ଭାରତୀୟ ଜଙ୍ଗଲରେ ଆଫ୍ରିକୀୟ ଚିତା

ବାଘ ରଡ଼ି ନିହାତି ମନୁଷ୍ୟ ମନରେ ଭୟ ସୃଷ୍ଟି କରିଥାଏ। କିଛି ବର୍ଷ ପୂର୍ବେ ବାଘ ରଡ଼ି ଶୁଣିବା ମାତ୍ରେ ଲୋକ ଭୟରେ ଥରହର ହୋଇ ତାଟିକବାଟ ବନ୍ଦ କରିବାକୁ ବାଧ୍ୟ ହେଉଥିଲେ। ଜଙ୍ଗଲରେ ବସବାସ କରୁଥିବା ଏହି ପ୍ରାଣୀଟି ଖାଦ୍ୟ ଶୃଙ୍ଖଳର ସର୍ବୋଚ୍ଚ ସ୍ଥାନରେ ଅବସ୍ଥିତ, ଯିଏ କି ମନୁଷ୍ୟ ଶିକାର କରିବା କ୍ଷମତା ମଧ୍ୟ ରଖିଥାଏ। କୁହାଯାଏ ଏହାର ଅନୁପସ୍ଥିତିରେ ଜଙ୍ଗଲ ଅବକ୍ଷୟ ଅତ୍ୟଧିକ ମାତ୍ରାରେ ବଢି ଚାଲିଲା। ଭାରତୀୟ ଜଙ୍ଗଲରେ ଚିତାବାଘର ପୁନଃ ଆବିର୍ଭାବ ପରିବେଶପ୍ରେମୀଙ୍କ ପାଇଁ ଅବଶ୍ୟ ଏକ ଉତ୍ସାହଜନକ ପଦକ୍ଷେପ। ତତ୍‌ସହିତ ଭାରତରେ ଜଙ୍ଗଲର ପୁନରୁଦ୍ଧାର ହେବା ସୁନିଶ୍ଚିତ ଯାହା କି ବର୍ତ୍ତମାନର ଭାରସାମ୍ୟହୀନ ପାଣିପାଗକୁ କିଛି ଅଂଶରେ ସୁଧାର ଆଣିବାରେ ନିଶ୍ଚୟ ସହାୟକ ହୋଇପାରିବ ବୋଲି ବିଶେଷଜ୍ଞ ମତ ରଖନ୍ତି।

ଚିତା ବାଘକୁ ବୈଜ୍ଞାନିକମାନେ ‘ଆସିନୋନିକ୍ସ ଯୁବାଟସ’ ନାମ ପ୍ରଦାନ କରିଥିବା ବେଳେ ଏହା ଏକ ବିରାଡ଼ି ପ୍ରଜାତିର ଜୀବ ବୋଲି ଜଣାଯାଏ। ଚିତା ବାଘର ସାଧାରଣ ଭାବେ ଆଫ୍ରିକୀୟ ମହାଦେଶ ତଥା କେନ୍ଦ୍ରୀୟ ଇରାନ ଦେଶରେ ଉତ୍ପତ୍ତି ବୋଲି କୁହାଯାଏ। ସାରା ବିଶ୍ୱରେ ମୋଟ ପାଞ୍ଚଟି ପ୍ରଜାତିର ଚିତା ଦେଖାଯାଉଥିବା ବେଳେ ପ୍ରମୁଖ ଦୁଇଟି ଏସୀୟ ଓ ଉତ୍ତର ପଶ୍ଚିମ ଆଫ୍ରିକୀୟ ହୋଇଥିବା ବେଳେ ଅନ୍ୟ ତିନିଟି ଦକ୍ଷିଣ ଆଫ୍ରିକା, ସୁଦାନ ଓ ତାଞ୍ଜାନିଆର। ଯଦିଚ ସମସ୍ତ ପ୍ରକାର ଚିତା ସଂଖ୍ୟା ବର୍ତ୍ତମାନ ଦ୍ରୁତ ଗତିରେ କମିବାରେ ଲାଗିଛି, ତନ୍ମଧ୍ୟରୁ ଏସୀୟ ଚିତା ପୃଥିବୀର ସବୁଠାରୁ ଏକ ବିରଳ ବିରାଡ଼ି ପ୍ରଜାତି। ଏହାର ସର୍ବାଧିକ ଓଜନ ୭୦ରୁ ୮୦ କିଲୋ ହୋଇଥିବା ବେଳେ ଏହା ୨।୫ ରୁ ୩।୫ ଫୁଟ ଉଚ୍ଚତା ବିଶିଷ୍ଟ ହୋଇଥାଏ। ଏହା ଅତ୍ୟନ୍ତ ତ୍ୱରିତ ଭାବେ ଅର୍ଥାତ୍‌ ମାତ୍ର ୨୦ ସେକେଣ୍ଡ ମଧ୍ୟରେ ଘଣ୍ଟା ପ୍ରତି ୮୦ ରୁ ୧୩୦ କିଲୋମିଟର ବେଗରେ ଦୌଡ଼ି ଶିକାର କରିବା କ୍ଷମତା ରଖିଥାଏ ଏବଂ ବିଶ୍ୱର ସର୍ବାଧିକ ଗତିରେ ଦୌଡ କ୍ଷମତାଧାରୀ ଜୀବମାନଙ୍କ ମଧ୍ୟରେ ଚିତା ପ୍ରଥମ ସ୍ଥାନର ଅଧିକାରୀ ଅଟେ। ଖାଲି ସେତିକି ନୁହେଁ ଏହା ପ୍ରାୟ ୨୧ରୁ ୨୪ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଲମ୍ଫ ମାରିବାରେ ସକ୍ଷମ।

prayash

୧୯୫୨ ମସିହାରେ ସରକାରୀ ଭାବେ ଭାରତରେ ଚିତା ଲୋପ ପାଇଯାଇଥିବା କୁହାଯାଇଥିଲା। ଏହି କାରଣରୁ ତତ୍କାଳୀନ ୟୁପିଏ ସରକାର ୨୦୦୮-୦୯ ମସିହାରେ ‘ଚିତା ପ୍ରକଳ୍ପ’କୁ ଅନୁମୋଦନ କରିଥିଲେ ଯାହାକୁ ଉଚ୍ଚତମ ନ୍ୟାୟାଳୟ ୨୦୧୩ରେ ରୋକ ଲଗାଇଥିବା ବେଳେ ୨୦୨୦ ମସିହାରେ ଏହି ପ୍ରକଳ୍ପକୁ ସବୁଜ ସଂକେତ ପ୍ରଦାନ କରିଥିଲେ। ଚିତା ପ୍ରକଳ୍ପ ୨୦୦୯ ମସିହାରେ ପ୍ରଥମେ ଭାରତୀୟ ସଂରକ୍ଷକଗଣ ଓ ଚିତା ସଂରକ୍ଷଣ ସଂସ୍ଥା, ନାମିବିୟାର ମିଳିତ ଉଦ୍ୟମ ଥିଲା ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଭାରତରେ କିପରି ଚିତାର ପୁନରୁଦ୍ଧାର କରାଯାଇପାରିବ। ଏହି କ୍ରମରେ ବନ୍ଧୁ ରାଷ୍ଟ୍ର ନାମିବିୟା ସହିତ ଭାରତ ସରକାର ବନ୍ୟପ୍ରାଣୀ ଅଦଳବଦଳ ରାଜିନାମା ସ୍ବାକ୍ଷର ପୂର୍ବକ ଚିତା ବାଘ ଆମଦାନୀ କରିବାକୁ ଜୁଲାଇ ୨୦୨୦ ମସିହାରେ ସ୍ବାକ୍ଷର କରିଥିଲେ। ଦୁଇଦିନ ତଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ତିଥିରେ ଏହାକୁ ସାକାର ରୂପ ଦିଆଯାଇଛି।

ଚିତା ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ପରସ୍ପର ସହ ସଂଶ୍ଳିଷ୍ଟ ଜୈବ ସମାଜ ଓ ଏହାର ପରିବେଶର ସୁରକ୍ଷା କରିବା। ଚିତା ଏକ ତୃଣଭୂମି ଜୈବ ସମାଜର ଉଚ୍ଚ ବର୍ଗର ଭକ୍ଷକ ଜୀବ ଭାବେ ଗଣା। ଯଦି ଏହାର ସୁରକ୍ଷା ହୋଇପାରିବ ତାହା ପରୋକ୍ଷରେ ବିଭିନ୍ନ ତୃଣଭୂମି ଜୈବ ସମାଜର ଅନ୍ୟାନ୍ୟ ବର୍ଗର ସଦସ୍ୟ ଜୀବମାନଙ୍କୁ ସଂରକ୍ଷଣ କରିବାରେ ସହାୟତା ଯୋଗାଇଦେବ। ଏକ ସୂତ୍ରରୁ ଉଦ୍ଧୃତ ଖବରରୁ ଜଣାଯାଏ ୧୯୪୭ ମସିହାରେ ସୁରଗୁଜା (ଆଜିର ଛତିଶଗଡ)ର ମହାରାଜା ରାମାନୁଜ ପ୍ରତାପ ସିଂ ଦେଓ ଶେଷ ତିନିଟି ଏସୀୟ ଚିତାକୁ ଶିକାର କରି ମାରିଦେଇଥିଲେ। ତା’ ସହିତ ଭାରତରେ ଚିତା ବଂଶ ବିଲୋପ ହୋଇଯାଇଥିଲା। ପ୍ରଥମ କିସ୍ତିରେ ନାମିବିୟାରୁ ଆସିଥିବା ଆଠଟି ଚିତାକୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ପରୀକ୍ଷା ମୂଳକ ଭାବେ ଛଡ଼ା ହୋଇଛି ଏବଂ ସେମାନଙ୍କ ଗତିବିଧି ଉପରେ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ପାଞ୍ଚ ବର୍ଷରେ ପର୍ଯ୍ୟାୟ କ୍ରମେ ୫୦ଟି ଚିତା ଭାରତୀୟ ଜଙ୍ଗଲରେ ପ୍ରବେଶ କରିବା ଲକ୍ଷ୍ୟରେ ଏହି ଯୋଜନା ହାତକୁ ନେଇଥିବା ବେଳେ ସରକାର ଏହା ମୁଖ୍ୟତଃ ଗୁଜରାଟ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶ ଭଳି ଜଙ୍ଗଲିଆ ସ୍ଥାନକୁ ସେମାନଙ୍କ ବିଚରଣ ଭୂଇଁ ଭାବେ ସ୍ଥିର କରିଛନ୍ତି। ଭାରତ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ଯେ ଏହି ପ୍ରକଳ୍ପ ପାଇଁ ସମୁଦାୟ ୯୮ କୋଟି ଟଙ୍କାର ଆବଶ୍ୟକତା ଆକଳନ କରାଯାଇଥିବାବେଳେ ପ୍ରଥମ ଦଫାରେ ଭାରତୀୟ ତୈଳ ନିଗମ ୫୦ କୋଟି ଟଙ୍କା ପ୍ରଦାନ କରିଛନ୍ତି।
ଚିତା ବିଦେଶରୁ ଭାରତକୁ ବା ଭାରତ ଜଳବାୟୁକୁ ପ୍ରବେଶ କରିବା ନୂଆ ହୋଇପାରେ; କିନ୍ତୁ ଜୈବିକ ବସ୍ତୁ ଆବହମାନ କାଳରୁ ବନ୍ଧୁ ରାଷ୍ଟ୍ର ମଧ୍ୟରେ ଜ୍ଞାନ କୌଶଳ ସହିତ ଆଦାନ ପ୍ରଦାନ ହେବା କିଛି ନୂଆ ବିଷୟ ନୁହେଁ। ଆଗରୁ ଅନେକ ଦେଶ ମଧ୍ୟରେ ଅନେକ ପ୍ରାଣୀ ଓ ବୃକ୍ଷଲତା ଆଦାନ ପ୍ରଦାନ ହେବା ସହିତ ସେମାନେ ସ୍ବଚ୍ଛନ୍ଦରେ ନୂତନ ଜଳବାୟୁକୁ ଆଦରି ନେଇଥିବାର ଅନେକ ନଜିର ରହିଛି। ଏପରି କି ଆମେ ଦେଖିଛେ ଭାରତରୁ ମନୁଷ୍ୟ ଅନେକ ବିପରୀତ ଓ ଭିନ୍ନ ଜଳବାୟୁ ବିଶିଷ୍ଟ ରାଷ୍ଟ୍ରରେ ଯାଇ ଅତି ଆରାମରେ ନିଜକୁ ଖାପ ଖୁଆଇ ଚଳି ପାରୁଛି। ସେହିପରି, ଚିତା ମଧ୍ୟ ଏକ ଜୀବ ଯାହାର କି ଜଳବାୟୁ ପରିବର୍ତ୍ତନକୁ ଆଦରି ନେବାର କ୍ଷମତା ଅଛି। ଏତିକି ଦେଖିବା କଥା, ଯେହେତୁ ସେମାନେ ଆଗନ୍ତୁକ, ତୁରନ୍ତ ସେହି ଅତିଥିମାନଙ୍କ ଉପରେ ଅଚାନକ ବାହ୍ୟ ସୂତ୍ରରୁ ବିପତ୍ତି ନ ପଡିବା ଦରକାର। ଅବଶ୍ୟ, ସରକାର ଏ ବାବଦରେ ଅନେକ ପଦକ୍ଷେପ ନେବା ସହିତ କୁନୋ ଜାତୀୟ ଉଦ୍ୟାନରେ ଅଧିକାରୀମାନଙ୍କ ସ୍ୱତନ୍ତ୍ର ତାଲିମ ସହିତ ଆନୁଷଙ୍ଗିକ ସୁବ୍ୟବସ୍ଥା କରିବା ସହିତ ଜନତାଙ୍କ ବିଶେଷ ସୂଚନା ନିମନ୍ତେ ସ୍ଥାନୀୟ ଯୁବ ବର୍ଗକୁ ସାମିଲ କରି ଚିତାମିତ୍ରମାନଙ୍କୁ ନିଯୁକ୍ତ କରିଛନ୍ତି ଏବଂ ଏହି ପ୍ରକଳ୍ପ ପାଇଁ ଏକ ସ୍ଥାନୀୟ ଶୁଭ ବସ୍ତୁ (ମାସକଟ) ଭାବେ ‘ଚିଣ୍ଟୁ ଚିତା’କୁ ପ୍ରଣୟନ କରିଛନ୍ତି। ଜଙ୍ଗଲ ସୁରକ୍ଷିତ ରହିଲେ ଜଳବାୟୁ ପରିବର୍ତ୍ତନକୁ ରୋକାଯାଇ ପାରିବ, ଫଳରେ ମନୁଷ୍ୟ ଶାନ୍ତିରେ ବସବାସ କରିପାରିବ।

kalyan agarbati

Comments are closed.