ଅସୁରକ୍ଷିତ ନଦୀବନ୍ଧର ବିପଦ

ଭାରତର ନଦୀବନ୍ଧ ସମ୍ବନ୍ଧରେ ସଂଯୁକ୍ତ ରାଷ୍ଟ୍ରର ଏକ ରିପୋର୍ଟ ଆସିଛି। ରିପୋର୍ଟରେ କୁହାଯାଇଛି କି ୨୦୨୫ ପର୍ଯ୍ୟନ୍ତ ଭାରତରେ ଏକ ହଜାରରୁ ଅଧିକ ଏପରି ବନ୍ଧ ରହିଛି, ଯାହା ୫୦ବର୍ଷରୁ ଅଧିକ ପୁରୁଣା ହେବ ଏବଂ ଏହି ବନ୍ଧଯୋଗୁଁ ଧନଜୀବନ ପାଇଁ ବିପଦ ଦେଖାଯିବ। ରିପୋର୍ଟରେ କୁହାଯାଇଛି ଯେ ୨୦୫୦ ମସିହା ସୁଦ୍ଧା ପୃଥିବୀର ଅନେକ ଲୋକ ବନ୍ଧ ନିକଟରେ ବସବାସ କରୁଥିବେ। ଅଧିକାଂଶ ନଦୀବନ୍ଧ ବିଂଶ ଶତାବ୍ଦୀରେ ନିର୍ମାଣ ହୋଇଛି। ଏଭଳି କ୍ଷେତ୍ରରେ ଲୋକଙ୍କ ପାଇଁ ଜୀବନ ସଂକଟମୟ ହୋଇଛି। ଏ କଥା ସଂଯୁକ୍ତରାଷ୍ଟ୍ର ସଂଘର “ଏଜିଙ୍ଗ ୱାଟର ଇନଫ୍ରାଷ୍ଟ୍ରକଚର” ରିପୋର୍ଟରେ କୁହାଯାଇଛି।

ଏଥିରେ କୁହାଯାଇଛି ଦୁନିଆର ତିଆରି କରାଯାଇଥିବା ୫୮ ହଜାର ୭୦୦ ନଦୀବନ୍ଧ ୧୯୩୦ରୁ ୧୯୭୦ ମଧ୍ୟରେ ନିର୍ମିତ ହୋଇଛି। ଏହାର ଡ଼ିଜାଇନିଂ ଏପରି ହୋଇଛି ଯେ ବର୍ତ୍ତମାନ ଏହା ୫୦ ରୁ ୧୦୦ବର୍ଷ ଚାଲିପାରିବ। ତେବେ ଏହା ମଧ୍ୟ ଦେଖାଯାଇଛି ଯେ ୫୦ବର୍ଷରେ କଂକ୍ରିଟରୁ ତିଆରି ହୋଇଥିବା ନଦୀ ବନ୍ଧ ଦୁର୍ବଳ ହେବାକୁ ଲାଗିଛି। ଏହି ରିପୋର୍ଟରେ କେରଳର ମୁଲ୍ଲାପେରିୟାର ବନ୍ଧର ମଧ୍ୟ ଉଲ୍ଲେଖ ରହିଛି, ଯାହା ୧୨୫ବର୍ଷ ପୂର୍ବେ ତିଆରି ହୋଇଥିଲା। ରିପୋର୍ଟରେ ଚେତାବନୀ ଦିଆଯାଇଛି କି ଏହି ବନ୍ଧ କେତେବେଳେ ମଧ୍ୟ ବିପଦ ସୃଷ୍ଟି କରିପାରେ। ଏପରି ସ୍ଥଳେ ୩୫ ଲକ୍ଷ ଲୋକଙ୍କ ଜୀବନ ବିପଦଗ୍ରସ୍ତ ହୋଇପାରେ। ମୁଲ୍ଲାପେରିୟାର ବନ୍ଧ ୫୩.୬ ମିଟର ଉଚ୍ଚଥିବା ବନ୍ଧ, ଯାହାର ଜଳଧାରଣ କ୍ଷମତା ୪୪୩୦ ବର୍ଗ ମିଟର।

ଏହି ବନ୍ଧ ୧୮୯୫ରେ ବ୍ରିଟିଶ ସରକାର ଜଳସେଚନ ପାଇଁ ତିଆରି କରିଥିଲେ। ୧୯୫୯ ମସିହାରେ ଏଠାରୁ ବିଦ୍ୟୁତ୍‌ ଉତ୍ପାଦନ ଆରମ୍ଭ ହେଲା। ନିର୍ମାଣ ସମୟରେ ବନ୍ଧର ଜୀବନକାଳ ୫୦ବର୍ଷ ବୋଲି କୁହାଯାଇଥିଲା। ସେହିପରି କାବେରୀ ନଦୀ ଉପରେ କଲ୍ଲାନାଇ ବନ୍ଧ ଭାରତର ବହୁତ ପୁରୁଣା ବନ୍ଧ ମଧ୍ୟରୁ ଅନ୍ୟତମ, ଯାହାର ନିର୍ମାଣ ଚୋଳବଂଶ ଶାସକ କରୀକଳନ କରାଇଥିଲେ। ଏହି ବନ୍ଧ ୩୨୯ ମିଟର ଲମ୍ବା ଆଉ ୨୦ ମିଟର ଚଉଡ଼ା ଅଟେ। ୨୨୫ମିଟର ଉଚ୍ଚ ଭାକ୍ରାନାଙ୍ଗଲ ବନ୍ଧ ଭାରତର ସବୁଠାରୁ ବଡ଼ ଏବଂ ଏସିଆର ଦୁଇ ନମ୍ବର ବନ୍ଧ ଅଟେ। ତେବେ ଟିହିରିବନ୍ଧ ଭାରତର ସବୁଠାରୁ ଉଚ୍ଚବନ୍ଧ ଅଟେ। ଉଚ୍ଚତା ଦୃଷ୍ଟିରେ ବିଶ୍ୱରେ ଏହାର ନମ୍ବର ୮ରେ ଅଛି।
ପୁରୁଣା ବନ୍ଧଗୁଡ଼ିକ ଦ୍ୱାରା ଧନଜୀବନ ବିପଦପୂର୍ଣ୍ଣ ରହିଛି। ସମ୍ପୂର୍ଣ୍ଣ ରକ୍ଷଣାବେକ୍ଷଣ, ମରାମତି ଅଭାବରୁ ବନ୍ଧରେ ସୃଷ୍ଟି ହେଉଥିବା ବିପଦର ଆଶଙ୍କାକୁ ଏଡ଼ାଇ ହେବ ନାହିଁ। ୩୧ ମାର୍ଚ୍ଚ ୨୦୧୭ରେ ରାଜସ୍ଥାନର ଝୁନଝୁନ ଜିଲାର ମଲସୀସର ଗାଁ ରେ ଏଭଳି ଦୁର୍ଘଟଣାର ସାମନା କରିବାକୁ ପଡ଼ିଥିଲା। କିଛି ସମୟ ପୂର୍ବରୁ ତିଆରି ହୋଇଥିବା ବନ୍ଧରେ ୫୮୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏହି ବନ୍ଧ ତିନିମାସ ପର୍ଯ୍ୟନ୍ତ ସୁଦ୍ଧା ତିଷ୍ଠି ପାରିଲାନାହିଁ। ଦୁନିଆରେ ୨୦୦୦ରୁ ୨୦୦୯ ମଧ୍ୟରେ ବନ୍ଧ ସମ୍ବନ୍ଧିତ ଘଟଣାରେ ୨୦୦ରୁ ଅଧିକ ଦୁର୍ଘଟଣା ହୋଇ ସାରିଲାଣି। ଏଥିରେ ସବୁଠାରୁ ବେଶୀ ଧନ ଜୀବନ କ୍ଷତି ଆମେରିକାକୁ ସହିବାକୁ ପଡ଼ିଲା। ଇତିହାସରେ ସବୁଠାରୁ ପୁରୁଣା ବନ୍ଧ ଦୁର୍ଘଟଣା ୫୭୫ ଖ୍ରୀଷ୍ଟାବ୍ଦରେ ୟମନ ଦେଶର ମେରିବ ବନ୍ଧ ଦୁର୍ଘଟଣା ଥିଲା। ଯେଉଁଥିପାଇଁ ପଚାଶ ହଜାରରୁ ଅଧିକ ଲୋକଙ୍କୁ ନିଜ ଘରଦ୍ୱାର ଛାଡ଼ିବାକୁ ପଡ଼ିଥିଲା। ୨୫ ଅଗଷ୍ଟ ୧୮୯୪ରେ ଭାରତର ଗଡ଼ୱାଲ କ୍ଷେତ୍ର ଗୋହନା ନଦୀବନ୍ଧ ଭୁଶୁଡ଼ିଥିଲା।

ପୁଣି ୧୯ ଅଗଷ୍ଟ ୧୯୧୭ରେ ଗୋୟାଲିୟରର ଟିଗରାବନ୍ଧ ଆଉ ୭ ଡ଼ିସେମ୍ବର ୧୯୬୧ରେ ପୁଣେର ପୁନସେଟ ବନ୍ଧ ଭୁଶୁଡ଼ିଥିଲା। ଭାରତରେ ହୋଇଥିବା ଅନ୍ୟ ବନ୍ଧ ଦୁର୍ଘଟଣାରେ ୧୯୭୮ରେ ଦାମୋଦର ଘାଟି ପରିଯୋଜନା ବନ୍ଧ ଧ୍ବସ୍ତ ହେବାରେ ବଡ଼ ଆତଙ୍କ ସୃଷ୍ଟି ହୋଇଥିଲା। ୧୯୬୧ରେ ବିହାରର ଖଡ଼ଗପୁର ବନ୍ଧ ଭାଙ୍ଗିଯିବା, ୧୯୭୯ରେ ଗୁଜରାଟର ମଚ୍ଛୁବନ୍ଧ ଧ୍ୱସ୍ତ ହେବା, ୨୦୧୭ରେ ବିହାରର ଭାଗଲପୁର ବନ୍ଧ ଭାଙ୍ଗିଯିବା, ୨୦୧୯ରେ ମହାରାଷ୍ଟ୍ରର ରତ୍ନଗିରିର ତିୱାର ବନ୍ଧ ଭାଙ୍ଗିଯିବା, ୨୦୧୨ରେ ବୈଶାଳୀ ଜିଲା ମହନାର ପ୍ରଖଣ୍ଡର ସ୍ଲୁଇସ ଗେଟ ନିକଟରେ ବନ୍ଧ ଭାଙ୍ଗିଯିବା ପ୍ରମୁଖ ଘଟଣା ଅଟେ। ଯେତେବେଳେ ଗୁଜୁରାଟର ମଚ୍ଛୁବନ୍ଧ ଭାଙ୍ଗିଥିଲା, ସେତେବେଳେ ଦୁଇଶହ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ଥିଲା ସବୁଠାରୁ ଭୟଙ୍କର ଆଉ ଦୃଶ୍ୟ ଥିଲା ଅତ୍ୟନ୍ତ ହୃଦୟ ବିଦାରକ। ୧୯୭୫ରେ ଚୀନର ହେନାନ୍‍ ପ୍ରାନ୍ତରେ ହୋଇଥିବା ବେଙ୍କିଆଓ ବନ୍ଧ ଭାଙ୍ଗିଯିବା କାରଣରୁ ପ୍ରାୟ ୧ ଲକ୍ଷ ୭୫ ହଜାର ଲୋକ ପ୍ରାଣ ହରାଇଥିଲେ ଏବଂ ୧୦ଲକ୍ଷ ଲୋକଙ୍କୁ ବିସ୍ଥାପିତ ହେବାକୁ ପଡ଼ିଥିଲା।
ଏ କଥା ସତ୍ୟ ଯେ, ବନ୍ଧଗୁଡ଼ିକର ସୁରକ୍ଷା ହିଁ ଆମ ଜୀବନର ବିକାଶ ଦିଗରେ ନିହାତି ଆବଶ୍ୟକ। ବନ୍ଧ ସୁରକ୍ଷା ପାଇଁ ୩୦ ଡ଼ିସେମ୍ବର ୨୦୨୧ରେ ରାଷ୍ଟ୍ରୀୟ ବନ୍ଧ ସୁରକ୍ଷା ଅଧିନିୟମ ଲାଗୁ କରାଯାଇଥିଲା। ଏହି ଅଧିନିୟମ ଅନୁସାରେ ସମସ୍ତ ରାଜ୍ୟଙ୍କୁ ବନ୍ଧ ସୁରକ୍ଷା ସମିତିଗୁଡ଼ିକର ପୃଥକ୍‌ ପୃଥକ୍‌ ସମିତି ଗଠନ କରିବାପାଇଁ ନି‌େ​‌ର୍ଦଶ ଥିଲା। ଯେତେବେଳେ ବନ୍ଧ ସୁରକ୍ଷା ବିଧେୟକ ୨୦୧୮ ଲୋକସଭାରେ ଆଗତ କରାଗଲା, କିଛି ଆଞ୍ଚଳିକ ଦଳ ଏହାର ବିରୋଧ କରିଥିଲେ। ସେମାନଙ୍‌କ ଅଭିଯୋଗ ଥିଲା ଏହା ରାଜ୍ୟଗୁଡ଼ିକ ଅଧିକାର କ୍ଷେତ୍ରର ଅତିକ୍ରମଣ ଅଟେ; କିନ୍ତୁ ସରକାରଙ୍କ ତର୍କ ଥିଲା ଯଦି ଦୁଇ ବା ଅଧିକ ରାଜ୍ୟ କୌଣସି ମାମଲାରେ ସମ୍ମତି ପ୍ରକାଶ କରୁଛନ୍ତି, ତେବେ ଏହି ପ୍ରସଙ୍ଗ କେନ୍ଦ୍ରର ଅଧିକାର କ୍ଷେତ୍ରକୁ ଆସିଯିବ। ଗତ କିଛି ଦିନ କ୍ରମାଗତ ବର୍ଷା ଫଳରେ ଗୋଦାବରୀ ନଦୀର ବିପଦ ସଂକେତ ୫୩ ଫୁଟ ଥିବାବେଳେ ବର୍ତ୍ତମାନ ବିପଦ ସଂକେତ ଉପରେ ଅର୍ଥାତ୍‍ ୬୮ ଫୁଟ ଉଚ୍ଚରେ ଜଳ ପ୍ରବାହିତ ହେଉଛି। ଏହା ଫଳରେ ପୋଲାଭରମ ପ୍ରକଳ୍ପର ସମସ୍ତ ଫାଟକ ଖୋଲି ଦିଆଯାଇଛି। ଏହି ଜଳ ମାଲକାନଗିରି ଜିଲା ସୀମାନ୍ତରେ ଥିବା ମୋଟୁର ସାବେରୀ ଓ ଚିନ୍ନା ଗୋଦାବରୀ ନଦୀରେ ପ୍ରବେଶ ଫଳରେ ମୋଟୁର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି।
ଆନ୍ଧ୍ର ସରକାର ୧୯୭୮ରେ ପୋଲାଭରମ ପ୍ରକଳ୍ପ ନିର୍ମାଣ ପାଇଁ ଆନ୍ତଃରାଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ କରିଥିଲେ। ପୋଲାଭରମ ପ୍ରକଳ୍ପ ନିର୍ମାଣ ବିରୋଧରେ ସେ ସମୟରେ ରାଜ୍ୟ ସରକାର କୌଣସି ପ୍ରସ୍ତାବ ନ ରଖିବାରୁ କେନ୍ଦ୍ର ସରକାର ପ୍ରକଳ୍ପ ନିର୍ମାଣ ପାଇଁ ସ୍ୱୀକୃତି ଦେବାରୁ ପଥ ପରିଷ୍କାର ହୋଇଯାଇଥିଲା। ପ୍ରକଳ୍ପ ଶେଷ ହେବା ମାତ୍ରେ ମାଲକାନଗିରି ଜିଲାର ୨୮ଟି ଗ୍ରାମ ଜଳମଗ୍ନ ହେବାର ଆଶଙ୍କା ରହିଛି। ସେହିପରି ମହାନଦୀ ପାଇଁ ଛତିଶଗଡ଼ ବିପଦ ସୃଷ୍ଟି କରିଛି। ଉପରମୁଣ୍ଡରେ ଜଳପ୍ରବାହ ରୋକିବା କାରଣରୁ ଓଡ଼ିଶାର ଜୀବନ ରେଖା ଶୁଖିଶୁଖି ଯାଉଛି। ତେବେ କେନ୍ଦ୍ର ସରକାର ନଦୀବନ୍ଧ ସୁରକ୍ଷା ପ୍ରତି ସଚେତନ ଅଛନ୍ତି, ଏହା ଏକ ଶୁଭ ସଂକେତ। ଅବଶ୍ୟ ବହୁତ ରାଜ୍ୟ ନଦୀବନ୍ଧ ସୁରକ୍ଷା ପ୍ରାଧିକରଣ ସମିତି ଗଠନ ପ୍ରତି ଉତ୍ସାହ ଦେଖାଇ ନାହାନ୍ତି। ସେଥିପ୍ରତି ରାଜ୍ୟଗୁଡ଼ିକ ଦୃଷ୍ଟି ଦେବା ବାଞ୍ଛନୀୟ।

Comments are closed.