Patra electronics

ମହାମାରୀ-ପର ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା

ପ୍ରଦୀପ ମହାପାତ୍ର

‘ମହାମାରୀ-ପର’ ଶବ୍ଦାର୍ଥ ମହାମାରୀ-ଅନ୍ତ ବଦଳରେ ମହାମାରୀ-ଆରମ୍ଭହେବା-ପରେ ବା ମହାମାରୀ କାଳରେ ବୁଝାଗଲେ ମହାମାରୀଜନିତ ଭୂତାଣୁ ସଂକ୍ରମଣର ବିଭିନ୍ନ ପର୍ଯ୍ୟାୟ ସ୍ପଷ୍ଟ ହୋଇଥାଏ । ଭାରତରେ ୨୦୨୦ରୁ ୨୦୨୨ ମଧ୍ୟଭାଗ ଯାଏ ପ୍ରାୟ ଅଢ଼େଇ ବର୍ଷ ମହାମାରୀର ପ୍ରାଦୁର୍ଭାବ ଅନୁଭବ ପରେ ସଂକ୍ରମଣ ହାର ଓ ରୋଗାକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା କମି ଆସିଥିବା ସ୍ଥଳେ ସାଧାରଣ ଜୀବନଯାତ୍ରା ଲାଗି ବିଶେଷଜ୍ଞଙ୍କ ପରାମର୍ଶ ଆବଶ୍ୟକ ପଡ଼େ । ଆନ୍ତର୍ଜାତିକ ସ୍ତରରେ ବୟସବର୍ଗ ବିଚାରରେ ବୃଦ୍ଧଜନ ମହାମାରୀ ପ୍ରାଦୁର୍ଭାବରେ ସର୍ବାପେକ୍ଷା ପ୍ରଭାବିତ ହୋଇଥିବା ହେତୁ ସଂକ୍ରମଣ ହାର ହ୍ରାସ ପାଇବାପରେ ବାର୍ଦ୍ଧକ୍ୟଗ୍ରସ୍ତଙ୍କ ଜୀବନଚର୍ଯ୍ୟା ନିର୍ଦ୍ଧାରଣ ଗୁରୁତ୍ୱ ବହନ କରେ।

‘କୋଭିଡ୍‌-୧୯’ ମହାମାରୀର ଶହେବର୍ଷ ପୂର୍ବେ ଅନୁଭୂତ ଅନୁରୂପ ‘ସ୍ପାନିସ-ଫ୍ଳୁ’ ସଂକ୍ରମଣରେ ମୁଖ୍ୟତଃ ୨୦ରୁ ୪୦ ବର୍ଷୀୟ ଯୁବବର୍ଗ ମୃତ୍ୟୁମୁଖରେ ପଡ଼ିଥିବା ସ୍ଥଳେ ‘କୋଭିଡ୍‌-୧୯’ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟାରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଅଧିକ ରହିଥିଲା । କୋଭିଡ୍‌ ଆକ୍ରାନ୍ତ ଓ ମୃତକଙ୍କ ତଥ୍ୟ ଲିପିବଦ୍ଧ କ୍ଷେତ୍ରରେ ଅଗ୍ରଣୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକାର ସେଣ୍ଟର ଫର ଡିଜିଜି କଣ୍ଟ୍ରୋଲ ‘ସିଡିସି’ ପରିସଂଖ୍ୟାନ ଅନୁଯାୟୀ ୨୦୨୦ରୁ ୨୦୨୨ ମଧ୍ୟଭାଗ ଅଢ଼େଇ ବର୍ଷରେ ‘କୋଭିଡ୍‌-୧୯’ ଆକ୍ରାନ୍ତଙ୍କ ମଧ୍ୟରୁ ଦଶ ଲକ୍ଷ ମୃତ୍ୟୁବରଣ କରିଥିଲେ ଏବଂ ସେମାନଙ୍କ ମଧ୍ୟରେ ଏକ ତୃତୀୟାଂଶ ୬୫ ବର୍ଷୋତ୍ତର । ସେଠାରେ ହୃଦରୋଗ ଓ କର୍କଟ ପରକୁ କୋଭିଡ୍‌ ମୃତ୍ୟୁ ସଂଖ୍ୟା ତୃତୀୟ ସ୍ଥାନରେ ରହିଥିଲା । ଯୁକ୍ତରାଷ୍ଟ୍ର ଆମେରିକାର ସ୍ଥିତି ଆନ୍ତର୍ଜାତିକସ୍ତରରେ ଅନ୍ୟାନ୍ୟ ଅଞ୍ଚଳଗୁଡ଼ିକରେ ମଧ୍ୟ ଊଣାଅଧିକେ ସମଭାବେ ପ୍ରତିଫଳିତ ବୋଲି ବିଶ୍ୱାସ କରାଯାଇପାରେ ।

ବିଗତ ଶହେ ବର୍ଷର ଇତିହାସରେ ସ୍ୱାସ୍ଥ୍ୟରକ୍ଷା ଓ ଚିକିତ୍ସା କ୍ଷେତ୍ରରେ ‘କୋଭିଡ୍‌-୧୯’ ବିପଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିଥିଲା । ବିଂଶ ଶତାବ୍ଦୀର ସ୍ୱାସ୍ଥ୍ୟସେବା, ବାର୍ଦ୍ଧକ୍ୟ-ଅନୁକୂଳ-ଜୀବନଚର୍ଯ୍ୟା-ଜନିତ ସଂକ୍ରମଣ ମୁକାବିଲାରେ ସ୍ଥଳବିଶେଷରେ ଅସହାୟ ବିବେଚିତ ହୋଇଥିବା ଅନୁଭୂତି ମାନବ ସଭ୍ୟତାକୁ ବିଚଳିତ କରିବା ସ୍ୱାଭାବିକ । ଅତଏବ ‘କୋଭିଡ୍‌-୧୯’ ସଂକ୍ରମଣ ଭୟ ସଂପୂର୍ଣ୍ଣ ପ୍ରତିହତ ନହେବା ଯାଏ ବାର୍ଦ୍ଧକ୍ୟଗ୍ରସ୍ତଙ୍କ ନିମନ୍ତେ ଆଦର୍ଶ ଆଚରଣ ବିଧି ଅନୁପାଳନ ବାଧ୍ୟବାଧକତାରେ ପରିଣତ ହୋଇଥିବା ଯୁକ୍ତି ଗ୍ରହଣୀୟ । ଏହି ପରିବେଶରେ ଦେଶବିଦେଶର ବିଶେଷଜ୍ଞଙ୍କ କେତେକ ତଥ୍ୟାଶ୍ରିତ ପରାମର୍ଶ ସମ୍ପର୍କରେ ବିଚାରବିମର୍ଶ ଉପଯୋଗୀ ମନେହୁଏ ।

ମହାମାରୀ ସମ୍ପର୍କରେ ଯେକୌଣସି ଆଲୋଚନା ଆରମ୍ଭରେ ପ୍ରଥମତଃ ମନେରଖିବାକୁ ହୁଏ ଯେ ମନୁଷ୍ୟ ଶରୀରରେ ‘ସାର୍ସ-କୋଭ-୨’ କରୋନା ଭୂତାଣୁ ସଂକ୍ରମଣ ଏକ ନୂତନ ଅଭିଜ୍ଞତା ଏବଂ ଆମର ଚିକିତ୍ସା ଶାସ୍ତ୍ର ଏ ସଂପର୍କରେ ଅନଭିଜ୍ଞ । ଯଦିଓ ପ୍ରଥମ ପର୍ଯ୍ୟାୟ ଅଢ଼େଇ ବର୍ଷ ମଧ୍ୟରେ ସଂକ୍ରମଣ, ଚିକିତ୍ସା ଓ ପ୍ରତିଷେଧକ ସଂପର୍କରେ ବ୍ୟାପକ ତଥ୍ୟ ଆହରଣ କରାଯାଇପାରିଛି; ଏହି ସବୁ ଦିଗରେ ଆହୁରି ଅଧିକ ଅନୁଧ୍ୟାନ, ପରୀକ୍ଷାନିରୀକ୍ଷା ଓ ଉଦ୍ଭାବନ ଆବଶ୍ୟକ ଥିବା ବିଶେଷଜ୍ଞମାନେ ମୁକ୍ତ କଣ୍ଠରେ ସ୍ୱୀକାର କରନ୍ତି । ତେଣୁ ଅଢ଼େଇ ବର୍ଷର ସଂକଳିତ ଜ୍ଞାନ ସର୍ବ‌େ‌ତା ଭାବେ ଗ୍ରହଣୀୟ ନହେଲେ ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟର ଜୀବନଚର୍ଯ୍ୟା ନିମନ୍ତେ ଯେ ପଥପ୍ରଦର୍ଶକ ଏଥିରେ ସନ୍ଦେହ ନାହିଁ।

ଦ୍ୱିତୀୟତଃ, ମନରେ ପ୍ରଶ୍ନ ଉଠେ ମହାମାରୀର ପ୍ରକୋପ କମି ଆସିବା ପରେ ସ୍ୱାଭାବିକ ଜୀବନଯାତ୍ରା ଫେରି ଆସୁଥିବା ଅବସରରେ ବରିଷ୍ଠ ନାଗରିକଙ୍କ ଜୀବନଚର୍ଯ୍ୟାରେ ସତର୍କତା ଆବଶ୍ୟକ କି ? କୋଭିଡ୍‌-ଅନୁକୂଳ ଆଚରଣ, ପ୍ରତିଷେଧକ ଓ ଚିକିତ୍ସା ଯୋଗୁଁ ଆମେରିକାରେ ପ୍ରଥମ ବର୍ଷ ମୋଟ କୋଭିଡ୍‌ଜନିତ ମୃତ୍ୟୁ ମଧ୍ୟରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ୮୦ ପ୍ରତିଶତ ରହିଥିବା ସ୍ଥଳେ ଦ୍ୱିତୀୟ ବର୍ଷ ୬୦ ପ୍ରତିଶତକୁ କମି ଆସିଥିଲା । ତଥାପି ‘ଦି ୱାଲ ଷ୍ଟ୍ରୀଟ ଜର୍ଣ୍ଣାଲ’ରେ ୨୦୨୨ ମେ ଶେଷ ସପ୍ତାହରେ ପ୍ରକାଶିତ ଏକ ବିବରଣୀ ଅନୁଯାୟୀ ଓମିକ୍ରନ ସଂକ୍ରମିତ ପାଞ୍ଚ ଜଣ ମାର୍କିନ ନାଗରିକଙ୍କ ମୃତ୍ୟୁରେ ଚାରିଜଣ ବରିଷ୍ଠ ନାଗରିକଙ୍କୁ ଚିହ୍ନଟ କରାଯାଇଥିଲା । ଏଥିରୁ ପ୍ରତୀୟମାନ ହୁଏ ଯେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା କମି ଆସିଥିବା, ଆକ୍ରାନ୍ତଙ୍କ ମଧ୍ୟରେ କମ ରୋଗୀ ସଂକଟାପନ୍ନ ଅବସ୍ଥାରେ ପହଞ୍ଚୁଥିଲେ ମଧ୍ୟ ମୃତକଙ୍କ ମଧ୍ୟରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଅଧିକ ରହିଆସିଛି । ଓଡ଼ିଶାରେ ୨୦୨୨ ଜାନୁଆରୀ ମାସର ଓମିକ୍ରନ ସଂକ୍ରମଣ କାଳରେ ହୃଦରୋଗ କାରଣରୁ ମୃତକଙ୍କ ମଧ୍ୟରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଅଧିକ ରହିଥିବା ‘ଦି ଟାଇମ୍ସ ଅଫ ଇଣ୍ଡିଆ’ରେ ମେ ଦ୍ୱିତୀୟ ସପ୍ତାହରେ ପ୍ରକାଶିତ ବିବରଣୀରେ ସୂଚିତ ହୋଇଥିଲା ।

ତୃତୀୟତଃ, ପ୍ରଶ୍ନ ମଧ୍ୟ ଉଠେ ‘କୋଭିଡ୍‌-୧୯’ ସଂକ୍ରମଣର ତିନିଗୋଟି ତରଙ୍ଗ ପରେ ଭାରତରେ ସାମୂହିକ ରୋଗ ପ୍ରତିରୋଧକ ଶକ୍ତି ‘ହେର୍ଡ ଇମ୍ୟୁନିଟ’ ସୃଷ୍ଟି ହୋଇସାରିଛି କି? ଭେଲୋର ଖ୍ରୀଷ୍ଟିଆନ ମେଡିକାଲ କଲେଜର ମାଇକ୍ରୋ-ବାୟୋଲୋଜିଷ୍ଟ ଗଗନଦୀପ କଙ୍ଗ ବାଣିଜ୍ୟ ସମ୍ୱାଦପତ୍ର ‘ବିଜିନେସ ଷ୍ଟାଣ୍ଡାର୍ଡ’କୁ ୨୦୨୨ ଜୁନ ପ୍ରଥମ ସପ୍ତାହରେ ଏକ ସାକ୍ଷାତକାର ଦେଇ କହିଥିଲେ ‘ହେର୍ଡ ଇମ୍ୟୁନିଟି’କୁ ନେଇ ଦୁଇ ଦିଗରୁ ତର୍ଜମା କରାଯାଇପାରେ । ଏକପକ୍ଷରେ ‘ହେର୍ଡ ଇମ୍ୟୁନିଟି’ର ଅର୍ଥ କରୋନା ଭୂତାଣୁ ସଂକ୍ରମଣ ଯେ ମୋଟରୁ ହେବ ନାହିଁ, ତାହା ଭାବିବା ଭୁଲ । ଜନସମୁଦାୟରେ କରୋନା ଭୂତାଣୁ ବଞ୍ଚି ରହିବ, କେହି ସଂକ୍ରମିତ ହେଲେ ରୋଗ ସୃଷ୍ଟି କରିବ । ଅପରପକ୍ଷେ ‘ହେର୍ଡ ଇମ୍ୟୁନିଟି’ର ଅର୍ଥ ଜନସମୁଦାୟରେ ବହୁସଂଖ୍ୟକ ପୂର୍ବ-ସଂକ୍ରମଣ ଓ ପ୍ରତିଷେଧକ ଟିକାକରଣ ହେତୁ ପ୍ରତିରୋଧକ ଶକ୍ତିରେ ସଜ୍ଜିତ ତଥା ସୁରକ୍ଷିତ ରହିବା ହେତୁ ବିପୁଳ ମାତ୍ରାରେ ସଂକ୍ରମଣ ଓ ରୋଗାକ୍ରାନ୍ତ ସଂକଟାପନ୍ନ ଅବସ୍ଥାରେ ପହଞ୍ଚିବା ସଂଖ୍ୟା କମିଯିବ । ଅବଶ୍ୟ ଏହି ସ୍ଥିତାବସ୍ଥା ବଜାୟ ରଖିବା ନିମନ୍ତେ ସାମୟିକ ଭାବେ ବୁଷ୍ଟର​ ପାନ ଟିକାକରଣ ଆବଶ୍ୟକ ପଡ଼ିବ ।

ଚତୁର୍ଥରେ ପ୍ରଫେସର କଙ୍ଗ ପୁଣି କହିଥିଲେ ଯେ ମାନବସଭ୍ୟତା ବହୁ ଭୂତାଣୁ ସଙ୍ଗେ ସହାବସ୍ଥାନ କରି ଆସିଛି । ଉଦାହରଣରେ ଇନଫ୍ଳୁଏଞ୍ଜା ଭୂତାଣୁ ବିଗତ ୧୨୦ ବର୍ଷ ଧରି ଭିନ୍ନ ଭିନ୍ନ ପ୍ରଜାତି ମାଧ୍ୟମରେ ସାମୟିକ ଭାବେ ସଂକ୍ରମଣ ବୃଦ୍ଧି କରିଥାଏ । ମହାମାରୀ ଓ ଭୂତାଣୁ ବିଶେଷଜ୍ଞ ‘ଏପି​‌େ​‌ଡାମୋଲୋଜିଷ୍ଟ’ ଓ ‘ଭାଇରୋଲୋଜିଷ୍ଟ’ କହିବେ ଯେ ଇନଫ୍ଳୁଏଞ୍ଜା ଭଳି କୋଭିଡ୍‌ର ନୂତନ ପ୍ରଜାତି ମଧ୍ୟ କୌଣସି ଅଞ୍ଚଳରେ କୌଣସି ସମୟରେ ସଂକ୍ରମଣର କାରଣ ପାଲଟିପାରେ । ଉପଲବ୍ଧ ତଥ୍ୟ ଆଧାରରେ ସଂକ୍ରମଣର ଗାଣିତିକ ମ​‌େ​‌ଡଲ ବିକଶିତ ହୁଏ । ତେଣୁ କେବେ କେଉଁଠୁ କୋଭିଡ୍‌ର ନୂତନ ପ୍ରଜାତି ପରିବ୍ୟାପ୍ତ ହେବ ସେ ସଂପର୍କରେ ଭବିଷ୍ୟତବାଣୀ ସମ୍ଭବ ନୁହେଁ । କିନ୍ତୁ ସଂକ୍ରମଣ ଆରମ୍ଭ ପରେ ଏହାର ପରବର୍ତ୍ତୀ ଦୁଇ ଚାରି ସପ୍ତାହରେ କିଭଳି ରୂପ ଧାରଣ କରିବ ତାହା ଆକଳନ ଗାଣିତିକ ମ‌େ‌ଡଲ ଉପଯୋଗରେ ସମ୍ଭବପର ।

ପଞ୍ଚମରେ ଦୀର୍ଘ ସମୟ ନିମନ୍ତେ ‘ସାର୍ସ-କୋଭ-୨’ ଭୂତାଣୁ ମନୁଷ୍ୟଙ୍କ ମଧ୍ୟରେ ଉଜ୍ଜୀବିତ ରହିଲେ ଜଣେ ବ୍ୟକ୍ତି ଭିନ୍ନ ଭିନ୍ନ ସଂକ୍ରମଣ ଅବସରରେ ବାରମ୍ୱାର ସଂକ୍ରମିତ ହେବା ଭୟ ବାର୍ଦ୍ଧକ୍ୟଗ୍ରସ୍ତଙ୍କ ନିମନ୍ତେ ଅନିଶ୍ଚିତ ପରିସ୍ଥିତି ସୃଷ୍ଟି କରେ। ମିଚିଗନ ବିଶ୍ୱବିଦ୍ୟାଳୟର ଜଣେ ମହାମାରୀ ବିଶେଷଜ୍ଞ ଆଉବ୍ରି ଗୋର୍ଡନ ଖ୍ୟାତନାମା ମାର୍କିନ ପତ୍ରିକା ‘ଦି ଅାଟଲାଣ୍ଟିକ’କୁ ମେ ୨୦୨୨ରେ କହିଥିଲେ ଯେ ‘ସାର୍ସ-କୋଭ-୨’ ଭୂତାଣୁ ପ୍ରତ୍ୟେକଙ୍କୁ ହାରାହାରି ତିନି ବର୍ଷରେ ଥରେ ସଂକ୍ରମଣ ଭୟ ରହିବ । ଅବଶ୍ୟ ଫ୍ଳୁରେ ପ୍ରତି ଦୁଇରୁ ପାଞ୍ଚ ବର୍ଷରେ ଥରେ ଜୀବନବ୍ୟାପୀ ମୁଖ୍ୟତଃ କମ ବୟସରେ ସଂକ୍ରମିତ ହେବା ଅଭିଜ୍ଞତା ଆମର ରହିଛି । କିନ୍ତୁ ‘ସାର୍ସ-କୋଭ-୨’ ଭୂତାଣୁ ସଂକ୍ରମଣ ହୃଦଯନ୍ତ୍ର, ପାକସ୍ଥଳୀ, ଅନ୍ତଃନଳୀ, ବୃକ୍‌କ ଓ ମସ୍ତିସ୍କ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗର କ୍ଷତି ପହୁଞ୍ଚାଉଥିବା ସମସ୍ୟାର କାରଣ ପାଲଟିଛି । ପୁଣି ସଂକ୍ରମଣର ଦୀର୍ଘକାଳୀନ ପ୍ରଭାବ ‘ଲଙ୍ଗ-କୋଭିଡ୍‌’ ସଂପର୍କରେ ସବିଶେଷ ତଥ୍ୟ ସଂଗୃହୀତ ହୋଇ ନପାରିଥିବା ସ୍ଥଳେ ଉଦ୍‌ବେଗ ସୃଷ୍ଟି କରିଥାଏ ।

ଷଷ୍ଠରେ ଭୂତାଣୁ ସଂକ୍ରମଣ ରୋକିବାରେ ଟିକାକରଣର ଭୂମିକା ଚର୍ଚ୍ଚାର ପରିସରରେ ପହଞ୍ଚିଥାଏ। ଉଦ୍ଭାବିତ ଟିକାଦ୍ୱାରା ବ୍ୟକ୍ତିଗତସ୍ତରରେ ଆକ୍ରାନ୍ତ ଜଟିଳ ସ୍ୱାସ୍ଥ୍ୟ ଅବନତିରୁ ବର୍ତ୍ତିଯାଉଥିବା ତଥା ସାମୂହିକସ୍ତରରେ ସଂକ୍ରମଣର ପ୍ରକୋପ ହ୍ରାସ ପାଉଥିବା ପ୍ରମାଣିତ । ତେବେ ଟିକାକରଣ ଦ୍ୱାରା ମୋଟରୁ ସଂକ୍ରମିତ ନହେବା କିମ୍ୱା ଭୂତାଣୁର ନୂତନ ପ୍ରଜାତି ସୃଷ୍ଟିକୁ ରୋକିବା ସମ୍ଭବପର ହୋଇପାରି ନାହିଁ । ଭାରତର ଜାତୀୟ ଟିକାକରଣ ବୈଷୟିକ ପରାମର୍ଶଦାତା ଗୋଷ୍ଠୀ ‘ନ୍ୟାସନାଲ ଟେକନିକାଲ ଏଡ୍‌ଭାଇଜରି ଗ୍ରୁପ ଅନ ଇମ୍ୟୁନାଇଜେସେନ’ର ଅଧ୍ୟକ୍ଷ ଏନ.କେ. ଆରୋରା ଜୁନ ୨୦୨୨ରେ କ୍ଷୋଭ ପ୍ରକାଶ କରି କହିଥିଲେ ଯେ ଟିକାକରଣର ସକଳ ସକାରାତ୍ମକ ତଥ୍ୟ ଉପଲବ୍ଧ ସତ୍ତ୍ୱେ ଦେଶରେ ମାତ୍ର ୫ ରୁ ୬ ପ୍ରତିଶତ ଜନସଂଖ୍ୟା କୋଭିଡ୍‌ ଟିକାର ତୃତୀୟ ପ୍ରତିଷେଧକ ମାତ୍ରା ପ୍ରଥମ ପାଞ୍ଚମାସରେ ଗ୍ରହଣ କରିଥିଲେ । ଅର୍ଥାତ୍‌, ଜନସାଧାରଣଙ୍କ ସମେତ ବରିଷ୍ଠ ନାଗରିକ ସମକାଳରେ ସଂକ୍ରମଣ ହାର ହ୍ରାସ ହେତୁ ଆତ୍ମସନ୍ତୁଷ୍ଟ ହୋଇ ବିଜ୍ଞାନକୁ ଅଣଦେଖା କରୁଥିବା ସୁସ୍ପଷ୍ଟ ।

ସପ୍ତମରେ ଆରୋରା ବୁଝାଇଥିଲେ ଯେ ଭୂତାଣୁ ରୂପାନ୍ତରରେ ସୃଷ୍ଟ ଶକ୍ତିଶାଳୀ ନୂତନ ପ୍ରଜାତି ଆନ୍ତର୍ଜାତିକସ୍ତରରେ ସଂକ୍ରମଣ ବୃଦ୍ଧି ଓ ତଦ୍‌ଜନିତ ମୃତାହତର କାରଣ । ସାଧାରଣରେ ବିଶ୍ୱାସ ଯେ ଯେଉଁ ଅଞ୍ଚଳରେ ଟିକାକରଣ କମ, ସେଠାରେ ଭୂତାଣୁ ନୂତନ ପ୍ରଜାତି ସୃଷ୍ଟି କରେ । ତେବେ ଦେଖିବାକୁ ମିଳୁଛି ଯେ ବ୍ୟାପକ ଟିକାକରଣ ହୋଇଥିବା ଅଞ୍ଚଳଗୁଡ଼ିକରେ ମଧ୍ୟ ନୂତନ ପ୍ରଜାତି ସୃଷ୍ଟି ସମ୍ଭବ । ପୁଣି ଏକ ରକମ ପ୍ରଜାତି ଭିନ୍ନ ଭିନ୍ନ ଭୌ​‌େ​‌ଗାଳିକ ପରିବେଶରେ ଅଲଗା ପ୍ରାଦୁର୍ଭାବ ବିସ୍ତାର କରିଥାଏ । ଉଦାହରଣରେ ଭାରତରେ ଓମିକ୍ରନର ପ୍ରଭାବ ତୁଳନାରେ ଆମେରିକାରେ ଉଦ୍‌ବେଗଜନକ ରହିଥିଲା ।

ମହାମାରୀ-ପର ଅବସ୍ଥାରେ ବରିଷ୍ଠ ନାଗରିକମାନେ ହିସାବ କରି ବସିଲେ ନିଜ ପରିବାର, ବନ୍ଧୁ ଓ ପରିଚିତ ବର୍ଗଙ୍କ ମଧ୍ୟରୁ ଅନ୍ତତଃପକ୍ଷେ ଏକରୁ ଦୁଇ ଡଜନ ମହାମାରୀ କାଳରେ ପରଲୋକ ଗମନ କରିଥିବା ମନେ ପଡ଼ିଯିବ । ପ୍ରିୟଜନଙ୍କ ବିୟୋଗ ଓ ଅଢ଼େଇ ବର୍ଷର ଏକାନ୍ତବାସ କାରଣରୁ ପାରମ୍ପରିକ ବନ୍ଧୁତ୍ୱର ଭିତ୍ତିଭୂମି ଦୋହଲି ଯାଇଥିବ । ସଂକ୍ରମଣ ଭୟରେ ଆହୁରି ଅଢ଼େଇ ବର୍ଷ ଯାଏ ସତର୍କତାର ଜୀବନ ବରିଷ୍ଠ ନାଗରିକଙ୍କୁ ଉତ୍ସବାନୁଷ୍ଠାନଗୁଡ଼ିକରେ ଉପସ୍ଥିତିରୁ ବିରତ ରହିବା ଏକରକମ ଆତ୍ମନିର୍ବାସନର ପରିବେଶ ସୃଷ୍ଟି କରିବା ଆଶଙ୍କା କରାଯାଇପାରେ । ତେବେ ଆମ ଓଡ଼ିଶାରେ ଏହାର ମିଶ୍ରିତ ପ୍ରଭାବ ସୁନିଶ୍ଚିତ । ରାଜ୍ୟର ୮୩ ପ୍ରତିଶତ ପରିବାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଏବଂ ୬୦ ବର୍ଷୋତ୍ତରଙ୍କ ମଧ୍ୟରେ ଅର୍ଦ୍ଧେକ ଶ୍ରମନିଯୁକ୍ତି ଥିବା ପରିସଂଖ୍ୟାନ ପୃଥକ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟାରେ ପର୍ଯ୍ୟବସିତ । ‘କୋଭିଡ୍‌-୧୯’ ମୁଖ୍ୟତଃ ଏକ ସହରଭିତ୍ତିକ ରୋଗ ଏବଂ ସହରାଞ୍ଚଳରେ ଅବସର ଜୀବନ ବିତାଉଥିବା ବରିଷ୍ଠ ନାଗରିକ ସଂକ୍ରମଣ ପ୍ରତିରୋଧ ନିମନ୍ତେ ସ​‌େ​‌ଚତନ ହେବା ସମୀଚୀନ ବିଚାର କରାଯାଏ ।

Comments are closed.