ସ୍ମରଣୀୟା ମନୋରମା

ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ

ପ୍ରତିବର୍ଷ ଦୁର୍ଗାପୂଜା ସମୟରେ ନିମନ୍ତ୍ରଣଟିଏ ନିଶ୍ଚୟ ଆସିବ। ଟେଲିଫୋନରେ ମାତୃସୁଲଭ ଭାଷାରେ ନିର୍ଦେଶ ଆସିବ ‘ବାପା, ଆଜି ମୋ ଘରେ ମା’ଙ୍କର ନବମୀପୂଜା, ତୁମେ ନିଶ୍ଚୟ ପ୍ରସାଦସେବନ କରିବାକୁ ଆସିବ, ମୁଁ ଅପେକ୍ଷା କରିଥିବି’। ସେ ସ୍ନେହବୋଳା ଆଦେଶକୁ ଏଡ଼ାଇ ହୁଏନା, ସବୁ ବ୍ୟସ୍ତତା ଓ କାମ ଭିତରେ ତାଙ୍କ ଘରକୁ ଯିବାକୁ ପଡ଼ିଥାଏ, ଆଉ ସେ ଅପେକ୍ଷା କରିଥାନ୍ତି।

ମନୋରମା ମହାପାତ୍ରଙ୍କର ପରିଚୟ ଦେବା ଏକ ଧୃଷ୍ଟତା ମାତ୍ର। ସେଦିନ ତାଙ୍କ କଟକ କନିକା ରୋଡ଼ର ‘ପଦାରବିନ୍ଦ ନିଳୟ’ ନିକଟରେ ନାହିଁ ନ ଥିବା ଭିଡ଼। ତାଙ୍କର ଶେଷ ଦର୍ଶନ ପାଇଁ ଜନତାଙ୍କ ସୁଅ ଛୁଟିଛି। ଭିଡ଼ ଏଡ଼ାଇ ଫୁଲ ମାଳଟିଏ ତାଙ୍କ ନିଶ୍ଚଳ ଶରୀରରେ ଦେଇ ଦୁଇ ଟୋପା ଅଶ୍ରୁତର୍ପଣ କରି ବାହାରକୁ ଆସି ଦଣ୍ଡେ ଛଡ଼ା ହେଲି। ମନକୁ ପ୍ରଶ୍ନ ଆସିଲା, ସେ ତ ନେତା, ମନ୍ତ୍ରୀ କି ବଡ଼ ପଦପଦବୀରେ ନାହାନ୍ତି, ତଥାପି ସମାଜର ବିଭିନ୍ନ ବର୍ଗରୁ ଲୋକେ ଏତେ ସଂଖ୍ୟାରେ ତାଙ୍କ ଶେଷ ଦର୍ଶନ ପାଇଁ ଛୁଟିଛନ୍ତି କାହିଁକି ? ସେ ପ୍ରଶ୍ନର ଠିକ୍‍ ଉତ୍ତର ମୁଁ ହଠାତ୍‍ ପାଇ ନ ଥିଲି।

ମନୋରମା ଦେବୀ ତାଙ୍କର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ ଅଧ୍ୟାପନାରୁ ବହୁ ବିଳମ୍ବରେ। ଚାରିଟି ସନ୍ତାନର ମା’ ହେବା ପରେ ସେ କଲେଜରେ ପାଠ ପଢ଼଼଼ିଲେ। ତା’ପରେ ଅଧ୍ୟାପିକା ହେଲେ। ସେ ଜୀବନ ଥିଲା ସ୍ୱଳ୍ପ କାଳ। ଦଶ ବାର ବର୍ଷର ସରକାରୀ ଅଧ୍ୟାପିକା ଚାକିରି ଛାଡ଼ି ସେ ନିଜର ପିତା ପ୍ରଥିତଯଶା ସାମ୍ବାଦିକ ଜନନାୟକ ଓ ‘ସମାଜ’ର ସଂପାଦକ ରାଧାନାଥ ରଥଙ୍କ ନିର୍ଦେଶରେ ଲୋକସେବକ ମଣ୍ଡଳରେ ଯୋଗ ଦେଲେ ଏବଂ ପରେ ‘ସମାଜ’ର ସହଯୋଗୀ ସଂପାଦିକା ଭାବେ ଦାୟିତ୍ୱ ନିର୍ବାହ କଲେ। ତାଙ୍କ ସ୍ୱାମୀ ଥିଲେ ଓଡ଼ିଶାର ପ୍ରଧାନ ମୁଖ୍ୟ ବନସଂରକ୍ଷକ ପଦାରବିନ୍ଦ ମହାପାତ୍ର। ଅବସର ପରେ ସେ ‘ସମାଜ’ର ଅବୈତନିକ ମୁଖ୍ୟ ପରିଚାଳକ ଭାବେ ସେତେବେଳକୁ ଯୋଗ ଦେଇ ସାରିଥାନ୍ତି। ଦୁଇ ପ୍ରାଣୀ ଅବଶିଷ୍ଟ ଜୀବନ ଜନସେବାରେ କଟାଇବାକୁ ନିଷ୍ପତ୍ତି ନେଇ ‘ସମାଜ’ ସହିତ ସଂପୃକ୍ତ ହୁଅନ୍ତି। ଅଳ୍ପଦିନ ପରେ ତାଙ୍କ ସ୍ୱାମୀଙ୍କ ଅକାଳ ବିୟୋଗରେ ସେ ଭାଙ୍ଗି ପଡ଼ିବା ସତ୍ତ୍ବେ ନିଜର ଦୃଢ଼ ଇଚ୍ଛାଶକ୍ତି ବଳରେ ‘ସମାଜ’ର କାର୍ଯ୍ୟକାରୀ ସଂପାଦକ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ହୁଏ। ତା’ ଭିତରେ ସେ ଆଉ ପଛକୁ ଚାହିଁନାହାନ୍ତି।

ତାଙ୍କର ଜୀବନ ଥିଲା ବହୁମୁଖୀ। ଏହି ବହୁମୁଖିତା ପଛରେ ଥିଲା ତାଙ୍କର ଅଦମ୍ୟ ପ୍ରେରଣା, ପ୍ରଚଣ୍ଡ ଅଧ୍ୟବସାୟ, କର୍ତ୍ତବ୍ୟନିଷ୍ଠା ଓ ସମସ୍ତଙ୍କୁ ନେଇ, ସଭିଙ୍କ ସହିତ ସଂପର୍କ ରଖି ଆଗକୁ ବଢ଼଼଼ିବାର ଦୁର୍ବାର ସଂଗ୍ରାମ। ଅନେକ ଘାତ ପ୍ରତିଘାତ ସେ ସହିଛନ୍ତି, କିନ୍ତୁ ହାରି ନାହାନ୍ତି। ସାହିତ୍ୟ, ଜନସେବା, ସାମ୍ବାଦିକତା, ଆଧ୍ୟାତ୍ମିକତା, ଲୋକ ସଂପର୍କ ରକ୍ଷା, ଅଧ୍ୟାପନା – ସବୁ ଦାୟିତ୍ୱ ସେ ଅତ୍ୟନ୍ତ ନିଖୁଣ ଭାବେ ସଂପାଦନ କରିପାରିଛନ୍ତି। ତାଙ୍କର ସ୍ୱର ଥିଲା ସୁଲଳିତ, ସ୍ମରଣଶକ୍ତି ଥିଲା ଅବିଶ୍ୱସନୀୟ। ସଭା ସମିତିରେ ସେ ଅନର୍ଗଳ ଘଣ୍ଟା ଘଣ୍ଟା ଭାଷଣ ଦେଇ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରି ରଖୁଥିଲେ। ଓଡ଼ିଶାର କୋଣ ଅନୁକୋଣରେ ସେ ଓଡ଼ିଆ ସାଂସ୍କୃତିକ ଓ ଆଧ୍ୟାତ୍ମିକ ବିଚାରକୁ ପହଞ୍ଚାଇବାରେ ଏକ ଯଥାର୍ଥ ‘ଚାରଣ’ର ଭୂମିକା ନିର୍ବାହ କରିଥିଲେ। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଧାରା ବିବରଣୀ ହେଉ ଅଥବା ଓଡ଼ିଆ ସାହିତ୍ୟର ପ୍ରଚାର, ସବୁଠି ସେ ଥିଲେ ଅଗ୍ରଗଣ୍ୟା ଏବଂ ଲୋକପ୍ରିୟ।

ସେ ଉତ୍କଳ ସାହିତ୍ୟ ସମାଜର ସଂପାଦିକା, ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଭାପତି ପଦ ଅଳଙ୍କୃତ କରିଛନ୍ତି। ଶିଶୁଙ୍କ ପାଇ ମନଛୁଆଁ ଗପ, କବିତା ଲେଖିବା ସହ ଓଡ଼ିଆ ସାହିତ୍ୟକୁ ନାନା ମତେ ଅବଦାନ ଯୋଗାଇଛନ୍ତି। ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର, ସୋଭିଏତ ଲ୍ୟାଣ୍ଡ ନେହେରୁ ଆୱାର୍ଡ଼ଠାରୁ ଆରମ୍ଭ କରି ସେବା, ସାହିତ୍ୟ, ସଂସ୍କୃତି, ସମାଜସେବା ଆଦି ବିଭିନ୍ନ କ୍ଷେତ୍ରରେ ଅନେକ ପୁରସ୍କାର ସେ ପାଇଛନ୍ତି। ନାରୀମାନଙ୍କୁ ସଂଗଠିତ କରିବାକୁ ସେ ନାରୀସେବା ସଂଘର ନେତୃତ୍ୱ ନେଇଛନ୍ତି। ଅନାଥ ଓ ଗରିବ ପିଲାଙ୍କ ପାଇଁ ସ୍କୁଲ ପ୍ରତିଷ୍ଠା, ଦୁଃସ୍ଥଲୋକଙ୍କୁ ନିଜସ୍ୱ ଆୟରୁ ସହାୟତା ପ୍ରଦାନ, ମହିଳାଙ୍କ ସୁରକ୍ଷା ଓ ବିକାଶ ପାଇଁ ସ୍ୱର ଉତ୍ତୋଳନ ଏବଂ ବିଭିନ୍ନ କାମ କରିବା, ପରିବେଶ ସୁରକ୍ଷା ଆଦି ବିଭିନ୍ନ କ୍ଷେତ୍ରରେ ସେ ତାଙ୍କର ସ୍ୱାକ୍ଷର ଛାଡ଼ି ଯାଇଛନ୍ତି। ଲୋକସେବକ ଯୁବମଣ୍ଡଳ ଗଢ଼ି ତାହା ମାଧ୍ୟମରେ ସେ ସମାଜସେବା କାମ ପାରୁପର୍ଯ୍ୟନ୍ତ କରିଛନ୍ତି। ‘ସମାଜ’କୁ ଏକ ନୂଆ ରୂପ ଦେବାରେ ତାଙ୍କ ଅବଦାନ ଭୁଲିବାର ନୁହେଁ।

ତାଙ୍କ ସାହିତ୍ୟରେ ବାମାବାଦୀ ଚେତନା ସ୍ପଷ୍ଟ। ନାରୀର ଅଧିକାର, ମୁକ୍ତି, ସଶକ୍ତୀକରଣ ଓ ବିକାଶ ଥିଲା ତାଙ୍କ ନାରୀବାଦୀ ସାହିତ୍ୟର ବାର୍ତ୍ତା। ସେ ନାରୀର ଅସହାୟତାକୁ ଏଡ଼ାଇବାକୁ କେବଳ ଗୁରୁତ୍ୱ ଦେଇନାହାନ୍ତି, ଏଥିପାଇଁ ସଂଗ୍ରାମର ସ୍ୱର ମଧ୍ୟ ଉତ୍ତୋଳନ କରିଛନ୍ତି। ପୁରୁଷ ପ୍ରଧାନ ସମାଜ ବିରୋଧରେ ଲଢ଼େଇ କରିବାକୁ ମଧ୍ୟ ବ୍ୟକ୍ତିଗତ ଜୀବନରେ ପଶ୍ଚାଦ୍‍ପଦ ହୋଇନାହାନ୍ତି। ସେଥିପାଇଁ ରମାଦେବୀ ବିଶ୍ୱବିଦ୍ୟାଳୟରୁ ତାଙ୍କୁ ସମ୍ମାନଜନକ ଡ଼କ୍ଟରେଟ୍‍ ଉପାଧିରେ ଭୂଷିତ କରାଯାଇଥିଲା। ତାଙ୍କର ଲୋକପ୍ରିୟତା ପଛରେ ଥିଲା ତାଙ୍କର ବ୍ୟକ୍ତିଗତ ସଂପର୍କ ରକ୍ଷା, ନିଷ୍କପଟ ଭଲ ପାଇବା ଏବଂ ସମାବେଶୀ ଆଭିମୁଖ୍ୟ। ବିଭୁଚେତନାରେ ଉଦ୍‍ବୁଦ୍ଧ ହୋଇ ସେ ସେବାକୁ ଏକ ବ୍ରତ ଭାବେ ଗ୍ରହଣ କରିଥିଲେ। ସେଥିରେ ଜାତି-ଅଜାତି, ଧନୀ-ନିର୍ଦ୍ଧନ, ସାନବଡ଼ର ସ୍ଥାନ ନ ଥିଲା।

ଶେଷ ପରିଣତ ବୟସରେ ପ୍ରଭୁ ମର୍ତ୍ତ୍ୟର ଏହି ପାରିଜାତ ଜଣକୁ ତାଙ୍କ ନନ୍ଦନକାନନକୁ ନେଇଗଲେ। ତାଙ୍କ ବିୟୋଗ କଟକ ଓ ଓଡ଼ିଶାର ଜନଜୀବନରେ ଯେଉଁ ବିରାଟ ଶୂନ୍ୟତା ସୃଷ୍ଟି କରିଛି ତାହା ଅପୂରଣୀୟ। ସେ ଥିଲେ ମୋର ପ୍ରେରଣାର ଉତ୍ସ। ତାଙ୍କ ସେବା, ତ୍ୟାଗ, ମେଧା ଓ ପରାକାଷ୍ଠା ଯୁବ ପିଢ଼ିକୁ ପ୍ରେରଣା ଦେଉ। ସେହି ମହୀୟସୀଙ୍କୁ ମୋର କୋଟି କୋଟି ପ୍ରଣାମ।

 

Comments are closed.