www.samajalive.in
Monday, December 15, 2025
17.1 C
Bhubaneswar

ବଦାନ୍ୟତାର ପରିଭାଷା

ଦେବାରେ ଆନନ୍ଦ । ଦାତାର ହୃଦୟ ବିଶାଳ । ଧନ ଓ ପାଚୁର୍ଯ୍ୟର ପାହାଡ଼ ଉପରେ ବସିଥିବା ସବୁ ଧନୀ ଦାନୀ ନୁହନ୍ତି । ପ୍ରକୃତ ଦାନୀ ସିଏ ଯାହାର ହୃଦୟ ବିଶାଳ ଆତ୍ମ ବଡିମାଶୂନ୍ୟ । ତେଣୁ ଦାନ, ଧର୍ମ ଓ ତ୍ୟାଗ ଏକ ପରିପୂରକ ସଂଜ୍ଞା, ଯାହାକି ଭାରତୀୟ ସଂସ୍କୃତିର ଗୋଟିଏ ଗୋଟିଏ ପ୍ରମୁଖ ବୈଶିଷ୍ଟ୍ୟ । ଦାନ ଓ ତ୍ୟାଗର ମହତ୍ତ୍ବ ଯୁଗେ ଯୁଗେ ରହି ଆସିଛି । ଦ୍ବାପର ଯୁଗରେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ ତାଙ୍କ ଶିଷ୍ୟ ଏକଲବ୍ୟ ଗୁରୁ ଦକ୍ଷିଣା ସ୍ବରୂପ ନିଜର ଡାହାଣ ହାତର ବୃଦ୍ଧାଙ୍ଗୁଷ୍ଠି କାଟି ପ୍ରଦାନ କରିବା ହେଉ ଅବା ତ୍ରେତୟାରେ ପିତୃସତ୍ୟ ରକ୍ଷାକରି ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଅଯୋଧ୍ୟା ତ୍ୟାଗ କରି ୧୪ବର୍ଷ ବନବାସ ଯିବା ଘଟଣା ହେଉ, ତ୍ୟାଗ ଓ ଉତ୍ସର୍ଗର ଗୋଟିଏ ଗୋଟିଏ ଚମତ୍କାର ଉଦାହରଣ। ସେହିଭଳି ପିତାଙ୍କ ଇଚ୍ଛା ଓ ଖୁସି ପାଇଁ ଦେବବ୍ରତ ବା କୁରୁଶ୍ରେଷ୍ଠ ଭୀଷ୍ମ ଆଜୀବନ ବ୍ରହ୍ମଚାରୀ ବ୍ରତ ଗ୍ରହଣ କରିବା ତ୍ୟାଗ ଓ ମହାନତାର ଆଉ ଏକ ଜ୍ବଳନ୍ତ ଦର୍ଶନ ।

ଏଭଳି ଦାନ ଓ ତ୍ୟାଗର ଆଧାର ବିଚାର କଲାବେଳେ ବର୍ତ୍ତମାନ ସମୟରେ ମଧ୍ୟ ଅନେକ ବଦାନ୍ୟ ବ୍ୟକ୍ତି ଆମ ସମାଜର ହିତ ସାଧନ କରୁଛନ୍ତି । ସେମାନଙ୍କର ବଦାନ୍ୟତା ସେମାନଙ୍କୁ ମହାନ କରିଛି । ଭାରତବର୍ଷର ବିଶିଷ୍ଟ ଶିଳ୍ପପତି ଟାଟା ଫାଉଣ୍ଡେସନର ପ୍ରତିଷ୍ଠାତା ଜାମସେଦଜି ଟାଟାଙ୍କ କଥା ଆଲୋଚନା କରାଯାଉ। ୧୮୯୨ ମସିହାରେ ତାଙ୍କ ଦ୍ବାରା ପ୍ରତିଷ୍ଠିତ ଟାଟା ଟ୍ରଷ୍ଟ ବା ଟାଟା ଫାଉଣ୍ଡେସନ୍ ଶତାବ୍ଦୀର ସର୍ବଶ୍ରେଷ୍ଠ ବଦାନ୍ୟ ଅନୁଷ୍ଠାନର ମାନ୍ୟତା ପାଇଛି । ଟାଟା ଫାଉଣ୍ଡେସନ୍ ଆମ ଦେଶରେ ସ୍ବାସ୍ଥ୍ୟ ଓ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ନିରନ୍ତର ଅର୍ଥ ଦାନ କରୁଛି । ଗତ ୧୦୦ ବର୍ଷର ହିସାବ ଦେଖିଲେ ପ୍ରାୟ ୧୦୨.୪ କୋଟି ବିଲିୟନ ଡଲାର ଅର୍ଥରାଶି ଟାଟା ଫାଉଣ୍ଡେସନ୍ ଆମ ଦେଶର ଶିକ୍ଷା ଓ ସ୍ବାସ୍ଥ୍ୟର ଉନ୍ନତି କ୍ଷେତ୍ରରେ ଖର୍ଚ୍ଚ କରିଛି । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେ​‌େ​‌ହରୁ ଏକଦା ଶିଳ୍ପପତି ଜାମସେଦଜି ଟାଟାଙ୍କୁ ପ୍ରଶଂସା କରି କହିଥିଲେ ‘ୱାନ୍ ମ୍ୟାନ୍ ପ୍ଲାନିଂ କମିସନ’ । ୱିପ୍ରୋ କମ୍ପାନୀର ମାଲିକ ଅଜିମ୍ ପ୍ରେମଙ୍କ ଅଜିମ୍ ପ୍ରେମଜୀ ଫାଉଣ୍ଡେସନ୍ ଭାରତୀୟ ଗ୍ରାମାଞ୍ଚଳରେ ଲକ୍ଷ ଲକ୍ଷ ଶିଶୁଙ୍କୁ ମୌଳିକ ତଥା ଗୁଣାତ୍ମକ ଶିକ୍ଷା ବିକାଶ ପାଇଁ ନିରନ୍ତର ଅର୍ଥ ବ୍ୟୟ କରୁଛି । ୨୦୨୦ର ଆର୍ଥିକ ବର୍ଷର ରିପୋର୍ଟ କହୁଛି ଅଜିମ୍ ପ୍ରେମଜୀ ଫାଉଣ୍ଡେସନ୍ ଦେଶର ପ୍ରାଥମିକ ଓ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ମୋଟ ୭ ହଜାର ୯୦୪କୋଟି ଟଙ୍କା ଦାନ ସୂତ୍ରରେ ଦେଇଛି, ଯାହା ଏକ ସର୍ବକାଳୀନ ରେକର୍ଡ । ସେହିଭଳି ଏଚସିଏଲ କମ୍ପାନୀର ପ୍ରତିଷ୍ଠାତା ଶିବ ନାଦର ମଧ୍ୟ ୨୦୨୦ ମସିହାରେ ୭୯୫କୋଟି ଟଙ୍କା ଦାନ କରି ଜଣେ ପ୍ରମୁଖ ଦାତାର ମାନ୍ୟତା ପାଇଛନ୍ତି । ନିକଟରେ ବିଶ୍ବର ଶ୍ରେଷ୍ଠ ଧନୀ ତଥା ସ୍ପେସ୍ ଏକ୍ସର ମାଲିକ ଏଲନ୍ ମସ୍କ ମଧ୍ୟ ବିଶ୍ବରେ ୪୦କୋଟି କ୍ଷୁଧାର୍ତ୍ତଙ୍କ ଖାଦ୍ୟ ନିରାପତ୍ତା ଓ ଅନାହାର ଦୂର ପାଇଁ ‘ୱାର୍ଲଡ ଫୁଡ଼ ପ୍ରୋଗ୍ରାମ’ ଅନ୍ତର୍ଗତ କାର୍ଯ୍ୟକ୍ରମରେ ପ୍ରାୟ ୨୫ ହଜାର କୋଟି ଟଙ୍କା ଦାନ କରିଛନ୍ତି । ପୂର୍ବରୁ ଆମାଜନ୍ ପ୍ରତିଷ୍ଠାତା ଜେଫ୍ ବେଜୋସ୍, ବିଲ୍ ଗେଟ୍‌ଙ୍କ ମିଲିଣ୍ଡା-ଗେଟ୍ ଫାଉଣ୍ଡେସନ ମଧ୍ୟ ଚର୍ଚ୍ଚାରେ ରହି ଆସିଛନ୍ତି।

- Advertisement -

ଆମ ରାଜ୍ୟ ଓଡିଶାରେ ମଧ୍ୟ ଅନେକ ବଦାନ୍ୟ ବ୍ୟକ୍ତି ସେମାନଙ୍କ ଦାନ ପାଇଁ ଚର୍ଚ୍ଚାରେ ଅଛନ୍ତି । ରାଜ୍ୟ ସରକାରଙ୍କ କୋଭିଡ ପରାମର୍ଶ ଦାତା ତଥା ମାଇଣ୍ଡ ଟ୍ରି ପ୍ରତିଷ୍ଠାତା ସୁବ୍ରତ ବାଗଚୀ ଓ ତାଙ୍କ ବନ୍ଧୁ ଏନ.ଏସ ପାର୍ଥସାରଥି ନିକଟରେ ମିଳିତ ଭାବେ ବେଙ୍ଗାଲୁରୁର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍‌ ସାଇନ୍ସ୍‌ ପରିସରରେ ଏକ ୮୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ହସ୍ପିଟାଲ ଓ ପୋଷ୍ଟ-ଗ୍ରାଜୁଏଟ୍ ମେଡିକାଲ ସ୍କୁଲ ପ୍ରତିଷ୍ଠା ପାଇଁ ୪୨୫କୋଟି ଟଙ୍କା ଦାନ କରିଛନ୍ତି । ଏସବୁ ଭିତରେ ରାଜ୍ୟର ଦୁଇ ସାଧାରଣ ମହିଳା ମଧ୍ୟ ସେମାନଙ୍କ ଅସାଧାରଣ ବଦାନ୍ୟତାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଏହି ମହିଳାଦ୍ବୟ ଭଦ୍ରକ ଅଞ୍ଚଳର ମୌସୁମୀ ମହାପାତ୍ର ଓ କଟକର ୬୩ ବର୍ଷୀୟା ମିନତି ମହାପାତ୍ର । ଉଭୟ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଭଦ୍ରକ ବାସୁଦେବପୁରର ଯୁବ ଇଂଜିନିୟର ସ୍ବର୍ଗତ ଅଭିଷେକ ମହାପାତ୍ରଙ୍କ ପତ୍ନୀ ମୌସୁମୀ ମହାପାତ୍ର। କୋଭିଡ ଆକ୍ରାନ୍ତ ସ୍ବାମୀ ଅଭିଷେକଙ୍କୁ ଇକ୍‌ମୋ ଚିକିତ୍ସା ପାଇଁ ସାଧାରଣ ଲୋକେ ସହାୟତା ଦେଇଥିବା ବଳକା ୪୦ ଲକ୍ଷ ଟଙ୍କା ଅର୍ଥକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । ମୌସୁମୀଙ୍କର ଏଭଳି ବଡପଣ ତାଙ୍କୁ ଅଧିକ ସମ୍ମାନାସ୍ପଦ କରାଇଛି । କଟକ ସହରର ୬୩ବର୍ଷୀୟ ବୃଦ୍ଧା ମିନତି ପଟ୍ଟନାୟକ ନିଜର ସର୍ବସ୍ବ ସମ୍ପତ୍ତିକୁ ଜଣେ ରିକ୍ସା ଚାଳକଙ୍କୁ ଦାନ କରିଛନ୍ତି । ମିନତିଙ୍କ ସ୍ବାମୀ ଓ ଏକ ମାତ୍ର ଝିଅର ମୃତ୍ୟୁ ପରେ ମିନତିଙ୍କ ପରିବାର ସହ ପୂର୍ବରୁ ସମ୍ପର୍କରେ ଥିବା ରିକ୍ସା ଚାଳକ ବୁଢା ସାମଲଙ୍କ ନାଁରେ ତାଙ୍କର ସମ୍ପୂର୍ଣ୍ଣ ସମ୍ପତ୍ତି କରିଦେଇଛନ୍ତି । କୋରାପୁଟ ଜୟପୁରର ଆଉ ଜଣେ ୬୦ ବର୍ଷୀୟ ବଦାନ୍ୟ ବ୍ୟକ୍ତି ମୁଗ୍ଧା ସୂର୍ଯ୍ୟନାରାୟଣ ଆଚାର୍ଯ୍ୟ । ନିଜେ ପରିବାର ସହ ଭଡା ଘରେ ରହି ଜୀବନ କାଟୁଥିବା ସୂର୍ଯ୍ୟନାରାୟଣ ୨୫୦ ଜଣ ଗରିବ ଭୂମିହୀନଙ୍କୁ ଜୀବନ ବ୍ୟାପୀ ସଞ୍ଚୟ କରିଥିବା ସମସ୍ତ ଅର୍ଥ ଓ ନିଜର ଭୂମି ଦାନ କରିଛନ୍ତି । ସୂର୍ଯ୍ୟନାରାୟଣ ନିଜର ୨.୩ ଏକର ପରିମିତ ଜମିକୁ ୨୫୦ଜଣ ଗରିବ ଭୂମିହୀନଙ୍କୁ ବାଣ୍ଟି ଦେଇଛନ୍ତି । ପିଲାବେଳେ ଭୂମିଦାନ କରିବାକୁ ପ୍ରତିଜ୍ଞା କରିଥିବା ସୂର୍ଯ୍ୟନାରାୟଣ ନିଜର ପ୍ରତିଶ୍ରୁତି ରଖିଛନ୍ତି।

ସେହିପରି ଗୁଜରାଟ ସୁରତର ୯୮ବର୍ଷୀୟ ନରୋତ୍ତମ ଭାଇ ଓ ତାଙ୍କ ୮୫ ବର୍ଷୀୟା ପତ୍ନୀ ଲକ୍ଷ୍ମୀ ବେନ୍ ଜୀବନ କାଳ ଭିତରେ ରୋଜଗାର କରିଥିବା ସମସ୍ତ ୧୮୦କୋଟି ଟଙ୍କାକୁ ବିଭନ୍ନ ଶିକ୍ଷାନୁଷ୍ଠାନକୁ ଦାନ କରି ଅବଶିଷ୍ଟ ଜୀବନ କଟାଇବାକୁ ଏକ ବୃଦ୍ଧାଶ୍ରମକୁ ଚାଲି ଯାଇଛନ୍ତି। ଆନ୍ଧ୍ରପ୍ରଦେଶର ତିରୁପତି ଭେଙ୍କଟେଶ୍ବର ମନ୍ଦିରକୁ ଗତ ମେ ମାସରେ ନିଜର ସମସ୍ତ ୯.୨ କୋଟି ଟଙ୍କାର ସମ୍ପତ୍ତି ଦାନ କରିଛନ୍ତି ଚେନ୍ନଇର ୭୬ବର୍ଷୀୟା ଅବିବାହିତ ମହିଳା ଡାକ୍ତର ପର୍ବତମାଳା ବିଶ୍ବନାଥନ୍ । ନିଜ ଦାନ ସମ୍ପତ୍ତି ତିରୁପତିରେ ନିର୍ମାଣାଧୀନ ସୁପର ସ୍ସେସାଲିଟି ଶିଶୁ ହସ୍ପିଟାଲରେ ଖର୍ଚ୍ଚ କରିବାକୁ କହିଛନ୍ତି ଡାକ୍ତର ବିଶ୍ବନାଥନ୍ । ତେବେ ପୃଥିବୀର କୋଣ ଅନୁକୋଣରେ ରହିଛନ୍ତି ବହୁ ବିତ୍ତଶାଳୀ ବ୍ୟକ୍ତି; କିନ୍ତୁ ସେମାନଙ୍କ ସ୍ବାର୍ଥକୈନ୍ଦ୍ରିକ ଓ ସଂକୀର୍ଣ୍ଣ ମନ ପାଇଁ ସେମାନେ ଏମତି ଅପରିଚିତ ଓ ଧନ ଥାଇ ମଧ୍ୟ ଅଲୋଡ଼ା ହୋଇ ରହିଯାଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories