ଦୋମୁହାଁକୁ ସାବଧାନ

ଗୋଗ୍ରା-ହଟ୍‌ସ୍ପ୍ରିଙ୍ଗ୍‌ ଅଞ୍ଚଳରୁ ସୈନ୍ୟ ଅପସାରଣ ପାଇଁ ରାଜି ହୋଇଥିଲେ ହେଁ ଚୀନକୁ ସହଜରେ ବିଶ୍ବାସ କରାଯାଇ ପାରେନା

ଶେଷରେ ଭାରତ ଓ ଚୀନର ଉଚ୍ଚ ସେନାଧିକାରୀଙ୍କ ଆଲୋଚନା ସଫଳ ହୋଇଛି ଏବଂ ବିବାଦୀୟ ଗୋଗ୍ରା-ହଟ୍‌ସ୍ପ୍ରିଙ୍ଗ୍‌ ଅଞ୍ଚଳରୁ ଉଭୟ ପକ୍ଷ ସୈନିକ ଅପସାରଣ କରିଛନ୍ତି। ସେଠାରେ ଥିବା ଅସ୍ଥାୟୀ ନିର୍ମାଣଗୁଡ଼ିକୁ ଧ୍ବସ୍ତ କରାଯାଇ ପୂର୍ବସ୍ଥିତି ବାହାଲ କରାଯିବ ବୋଲି ରାଜିନାମା ହୋଇଛି। ଭାରତର କୂଟନୀତି ନିର୍ଦିଷ୍ଟ ଭାବେ ଏ ପ୍ରସଙ୍ଗରେ ସଫଳ ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ଗତ ପ୍ରାୟ ଦୁଇବର୍ଷ ଧରି ଲଦାଖର ଏହି ଅଞ୍ଚଳରେ ଉଭୟ ଦେଶ ମଧ୍ୟରେ ମୁହାଁମୁହିଁ ସ୍ଥିତି ଲାଗି ରହିଥିଲା। ପ୍ରକୃତରେ ବାସ୍ତବ ନିୟନ୍ତ୍ରଣ ରେଖା(ଏଲ୍‌ଏସି) ନେଇ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଦ୍ବିପାକ୍ଷିକ ଚୁକ୍ତିର ଉଲ୍ଲଙ୍ଘନ ପୂର୍ବକ ଚୀନସେନା ବାରମ୍ବାର ଭାରତ-ତିବ୍ବତ ସୀମା ନିକଟସ୍ଥ ଲଦାଖ ଭିତରକୁ ପଶିବାର ଅପଚେଷ୍ଟା କରିଆସିଛି। ୨୦୧୩, ୨୦୧୪ ଓ ୨୦୧୭ ମସିହାରେ ଏଥିପାଇଁ ଉଭୟ ଦେଶ ମଧ୍ୟରେ ବିବାଦ ଦେଖାଦେଇଥିଲା। ୨୦୨୦ ଜୁନ‌େ​‌ର ଗଲ୍‌ୱାନ ଉପତ୍ୟକାରେ ପାଞ୍ଚ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଉଭୟ ଦେଶର ସୈନିକଙ୍କ ଭିତରେ ରକ୍ତାକ୍ତ ସଂଘର୍ଷ ହେଲା ଏବଂ ଦ୍ବିପାକ୍ଷିକ ସମ୍ବନ୍ଧକୁ ଅଧିକ ତିକ୍ତ କରିପକାଇଲା। ଏହା ପରଠାରୁ କୌଣସି ନା କୌଣସି ପ୍ରସଙ୍ଗ ନେଇ ଉଭୟ ଦେଶ ମଧ୍ୟରେ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଛି।

prayash

ଚୀନକୁ ତା’ ଭାଷାରେ ଜବାବ ଦେବାପାଇଁ ଭାରତ ପକ୍ଷରୁ ଇତିମଧ୍ୟରେ କେତେକ ଆର୍ଥିକ କଟକଣା ଜାରି କରାଯାଇଛି। ଭାରତ ଏହାଦ୍ବାରା ଦର୍ଶାଇବାକୁ ଚାହିଁଛି ଯେ ଚୀନ ସହିତ ତା’ର ସମ୍ପର୍କ ଆଉ ପୂର୍ବଭଳି ନାହିଁ ଏବଂ ସମ୍ବନ୍ଧକୁ ସ୍ବାଭାବିକ କରିବାକୁ ହେଲେ ତାକୁ ସୀମାରେ ମଧ୍ୟ ସ୍ବାଭାବିକତା ଫେରାଇ ଆଣିବାପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ପଡ଼ିବ। ତେବେ ଚୀନ ସର୍ବଦା ଭାରତର କଥାକୁ ଅଣଦେଖା କରିବା ସହ ଓଲଟା ଅଭିଯୋଗ ବାଢ଼ିଛି ଯେ ଭାରତ ସୀମା ବିବାଦକୁ ବଢ଼ାଇଚଢ଼ାଇ ଉପସ୍ଥାପନ କରୁଛି; ବରଂ ତା’ ବଦଳରେ ଦ୍ବିପାକ୍ଷିକ ସମ୍ପର୍କକୁ ମଜଭୁତ କରିବାକୁ ଚେଷ୍ଟା କରିବା ଉଚିତ। ଭାରତ ବାରମ୍ବାର ଏହାକୁ ଅସ୍ବୀକାର କରିବା ସହ ଚୀନର ଦୋଷତ୍ରୁଟିକୁ ଚିହ୍ନାଇ ଦେଇଛି। କେବଳ ରାଜନୈତିକ ଚାପ ନୁହେଁ, ସାମରିକ ସ୍ତରର ଆଲୋଚନା ଦ୍ବାରା ଦ୍ବିପାକ୍ଷିକ ସମ୍ପର୍କକୁ ସ୍ବାଭାବିକ କରିବାକୁ ଭାରତ ଚେଷ୍ଟା କରିଆସିଛି। ଚୀନ ପ୍ରକୃତରେ ଭାରତର କେତେକ ପଦକ୍ଷେପ ନେଇ ଆଶଙ୍କିତ। ମଝିମଝିରେ ଆମେରିକା ସହିତ ସାମରିକ ସହଯୋଗଭିତ୍ତିକ ଆଲୋଚନା ଏବଂ ଅଷ୍ଟ୍ରେଲିଆ, ଜାପାନ ଓ ଆମେରିକା ରହିଥିବା ଚତୁର୍ଦେଶୀୟ ‘କ୍ବାଡ’ ସମ୍ମିଳନୀରେ ଭାରତର ଗୁରୁତ୍ବ ବୃଦ୍ଧି ଚୀନ ପାଇଁ ଚିନ୍ତାର କାରଣ ହୋଇଛି। ସେ ଭାରତକୁ ପଡ଼ୋଶୀ ଦେଶଙ୍କ ଜରିଆରେ ଘେରିବାକୁ ଚାହୁଥିଲେ ହେଁ ଆନ୍ତର୍ଜାତିକ ସ୍ତରରେ ଭାରତର ଭାବମୂର୍ତ୍ତିକୁ ଦେଖି ସେପରି ବଡ଼ ପଦକ୍ଷେପ ନେବାରୁ ନିବୃତ୍ତ ରହୁଛି ସତ; କିନ୍ତୁ ବେଳେବେଳେ ଦୁଷ୍ଟାମି ଦେଖାଇବାକୁ ଭୁଲୁନାହିଁ। ଏହି କାରଣରୁ ଏବେ ଗୋଗ୍ରା-ହଟ୍‌ସ୍ପ୍ରିଙ୍ଗ୍‌ ଅଞ୍ଚଳରୁ ସୈନ୍ୟ ଅପସାରଣ ପାଇଁ ରାଜି ହୋଇଥିଲେ ହେଁ ତାକୁ ବିଶ୍ବାସକୁ ନେବା କଠିନ। ସମସ୍ୟାର ପ୍ରକୃତ ସମାଧାନ ହେଲା ବୋଲି ସେତେବେ​‌େ​‌ଳ ହିଁ କୁହାଯିବ ଯେତେବେଳେ ସେହି ଅଞ୍ଚଳରୁ ଉଭୟ ଦେଶର ସୈନ୍ୟ କେବଳ ହଟିବେ ନାହିଁ, ସେମାନେ ନିଜନିଜ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିବେ। ଏବେ ସେପରି ହେଉନାହିଁ। ଯାହା ଜଣାପଡ଼ିଛି, ସେମାନେ ଅଳ୍ପ କେଇ କିଲୋମିଟର ଘୁଞ୍ଚିଯିବେ ଏବଂ ସେଠାରେ ସୈନ୍ୟଛାଉଣି କରି ରହିବେ। ତେଣୁ ଏହା ଯେ ଏକ ଅସ୍ଥାୟୀ ବ୍ୟବସ୍ଥା, ତାହା କହିବା ବାହୁଲ୍ୟ ମାତ୍ର।

ସେହିପରି କେବଳ ଏହି ଗୋଟିଏ ସ୍ଥାନ ନୁହେଁ, ଲଦାଖର ଆଉ ଦୁଇଟି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଉଭୟ ଦେଶର ସୈନ୍ୟ ମୁହଁାମୁହିଁ ଅବସ୍ଥାରେ ରହିଛନ୍ତି; ତାହା ହେଲା ଉତ୍ତରର ଡେପ୍‌ସାଙ୍ଗ୍ ଏବଂ ଦକ୍ଷିଣର ଡେମୋଚୋକ୍‌ ଉପତ୍ୟକା। କେବଳ ସେତିକି ନୁହେଁ, ଏବେ ଚୀନ ଭାରତ ସୀମାକୁ ଲାଗି ରହିଥିବା ତିବ୍ବତରେ ଅତ୍ୟାଧୁନିକ ସାଜସରଞ୍ଜାମ ସହିତ ସାମରିକ ଶକ୍ତି ବୃଦ୍ଧି କରୁଛି ଏବଂ ଘର, ରାସ୍ତା ଆଦି ନିର୍ମାଣ କରିଚାଲିଛି। ତେଣୁ ଭାରତ ପାଇଁ ସେହି ପଟୁ ଅଧିକ ବିପଦ ଆଶଙ୍କା ସୃଷ୍ଟି ହେଲାଣି। ଅତଏବ ଚୀନର ଦୋମୁହଁା ନୀତି ନେଇ ଯେ ଅଧିକ ସତର୍କତା ଲୋଡ଼ା, ତାହା କହିବା ନିଷ୍ପ୍ରୟୋଜନ। ଦୁଇ ଦିନ ପରେ ଆସନ୍ତା ୧୫ ଓ ୧୬ ତାରିଖରେ ଉଜ୍‌ବେକିସ୍ତାନର ସମରକନ୍ଦରେ ଅନୁଷ୍ଠିତ ହେବାକୁ ଯାଉଛି ସାଙ୍ଘାଇ କୋପରେସନ ଅର୍ଗାନାଇଜେସନ (ଏସ୍‌ସିଓ) ସମ୍ମିଳନୀ। ଏଥିରେ ଅନ୍ୟ ନେତୃବୃନ୍ଦଙ୍କ ସମେତ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେଠାରେ ଗୋଗ୍ରା-ହଟ୍‌ସ୍ପ୍ରିଙ୍ଗ୍‌ରୁ ସୈନ୍ୟ ଅପସାରଣ ପରେ ଉଭୟଙ୍କ ମଧ୍ୟରେ ପୁନର୍ବାର ରାଜନୈତିକ ଆଲୋଚନା ଆରମ୍ଭ କରିବାର ଅବକାଶ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ଜିନ୍‌ପିଙ୍ଗ୍‌ଙ୍କ ସହିତ ବିଚାରବିମର୍ଶର ଦ୍ବାରକୁ ଉନ୍ମୁକ୍ତ ରଖିବା ଉଚିତ, ଯେପରି କି ଦ୍ବିପାକ୍ଷିକ ସମ୍ବନ୍ଧ ସ୍ବାଭାବିକ ହେବାପାଇଁ ଭାରତ ନିଜ ରଣନୀତିର ରୂପରେଖ ପ୍ରସ୍ତୁତ କରିପାରିବ ଏବଂ ଚୀନ ମଧ୍ୟ ଦୋଷ ଦେବାକୁ ସୁଯୋଗ ପାଇବ ନାହିଁ।

kalyan agarbati

Comments are closed.