ଅବିଦ୍ୟା ଅନ୍ଧାରରେ ବିଦ୍ୟାଦାତାଙ୍କ ଆରାଧନା

ପ୍ରଫୁଲ୍ଲ କୁମାର ସାହୁ

ଇତିହାସ କହେ ଏକଦା ଆର୍ଯ୍ୟଭୂମି ଭାରତରେ ବିଦ୍ୟା ବିତରଣ ବ୍ୟବସ୍ଥାଟି ଥିଲା ଖୁବ୍‍ ଉଚ୍ଚକୋଟୀର। ଲୋକାଳୟର କୋଳାହଳମୟ ପରିବେଶଠାରୁ ବହୁ ଦୂରରେ ଗୁରୁକୁଳ ଆଶ୍ରମମାନ ଗଢ଼ି ଉଠିଥିଲା ଏବଂ ସେଠାରେ ରହି ଶିକ୍ଷା ଆହରଣ କରୁଥିଲେ ଧନୀ-ଦରିଦ୍ର ନିର୍ବିଶେଷରେ ସବୁ ବର୍ଗର ବିଦ୍ୟାର୍ଥୀ। ପୂର୍ଣ୍ଣାଙ୍ଗ ଶିକ୍ଷା ଲାଭ ପାଇଁ ଏଠାରେ ଶାସ୍ତ୍ର ଅଧ୍ୟୟନ ସହିତ ଯୋଡ଼ି ହୋଇ ରହିଥିଲା ଶୃଙ୍ଖଳା ଓ କର୍ତ୍ତବ୍ୟ ପରାୟଣତା। ଆଶ୍ରମ ଯୁଗର ଅବସାନ ପରେ ଆସିଲା ଚାଟଶାଳୀ ଶିକ୍ଷା। ଚାଟଶାଳୀ ଗୋଟେ ନଡ଼ାଛପର ଘର। ଝାଟିମାଟିର ଗୋବରଲିପା କାନ୍ଥ। ବେଳେବେଳେ ତା ମରାମତି ନ ହୋଇପାରିବା କାରଣରୁ ବୃକ୍ଷ ତଳେ ବସି ଶିକ୍ଷାଦାନ କରୁଥିଲେ ଅବଧାନେ। ସରକାରଙ୍କ କର୍ତ୍ତୃତ୍ବ ବାହାରେ ଗଢ଼ି ଉଠିଥିବା ଏହି ଚାଟଶାଳୀରେ ଅବଧାନ ଖଞ୍ଜିଥିଲେ ଗୁରୁକୁଳ ଆଶ୍ରମର ଶୈକ୍ଷିକ ଶୃଙ୍ଖଳା। ଶିକ୍ଷାଦାନକୁ ସେ ମାପୁ ନ ଥିଲେ ଅଭିଭାବକଙ୍କଠାରୁ ପାଉଥିବା ପାଉଣା ତରାଜୁରେ। ଏହି ଅଣତାଲିମପ୍ରାପ୍ତ ଅବଧାନଙ୍କ ଅନୁଶାସନ ଖୁବ୍‍ କଠୋର ହେଲେ ବି ତାଙ୍କ ଶ୍ରଦ୍ଧାଶୀଳ ଅନୁରାଗ ଯୋଗୁଁ ଏକ ଅନାବିଳ ଆତ୍ମୀୟତାରେ ଅଭିମନ୍ତ୍ରିତ ହୋଇ ପଡ଼ିଥିଲା ଗୁରୁଶିଷ୍ୟ ସମ୍ପର୍କ, ଯାହା ସାରା ଜୀବନ ପାଇଁ ସାଇତା ହୋଇ ରହୁଥିଲା ବିଦ୍ୟାର୍ଥୀର ସ୍ମୃତିରେ। ମାନବିକତା ଓ ମୂଲ୍ୟବୋଧର ବିକାଶ ପାଇଁ ଚାହାଳିରେ ପଞ୍ଚତନ୍ତ୍ର, ହିତୋପଦେଶର ଲୋକଶିକ୍ଷା ମୂଳକ କାହାଣୀ ଉପରେ ଗୁରୁତ୍ୱ ଦିଆଯାଉ ଥିଲା। ସ୍ୱାଧୀନତା ପରେ ଗାଁ ଗାଁରେ ପ୍ରାଥମିକ ବିଦ୍ୟାଳୟ ଖୋଲିବା କାରଣରୁ ଚାଟଶାଳୀଗୁଡ଼ିକ ବନ୍ଦ ହୋଇଗଲା ସତ; ହେଲେ ସତୁରି ଦଶକ ପର୍ଯ୍ୟନ୍ତ ଅପରିବର୍ତ୍ତିତ ଥିଲା ଶ୍ରେଣୀଗୃହ ଶିକ୍ଷାଦାନର ଗୁଣାତ୍ମକ ମାନ।

କେବଳ ପ୍ରାଥମିକ ଶିକ୍ଷା ନୁହେଁ; ବିଶ୍ୱବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ମଧ୍ୟ ଏକଦା ଭାରତବର୍ଷ ଥିଲା ଅନ୍ୟାନ୍ୟ ଦେଶଠାରୁ ବହୁ ଆଗରେ। ବିଦେଶୀ ପରିବ୍ରାଜକ ଫାହିୟାନ (୫ମ ଶତାବ୍ଦୀ) ଓ ହୁଏନ୍‌ ସାଂ (୭ମ ଶତାବ୍ଦୀ)ଙ୍କ ବିବରଣୀ ଅନୁସାରେ ୟୁରୋପର ପ୍ରସିଦ୍ଧ ଅକ୍ସଫୋର୍ଡ ଓ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବାର ବହୁ ପୂର୍ବରୁ ଏଠାରେ ଗଢ଼ି ଉଠିଥିଲା ନାଳନ୍ଦା, ତକ୍ଷଶିଳା ଓ ବିକ୍ରମଶିଳା ଆଦି ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ, ଯାହାର ପରିଚାଳନା ଦାୟିତ୍ୱ ଥିଲା ବୌଦ୍ଧ ଭିକ୍ଷୁଙ୍କ ହାତରେ। ଅର୍ଥାତ୍‍ ବହୁମତଠାରୁ ଭିନ୍ନ ମତ ରଖୁଥିବା ବୌଦ୍ଧ ସଂଘ ଥିଲା ଭାରତୀୟ ପ୍ରାଚୀନ ବିଶ୍ୱବିଦ୍ୟାଳୟ ପରମ୍ପରାର ସ୍ଥାପୟିତା। ସେହି କାରଣରୁ ବୈଚାରିକ ବିବିଧତା ବା ଅଭିବ୍ୟକ୍ତିର ସ୍ୱାଧୀନତା ଥିଲା ଆମ ବିଶ୍ୱବିଦ୍ୟାଳୟର ମୂଳ ଚରିତ୍ର। ମୁକ୍ତି ସଂଗ୍ରାମ କାଳରେ ଗଢ଼ି ଉଠିଥିବା ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (୧୯୧୬), ଅଲିଗଡ଼ ମୁସଲିମ୍‍ ବିଶ୍ୱବିଦ୍ୟାଳୟ (୧୯୨୦) ବିଶ୍ୱଭାରତୀ (୧୯୨୧) ଭଳି କିଛି ଆଦର୍ଶ ବିଶ୍ୱବିଦ୍ୟାଳୟ ମଧ୍ୟ ସେହି ଆଦର୍ଶକୁ ଅଗ୍ରାଧିକାର ଦେଇ ଆଗକୁ ବଢ଼ିଥିଲେ ଯାହାର ଏକ ଉଜ୍ଜ୍ୱଳ ଉଦାହରଣ ହେଉଛି ଗାନ୍ଧିଜୀ ଓ ରବୀନ୍ଦ୍ରନାଥ ଠାକୁରଙ୍କ ମଧ୍ୟରେ ବୈଚାରିକ ମତଭେଦ। ଗାନ୍ଧିଜୀ ଓ କବିଗୁରୁ ଥିଲେ ପରସ୍ପର ଅଭିନ୍ନ ମିତ୍ର; ମାତ୍ର ଅସହଯୋଗ ଆନ୍ଦୋଳନରେ ଛାତ୍ରମାନେ ଯୋଗ ଦିଅନ୍ତୁ ବୋଲି ଗାନ୍ଧିଜୀଙ୍କର ଆହ୍ୱାନକୁ ଖୋଲାଖୋଲି ବିରୋଧ କରି ଶାନ୍ତିନିକେତନରେ ଏକ ଆଲୋଚନା ସଭାର ଆୟୋଜନ କରିଥିଲେ ରବୀନ୍ଦ୍ରନାଥ। ପ୍ରତିଷ୍ଠାତାଙ୍କ ମତ ଚାପରେ ଏଠି ଦଳିହୋଇ ଯାଇ ନ ଥିଲା ବିରୋଧୀଙ୍କ ମତ। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଅଳ୍ପ ମତ ସାବ୍ୟସ୍ତ ହେଲା ପରେ ବି ପ୍ରତିକ୍ରିୟାଶୀଳ ହେବା ପରିବର୍ତ୍ତେ ଗୁରୁଦେବ ଖୁବ୍‍ ଆଶ୍ୱସ୍ତିି ଅନୁଭବ କରିଥିଲେ ବୈଚାରିକ ବିବିଧତାର ବିଜୟ ପାଇଁ। ଏହି ବୈଚାରିକ ବିବିଧତା ହେଉଛି ଶିକ୍ଷାନୁଷ୍ଠାନର ମୂଳ ଆଦର୍ଶ।

ସ୍ୱାଧୀନତା ପରେ ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକୁ ଆଧୁନିକ ଭାରତର ମନ୍ଦିର ବୋଲି ଅଭିହିତ କଲେ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ। ସାମାଜିକ ପ୍ରଗତି ଓ ସଂହତି ପାଇଁ ଦେୟମୁକ୍ତ ଶିକ୍ଷାକୁ ଏକ ମୌଳିକ ଆବଶ୍ୟକତା ଭାବରେ ଗ୍ରହଣ କରି ବିଭିନ୍ନ ସମୟରେ ଅନେକ ଯୋଜନା ଓ କାର୍ଯ୍ୟକ୍ରମ ମାନ ହାତକୁ ନିଆଗଲା ସତ; ହେଲେ ଯୋଜନା ଓ କାର୍ଯ୍ୟକାରିତା ଅଲଗା ଅଲଗା ବାଟରେ ଚାଲିବାରୁ ବିପର୍ଯ୍ୟସ୍ତ ହେବାକୁ ଲାଗିଲା ଆମ ବିକଶିତ ଶିକ୍ଷା ବ୍ୟବସ୍ଥା।

ବିଶେଷକରି ବ୍ୟୟ ସଙ୍କୋଚନ ନିମନ୍ତେ ସରକାର ଘରୋଇକରଣ ନୀତି ଆପଣେଇବା ଫଳରେ ଶିକ୍ଷାକୁ ମିଳିଲା ବ୍ୟବସାୟର ଦର୍ଜା। ତିଆରି ହେଲା ଶିକ୍ଷା ବଜାର। ବ୍ୟାବସାୟିକ ସଫଳତା ଦୃଷ୍ଟିରୁ ଯେଉଁ ସ୍କୁଲ ଯେତେ ସଂଭ୍ରାନ୍ତ ଓ ବ୍ୟୟବହୁଳ ହୋଇ ପାରିଲା ସେଠାରେ ସେତେ ଅବହେଳିତ ଓ ଉପେକ୍ଷିତ ହେଲା ମାତୃଭାଷା। ଧୀରେଧୀରେ ଶିକ୍ଷାର ଏହି ବଜାରୀକରଣ ବେଗ ଏତେ ତୀବ୍ର ହେବାକୁ ଲାଗିଲା ଯେ ଏକ ମୃତ ସ୍ୱପ୍ନରେ ପରିଣତ ହୋଇଗଲା – ସମସ୍ତଙ୍କ ପାଇଁ ସମାନ ଶିକ୍ଷା ଓ ସମାନ ବିଦ୍ୟାଳୟ। ଦେଶର ଏକତା କଥା କହୁଥିବା ସରକାର ଗୋଟିଏ ସମାଜର ଛାତ୍ର ସମୂହକୁ ଭାଗ ଭାଗ କରିଦେଲେ ଭିନ୍ନ ଭିନ୍ନ ସ୍ତର ଓ ଅଲଗା ଅଲଗା ପାଠ୍ୟକ୍ରମ ଓ ବିଚାର ଆଧାରରେ।

ଚାକଚକ୍ୟପୂର୍ଣ୍ଣ ଘରୋଇ ବିଦ୍ୟାଳୟର ଭିଡ଼ ଭିତରେ କୋଣଠେସା ହୋଇଗଲା ସରକାରୀ ବିଦ୍ୟାଳୟ। କ୍ରମାଗତ ଅବହେଳାର ଶିକାର ହୋଇ ଶିକ୍ଷା କ୍ଷେତ୍ରରୁ ଅପସରି ଗଲେ ଉତ୍ସର୍ଗୀକୃତ ଶିକ୍ଷକ। କାମ ଚଳେଇ ନେବାର ପ୍ରବଣତା ଯୋଗୁଁ ନିୟମିତ ଶିକ୍ଷକ ସ୍ଥାନରେ ନିଯୁକ୍ତି ପାଇଲେ ଠିକା ଶିକ୍ଷକ। କେବଳ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାରେ ନୁହେଁ, ଉଚ୍ଚ ଶିକ୍ଷାକୁ ବି ଭରସା ହେଲେ ଅତିଥି ଅଧ୍ୟାପକ। ବିଦ୍ୟାଳୟର ଭିତ୍ତିଭୂମି ବିକାଶ ଦିଗରେ ସରକାର ଯେତିକି ଧ୍ୟାନ ଦେଲେ ସେତିକି ଧ୍ୟାନ ଦେଲେନି ଶିକ୍ଷାର ଗୁଣାତ୍ମକ ମାନ ଉପରେ। ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ସ୍କୁଲର ଭିତ୍ତିଭୂମି ଯେତେ ଚାକଚକ୍ୟପୂର୍ଣ୍ଣ ହେଲା, ସେତିକି ଅନ୍ତଃସାରଶୂନ୍ୟ ହୋଇ ପଡ଼ିଲା ତାର ଗର୍ଭଗୃହ। କାରଣ ବିଦ୍ୟାଳୟ ପାଇଁ ଅସଲ ସମ୍ବଳ କୋଠା ଘର ନୁହେଁ, ଆଦର୍ଶ ଶିକ୍ଷକ। ଯେଉଁ ବିଦ୍ୟାଳୟ ପାଇଁ ଶିକ୍ଷକ ମନପ୍ରାଣ ଢାଳିଦିଏ, ତାହା ପାଲଟି ଯାଏ ନାଳନ୍ଦା, ତକ୍ଷଶିଳା କିମ୍ବା ସତ୍ୟବାଦୀ ବନବିଦ୍ୟାଳୟ। ସେହି ବିଦ୍ୟାଳୟରୁ ଜନ୍ମ ନିଅନ୍ତି ଅନେକ ଆରୁଣି ଓ ଉପମନ୍ୟୁ।

ଶିକ୍ଷାଦାନ ଏକ ପେସା ନୁହେଁ, ଏକ ସଙ୍କଳ୍ପ। ଏକ ମଣିଷ ଗଢ଼ିବା ପ୍ରକ୍ରିୟା। ଶିକ୍ଷକଙ୍କ ପଦେ ପଦେ କଥାରେ ବଦଳିଯାଏ ଜୀବନର ଗତିପଥ। ତ୍ରୁଟି ସଂଶୋଧନ ପୂର୍ବକ ମାର୍ଗଦର୍ଶନ ବା ଅନ୍ଧାରରୁ ଆଲୋକକୁ ନେବା କିଛି ସାମାନ୍ୟ କଥା ନୁହେଁ, ଏକ ସାଧନା। ଶ୍ରୀଅରବିନ୍ଦଙ୍କ ଭାଷାରେ ଶିକ୍ଷକ ହେଉଛି ଜଣେ ସାଧକ ଏବଂ ତା’ର ଜୀବନ ହେଉଛି ସାଧନାର ଜୀବନ। ବ୍ୟକ୍ତି ମାଧ୍ୟମରେ ସମାଜ ଗଢୁଥିବା ସେହି ସାଧକମାନେ ଏବେ ସରକାରଙ୍କ ଭେଦନୀତିର ଶିକାର ହୋଇ ନିୟମିତ ଶିକ୍ଷକ, ଠିକା ଶିକ୍ଷକ, ଗଣ ଶିକ୍ଷକ, ଶିକ୍ଷା ସହାୟକ, ଅନୁଦାନପ୍ରାପ୍ତ ଶିକ୍ଷକ, ବ୍ଲକଗ୍ରାଣ୍ଟ ଶିକ୍ଷକ ଆଦି ବିଭିନ୍ନ ବର୍ଗରେ ବିଭାଜିତ। ଏଭଳି ବର୍ଗୀକରଣର ଜଟିଳତା ଭିତରେ ଛନ୍ଦି ହୋଇ ବିଚରା ଶିକ୍ଷକ ନିଜେ ବି ଜାଣି ପାରୁନି ସେ କେଉଁ ବର୍ଗର। କାମ ସମାନ ହେଲେ ବି ଦରମାରେ ଆକାଶପାତାଳ ଫରକ। ସେଥିପାଇଁ ଶିକ୍ଷକ ଆଜି ନିଜ ବୃତ୍ତି ପ୍ରତି ବୀତସ୍ପୃହ। ଠକ ଶିକ୍ଷକମାନେ ଶିକ୍ଷା ବ୍ୟବସ୍ଥାର ପ୍ରଥମ ଶତ୍ରୁ; ଅଥଚ ବିଦ୍ୟାଳୟରେ ଏବେ ମାଳମାଳ ନକଲି ଶିକ୍ଷକ। ସେହି ଅନ୍ଧକାର ଭିତରେ ନିୟମିତ ଘଟୁଥିବା ଉଦ୍‍ବେଗଜନକ କ୍ରିୟାକଳାପ କଥା ଭାବିଲେ ମନେହୁଏ ବିଦ୍ୟାର୍ଥୀଙ୍କ ବୌଦ୍ଧିକ ଓ ମାନସିକ ବିକାଶର କ୍ଷେତ୍ର ଶିକ୍ଷାନୁଷ୍ଠାନକୁ ଗ୍ରାସ କରିସାରିଲାଣି ଅଜ୍ଞାନତାର ଅନ୍ଧକାର। ଆଜି ଅବିଦ୍ୟାର ଏହି ଅନ୍ଧକାର ଭିତରେ ଚାଲିଛି ବିଦ୍ୟାଦାତାଙ୍କ ଆରାଧନା।

ଶିକ୍ଷା ବ୍ୟବସ୍ଥାର ନିୟନ୍ତ୍ରଣ ଦାୟିତ୍ୱ ଏବେ ଶିକ୍ଷାବିତ୍‍ଙ୍କ ହାତରେ ନାହିଁ, ଶିକ୍ଷାଯନ୍ତ୍ରୀଙ୍କ ହାତରେ। ଶିକ୍ଷା ପ୍ରଣାଳୀ କେମିତି ହେବ ଏବଂ ପାଠ୍ୟକ୍ରମରେ କେଉଁ କେଉଁ ବିଷୟ ସ୍ଥାନ ପାଇବ- ସେ କଥା ନିର୍ଦ୍ଧାରଣ କରୁଛନ୍ତି ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ। ଆଗ ଭଳି ନୈତିକ ଶିକ୍ଷା ନୁହେଁ; ସୂଚନା ଓ ପ୍ରଯୁକ୍ତି ବିଦ୍ୟାକୁ ଅଗ୍ରାଧିକାର ଦେଇ ପ୍ରସ୍ତୁତି ହେଉଛି ପାଠ୍ୟକ୍ରମ। ସେଥିପାଇଁ ଯେଉଁ ପରିମାଣରେ ଶିକ୍ଷାର ବିକାଶ ଘଟୁଛି, ସେହି ପରିମାତ୍ରାରେ ପ୍ରତୀୟମାନ ହେଉଛି ମୂଲ୍ୟବୋଧର ଅବକ୍ଷୟ।

Comments are closed.