ (କୌଟିଲ୍ୟ ଅର୍ଥଶାସ୍ତ୍ର-ପୃ ୧୨୯)

ଦୁର୍ଭିକ୍ଷ ପାଇଁ ବର୍ଦ୍ଧିତ ଜନସଂଖ୍ୟାକୁ ଦାୟୀ କରାଯାଏ। ବିଶ୍ବ ଶାନ୍ତି ପ୍ରତିଷ୍ଠାନର ନି‌େ‌ର୍ଦ୍ଦଶକ ପ୍ରଫେସର ଆଲେକ୍ସ ଡି ଆଲ ‘ମାଲଥସ ଥିଓରି’କୁ ଅସ୍ବୀକାର କରନ୍ତି। ତାଙ୍କ ମତରେ ରାଷ୍ଟ୍ରର ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଦୁର୍ଭିକ୍ଷ ଘଟେ । ଯୁଦ୍ଧ, ଅସ୍ତ୍ର ବେପାର ଓ ବିସ୍ତାରବାଦୀ ମାନସିକତା ଦୁର୍ଭିକ୍ଷକୁ ନିମନ୍ତ୍ରଣ କରିଥାଏ । ଜନସଂଖ୍ୟା ବୃଦ୍ଧି ହାର ପୃଥିବୀସାରା ଏବେ କମୁଛି । ଚୀନରେ ଏକ ସନ୍ତାନ ପରିବାର ବଦଳି ଦୁଇ ସନ୍ତାନ ନୀତି ଆସିଲାଣି । ରୁଷିଆରେ ଅଧିକ ସନ୍ତାନ ଜନ୍ମଦେଲେ ମା’ମାନଙ୍କୁ ପ୍ରୋତ୍ସାହନ ମିଳୁଛି ।

ଖାଦ୍ୟ ଅଭାବରୁ ଦୁର୍ଭିକ୍ଷ, ଏହା ସତ୍ୟ ନୁହେଁ । ପୃଥିବୀର ବାର୍ଷିକ ଉତ୍ପାଦିତ ଖାଦ୍ୟ ପ୍ରତି ବ୍ୟକ୍ତିର ଦୈନିକ ଆବଶ୍ୟକତାର ଦେଢ ଗୁଣରୁ ଅଧିକ। (ଦି ଗ୍ଲୋବାଲ ଫୁଡ ଇକୋନୋମୀ: ଟୋନି ୱେସ) । ଅନ୍ୟ ଏକ ତଥ୍ୟ କହେ ‘ପୃଥିବୀରେ ବାର୍ଷିକ ଉତ୍ପାଦିତ ଖାଦ୍ୟରୁ ପ୍ରତି ବ୍ୟକ୍ତିକୁ ଦିନକୁ ୨ ପାଉଣ୍ଡ (୯୦୮ ଗ୍ରାମ) ମିଳିପାରିବ।’ ଦୁର୍ଭିକ୍ଷ ଘଟେ ନାହିଁ, ଶସ୍ୟ ବ୍ୟବସାୟ ଦୁର୍ଭିକ୍ଷ ତିଆରି କରେ । (ଫେମିନିଜ ଡୁ ନଟ୍‌ ଅକର, ଦେ ଆର ଅର୍ଗାନାଇଜ୍‌ଡ ବାଇ ଗ୍ରେନ ଟ୍ରେଡ଼; ‘ଦି ଅଦର ହାଫ୍‌ ଡାଇଜ: ସୁସାନ ଜର୍ଜ)। ପୃଥିବୀରେ ଉତ୍ପାଦିତ ଖାଦ୍ୟର ପ୍ରାୟ ୪୫% ମାଂସ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଓ ଜୈବିକ ଇନ୍ଧନ ଖାଇଯାଉଛନ୍ତି । କୁହାଯାଏ, ଜନସଂଖ୍ୟା ବୃଦ୍ଧି ଚାଷ ପାଇଁ ଅଧିକ ଜମି ଦରକାର କରୁଛି । ପୃଥିବୀରେ ଚାଷ ଉପଯୋଗୀ ଜମିର ଆୟତନ ୧୪୯୦୦ ନିୟୁତ ହେକ୍ଟର। ଏଥିରୁ ମାତ୍ର ୧୧.୬% ବା ୧୭୨୦ ନିୟୁତ ହେକ୍ଟର ଚାଷ ହେଉଛି । ଚାଷ ଜମିର ସିଂହ ଭାଗ କେତେକ ଧନିକ ଶ୍ରେଣୀ ଓ କମ୍ପାନୀ କବଜାରେ । ପୃଥିବୀରେ ୧୦ ଗୋଟି ବଡ ଫାର୍ମ ୨୬ ନିୟୁତ ହେକ୍ଟର ଜମିର ମାଲିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାର ପିଛା ୨ ହେକ୍ଟରରୁ କମ । ପୃଥିବୀର ଚାଷୀସଂଖ୍ୟାର ଏହି ଶ୍ରେଣୀ ୭୦%। ଏଇ ମାନେ ହିଁ ୮୦% ଖାଦ୍ୟ ଉତ୍ପାଦନ କରିଥାନ୍ତି। ଦୁର୍ଭିକ୍ଷରେ ଏଇ ଛୋଟ ଚାଷୀ ହିଁ ଭୋକରେ ମରିଥାନ୍ତି ! ରାଜ ପରିବାର, ଜମିଦାର, ମଠ, ଗୀର୍ଜା ଭଳି ଧର୍ମାନୁଷ୍ଠାନ, ଚାକିରିଆ ବା ସାଆନ୍ତମାନେ ଦୁର୍ଭିକ୍ଷରେ ମରିବାର ନଜିର ନାହିଁ।

ପୃଥିବୀର କେତୋଟି ବଡ ଦୁର୍ଭିକ୍ଷ ଓ ରାଷ୍ଟ୍ରର ଭୂମିକା: ଏକଦା ଇଜିପ୍ଟ ଦୁର୍ଭିକ୍ଷ ପ୍ରକୋପ ଏତେ ତୀବ୍ର ଥିଲା ଯେ ଭୋକିଲାମାନେ ଶବ ଓ ନିଜ ପିଲାଙ୍କୁ ମାରି ଖାଇଛନ୍ତି । ଦୁର୍ଭିକ୍ଷ ଯୋଗୁଁ ଇଜିପ୍ଟ ପୁରାତନ ସାମ୍ରାଜ୍ୟ ଭୁଶୁଡି ପଡିଲା । ୧୩୧୧ ଖ୍ରୀ .ଅ ଠାରୁ ଷୋଡଶ ଶତାବ୍ଦୀ ମଧ୍ୟରେ ଇଂଲଣ୍ଡ, ଫ୍ରାନ୍ସ, ନେଦରଲାଣ୍ଡ ଓ ରୁଷିଆରେ ଦୁର୍ଭିକ୍ଷ ଯୋଗୁଁ କୁଢ କୁଢ ଶବ ରାସ୍ତା ଘାଟରେ ପଡିଲା ଖାଦ୍ୟ ମୂଲ୍ୟ ୧୫୦%ରୁ ୨୫୦% ବଢିଗଲା । ଗୋ ମାଂସ ପାଗ କରିବାକୁ ଲୁଣ ଦରକାର । ଦୟାଳୁ ସରକାରମାନେ ଲୁଣ ଉପରେ ଟିକସ ବଢାଇଦେଲେ । ଲୁଣର ମୂଲ୍ୟ ୩୪୦ % ବଢିଗଲା। ରାଜା, ଚର୍ଚ୍ଚ ଓ ସାଆନ୍ତମାନେ ସେସବୁ ଦେଶରେ ୮୦% ଜମିର ମାଲିକ । ସେମାନେ ନିଜ ପାଇଁ ଖାଦ୍ୟ ମହଜୁଦ କରି ଭୋକିଲାକୁ ମରଣ ମୁହଁକୁ ଠେଲି ଦେଇଛନ୍ତି । ଭୋକିଲାମାନେ ମଲା ମଣିଷର, ନିଜ ପିଲାଙ୍କୁ ମାରି ମାଂସ ଖାଇଛନ୍ତି । ୟୁରୋପର ୫୦ଲକ୍ଷ ଲୋକ ଦୁର୍ଭିକ୍ଷରେ ମରିଛନ୍ତି ।
ଆୟରଲାଣ୍ଡରେ ୧୮୪୫ରୁ ୧୮୫୨ ‘ଆଳୁ ଦୁର୍ଭିକ୍ଷ’। ଅଧିକ ଫଳିବ କହି ସରକାର ଗୋଟିଏ କିସମ ଆଳୁ ବିହନ ଦେଶସାରା ଚାଷ କରାଇଲେ । ଫଙ୍ଗସ ଲାଗି ଆଳୁ ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଗଲା । ସେ ଦେଶରେ ଆଳୁ ପ୍ରଧାନ ଖାଦ୍ୟ । ଖାଦ୍ୟାଭାବରେ ୧୦ଲକ୍ଷ ଲୋକ ମରିଗଲେ । ଆଉ ୧୦ଲକ୍ଷ ଜୀବନ ରକ୍ଷା ପାଇଁ ଆମେରିକା ପଳାଇଲେ । ସରକାର, ଚର୍ଚ୍ଚ ବା ସାଆନ୍ତମାନେ ନିଜର ଖାଦ୍ୟ ରଖି ଦେଶବାସୀଙ୍କୁ ଚାହିଁଲେ ନାହିଁ।

ଚୀନରେ ଖ୍ରୀ.ପୂ ୧୦୮ ଠାରୁ୧୯୫୦ ପର୍ଯ୍ୟନ୍ତ ୨୦୦୦ରୁ ଅଧିକ ଦୁର୍ଭିକ୍ଷ ପଡିଛି । ୨୫ କୋଟି ଲୋକ ଟଳି ପଡିଛନ୍ତି । ରାଜତନ୍ତ୍ର ଏପରି ଦୁର୍ଗତି ସମୟରେ ମଧ୍ୟ ଚାଉଳ ରପ୍ତାନି କରିଛି । ଚୀନ ସରକାର ‘ଖାଦ୍ୟ ପ୍ରଥମ’ ନୀତି ଘୋଷଣା କରି ପୀତ ନଦୀରେ ଏକାଧିକ ଆନିକଟ ତିଆରିକଲେ । ଆଉ ବନ୍ୟା ନାହିଁ। ୧୯୭୨ ଚୀନରେ ଭୟଙ୍କର ମରୁଡି ପଡିଥିଲେ ମଧ୍ୟ ଦୁର୍ଭିକ୍ଷ ଘଟିନାହିଁ । ।

ଭାରତରେ ୧୭୫୭ ରୁ ୧୯୪୭ ଦୁଇଶହ ବର୍ଷ ଫିରିଙ୍ଗି ଶାସନ । ଇଷ୍ଟ ଇଣ୍ଡିଆ କମ୍ପାନୀ ଖାଦ୍ୟ ଶସ୍ୟ ବଦଳରେ ଅଫିମ, ନୀଳ, କପା, ଚା, କଫି, ସାଗୁଆନ ଓ ଧୂଆଁପତ୍ର ଭଳି ଅର୍ଥକରୀ ଫସଲ ଚାଷ କରାଇଲେ । ଖାଦ୍ୟ ଉତ୍ପାଦନ କମିଗଲା । ତଥାପି ବିଲାତକୁ ଖାଦ୍ୟ ରପ୍ତାନି ଜାରି ଥାଏ ।

୧୮୩୦ ରୁ ୧୮୮୦ । ବିହାର ଓ ଉତ୍ତର ପ୍ରଦେଶରେ ୨.୪୬ ଲକ୍ଷ ଏକର ଜମିରେ ଚାଷୀଙ୍କୁ ଚାବୁକ ମାଡଦେଇ ଖାଦ୍ୟଶସ୍ୟ ପରିବ​‌େ​‌ର୍ତ୍ତ କମ୍ପାନୀ ଅଫିମ ଚାଷ କରାଇଲା । ଚୀନ ଅଫିମ ବେପାର କଲା । ୧୮୭୩-୧୮୭୪ରେ ଭୟଙ୍କର ଦୁର୍ଭିକ୍ଷ । ମହାରାଷ୍ଟ୍ରର ବେରାର ଜିଲାରେ ୧୮୬୧ ଠାରୁ ୧୮୮୦ ମଧ୍ୟରେ ଇଂରେଜ ସରକାର ଖାଦ୍ୟ ଶସ୍ୟ ପରିବର୍ତ୍ତେ କପା ଚାଷ କରାଇଲା । ମାଞ୍ଚେଷ୍ଟର ଲୁଗା କଳକୁ କପା ରପ୍ତାନି ହେଲା । ବେରାରରେ ଖାଦ୍ୟ ସଙ୍କଟ ।

୧୮୭୭ ଏବଂ ୧୮୯୦ ମହାରାଷ୍ଟ୍ରର ଦୁର୍ଭିକ୍ଷରେ ୧.୯ କୋଟି ଚାଷୀ ଓ ଶ୍ରମିକଙ୍କର ଅନାହାରରେ ମୃତ୍ୟୁ । (ବ୍ରିଟିଶ ମେଡିକାଲ ଜର୍ଣ୍ଣାଲ ‘ଲାଂସେଟ’) । ୧୮୮୬ରେ ଅମରାବତୀ ଜିଲା ଗେଜେଟରେ ନେଲସନ ଉଲ୍ଲେଖ କରିଛନ୍ତି, ବେରାରରେ ଚାଷୀ କପା ନକରି ଖାଦ୍ୟଶସ୍ୟ ଚାଷ କରିଥିଲେ ଏଭଳି ଭୟାବହ ଦୁର୍ଭିକ୍ଷ ଘଟିନଥାନ୍ତା ।

୧୮୬୬ ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ। ବଙ୍ଗଳା ରେଭିନ୍ୟୁ ବୋର୍ଡର ଭୁଲ ଆକଳନ ଯୋଗୁଁ ୧୦ଲକ୍ଷ ଓଡ଼ିଆ ହା ଅନ୍ନ ହା ଅନ୍ନ ଚିତ୍କାର କରି ଟଳିପଡିଲେ। ଏଭଳି ଦୁର୍ଗତି ସମୟରେ ମଧ୍ୟ ଓଡ଼ିଶାରୁ ୨୦୦ ନିୟୁତ ପାଉଣ୍ଡ (ପ୍ରାୟ ୧୦ଲକ୍ଷ ଟନ) ଚାଉଳ ବିଲାତକୁ ରପ୍ତାନି ହୋଇଛି। ୧୯୪୩-୪୪ ବଙ୍ଗଳା ଦୁର୍ଭିକ୍ଷ । ୩୮ ଲକ୍ଷ ଚାଷୀ ମୂଲିଆ ଓ ଗରିବ ମରିଗଲେ । ସରକାର ୧୯୪୨ରେ ‘କ୍ୟାରିଓଭର ଷ୍ଟକ’ ପାଇଁ ଯଥେଷ୍ଟ ଖାଦ୍ୟ ସଂଗ୍ରହ କରି ନଥିଲେ । ​‌ଷ୍ଟେଟ୍‌ସ୍‌ମ୍ୟାନରେ ପ୍ରକାଶ ପାଇଲା “ବଙ୍ଗଳା ଦୁର୍ଭିକ୍ଷ ମଣିଷ ତିଆରି” । ବିଲାତର ଗାର୍ଡିୟାନ ଖବରକାଗଜ ପ୍ରକାଶ କଲା “ବେଙ୍ଗଲ ଫାମିନି ହରିବୁଲ ବିୟଣ୍ଡ ଡେସକ୍ରିପସନ”। ଦୁର୍ଭିକ୍ଷ ସତ୍ତ୍ୱେ ବଙ୍ଗଳାରୁ ୧୯୪୨ ଅପେକ୍ଷା ୧୯୪୩ରେ ଅଧିକ ଚାଉଳ ରପ୍ତାନି ହୋଇଛି । ଅଧିକ ଖଜଣା ଆଦାୟ ହୋଇଛି । ୧୯୪୩ ଦ୍ବିତୀୟ ବିଶ୍ବଯୁଦ୍ଧ । ଯୁଦ୍ଧଖୋର ଚର୍ଚ୍ଚିଲ ବିଲାତର ପ୍ରଧାନମନ୍ତ୍ରୀ। ବଙ୍ଗଳା ଗଭର୍ଣ୍ଣର ଓ ଭାଇସରାୟ ଅଧିକ ଖାଦ୍ୟ ଭାରତକୁ ପଠାଇବାକୁ ବିଲାତକୁ ଚିଠି କରିଛନ୍ତି । ଚର୍ଚ୍ଚିଲ ଭାରତକୁ “ନେଟିଭ” କହି ଘୃଣା କରୁଥିଲେ। ଖାଦ୍ୟ ନପଠାଇ ତାଚ୍ଛଲ୍ୟ କରି କହିଥିଲେ, ‘‘I Hate Indians. They are a beastly people with a beastly religion. The Famine is their own fault for breeding like rabbits’’। ଜମିଦାର ସାଆନ୍ତ,ବେପାରୀମାନେ ମୁନାଫା ପାଇଁ ଚାଉଳ ଲୁଚାଇ ରଖିଥିଲେ । ୧୯୪୨ ଡିସେମ୍ବରରେ ଚାଉଳ ମହଣ (ପ୍ରାୟ ୫୦ କିଲୋ) ଟ ୧୩.୦୦ ଥିଲା । ୧୯୪୩ ଅଗଷ୍ଟକୁ ଚାଉଳ ମୂଲ୍ୟ ୩୫୦ % ବଢିଗଲା (‘ପଭର୍ଟି ଆଣ୍ଡ ଫାମିନ’: ଅମର୍ତ୍ତ୍ୟ ସେନ)। ଏଥିରୁ ମାନବଜାତିର ଇତିହାସରେ ଦୁର୍ଭିକ୍ଷ କେଉଁଥିପାଇଁ ହେଉଛି, ତାହା ବୁଝିବା କଷ୍ଟ ନୁହେଁ।

Comments are closed.