ଆମ ଦେଶର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଅନେକ ଉନ୍ନତି ହୋଇଛି ବୋଲି ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଦାବି କରନ୍ତି। ବାରମ୍ବାର ଖବରକାଗଜ ପୃଷ୍ଠା ମଣ୍ଡନ କରେ ସ୍ୱାସ୍ଥ୍ୟ ସେବା ପାଇଁ ନୂଆ ନୂଆ ଭିତ୍ତିଭୂମିର ଘୋଷଣା। ଯେପରି ନୂଆ ମେଡିକାଲ କଲେଜ, କର୍ପୋରେଟ ବ୍ୟବସାୟ ସଂସ୍ଥା ଦ୍ୱାରା ନୂଆ ସ୍ପେସିଆଲାଇଜ୍ଡ ଓ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ଇତ୍ୟାଦି; କିନ୍ତୁ ରୋଗୀ ଓ ତାଙ୍କ ସହାୟକଙ୍କଠାରୁ ଦୁର୍ଦଶାର ଯେଉଁ କାହାଣୀ ଶୁଣିବାକୁ ମିଳେ ତାହାର ମଧ୍ୟ ଗୁରୁତ୍ୱ ରହିଛି ଏବଂ ତାକୁ ଅଣଦେଖା କରିହେବ ନାହିଁ। ମୋଟ ଉପରେ ଯାହା ଦେଖିବାକୁ ମିଳୁଛି ତାହା ହେଲା ସହରର ବଡ ଡାକ୍ତରଖାନାଗୁଡ଼ିକରେ ରୋଗୀଙ୍କର ପ୍ରବଳ ଭିଡ।
ଅନୁଷ୍ଠାନଗୁଡିକରେ ରୋଗୀଙ୍କର ସଂଖ୍ୟାକୁ ଚାହିଁ ଡାକ୍ତରଙ୍କର ଅଭାବ ରହିଛି। ଯେଉଁ ଡାକ୍ତରଙ୍କର କିଛି ସୁନାମ ଅଛି ସେମାନଙ୍କ ନିକଟରେ ଏତେ ଭିଡ ଯେ ସେମାନେ ପ୍ରତ୍ୟେକ ରୋଗୀର ସମସ୍ୟାକୁ ଠିକ ଭାବରେ ବୁଝି ତା’ର ଚିକିତ୍ସା ପାଇଁ ପରାମର୍ଶ ଦେବା ସମ୍ଭବ ମଧ୍ୟ ନୁହେଁ। ଏଇ ଲେଖକ ମେଡିକାଲ ଶିକ୍ଷା ଉପରେ ଲେଖିଥିବା ଏକ ସ୍ତମ୍ଭରେ ସୂଚନା ଦେଇଥିଲା ଅନୁଭୂତି ସଂପନ୍ନ ଡାକ୍ତରମାନେ କିପରି ଅତୀତରେ ରୋଗୀମାନଙ୍କର ବିଶ୍ୱାସଭାଜନ ହେଉଥିଲେ। ସେତେବେଳେ ରୋଗ ନିଦାନ ପାଇଁ ଏତେ ପ୍ରକାରର ପରୀକ୍ଷା ହୁଏ ତ ନଥିଲା ଏବଂ ଡାକ୍ତରମାନେ ବେଶୀ ନିର୍ଭର କରୁଥିଲେ ନିଜର ବୁଦ୍ଧିମତା ଓ ଅନ୍ତଃଦୃଷ୍ଟି ଉପରେ।
ଏବେ ଶୁଣାଯାଏ ଘରୋଇ ଡାକ୍ତରଖାନାଗୁଡିକର ଆୟର ମୁଖ୍ୟ ସ୍ରୋତ ହେଉଛି ବିଭିନ୍ନ ଯନ୍ତ୍ରପାତି ସାହାଯ୍ୟରେ ରୋଗୀର ଯାବତୀୟ ପରୀକ୍ଷା। ବେଳେବେଳେ ଆବଶ୍ୟକ ନଥିଲେ ମଧ୍ୟ ବିଭିନ୍ନ ପ୍ରକାର ପରୀକ୍ଷା କରିବାକୁ ରୋଗୀ ବାଧ୍ୟ। ଅବଶ୍ୟ ବୈଷୟିକ ବିଦ୍ୟାରେ ଅଗ୍ରଗତି ହେତୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ନୂଆ ନୂଆ ଯନ୍ତ୍ରପାତି ଓ ପଦ୍ଧତି ବ୍ୟବହାର ହେବା ସ୍ୱାଭାବିକ; କିନ୍ତୁ ଯେଉଁ ଡାକ୍ତରଟି ରୋଗୀର ଚିକିତ୍ସା କରେ ତା’ର ନିଷ୍ଠାର ମୂଲ୍ୟ ଯନ୍ତ୍ରଠାରୁ ଯଥେଷ୍ଟ ବେଶୀ। ଏହା ଛଡା ଡାକ୍ତରଙ୍କ ନିକଟରେ ଯଥେଷ୍ଟ ପରିମାଣରେ ଯାହା ରହିବା କଥା ତାହା ହେଉଛି ରୋଗୀର ସମସ୍ୟାକୁ ଭଲ ଭାବରେ ବୁଝିବା ପାଇଁ ଯଥେଷ୍ଟ ସମୟ ଓ ସମବେଦନା; ଆବଶ୍ୟକ ସ୍ଥଳେ ବିଶେଷଜ୍ଞଙ୍କ ମଧ୍ୟରେ ପାରସ୍ପରିକ ଆଲୋଚନା।
ନୂଆ ଭାବରେ ସ୍ଥାପିତ ହେଉଥିବା ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି ପ୍ରାୟ ସହରାଞ୍ଚଳରେ ସୀମିତ ବୋଲି କହିଲେ ଚଳିବ। ଏହି କାରଣରୁ ପ୍ରତିଦିନ ହଜାର ହଜାର ରୋଗୀ ସହର ଅଭିମୁଖୀ ହୋଇଥାନ୍ତି। ଆମ ଜନସଂଖ୍ୟାର ପ୍ରାୟ ଦୁଇ ତୃତୀୟାଂଶ ଲୋକ ଗାଁ ଗହଳରେ ରହନ୍ତି, ଯେଉଁଠାରେ ସ୍ୱାସ୍ଥ୍ୟ ସେବାର କୌଣସି ବିଶ୍ୱସନୀୟ ବ୍ୟବସ୍ଥା ନଥାଏ। ଯଦି କୌଣସି ଗ୍ରାମୀଣ ସ୍ୱାସ୍ଥ୍ୟ କେନ୍ଦ୍ରକୁ କାହାକୁ କେତେବେଳେ ଯିବାକୁ ପଡେ ଏହା ପ୍ରାୟ ଅନେକାଂଶରେ ନିଶ୍ଚିତ ଯେ ସେହି କେନ୍ଦ୍ରରେ କୌଣସି ଡାକ୍ତର ବା ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀ ନଥିବେ। ମୁଁ ଭାବୁଥିଲି ଏଠାରେ ଲେଖିବି – ତିରିଶ ବର୍ଷ ପୂର୍ବେ ମୁଁ ବିଭିନ୍ନ ଜିଲା ଦାୟିତ୍ୱରେ ଥିବାବେଳେ ଯେଉଁ ଅବସ୍ଥା ଥିଲା ସେଥିରେ ବରଂ ଅବନତି ହୋଇଛି। ଏହା ଲେଖିବି କି ନାହିଁ ଦ୍ୱନ୍ଦ୍ୱରେ ପଡିଥିବାବେଳେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯେଉଁ ପରିସଂଖ୍ୟାନ ମୋ ଦୃଷ୍ଟିକୁ ଆସିଲା ତାହା ହେଉଛି – ୨୦୦୫ରେ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ଅବସ୍ଥା ସତର ବର୍ଷ ପୂର୍ବେ, ୨୦୦୫ରେ ଯାହା ଥିଲା ତାହା ଠାରୁ ନିକୃଷ୍ଟତର ହୋଇଛି।
୨୦୦୫ରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଉପକେନ୍ଦ୍ରରେ ଖାଲି ପଡିଥିବା ଡାକ୍ତରଙ୍କ ପଦ ଥିଲା ଶତକଡା ୧୭.୫। ୨୦୨୧ରେ ଖାଲିଥିବା ପଦ ଶତକଡା ୨୧.୮୩ରେ ପହଞ୍ଚଥିବା ଜଣାପଡେ। ୨୦୦୫ରେ ପ୍ରାୟ ଅର୍ଦ୍ଧେକ ଗୋଷ୍ଠୀ ସ୍ୱାସ୍ଥ୍ୟସେବା କେନ୍ଦ୍ରରେ ସ୍ପେସିଆଲିଷ୍ଟ ଡାକ୍ତର ନଥିଲେ। ୨୦୨୧ରେ ଏହା ୬୭.୯୬ ପ୍ରତିଶତରେ ପହଞ୍ଚିିଛି। ଏଠାରେ ଉଲ୍ଲେଖ କରିବା ପ୍ରାସଙ୍ଗିକ ହେବ ଯେ ମୁଁ ଜିଲା ସ୍ତରରେ କାମ କରୁଥିବାବେଳେ ୧୯୮୦ରୁ ୧୯୯୦ ବିଭିନ୍ନ ଜିଲାର ଅତ୍ୟନ୍ତ ଦୂରବର୍ତ୍ତୀ ଓ ଅପହଞ୍ଚ ଇଲାକାକୁ ମଧ୍ୟ ଯାଇ ସେଠାରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ସେମାନଙ୍କ କର୍ତ୍ତବ୍ୟ ପାଳନ କରୁଥିବା ନିଜ ଆଖିରେ ଦେଖିଛି। ଏହାର ଅର୍ଥ ୨୦୦୫ରେ ମଧ୍ୟ ଯାହା ଅବସ୍ଥା ଥିଲା ତାହା ୧୯୯୦ର ଅବସ୍ଥାଠାରୁ ନିକୃଷ୍ଟ। ଅବଶ୍ୟ ଯୁକ୍ତି କରାଯାଇପାରେ ଯେ ଏହା ମଧ୍ୟରେ ଲୋକସଂଖ୍ୟା ବହୁଗୁଣିତ ହୋଇଛି; କିନ୍ତୁ ଲୋକସଂଖ୍ୟା ବିଚାରକୁ ନେଇ ସେଥିପାଇଁ ଯେଉଁ ଆଗୁଆ ପଦକ୍ଷେପ ନେବା ଉଚିତ୍ ଥିଲା ସେଥିରେ ନିଶ୍ଚିତ ଭାବରେ ଅବହେଳା ହୋଇଛି ବୋଲି କହିବାକୁ ପଡିବ।
ପ୍ରକୃତରେ ୧୯୯୦ ପରେ ସ୍ୱାସ୍ଥ୍ୟସେବାରେ ଅବନତିର ଏକ ବିଶେଷ କାରଣ ହେଉଛି ଆମ ଦେଶ ନବ ଉଦାରବାଦୀ ଅର୍ଥନୈତିକ ଆଦର୍ଶକୁ ପ୍ରାଧାନ୍ୟ ଦେବା। ଏହି ପ୍ରକାର ଅର୍ଥନୀତିରେ ସରକାରୀକଳର ଆକାର କମାଇବାକୁ ପଡେ; କିନ୍ତୁ କେଉଁଠାରେ କମାଯିବ ତାହାର ପୁଙ୍ଖାନୁପୁଙ୍ଖ ବିଶ୍ଲେଷଣ ନ କରି ସବୁ କ୍ଷେତ୍ରରେ ମାନବ ସମ୍ବଳ କମାଇବା ପାଇଁ ଯେଉଁ ପ୍ରଚେଷ୍ଟା ହେଲା ସେଥିରେ ସବୁଠାରୁ ବେଶୀ କ୍ଷତିଗସ୍ତ ହେଲା ସ୍ୱାସ୍ଥ୍ୟ ଓ ଶିକ୍ଷା– ଯେଉଁ କ୍ଷେତ୍ରଗୁଡିକରେ ପର୍ଯ୍ୟାପ୍ତ ମାନବ ସମ୍ବଳ ବିନା ସେବା ଯୋଗାଇବା ସମ୍ଭବ ନୁହେଁ।
ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟସେବା ପିରାମିଡର ସବୁଠାରୁ ନିମ୍ନରେ ଥିବା ସବ୍ସେଣ୍ଟରଟି ଥାଏ ଜଣେ ଏଏନ୍ଏମ୍ଙ୍କ ତତ୍ତ୍ବାବଧାନରେ। ୨୦୦୫ରେ ଶତକଡା ୪.୭୫ ଉପକେନ୍ଦ୍ରରେ ଏ.ଏନ୍.ଏମ୍ ନଥିବାବେଳେ ୨୦୨୧ରେ ୨୭.୧୬ ପ୍ରତିଶତ କେନ୍ଦ୍ରରେ ଏ.ଏନ୍.ଏମ୍ ନଥିଲେ। ଏହା ହେଉଛି କୋଭିଡ ମହାମାରୀ ସମୟର କଥା। ସବୁଠାରୁ ଦୟନୀୟ ଅବସ୍ଥା ଥିଲା ବିହାରରେ ଯେଉଁ ରାଜ୍ୟରେ ଶତକଡା ୭୨.୧୨ ଉପକେନ୍ଦ୍ରରେ ମହିଳା ସ୍ୱାସ୍ଥ୍ୟ କର୍ମୀ ନଥିଲେ। ଓଡ଼ିଶା ପରି ରାଜ୍ୟରେ ମଧ୍ୟ ପରିସ୍ଥିତି ବେଶୀ କିଛି ଭିନ୍ନ ହୋଇଥିବା ମନେହୁଏ ନାହିଁ। କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟସେବା ଉପରେ ଯଥେଷ୍ଟ ଗୁରୁତ୍ୱ ନଦେଉଥିବା ଏହି ଦୁରବସ୍ଥାର କାରଣ ହୋଇପାରେ।
ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଯେପରି ଦୁର୍ଗମ ଅଞ୍ଚଳରେ ରହିବେ ଏବଂ ସ୍ୱାସ୍ଥ୍ୟସେବା ଯୋଗାଇବେ ଏଥିପାଇଁ ବିଭିନ୍ନ ପ୍ରୋତ୍ସାହନ ବ୍ୟବସ୍ଥା ସଂପର୍କରେ ପରୀକ୍ଷାନିରୀକ୍ଷା ହୋଇଛି ଓ କାର୍ଯ୍ୟକାରୀ ମଧ୍ୟ କରାଯାଇଛି। ବିଗତ ବର୍ଷଗୁଡ଼ିକରେ ଦୁର୍ଗମ ଅଞ୍ଚଳକୁ ସୁଗମ କରିବା ପାଇଁ ନାନା ପ୍ରକାର ଯୋଜନା କାର୍ଯ୍ୟକାରୀ କରାଯାଇଛି। ଉଦାହରଣସ୍ୱରୂପ ରାସ୍ତା ଓ ପୋଲ, ବିଜୁଳି ଓ ବିଶୁଦ୍ଧ ପାନୀୟ ଜଳଯୋଗାଣ, ପରିବହନ ବ୍ୟବସ୍ଥାରେ ଉନ୍ନତି ଇତ୍ୟାଦି। ତଥାପି ୧୯୮୦-୯୦ ତୁଳନାରେ ୨୦୨୧ରେ କାହିଁକି ଆଭ୍ୟନ୍ତରୀଣ ଓ ଦୂରଦୂରାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚାଇ ନହେବ ଏହି ପ୍ରଶ୍ନ ଉଠିବା ସ୍ୱାଭାବିକ। ଅତିରିକ୍ତ କୋଡିଏ ଲକ୍ଷ ଡାକ୍ତର ଓ ନର୍ସଙ୍କୁ ନିୟୋଜିତ କରିପାରିଲେ ଭାରତ ଲୋକସଂଖ୍ୟା ଓ ସ୍ୱାସ୍ଥ୍ୟସେବା କର୍ମୀଙ୍କ ମଧ୍ୟରେ ସର୍ବନିମ୍ନ ସ୍ୱୀକୃତ ଅନୁପାତରେ ପହଞ୍ଚିବ ବୋଲି ୨୦୨୦ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ଆକଳନ କରିଥିଲେ। ଆମ ଦେଶରେ ଅନ୍ତର୍ଜାତୀୟ ମାନକୁ ଅନୁସରଣ କରିବା ପାଇଁ ଉଦ୍ୟମର ଅଭାବ ରହିଛି।
ଗତ କିଛିଦିନ ହେବ ରାୟଗଡାର କାଶୀପୁର ବ୍ଲକରେ ହଇଜା ସଂକ୍ରମଣରେ ଆଦିବାସୀମାନେ ମୃତ୍ୟୁମୁଖରେ ପଡୁଥିବାର ସମ୍ବାଦ ପ୍ରକାଶ ପାଉଛି। ଜୁଲାଇ-ଅଗଷ୍ଟ ବର୍ଷା ମାସଗୁଡିକରେ ଆଦିବାସୀ ଅଞ୍ଚଳରେ ଖାଦ୍ୟାଭାବ ଯୋଗୁଁ ଲୋକେ ଅଖାଦ୍ୟ ଖାଇ ମୃତ୍ୟୁମୁଖରେ ପଡୁଥିବା ଏକ ସାଧାରଣ ଅନୁଭୂତି ଥିଲା। କ୍ରମେ ଖାଦ୍ୟ ନିରାପତ୍ତା ନିଶ୍ଚିତ ହେବାରୁ ପରିସ୍ଥିତି ସଂପୂର୍ଣ୍ଣ ବଦଳିଯିବା କଥା। ମିଳିଥିବା ପ୍ରାରମ୍ଭିକ ତଥ୍ୟରୁ ଜଣାପଡେ ଯେ କାଶୀପୁର ଗାଁଗୁଡିକରେ ଏଥର ହଇଜାର କାରଣ ହେଉଛି ଦୂଷିତ ପାନୀୟ ଜଳ ଏବଂ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟସେବାର ଅଭାବ।
୨୦୧୯-୨୦ରେ କୋଭିଡ ମହାମାରୀ ଆରମ୍ଭ ହୋଇଥିଲେ ମଧ୍ୟ ବିଶ୍ୱ ଏ ପର୍ଯ୍ୟନ୍ତ କୋଭିଡମୁକ୍ତ ହୋଇ ପାରିନାହିଁ। ଏହା ଛଡା ଆହୁରି ଅନେକ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ଆମର ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ଆହ୍ୱାନ ହୋଇ ରହିଛି। ‘ପବ୍ଲିକ ହେଲ୍ଥ ବା ସାଧାରଣ ସ୍ୱାସ୍ଥ୍ୟ’ ଶବ୍ଦଟି ଦୁଇଟି ଅର୍ଥରେ ବ୍ୟବହାର ହୁଏ। ଗୋଟିଏ ହେଉଛି ସରକାରୀ ସ୍ୱାସ୍ଥ୍ୟସେବା ଅନୁଷ୍ଠାନରେ ଯୋଗାଇ ଦିଆଯାଉଥିବା ସ୍ୱାସ୍ଥ୍ୟସେବା। ଅନ୍ୟ ଅର୍ଥଟି ହେଉଛି ପ୍ରତିଷେଧକ ସ୍ୱାସ୍ଥ୍ୟ ବ୍ୟବସ୍ଥା। ମୁଁ ଏଠାରେ ସାଧାରଣ ସ୍ୱାସ୍ଥ୍ୟକୁ ଦ୍ୱିତୀୟ ଅର୍ଥରେ ବ୍ୟବହାର କରୁଛି। ଓଡିଶାରେ ଗୋଟିଏ ‘ସାଧାରଣ ସ୍ୱାସ୍ଥ୍ୟ ଇଂଜିନିୟରିଂ’ ବିଭାଗଟିଏ ଅନେକ ଦିନରୁ ରହିଛି ସହରାଞ୍ଚଳରେ ବିଶୁଦ୍ଧ ଜଳଯୋଗାଣ ବ୍ୟବସ୍ଥା କରିବା ପାଇଁ। ପରେ ଏହି ଇଂଜିନିୟରିଂ ସଂସ୍ଥାଟି ଦୁଇଭାଗ ହୋଇ ନଗର ଉନ୍ନୟନ ଓ ଗ୍ରାମ ଉନ୍ନୟନ ବିଭାଗ ଅଧୀନରେ ରହିଲା।
ଏଥିରେ ପୁଣି ପରିବର୍ତ୍ତନ କରାଯାଇ ଏବେ ଗ୍ରାମାଞ୍ଚଳ ପାନୀୟ ଜଳଯୋଗାଣ ଦାୟିତ୍ୱ ରହିଛି ପଞ୍ଚାୟତିରାଜ ବିଭାଗ ଅଧୀନରେ। ବିଷୟଟି କେଉଁ ବିଭାଗ ଅଧୀନରେ ରହୁଛି ତାହା ବଡ଼ କଥା ନୁହେଁ। ବଡ଼ କଥା ହେଉଛି ସାଧାରଣ ବା ପ୍ରତିଷେଧକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସହିତ ସମନ୍ୱୟ ରକ୍ଷା କରିବା। ଓଡ଼ିଶାର ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ଏକାଧିକ ନିେର୍ଦଶକ କାମ କରନ୍ତି, ଯେପରି ସ୍ୱାସ୍ଥ୍ୟସେବା, ପରିବାର କଲ୍ୟାଣ, ପ୍ରତିଷେଧକ ସ୍ୱାସ୍ଥ୍ୟ, ମେଡିକାଲ ଶିକ୍ଷା ଇତ୍ୟାଦି। ସାଧାରଣ ବା ପ୍ରତିଷେଧକ ସ୍ୱାସ୍ଥ୍ୟ ପାଇଁ ଯେତିକି ମାନବ ସମ୍ବଳ ଆବଶ୍ୟକ ତାହା ନିର୍ଦ୍ଦିଷ୍ଟ କରିବାକୁ ପଡିବ ଏବଂ ସେମାନଙ୍କ ପାଇଁ ପଦୋନ୍ନତିର ସୁଯୋଗ ମଧ୍ୟ ରଖିବାକୁ ପଡିବ। ତାହା ନ ହେଲେ ପ୍ରତିଷେଧକ ସ୍ୱାସ୍ଥ୍ୟ ବ୍ୟବସ୍ଥା ଆକର୍ଷଣୀୟ ଓ ଫଳପ୍ରଦ ହେବନାହିଁ।
ତାମିଲନାଡୁରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଅପେକ୍ଷାକୃତ ଉତ୍କୃଷ୍ଟ ବୋଲି ଟିପ୍ପଣୀମାନ ଦେଖିବାକୁ ମିଳେ। ଏହି ରାଜ୍ୟରେ ୧୯୩୦ ମସିହାଠାରୁ ସାଧାରଣ (ପ୍ରତିଷେଧକ) ସ୍ୱାସ୍ଥ୍ୟ ପାଇଁ ଏକ ସ୍ୱତନ୍ତ୍ର ବିଭାଗ ରହିଛି। ଯାହାର ନାମ ହେଉଛି ସାଧାରଣ ସ୍ୱାସ୍ଥ୍ୟ ଓ ପ୍ରତିଷେଧକ ଔଷଧ ବିଭାଗ। ତାମିଲନାଡୁ ସରକାର ପ୍ରାଥମିକ ସ୍ୱାସ୍ଥ୍ୟକୁ ଏହି ବିଭାଗ ଅଧୀନରେ ରଖିଥିବାବେଳେ ସେକେଣ୍ଡାରୀ (ସବ୍ଡିଭିଜନ ଓ ଜିଲାସ୍ତରୀୟ ଡାକ୍ତରଖାନା) ସ୍ୱାସ୍ଥ୍ୟସେବାକୁ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ରଖିଛନ୍ତି। ଅତିରିକ୍ତ ବା ଟର୍ସିଆରୀ ସ୍ୱାସ୍ଥ୍ୟସେବା (ମେଡିକାଲ କଲେଜ୍) ରହିଛି ମେଡିକାଲ ଶିକ୍ଷା ବିଭାଗ ଅଧୀନରେ। ଏଠାରେ ଲକ୍ଷ୍ୟ କରାଯିବ ଯେ ତାମିଲନାଡୁ ଓ ଓଡିଶାର ସ୍ୱାସ୍ଥ୍ୟସେବାର ସାଂଗଠନିକ ବ୍ୟବସ୍ଥା କେତେକାଂଶରେ ଏକାପରି। କେବଳ ପାର୍ଥକ୍ୟ ହେଉଛି ପ୍ରାଥମିକ ସ୍ତରର ସ୍ୱାସ୍ଥ୍ୟସେବାକୁ କେଉଁଠି ସାଧାରଣ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ଓ ଆଉ କେଉଁଠି ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ରଖାଯାଇଛି; କିନ୍ତୁ ମୌଳିକ ବିଷୟଟି ହେଲା ସାଧାରଣ ଜନତା ପ୍ରଭାବିତ ହେଉଥିବା ନାନା ପ୍ରକାର ରୋଗ ଉପରେ କିପରି ତୀକ୍ଷ୍ଣ ଦୃଷ୍ଟି ରଖାଯାଇ ପାରିବ ଏବଂ ସମୟୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ।
ଗ୍ରାମାଞ୍ଚଳରେ ରୋଗ ସଂକ୍ରମଣ ଉପରେ କ୍ରମାଗତ ଭାବରେ ଦୃଷ୍ଟି ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହୁଏ ତ ଓଡିଶାରେ ରୋଗ ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ଯେଉଁ ବ୍ୟବସ୍ଥାଟି ଅଛି ତାହା ପର୍ଯ୍ୟାପ୍ତ ନୁହେଁ ବା ସେହି କାର୍ଯ୍ୟଟି ଠିକ୍ ଭାବରେ ହେଉନାହିଁ। ଆମର ପ୍ରାଥମିକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାଟି ଏପରି ହେବା କଥା ଯେପରି ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପ୍ରତ୍ୟେକ ପରିବାରର ସ୍ୱାସ୍ଥ୍ୟ ବିଷୟରେ ଟିକିନିଖି ତଥ୍ୟ ଜଣାଥିବ ଏବଂ ସେମାନେ ହିଁ ଆବଶ୍ୟକ ମତେ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ନେବାରେ ସାହାଯ୍ୟ କରିବେ। ରୋଗକୁ ଦୂରରେ ରଖିବା ପାଇଁ ଯେଉଁ ପ୍ରକାର ଜୀବନଚର୍ଯ୍ୟା ଅର୍ଥାତ୍ ଖାଦ୍ୟ, ବ୍ୟାୟାମ, ବିଶ୍ରାମ ଇତ୍ୟାଦିର ଆବଶ୍ୟକତା ଅଛି ସେ ବିଷୟରେ ମଧ୍ୟ ସେମାନେ ପରାମର୍ଶ ଦେଇପାରୁଥିବେ। ରୋଗ ପ୍ରତିଷେଧକ ଉପରେ ଗୁରୁତ୍ୱ ଦିଆଗଲେ ଡାକ୍ତରଖାନାଗୁଡିକ ଉପରେ ଚାପ କମିବ ଓ ସହାରାଞ୍ଚଳରେ ଥିବା ସ୍ୱାସ୍ଥ୍ୟସେବା ଅନୁଷ୍ଠାନରେ ହେଉଥିବା ଭିଡକୁ କମାଯାଇପାରିବ। ଆମର ସମଗ୍ର ସ୍ୱାସ୍ଥ୍ୟ ବ୍ୟବସ୍ଥାଟି ଭବିଷ୍ୟତରେ ଘଟିବାକୁ ଥିବା ସବୁ ପ୍ରକାର ସ୍ୱାସ୍ଥ୍ୟ ଏମରଜେନ୍ସିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ହୋଇ ରହିଥିବ।


