ଭେଜାଲ ଖାଦ୍ୟର ଦୁନିଆ

ଆଧୁନିକ ବୈଷୟିକ ଜ୍ଞାନରେ ବଳୀୟାନ ହୋଇ ମଣିଷ ଆଗକୁ ବଢ଼ି ଚାଲିଛି। ହେଲେ ଆଧୁନିକ ଜ୍ଞାନକୌଶଳରେ ଯେତେ ବଳୀୟାନ ହେଲେ ମଧ୍ୟ ତାକୁ ଜୀବନଧାରଣ ପାଇଁ ସୁଷମ ଖାଦ୍ୟର ଆବଶ୍ୟକତା ରହିଛି। ଯେତେେଳେ ମାତୃଗର୍ଭରେ ଭ୍ରୂଣଟିଏ ସଞ୍ଚରିତ ହୁଏ, ତାକୁ ଅଙ୍କୁରିତ ହେବାପାଇଁ ମଧ୍ୟ ଖାଦ୍ୟର ଆବଶ୍ୟକତା ଥାଏ। ଭ୍ରୂଣରୁ ବିକଶିତ ଶିଶୁଟିଏ ହେବାକୁ ସେ ଉପଯୁକ୍ତ ଖାଦ୍ୟ ଉପରେ ନିର୍ଭର କରିଥାଏ। ସେଇଥିପାଇଁ ତ ଗର୍ଭବତୀ ମହିଳାଙ୍କ ଖାଦ୍ୟପେୟ ନେଇ ଅନେକ ସତର୍କତା ଅବଲମ୍ବନ କରିବାକୁ ପଡେ। ଉପଯୁକ୍ତ ଶୁଦ୍ଧ ଖାଦ୍ୟ ବିନା ଶରୀର ତଥା ମସ୍ତିଷ୍କର ବିକାଶ ଅସମ୍ଭବ। କିନ୍ତୁ ଥରେ ଚିନ୍ତା କରନ୍ତୁ ତ ଯଦି ଗର୍ଭସ୍ଥ ଶିଶୁଟି ପାଖକୁ ବିଷାକ୍ତ ଭେଜାଲ ଖାଦ୍ୟ ପହଞ୍ଚେ ତେବେ କେମିତି ଶିଶୁଟିଏ ଭୂମିଷ୍ଠ ହେବ? ଏକ ବିକୃତ ତଥା ବିକଳାଙ୍ଗ ଶିଶୁଟିଏ ମଧ୍ୟ ଜନ୍ମ ନେଇପାରେ, ଯିଏ ସମଗ୍ର ପରିବାର, ସଂସାର ତଥା ନିଜପାଇଁ ମଧ୍ୟ ଅଭିଶପ୍ତ ପାଲଟିଯିବ।

କହିବା ବାହୁଲ୍ୟ ଯେ ବର୍ତ୍ତମାନ ଅଧିକାଂଶ ଖାଦ୍ୟ ସାମଗ୍ରୀ ବିଷାକ୍ତ ଏବଂ ଭେଜାଲ। ପ୍ରତିଦିନ ଗଣମାଧ୍ୟମରେ କୋଉଠି ନା କୋଉଠି ଭେଜାଲ ଖାଦ୍ୟଦ୍ରବ୍ୟ ବିଷୟରେ ଚର୍ଚ୍ଚା ଦେଖିବାକୁ ଏବଂ ପଢିବାକୁ ମିଳୁଛି। ବିଷାକ୍ତ, ମାରାତ୍ମକ ରାସାୟନିକ ଦ୍ରବ୍ୟ ମିଶ୍ରିତ ଏସବୁ ଖାଦ୍ୟସାମଗ୍ରୀ ମାନବ ସମାଜ ପାଇଁ ବିପଦ ସାଜିଛି। ଦୁଗ୍ଧ, ଘିଅ, ପନିର, ତେଲ, ମସଲା, ଚା, ଆଚାର, ସସ୍, ଚିପ୍ସ, ଥଣ୍ଡା ପାନୀୟ ଭେଜାଲ, ଏପରିକି ସାବୁନ ମଧ୍ୟ ନକଲି। କିଛିଦିନ ଆଗରୁ ଗୋଟାଏ ଖବର ଗଣମାଧ୍ୟମରେ ବାରମ୍ବାର ଆସୁଥିଲା ଯେ ବଜାରରେ ବର୍ତ୍ତମାନ ପ୍ଲାଷ୍ଟିକ ଅଣ୍ଡା ମିଳୁଛି। ଖାଲି ପ୍ଲାଷ୍ଟିକ ଅଣ୍ଡା ନୁହଁ, ପ୍ଲାଷ୍ଟିକ ଚାଉଳ, ଡାଲି ମଧ୍ୟ ଖାଦ୍ୟ ସାମଗ୍ରୀରେ ଅନ୍ତର୍ଭୁକ୍ତ ହୋଇଗଲା। ଫର୍ମାଲ ଡି ହାଇଡ, ସଲ୍ଫର୍, ଗ୍ଲିସେରିନ, ବିଭିନ୍ନ ରାସାୟନିକ ରଙ୍ଗ, ଆହୁରି କେତେ କ’ଣ ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତିରେ ବ୍ୟବହାର ହେଉଛି। ମାଛ, ପନିପରିବା, ପନିର ଆଦି ଖାଦ୍ୟକୁ ସତେଜ ରଖିବା ପାଇଁ ଶବକୁ ସଂରକ୍ଷିତ ରଖିବା ପାଇଁ ବ୍ୟବହାର କରାଯାଉଥିବା ଫର୍ମାଲ୍ ଡି ହାଇଡ ଦିଆଯାଉଛି, ଯାହାକି କର୍କଟ, ଚର୍ମରୋଗ, ବାର୍ଦ୍ଧକ୍ୟ ଅତି ସହଜରେ ଆଣିଦେଇପାରେ। ତାଜା, ତଟକା ତଥା ଚକ୍‌ଚକିଆ ଦିଶୁଥିବା ସବୁଜ ତଥା ଅନ୍ୟାନ୍ୟ ରଙ୍ଗର ଫଳ ଏବଂ ପନିପରିବା କାହାକୁ ଅବା ଆକୃଷ୍ଟ କରେ ନାହିଁ! ହେଲେ ଆପଣ ଜାଣିଲେ ନିଶ୍ଚିତ ଚମକି ପଡ଼ିବେ ଯେ ଏସବୁ ଜିନିଷକୁ ତଟକା ରଖିବା ପାଇଁ କପର୍ ସଲ୍ଫେଟ୍ ନାମକ ରାସାୟନିକ ଦ୍ରବ୍ୟ ବ୍ୟବହାର କରାଯାଏ, ଯାହାକି ଯକୃତ୍‌ ତଥା ବୃକ୍‌କ ପାଇଁ ଅତ୍ୟନ୍ତ ମାରାତ୍ମକ।

prayash

ଶାଗ, ଲଙ୍କା ଏବଂ ପନିପରିବାକୁ ସବୁଜ ରଖିବା ପାଇଁ ମାଲାକାଇଟ ନାମକ ରାସାୟନିକ ପଦାର୍ଥ ପ୍ରୟୋଗ କରାଯାଏ, ଯାହାକୁ କପଡା ଉଦ୍ୟୋଗରେ ଲୁଗାପଟା ରଙ୍ଗେଇବାରେ ବ୍ୟବହାର କରାଯାଏ। ଏହା ମାରାତ୍ମକ କର୍କଟର ମଧ୍ୟ କାରଣ ହୁଏ। ଟମାଟୋ ତଥା ଚେରିକୁ ଉଳ ଏଵଂ ନାଲି ଟହଟହ କରିବା ପାଇଁ ରୋହଡାମାଇନ ବି ନାମକ ଅନ୍ୟ ଏକ ମାରାତ୍ମକ ରାସାୟନିକ ବ୍ୟବହାର କରାଯାଏ, ଯାହା ଚର୍ମ କର୍କଟର ସୃଷ୍ଟିକାରୀ। ସେହିପରି ସେଓକୁ ଆକର୍ଷଣୀୟ କରିବା ପାଇଁ ପେଟ୍ରୋଲିୟମ ଜେଲି ଭଳି ବିଷାକ୍ତ ଦ୍ରବ୍ୟ ଏବଂ ମହମର ପ୍ରଲେପ ଦିଆଯାଏ, ଯାହାକୁ ଧୋଇଲେ ମଧ୍ୟ ଫଳରେ ଲାଗି ରହିଥାଏ। ଏହାକୁ ଖାଇଲେ ଯାବତୀୟ ପେଟରୋଗରେ ପଡ଼ିବାର ଆଶଙ୍କା ଥାଏ। ଖାଲି ସେତିକି ନୁହେଁ ଫଳକୁ ଅପ୍ରାକୃତିକ ଉପାୟରେ ପଚେଇବା ପାଇଁ କ୍ୟାଲସିୟମ କାର୍ବାଇଡ୍ ରାସାୟନିକ ଦ୍ରବ୍ୟକୁ ବ୍ୟବହାର କରାଯାଏ। କ୍ୟାଲସିୟମ କାର୍ବାଇଡର ଭୟଙ୍କର ପରିଣାମ ପାଇଁ ସରକାର ତାକୁ ଅନେକ ପୂର୍ବରୁ ନିଷିଦ୍ଧ କରିସାରିଥିଲେ ମଧ୍ୟ ବଜାରରେ ଏହାର ଖୋଲାଖୋଲି ଏବଂ ବହୁଳ ବ୍ୟବହାର ଚାଲିଛି। ପରିବା ତଥା ଫଳକୁ ଅଧିକ ବଡ଼ କରି ଏବଂ ମିଠାକରି ବେଶୀ ଲାଭ ପାଇବା ଆଶାରେ ସେଥିରେ ଅନେକ ପ୍ରକାର ହର୍‌ମୋନର ପ୍ରୟୋଗ କରାଯାଉଛି। ଇଂଜେସକନ ମାଧ୍ୟମରେ ଏସବୁ ବିଷାକ୍ତ ଦ୍ରବ୍ୟକୁ ଫଳ ଏବଂ ପନିପରିବା ଭିତରକୁ ଛଡାଯାଏ। ଅକ୍ସିଟୋସିନ ତନ୍ମଧ୍ୟରୁ ଅନ୍ୟତମ। ଏସକୁ ରାସାୟନିକ ପଦାର୍ଥ ଅନେକ ମସ୍ତିଷ୍କ ରୋଗ ଏବଂ ସ୍ନାୟବିକ ରୋଗର ସୃଷ୍ଟିକାରୀ। ଖାଲି ଫଳ ଓ ପନିପରିବା କାହିଁକି, ଆମର ଅତ୍ୟାବଶ୍ୟକ ଜିନିଷ ଖିର, ପନିର କଥା ଯଦି ଆଲୋଚନା କରାଯାଏ ତେବେ ଆହୁରି ଭୟଭୀତ କଲାପରି ତଥ୍ୟ ଅଛି। ଏବେ ନକଲି କ୍ଷୀର ଏବଂ ଛେନାର ଏକ ବୃହତ୍ ଖୋଲା ବଜାର ସୃଷ୍ଟି ହୋଇଯାଇଛି।

ଏପରି ଖାଦ୍ୟ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଗୁରୁତର ଏବଂ ହାନିକାରକ, ତାହା ଅନେକଙ୍କ କଳ୍ପନାର ବାହାରେ। ନକଲି ଦୁଗ୍ଧ ଏବଂ ଛେନା ଖାଇବା ଦ୍ବାରା ପିଲାଙ୍କର ମସ୍ତିଷ୍କ ଏବଂ ଶରୀର ବିକାଶରେ ଗୁରୁତର ବାଧା ସୃଷ୍ଟି ହୋଇପାରେ। ସକାଳ ହେଲେ ବା ସଞ୍ଜ ନଇଁଲେ ଆମକୁ ଚାହାର ଆବଶ୍ୟକତା ପଡ଼େ। ହେଲେ ଏବେ ଦୋକାନରେ ଆସିଗଲାଣି ନକଲି ଚା’ପତି। ଏହାର ପ୍ରସ୍ତୁତି ପାଇଁ ବିଭିନ୍ନ ପ୍ରକାର ଅଦରକାରୀ ପତ୍ରଗୁଣ୍ଡ, ନିମ୍ନମାନର ଚା’ପତି, ଚିନା ମାଟି, ଚମଡା ଗୁଣ୍ଡ ଆଦି ମିଶ୍ରଣ କରାଯାଉଛି। ସେହିପରି କଫିରେ ତେନ୍ତୁଳି ମଞ୍ଜି ଗୁଣ୍ଡ, ମାଟି, ପତ୍ର ଗୁଣ୍ଡ ଆଦି ମିଶୁଛି। ଖାଦ୍ୟ ନିରାପତ୍ତା ଏବଂ ମାନଦଣ୍ଡ କର୍ତ୍ତୃପକ୍ଷଙ୍କ(ଏଫ୍‌ଏସ୍‌ଏସ୍‌ଏଆଇ) ଅନୁସାରେ ସମୁଦାୟ ଖାଦ୍ୟଦ୍ରବ୍ୟର ଏକ ପଞ୍ଚମାଂଶ ଅପମିଶ୍ରିତ, ଯାହାକି ଅତ୍ୟନ୍ତ ଚିନ୍ତାର ବିଷୟ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ଯଦି ଏପରି ଅପମିଶ୍ରଣ ଜାରି ରହେ, ତେବେ ୨୦୨୫ ସୁଦ୍ଧା ଭାରତର ପ୍ରାୟ ଅର୍ଦ୍ଧାଧିକ ଲୋକ କର୍କଟରେ ଆକ୍ରାନ୍ତ ହେବେ।

ଥରେ ଚିନ୍ତା କରି ଦେଖନ୍ତୁ ଏସବୁ ବିଷ ଆମ ଦୈନନ୍ଦିନ ଖାଦ୍ୟପେୟରେ ସବୁଦିନ ବ୍ୟବହାର ହେଉଛି। ଉତ୍ତମ ସ୍ବାସ୍ଥ୍ୟ ତଥା ନିରୋଗ ରହିବା ପାଇଁ ଯେତେ କଷ୍ଟହେଲେ ସୁଦ୍ଧା ଯଥାସମ୍ଭବ ଘରଖାଦ୍ୟ ଖାଇବାକୁ କେହିକେହି ଚେଷ୍ଟା କରୁଛନ୍ତି; କିନ୍ତୁ ଘରେ ମଧ୍ୟ ଆମ ଅଜାଣତରେ ବିଷାକ୍ତ ଓ ନକଲି ଜିନିଷ ହିଁ ଖାଉଛୁ। ଦୀର୍ଘଦିନ ଧରି ଆମେ ଏସବୁ ନକଲି ଭେଜାଲ ଖାଦ୍ୟ ଗ୍ରହଣ କରି ଚାଲିଛୁ। ବର୍ତ୍ତମାନ ଯଦି ଆମେ ସଚେତନ ନ ହେବା, ବିପଦକୁ ଆମନ୍ତ୍ରଣ କରି ଚାଲିଥିବା। ଶୁଦ୍ଧ ଖାଦ୍ୟ ଆମର ମାନବୀୟ ଅଧିକାର। ଆମକୁ ଏ ଅଧିକାରରୁ ବଞ୍ଚିତ ରଖିବା ଏକ ଗର୍ହିତ ଅପରାଧ। ତେଣୁ ସରକାର ଅବିଳମ୍ବେ ଏ ନକଲି ସାମ୍ରାଜ୍ୟର ପତନ ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଏକାନ୍ତ ଅପରିହାର୍ଯ୍ୟ। ନକଲି ଓ ଭେଜାଲ୍‌ ଦ୍ରବ୍ୟ ତିଆରି ଓ ବ୍ୟବସାୟ କରୁଥିବା ଲୋକଙ୍କୁ ଦଣ୍ଡିତ କରିବା ପାଇଁ ସରକାର କଠୋରତମ ଆଇନ୍ ଆଣିବା ଦରକାର। ଦୁର୍ନୀତିଗ୍ରସ୍ତ ବ୍ୟବସାୟୀଙ୍କ ସହ ସରକାରୀ ବାବୁଙ୍କ ଅସାଧୁ ମେଣ୍ଟ ଏବଂ ପ୍ରଶାସନିକ ଅବହେଳା ଯେ ସମଗ୍ର ମାନବ ସମାଜକୁ ବିଷବଳୟ ମଧ୍ୟକୁ ଠେଲିଦେଉଛି, ଏକଥା ସମସ୍ତେ ଯଥାଶୀଘ୍ର ଉପଲବ୍ଧି କରିବା ଏକାନ୍ତ ଅପରିହାର୍ଯ୍ୟ।

kalyan agarbati

Comments are closed.