ଜଙ୍ଗଲ ଉପରେ ବିକାଶ ଚାବୁକ

ପ୍ରକୃତିର ନୈସର୍ଗିକ ସୌନ୍ଦର୍ଯ୍ୟ, ଅନବଦ୍ୟ ସୃଷ୍ଟି ଏବଂ ଚମତ୍କାରିତାର ଏକ ଶ୍ରେଷ୍ଠ ନିଦର୍ଶନ ହେଉଛି ଅରଣ୍ୟ। ଏହାର ସବୁଜିମାର ଭଣ୍ଡାର, ନିଃଶବ୍ଦ ଓ ଶାନ୍ତ ବାତାବରଣ, ପଶୁପକ୍ଷୀଙ୍କର ଗୁଞ୍ଜରଣ, ଝରଣାର କୁଳୁକୁଳୁ ନାଦ, ବୃକ୍ଷଲତା ଏବଂ ଜୀବଜନ୍ତୁଙ୍କର ପ୍ରାଚୁର୍ଯ୍ୟ ଯେତିକି ଆକର୍ଷଣୀୟ, ମାନବୀୟ କଳ୍ପନାକୁ ଆନ୍ଦୋଳିତ ଏବଂ ଇନ୍ଦ୍ରିୟାନୁଭୂତିକୁ ଉନ୍ମାଦିତ କରିବାର ଭୂମିକା ସେତିକି ଅନନ୍ୟ। ଜଙ୍ଗଲ କେବଳ ବିବିଧ ବୃକ୍ଷଲତାମାନଙ୍କର ଏକ ସମାହାର ନୁହେଁ, ତା’ଠାରୁ ଯଥେଷ୍ଟ ଅଧିକ। ଏକ ଚଳଚଞ୍ଚଳ, ଜୀବନ୍ତ ପରିସଂସ୍ଥା ରୂପେ ଏହାର କାର୍ଯ୍ୟକାରିତା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ତଥା ଏହାର ପରିବେଶୀୟ ଗୁରୁତ୍ୱ ଅବର୍ଣ୍ଣନୀୟ। ବହୁବିଧ ଦ୍ରବ୍ୟ ଓ ସେବା ପ୍ରଦାନର ଏକ ବିଶାଳ ପ୍ରାକୃତିକ ଉତ୍ସ ହେଉଛି ଜଙ୍ଗଲ। ଏହା ସ୍ଥଳଭାଗର ପ୍ରାୟ ଅଶୀ ଶତାଂଶ ପ୍ରାଣୀ, ଉଦ୍ଭିଦ ଏବଂ ଅଣୁଜୀବଙ୍କର ବାସସ୍ଥଳୀ ଏବଂ ସେମାନଙ୍କ ଆବଶ୍ୟକତା ପୂରଣର ସମ୍ବଳ ଭଣ୍ଡାର। ବିଶ୍ୱସ୍ତରରେ ପ୍ରାୟ ୧୬୦ କୋଟି ଅଧିବାସୀଙ୍କର ଜୀବନ, ଜୀବିକା, ସଂସ୍କୃତି ଏବଂ ପରମ୍ପରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଙ୍ଗଲ ପରିସଂସ୍ଥା ସହ ଓତପ୍ରୋତ ଭାବରେ ଜଡିତ। ଅମ୍ଳଜାନ ପ୍ରଦାନ; ବାୟୁ ବିଶୁଦ୍ଧୀକରଣ; ତାପମାତ୍ରା, ବୃଷ୍ଟିପାତ ଓ ଜଳଚକ୍ର ନିୟନ୍ତ୍ରଣ; ମୃତ୍ତିକା ସଂରକ୍ଷଣ; ଭୂତଳ ଜଳର ପୁନଃଭରଣା; ପୋଷକ ପୁନଃଚକ୍ରଣ; ଅଙ୍ଗାରକ ଗଚ୍ଛିତକରଣ; ଜୀବଜାତିମାନଙ୍କୁ ବାସସ୍ଥଳୀ ପ୍ରଦାନ ଇତ୍ୟାଦି ସେବାଦାନ ତଥା ଫଳ, ପୁଷ୍ପ, ଇନ୍ଧନ, କାଷ୍ଠ, ଔଷଧୀୟ ଉପାଦାନ, ବିବିଧ ଲଘୁଜାତ ଦ୍ରବ୍ୟ, ଜଙ୍ଗଲ ଭିତ୍ତିକ ଶିଳ୍ପ ନିମନ୍ତେ କଞ୍ଚାମାଲ ଏବଂ ଅନ୍ୟାନ୍ୟ ବହୁବିଧ ଦ୍ରବ୍ୟ ଉପଲବ୍ଧ ହେବାର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ହେଉଛି ଜଙ୍ଗଲ। ପୃଥିବୀର ପ୍ରାକୃତିକ ସନ୍ତୁଳନ ଏବଂ ଜୀବନର ନିରନ୍ତରତା ବଜାୟ ରଖିବାରେ ଏହା ରକ୍ଷାକବଚର ଭୂମିକା ନିର୍ବାହ କରେ। ଏ ସମସ୍ତ ଦୃଷ୍ଟିରୁ ଜଙ୍ଗଲ ଏକ ରାଷ୍ଟ୍ରର ଦୁର୍ମୂଲ୍ୟ ପ୍ରାକୃତିକ ସମ୍ପଦ ରୂପେ ବିବେଚିତ ହୁଏ।

ତେବେ, ସାମ୍ପ୍ରତିକ ପରିସ୍ଥିତିରେ ଜଙ୍ଗଲ ମାନବୀୟ ଉପଭୋଗ ଏବଂ ବସ୍ତୁ ଅବଶ୍ୟକତା ପୂରଣର ଶ୍ରେଷ୍ଠ ଭଣ୍ଡାର ପାଲଟିଛି। ଅସହନୀୟ ବିକାଶ ପ୍ରକ୍ରିୟାର ବିନାଶକାରୀ ପ୍ରଭାବରେ ଏହା ଅବକ୍ଷୟିତ ହୋଇଚାଲିଛି ଏବଂ ଏହାର ପରିସଂସ୍ଥୀୟ ମୂଲ୍ୟାୟନରେ ଅବନତି ଘଟୁଛି। ଖଣିଖାଦାନ ଉତ୍ତୋଳନ, ଶିଳ୍ପାୟନର ପ୍ରସାରଣ, ରାଜପଥ ଓ ରେଳପଥର ବିସ୍ତାର, ମାନବ ବସତି ସ୍ଥାପନ, କୃଷିକ୍ଷେତ୍ରର ସମ୍ପ୍ରସାରଣ, ସହରୀକରଣ, ବୃକ୍ଷଛେଦନ, ବନାଗ୍ନି ଇତ୍ୟାଦି ପ୍ରତ୍ୟେକ କାର୍ଯ୍ୟରେ ଜଙ୍ଗଲ ପରିସଂସ୍ଥାର ପ୍ରଭୂତ କ୍ଷତିସାଧନ ହେଉଛି। ନିକଟରେ ୟୁରୋପ ଏବଂ ଆମେରିକାରେ ସଂଘଟିତ ହୋଇଥିବା ବନାଗ୍ନି ପରି ଘଟଣା କ୍ରମଶଃ ପୃଥିବୀର ବିଭିନ୍ନ ପ୍ରାନ୍ତରେ ବାରମ୍ବାର ଘଟୁଛି ଏବଂ ଭୟଙ୍କର ରୂପ ଧାରଣ କରୁଛି। ଓଡ଼ିଶାରେ ୨୦୨୧ର ଜଙ୍ଗଲ ଅଗ୍ନିକାଣ୍ଡ ଘଟଣା ସମଗ୍ର ଦେଶରେ ସର୍ବାଧିକ ସ୍ତରରେ ପହଞ୍ଚି ନୂତନ ରେକର୍ଡ଼ ସ୍ଥାପନ କରିଥିଲା। ଏ ସବୁର ପରିଣାମରେ ବନାଞ୍ଚଳ ଖଣ୍ଡ ବିଖଣ୍ଡିତ, ଆକାର ସଂକୁଚିତ, ଜୈବବିବିଧତାରେ ହ୍ରାସ ଏବଂ ଗୁଣାତ୍ମକ ମାନରେ କ୍ରମ ଅବନତି ଘଟିଚାଲିଛି। ବିଶ୍ୱ ସ୍ତରରେ ୨୦୧୫ ରୁ ୨୦୨୦ ମଧ୍ୟରେ ବିଭିନ୍ନ କାରଣରୁ ଜଙ୍ଗଲ ନଷ୍ଟ ହେବାର ବାର୍ଷିକ ହାର ପ୍ରାୟ ଏକ କୋଟି ହେକ୍ଟର ବୋଲି ଆକଳିତ ହୋଇଛି। ସାମାଜିକ ଓ ଅର୍ଥନୈତିକ ଉନ୍ନୟନ ପ୍ରକ୍ରିୟାରେ ପରିବେଶୀୟ ଦୃଷ୍ଟିକୋଣକୁ ଆବଶ୍ୟକ ଗୁରୁତ୍ବ ପ୍ରଦାନ ହେଉ ନଥିବାରୁ ଏସବୁ ଅସନ୍ତୁଳିତ ଓ ତ୍ରୁଟିପୂର୍ଣ୍ଣ ରୂପେ ପ୍ରତିପାଦିତ ହେଉଛି। ଅନ୍ୟ ପକ୍ଷରେ, ଜଙ୍ଗଲ ସ୍ଥାନୀୟ ତଥା ବିଶ୍ୱ ଜଳବାୟୁକୁ ନିୟନ୍ତ୍ରିତ କରୁଥିବା ବେଳେ ସମ୍ପ୍ରତି ସବୁଜଗୃହ ବାଷ୍ପର ଅତ୍ୟଧିକ ନିର୍ଗମନ କାରଣରୁ ପୃଥିବୀର ତାପମାତ୍ରାର ବୃଦ୍ଧି ଏବଂ ତଜ୍ଜନିତ ଜଳବାୟୁର ପରିବର୍ତ୍ତନ ଜଙ୍ଗଲ ପରିସଂସ୍ଥା ଉପରେ ନକାରାତ୍ମକ ପ୍ରଭାବ ବିସ୍ତାର କରୁଛି। ଅତଏବ, ଜଙ୍ଗଲ ସମ୍ପଦ ଏବେ ବହୁବିଧ ଚାପ ଓ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇ ସଙ୍କଟାପନ୍ନ ଦିଗରେ ଗତି କରୁଛି। ଯଦି ଜଙ୍ଗଲ ଧ୍ବଂସ ପ୍ରକ୍ରିୟା ପ୍ରତିବନ୍ଧିତ ନହୁଏ, ତେବେ ଏହାର ସେବା ଓ ଦ୍ରବ୍ୟ ପ୍ରଦାନର ନିରନ୍ତରତା ବାଧାପ୍ରାପ୍ତ ଏବଂ କାର୍ଯ୍ୟକାରିତା ପ୍ରଭାବିତ ହେବ। ସ୍ଥାନୀୟ ବୃକ୍ଷରାଜି ବିନଷ୍ଟ ହେଲେ, ନିର୍ଭରଶୀଳ ଜନଜାତି, ସେମାନଙ୍କର ଜୀବନଶୈଳୀ, ପରମ୍ପରା, ଖାଦ୍ୟ ନିରାପତ୍ତା, ଔଷଧୀୟ ଉତ୍ସ ଇତ୍ୟାଦି ଗଭୀର ଭାବେ ପ୍ରଭାବିତ ଏବଂ ଜୀବଜନ୍ତୁଙ୍କର ବିଲୁପ୍ତି ପ୍ରକ୍ରିୟା ଅଧିକ ତ୍ୱରାନ୍ବିତ ହେବ।

ବିସ୍ଫୋରିତ ବିଶ୍ୱ ଜନସଂଖ୍ୟାର ବର୍ଦ୍ଧିତ ଚାପ ଜଙ୍ଗଲ ପରିସଂସ୍ଥାରେ ଅସ୍ଥିରତା ସୃଷ୍ଟିର କାରଣ ପାଲଟିଛି। ପରିଣାମରେ ପୃଥିବୀର ମୂଳ ଜଙ୍ଗଲ ପରିସଂସ୍ଥାର ପ୍ରାୟ ୮୦ ପ୍ରତିଶତ ଏ ପର୍ଯ୍ୟନ୍ତ ମାନବୀୟ କାର୍ଯ୍ୟ ପ୍ରଭାବରେ ଲୋପ ପାଇଲାଣି ବୋଲି ଏକ ନୂତନ ଅନୁଧ୍ୟାନରୁ ପ୍ରକାଶ। ଅନ୍ୟ ଏକ ଗବେଷଣା ସୂଚାଏ ଯେ ବିଗତ ୧୨,୦୦୦ ବର୍ଷ ମଧ୍ୟରେ ବିଶ୍ୱର ପ୍ରାୟ ୪୬ ପ୍ରତିଶତ ବୃକ୍ଷ ଲୋପ ପାଇଛନ୍ତି ଏବଂ ପ୍ରତିବର୍ଷ ପ୍ରାୟ ୧୫୦୦ କୋଟି ଗଛ କଟାଯାଉଛି। ସମ୍ପ୍ରତି ସ୍ଥଳଭାଗର ପ୍ରାୟ ୩୧ ଭାଗ ଜଙ୍ଗଲ ଦ୍ୱାରା ଆବୃତ ରହିଛି, ଯାହା କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ବିଶ୍ୱର ଅର୍ଦ୍ଧାଧିକ ଜଙ୍ଗଲ ପାଞ୍ଚଟି ରାଷ୍ଟ୍ର – ରୁଷିଆ, ବ୍ରାଜିଲ୍, କାନାଡ଼ା, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଚାଇନାରେ ତଥା ଦୁଇ-ତୃତୀୟାଂଶ ଜଙ୍ଗଲ ଭାରତ ସହିତ ଦଶଟି ରାଷ୍ଟ୍ରରେ ଉପଲବ୍ଧ ଅଛି। ବୈଜ୍ଞାନିକ ସିଦ୍ଧାନ୍ତ ଅନୁଯାୟୀ ପୃଥିବୀର ସର୍ବନିମ୍ନ ୩୩ ଶତାଂଶ ଅଞ୍ଚଳ ହିଁ ଜଙ୍ଗଲାବୃତ ହେବା ବାଞ୍ଛନୀୟ। ଭାରତର ଜଙ୍ଗଲାବସ୍ଥା ରିପୋର୍ଟ ୨୦୨୧ ଅନୁଯାୟୀ ଦେଶର ଜଙ୍ଗଲାଞ୍ଚଳ ସହ ବୃକ୍ଷ ଆଚ୍ଛାଦିତ ଅଞ୍ଚଳ ଏକତ୍ର ସମଗ୍ର ଭୌଗୋଳିକ କ୍ଷେତ୍ରର ୨୪.୬୨ ଶତାଂଶ ଏବଂ କେବଳ ଜଙ୍ଗଲାଞ୍ଚଳ ହେଉଛି ୨୧.୭୧ ଶତାଂଶ। ସୌଭାଗ୍ୟବଶତଃ, ଓଡିଶା ହେଉଛି ଏକ ଆଶୀର୍ବାଦପ୍ରାପ୍ତ ରାଜ୍ୟ ଯେଉଁଠି ଜଙ୍ଗଲର ପରିମାଣ ରାଜ୍ୟ ଆୟତନର ପ୍ରାୟ ୩୩.୫ ଶତାଂଶ। ବିଗତ ଛଅ ଦଶନ୍ଧିରେ ବିଶ୍ୱର ବ୍ୟକ୍ତି ପିଛା ଉପଲବ୍ଧ ଜଙ୍ଗଲ କ୍ଷେତ୍ରର ପରିମାଣରେ ୬୦ ଶତାଂଶ ହ୍ରାସ ଘଟିଛି, ଯାହା ମୁଖ୍ୟତଃ ବିକାଶ ପ୍ରକ୍ରିୟାର ନକାରାତ୍ମକ ପ୍ରଭାବକୁ ପ୍ରତିଫଳିତ କରୁଛି। ଏହା ଜଙ୍ଗଲ ଉପରେ ନିର୍ଭରଶୀଳ ୧୬୦ କୋଟି ଦାରିଦ୍ର୍ୟ ପ୍ରପୀଡ଼ିତ ଜନତାଙ୍କ ଜୀବନଜୀବିକା ନିର୍ବାହ ଉପରେ ପ୍ରତିକୂଳ ପ୍ରଭାବ ବିସ୍ତାର କରିବା ସହ ଜୈବବିବିଧତାର ଭବିଷ୍ୟତକୁ ବିପଦାପନ୍ନ କରୁଛି।

ସମ୍ପ୍ରତି ଜୀବାଶ୍ମ ଇନ୍ଧନ ଏବଂ ଅନ୍ୟାନ୍ୟ ଉତ୍ସରୁ ସବୁଜଗୃହ ବାଷ୍ପସବୁର ଅତ୍ୟଧିକ ନିର୍ଗମନ ବିଶ୍ୱତାପନ ଏବଂ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର, ଆହ୍ବାନକାରୀ ପରିବେଶୀୟ ସମସ୍ୟା ସୃଷ୍ଟିର କାରକ ସାଜିଛି, ଯାହା ବର୍ଦ୍ଧିତ ପ୍ରାକୃତିକ ବିପର୍ଯ୍ୟୟର କାରଣ ପାଲଟିଛି। ଘଟୁଥିବା ଭୟଙ୍କର ବନାଗ୍ନି ପ୍ରକ୍ରିୟାରେ ଜଙ୍ଗଲର ବିଶାଳ ଅଙ୍ଗାରକ ଭଣ୍ଡାରରେ ଗଚ୍ଛିତ ସବୁଜଗୃହ ଗ୍ୟାସ୍ ଅଧିକ ପରିମାଣରେ ମୁକ୍ତ ହୋଇ ପୃଥିବୀକୁ ଆହୁରି ଉତ୍ତପ୍ତ କରୁଛି। ସମୁଦ୍ର ଉପକୂଳାଞ୍ଚଳମାନଙ୍କରେ ଅଧିକ ବିପର୍ଯ୍ୟୟ ସଂଘଟିତ ହେଉଥିଲା ବେଳେ ହେନ୍ତାଳ ବନର ଅବକ୍ଷୟ ଏସବୁକୁ ପ୍ରତିହତ କରିବାରେ ସକ୍ଷମ ହେଉନାହିଁ। ବନ୍ଦର, ଶିଳ୍ପାୟନ, ବ୍ୟାବସାୟିକ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ସ୍ଥାପନ ତଥା ମାନବୀୟ ଚାପ ଫଳରେ ପୃଥିବୀର ପ୍ରାୟ ୫୦ ଭାଗ ହେନ୍ତାଳ ବନ ଅବକ୍ଷୟିତ ବା ଧ୍ବଂସପ୍ରାପ୍ତ ହେଲାଣି। ଏପରି ପୃଷ୍ଠଭୂମିରେ ଆଗାମୀ ଦିନରେ ସମୁଦ୍ର ପତ୍ତନର ବୃଦ୍ଧି, ସାମୁଦ୍ରିକ ଝଡ଼ବାତ୍ୟା, ଜୁଆରିଆ ଜଳର କୂଳଲଙ୍ଘନ ଏବଂ ଉପକୂଳ ଅବକ୍ଷୟ ପରି ପ୍ରକ୍ରିୟା ଅଧିକ ପ୍ରଳୟଙ୍କରୀ ସାଧିତ ହେବ।

ବ୍ରାଜିଲର ଆମାଜନ୍ ଅଞ୍ଚଳରେ ବର୍ଷା ଜଙ୍ଗଲ ଧ୍ବଂସପ୍ରାପ୍ତ ହେବା ସମ୍ପ୍ରତି ରେକର୍ଡ ସୃଷ୍ଟି କରିଛି, ଯେଉଁଠାରେ ଏବେ ୧,୭୮୮ ପ୍ରଜାତିର ବୃକ୍ଷ ବିପଦାପନ୍ନ ଅବସ୍ଥାରେ ଅଛନ୍ତି। ଆଧୁନିକ ଇତିହାସର ସର୍ବାଧିକ ଭୟଙ୍କର ବନ୍ୟଜନ୍ତୁ ବିପର୍ଯ୍ୟୟ ହେଉଛି ଅଷ୍ଟ୍ରେଲିଆରେ ୨୦୨୦ରେ ଘଟିଥିବା ବନାଗ୍ନି, ଯେଉଁଥିରେ ପ୍ରାୟ ୩୦୦ କୋଟି ପ୍ରାଣୀ ମୃତ୍ୟୁର ଶିକାର ଅଥବା ବିସ୍ଥାପିତ ହୋଇଥିଲେ। ବୃକ୍ଷ-ପ୍ରଜାତିର ବିବିଧତା ପାଇଁ ବିଶ୍ୱର ଶ୍ରେଷ୍ଠ ଛଅଟି ଦେଶରେ ହଜାର ହଜାର ପ୍ରକାରର ଗଛ ବିଲୁପ୍ତ ହେବାର ଆଶଙ୍କାରେ ରହିଛନ୍ତି, ଯେଉଁଥିରେ ପ୍ରଥମେ ବ୍ରାଜିଲ ଏବଂ ତାପରେ ଇଣ୍ଡୋନେସିଆ, ମାଲେସିଆ, ଚୀନ୍, କଲମ୍ବିଆ ଏବଂ ଭେନେଜୁଏଲା ରହିଛନ୍ତି। ଏହାର ପ୍ରଚ୍ଛଦରେ ରହିଛି ଅନ୍ୟ କାରଣ ସହ ଗୋପାଳନ ଓ ମାଂସ ବ୍ୟବସାୟ, କୃଷିକ୍ଷେତ୍ରର ସମ୍ପ୍ରସାରଣ, ଜଙ୍ଗଲଜାତ ଦ୍ରବ୍ୟର ଚାହିଦା ଏବଂ କାଷ୍ଠଗଣ୍ଡି ରପ୍ତାନିରେ ବହୁଳ ବୃଦ୍ଧି। ଖଣ୍ଡ ବିଖଣ୍ଡିତ ଜଙ୍ଗଲାଞ୍ଚଳକୁ ପୁଣି ଚଲାପଥ (କରିଡୋର୍) ସ୍ଥାପନ ମାଧ୍ୟମରେ ସଂଯୁକ୍ତ କରାଗଲେ ବନ୍ୟଜନ୍ତୁଙ୍କର ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ମୁକ୍ତ ଯାତାୟାତ ପୁନଃସ୍ଥାପିତ ହୋଇପାରିବ।

ଆଧୁନିକ ସଭ୍ୟତାର ଆଲୋକରେ ମଦମତ୍ତ ମଣିଷ ଜଙ୍ଗଲ ସମ୍ପଦର ଅଧିକତର ବିନାଶ ସାଧନ ଦିଗରେ ଅଗ୍ରସର ହେବା ଆମ ନିର୍ବୋଧତାର ଶ୍ରେଷ୍ଠ ଦୃଷ୍ଟାନ୍ତ ହେବ। ଅତଏବ, ଉନ୍ନୟନ ପ୍ରକ୍ରିୟାର ବିନାଶକାରୀ ପ୍ରଭାବକୁ ପ୍ରତିହତ କରି ଜଙ୍ଗଲ ପରି ଏକ ପ୍ରମୁଖ ପ୍ରାକୃତିକ ସମ୍ପଦର ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ପ୍ରଦାନ କରିବା ଏବଂ ଏଥିରୁ ପ୍ରାପ୍ତ ହିତର ପ୍ରବାହ ଆଗାମୀ ପିଢ଼ିମାନଙ୍କୁ ଉପଲବ୍ଧ ହେବାର ଆହ୍ୱାନ ପ୍ରତି ମାନବଜାତି ସଂକଳ୍ପବଦ୍ଧ ହେବା ବାଞ୍ଛନୀୟ। ପୁନଶ୍ଚ, ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ପରି ସବୁଜଗୃହ ବାଷ୍ପର ହ୍ରାସ ନ ଘଟାଇ ବିଶ୍ୱ ତାପମାତ୍ରା ବୃଦ୍ଧିକୁ ନିୟନ୍ତ୍ରଣ କରିବା ନିମନ୍ତେ ସମ୍ପ୍ରତି ଉଭୟ ଜଙ୍ଗଲାଞ୍ଚଳ ଏବଂ ମୃତ୍ତିକାରେ ଅଙ୍ଗାରକ ଗଚ୍ଛିତକରଣ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି। ଏହା ଚାରାରୋପଣ ଏବଂ ଜଙ୍ଗଲ ପୁନଃସ୍ଥାପନ ଦ୍ୱାରା ହାସଲ ହେଉଛି, ଯାହା ବିଶ୍ୱ ସ୍ତରରେ କାର୍ବନ୍ କ୍ରେଡିଟ୍ କ୍ରୟବିକ୍ରୟ ରୂପେ ଖ୍ୟାତ। ପରିବେଶ ବିଜ୍ଞାନୀମାନେ ଦୃଢ଼ ମତପୋଷଣ କରିଛନ୍ତି ଯେ ଚାରାରୋପଣ ସବୁଜିମାରେ ବୃଦ୍ଧି ଘଟାଏ ସତ; କିନ୍ତୁ ଏହା କଦାଚିତ୍ ଅରଣ୍ୟର ପ୍ରତିସ୍ଥାପନ ନୁହେଁ। ତେଣୁ ପ୍ରାକୃତିକ ଜଙ୍ଗଲର ସୁରକ୍ଷା, ଅବକ୍ଷୟିତ ଜଙ୍ଗଲର ପୁନରୁଦ୍ଧାର ଏବଂ ଜଙ୍ଗଲାଞ୍ଚଳର ବୃଦ୍ଧି ନିମନ୍ତେ ବଳିଷ୍ଠ ପଦକ୍ଷେପ ଗ୍ରହଣ ଏକାନ୍ତ ଅପରିହାର୍ଯ୍ୟ।

ଇଂଲଣ୍ଡର ଗ୍ଲାସଗୋରେ ୨୦୨୧ର ଜାତିସଂଘ ଜଳବାୟୁ ସମ୍ମିଳନୀ (କପ୍ ୨୬) ଅବସରରେ ଶତାଧିକ ବିଶ୍ୱ ନେତୃବର୍ଗ ୨୦୩୦ ସୁଦ୍ଧା ଜଙ୍ଗଲ ନଷ୍ଟ ହେବାକୁ ସମାପ୍ତ ଓ ବିପରୀତମୁଖୀ କରିବାର ପ୍ରତିଶ୍ରୁତି ଦେଇଛନ୍ତି। ଏଥି ସହ ଉତ୍ସର୍ଗିତ ରହିଛି ୧୯.୨ ବିଲିୟନ ଡଲାରର ସରକାରୀ ଓ ବେସରକାରୀ ପାଣ୍ଠି, ଯାହା ପ୍ରକୃତିର ସୁରକ୍ଷା ନିମନ୍ତେ ହେଉଛି ଏକ ମହତ୍ତ୍ୱପୂର୍ଣ୍ଣ ପ୍ରତିବଦ୍ଧତା। ପରିବେଶୀୟ, ସାମାଜିକ ଏବଂ ଅର୍ଥନୈତିକ ଲକ୍ଷ୍ୟ ମଧ୍ୟରେ ସନ୍ତୁଳନ ସ୍ଥାପନ ହେଲେ ପରିବେଶୀୟ ସୁସ୍ଥତା, ସମୃଦ୍ଧତା ଏବଂ ସ୍ଥିରତା ହାସଲ ବାସ୍ତବତାର ରୂପ ନେବ। ଜଳବାୟୁ ପରିବର୍ତ୍ତନକୁ ପ୍ରତିରୋଧ କରି ନିରନ୍ତର ବିକାଶ ମାର୍ଗରେ ମାନବ କଲ୍ୟାଣ ଓ ଜୀବଜଗତର ଭବିଷ୍ୟତ ସୁରକ୍ଷାକୁ ସୁନିଶ୍ଟିତ କରିବା ଆମର କାମନା ହେଉ।

Comments are closed.