www.samajalive.in
Sunday, December 14, 2025
26.1 C
Bhubaneswar

ସମ୍ପଦ ଉତ୍ପାଦନକାରୀ ବନାମ ଦଖଲକାରୀ

୧୮୭୫ ମସିହାରେ ‘ଗୋଥା ପ୍ରୋଗ୍ରାମ’ ସଂପର୍କରେ ଉଲ୍ଲେଖ କରି କାର୍ଲ ମାର୍କ୍ସ ଲେଖିଥିଲେ, ଶ୍ରମ ହିଁ ସକଳ ସଂପଦର ଓ ସକଳ ସଂସ୍କୃତିର ଉତ୍ସ। ଏହା ସ‌େ‌ଙ୍ଗସଙ୍ଗେ ସେ କହିଥିଲେ, ପ୍ରକୃତି ହିଁ ପ୍ରଥମେ ସକଳ ସଂପଦର ଉତ୍ସ ଓ ମଣିଷର ଶ୍ରମଶକ୍ତି ହିଁ ପ୍ରକୃତିର ଉତ୍ସକୁ ସଂପଦରେ ପରିଣତ କରିଥାଏ। ଖାଲି ଭାରତ ନୁହେଁ; ସମଗ୍ର ବିଶ୍ୱରେ ଶ୍ରମ ଶକ୍ତି ହିଁ ସମସ୍ତ ସଂପଦର ଉତ୍ସ।

ଜଣେ ଇଂଜିନିୟର ହେଉ ବା ରାଜମିସ୍ତ୍ରି ବା ଇଟାଭାଟି ଶ୍ରମିକ ହେଉ, କୋଇଲା ଖଣି ବା ଲୁହା ପଥର ଖଣି ଶ୍ରମିକ ହେଉ– ଯେଉଁମାନେ ଉତ୍ପାଦନ ପ୍ରକ୍ରିୟାରେ ଅଂଶ ନେଇଥାନ୍ତି, ସେମାନେ ସମସ୍ତେ ନିଜର ଶ୍ରମଶକ୍ତି ବିକ୍ରୟ କରିଥାନ୍ତି, ଜୀବିକା ଅର୍ଜନ ପାଇଁ। ଅନ୍ୟ ଯେ ​‌େ​‌କୗଣସି ପଣ୍ୟ ଭଳି ଶ୍ରମଜୀବୀ ମଣିଷ ନିଜର ଶ୍ରମଶକ୍ତିକୁ ବିକ୍ରି କରିଥାଏ, ନିର୍ଦିଷ୍ଟ ସମୟ ପାଇଁ। ବାସ୍ତବରେ ଶ୍ରମିକର ବିକିବା ପାଇଁ ତା’ ପାଖରେ ଆଉ କିଛି ନାହିଁ। ଶ୍ରମଶକ୍ତିଟା ହେଉଛି ଶ୍ରମିକର ଏକାନ୍ତ ନିଜର। ଏହାକୁ ସେ ବିକ୍ରି ନକଲେ ଆଉ କେହି ତା’ ପାଇଁ ବିକ୍ରି କରିପାରିବ ନାହିଁ। ଯଦି ସେ ନିଜର ଶ୍ରମଶକ୍ତି ବିକ୍ରି ନ କରେ, ତେବେ ସେ ଅନାହାରରେ ରହିବ। ଏହି ଶ୍ରମଶକ୍ତିକୁ ବିକ୍ରି କରି ଶ୍ରମିକ ନିଜ ପରିବାର ଚଳାଇବା ସହିତ ଭବିଷ୍ୟତ ପାଇଁ ନୂତନ ଶ୍ରମିକ ସୃଷ୍ଟି କରେ। ଶ୍ରମଜୀବୀ ମଣିଷ ନିଜର ଗୁଜରାଣ ମେଣ୍ଟାଇବା ପାଇଁ ଯେଉଁ ମଜୁରି ଦାବି କରେ ସେଇଟା ହେଉଛି ସର୍ବନିମ୍ନ ମଜୁରି। ସର୍ବନିମ୍ନ ମଜୁରିରୁ କମ ମିଳିଲେ ଶ୍ରମିକର ବଞ୍ଚି ରହିବା କଷ୍ଟକର ହୋଇଥାଏ।

- Advertisement -

ବ୍ରିଟିଶ ଶାସନକାଳଠାରୁ ଭାରତର ଶ୍ରମିକଶ୍ରେଣୀ ସର୍ବନିମ୍ନ ମଜୁରି ହାସଲ ପାଇଁ ଲଢାଇ କରି ଆସିଛି। ସ୍ୱାଧୀନତା ଆନ୍ଦୋଳନ କାଳରେ ମଧ୍ୟ ସର୍ବନିମ୍ନ ମଜୁରି ପ୍ରସଙ୍ଗଟି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଉଠିଥିଲା। ସମ୍ବିଧାନର ‘ଡାଇରେକ୍ଟିଭ ପ୍ରିନ୍ସପୁଲ୍ସ’ରେ ମଧ୍ୟ ବର୍ଣ୍ଣିତ ହେଲା ଯେ ଶ୍ରମିକମାନଙ୍କୁ ବଞ୍ଚିବା ଭଳି ମଜୁରି ଦିଆଯାଉ।

ଏହି ପଟଭୂମିରେ ସର୍ବନିମ୍ନ ମଜୁରି ପ୍ରସଙ୍ଗଟି ଏକ ବୈଧାନିକ ରୂପ ନେଇଛି। ସମ୍ବିଧାନ ପ୍ରଣୟନର ୭୨ ବର୍ଷ ପରେ ଆମ ଦେଶର ବାସ୍ତବ ଚିତ୍ର କ’ଣ ହୋଇଛି? ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟର ରିପୋର୍ଟ ଅନୁସାରେ ମଜୁରି ରୋଜଗାର କରୁଥିବା ଲୋକଙ୍କ ମଧ୍ୟରୁ ୫୭ ଭାଗ ଲୋକ ମାସିକ ମଜୁରି ଦଶହଜାର ଟଙ୍କାରୁ କମ୍‌ ପାଉଛନ୍ତି। କେନ୍ଦ୍ର ସରକାରଙ୍କ ୭ମ ବେତନ କମିସନର ନିର୍ଦ୍ଧାରିତ ସର୍ବନିମ୍ନ ଦରମା ମାସକୁ ୧୮ ହଜାର ଟଙ୍କାରୁ ଏହି ମଜୁରି ବହୁତ କମ୍‍। ତା’ଛଡା କାଜୁଆଲ ଶ୍ରମିକଙ୍କ ମଧ୍ୟରୁ ୮୪.୩ ଶତାଂଶଙ୍କ ମାସକୁ ଦରମା ୭୫୦୦ ଟଙ୍କାରୁ ମଧ୍ୟ କମ୍‍। ଏହାର କୁଫଳ ବୁଝିବାକୁ ହେଲେ ଚାରିଟି ପ୍ରସଙ୍ଗକୁ ବିଚାର କରାଯାଇପାରେ।

(୧) ଦେଶର ଅର୍ଥନୀତିରେ ଶ୍ରମିକର ଅଂଶ: ଶ୍ରମିକଙ୍କ ମୋଟ ମଜୁରି ହେଉଛି ଜାତୀୟ ଆୟର ଅଂଶ ବିଶେଷ। ଏହାର ଅବନତି ଘଟିବାର କାରଣ ପୁଞ୍ଜିପତି ଶ୍ରେଣୀ ଶ୍ରମିକ ଶ୍ରେଣୀକୁ ଅଧିକ ଶୋଷଣ କରୁଛି। ଏହାର ଅର୍ଥ ଶ୍ରମିକର ପ୍ରକୃତ ଆୟ କମି ଯାଉଛି। ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ୍‍ ଡେଭଲପମେଣ୍ଟ ରିସର୍ଚ୍ଚରୁ ପ୍ରକାଶ ଯେ ଭାରତର ଅର୍ଥନୀତିରେ ଶ୍ରମିକର ଅଂଶ ୧୯୮୦ରେ ୫୪% ଥିବାବେଳେ ୨୦୧୬ରେ ୪୯% ଭାଗକୁ କମିଯାଇଛି। ଏହାର ଅର୍ଥ ଜାତୀୟ ଅର୍ଥନୀତିରେ ପୁଞ୍ଜିପତିଙ୍କ ଭାଗ ବଢିଚାଲିଛି।

(୨) ଅସମାନତା: ଭାରତର ୧୦% ଭାଗ ଧନୀ ଲୋକ ଦେଶର ଜାତୀୟ ସଂପଦର ୭୭%ର ମାଲିକ ହୋଇଛନ୍ତି। ୨୦୧୭ରେ ଦେଶରେ ଯେତେ ସଂପଦ ସୃଷ୍ଟି ହୋଇଥିଲା ତାହାର ୭୩% କେବଳ ୧% ଧନୀ ଲୋକଙ୍କ ହାତକୁ ଯାଇଥିଲା। ଅଥଚ ଭାରତର ତଳେ ପଡିଥିବା ଲୋକଙ୍କର ୫୦ ଭାଗ ଅର୍ଥାତ୍‍ ସାତକୋଟି ଲୋକ ସେମାନଙ୍କ ସଂପଦ ମାତ୍ର ୧% ବୃଦ୍ଧି କରିଥିଲେ। ଜାତୀୟ ସଂପଦର ଏକ ବିରାଟ ଅଂଶ ମୁଷ୍ଟିମେୟ ଏକ କ୍ଷୁଦ୍ର ଧନୀଗୋଷ୍ଠୀ ହାତକୁ କ୍ରମାଗତ ଚାଲିଯାଉଛି।

(୩) ସଂପଦର ବୃଦ୍ଧି: ଏଇ ମହାମାରୀ କରୋନା ସମୟରେ ଭାରତର ଶତ କୋଟିପତିମାନେ ସେମାନଙ୍କ ସଂପଦର ପରିମାଣକୁ ୩୫ ଶତାଂଶ ବଢାଇ ପାରିଛନ୍ତି। ଏହି ଶତ କୋଟିପତିମାନଙ୍କର ସଂପଦ ବଢିଲାବେଳେ ୪୦ କୋଟି ନାମମାତ୍ର ଶ୍ରମିକ ପାଞ୍ଚମାସ ଧରି ନିଃସ୍ୱ ହୋଇଗଲେ। ଭାରତର ଶ୍ରମିକଶ୍ରେଣୀ ଦେଶର ଏକ ଅତିକ୍ଷୁଦ୍ର ଧନୀ ଗୋଷ୍ଠୀଙ୍କ ପାଇଁ ସଂପଦ ସୃଷ୍ଟି କରିଛି। ଏଠାରେ ଉଲ୍ଲେଖ କରିବା ଦରକାର ଯେ ଗତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ୪୫,୦୦୦ କୋଟି ଟଙ୍କାର ରାଷ୍ଟ୍ରୀୟ ଉଦ୍ୟୋଗକୁ ଘରୋଇ ପୁଞ୍ଜିପତିଙ୍କ ହାତରେ ଅର୍ପଣ କରିଛନ୍ତି। ଏହି ଧନୀମାନଙ୍କ ସଂପଦକୁ ନିୟନ୍ତ୍ରଣ କରିବା ସହିତ ଶ୍ରମିକର ସର୍ବନିମ୍ନ ମଜୁରି ବୃଦ୍ଧି ପାଇଁ ପଦକ୍ଷେପ ଏକାନ୍ତ ଅପରିହାର୍ଯ୍ୟ। ତାହା ହିଁ କେବଳ ଶ୍ରମଜୀବୀମାନଙ୍କର କ୍ରୟ ଶକ୍ତି ବଢାଇ ପାରିବ ଓ ଆର୍ଥିକ ସଂକଟରୁ ଦେଶକୁ ରକ୍ଷା କରିପାରିବ।

(୪) ଦାରିଦ୍ର୍ୟ ଓ ଅନାହାର: ଅର୍ଥନୈତିକ ସଂକଟର ସବୁଠାରୁ ନଗ୍ନ ଚେହେରା ହେଉଛି ଅନାହାର ଓ ଦାରିଦ୍ର୍ୟ। ୨୦୨୧ ବିଶ୍ୱ ଭୋକିଲା ଦେଶର ତାଲିକାରେ ପ୍ରକାଶ ପାଇଛି ଯେ ୧୧୬ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୧୦୧। ଭୋକିଲା ଦେଶ ତାଲିକାରେ ବାଂଲାଦେଶ, ନେପାଳ, ଶ୍ରୀଲଙ୍କା ଓ ପାକିସ୍ତାନ ଆମ ଦେଶଠାରୁ ଉନ୍ନତ ଅବସ୍ଥାରେ ଅଛନ୍ତି। ଆମ ଦେଶରେ ଦାରିଦ୍ର୍ୟର ସଂଜ୍ଞା ନିରୂପଣର ହିସାବ ହେଉଛି ଜଣେ ମଣିଷ ପାଇଁ କେତେ କ୍ୟାଲୋରୀ ଦରକାର। ଅନ୍ତତଃ ସହରରେ ଜଣେ ମଣିଷ ପାଇଁ ୨୧୦୦ କ୍ୟାଲୋରୀ ଓ ଗ୍ରାମାଞ୍ଚଳରେ ଜଣେ ମଣିଷ ପାଇଁ ୨୨୦୦ କ୍ୟାଲୋରୀ ଆବଶ୍ୟକ। ବିଜେପି ସରକାର ଦ୍ୱାରା ଗଠିତ ୭ମ ବେତନ କମିସନ ସର୍ବନିମ୍ନ ଦରମା ମାସକୁ ଦରମା ୧୮ ହଜାର ଟଙ୍କା ଧାର୍ଯ୍ୟ କଲାବେଳେ ଜଣେ ମଣିଷ ପାଇଁ ୨୭୦୦ କ୍ୟାଲୋରୀକୁ ହିସାବକୁ ନେଇଥିଲା।

୧୯୫୭ ମସିହାରେ ୧୫ଶ ଭାରତୀୟ ଶ୍ରମ ସମ୍ମିଳନୀରେ ସର୍ବନିମ୍ନ ମଜୁରି ପାଇଁ କେତେକ ଭିତ୍ତି ସ୍ଥିର କରାଯାଇଥିଲା। ଏଥିରେ ଜଣେ ଲୋକଙ୍କୁ ୨୭୦୦ କ୍ୟାଲୋରୀ ଖାଦ୍ୟ, ବର୍ଷକୁ ୧୮ ଗଜ କପଡା, ଜାଳେଣି, ଘରଭଡା ପାଇଁ ଦରମାର ୨୦% ସହିତ ୧୯୯୨ରେ ଭାରତର ସର୍ବୋଚ୍ଚ ଅଦାଲତ ଏହି ମଜୁରି ସହିତ ଆଉ ୨୫% ବଢାଇଥିଲେ ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଓ ବିବାହ ବାର୍ଦ୍ଧକ୍ୟ ଜନିତ ଚିକିତ୍ସା ଆଦି ପାଇଁ, ମାତ୍ର ତାହାକୁ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଉ ନାହିଁ।

ଦେଶର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ଜାତୀୟ ସଂପଦକୁ ଦେଶୀ, ବିଦେଶୀ ସଂପଦ ଦଖଲକାରୀଙ୍କ ପାଖରେ ସମର୍ପଣ କଲାବେଳେ ସଂପଦ ଉତ୍ପାଦନକାରୀ ଶ୍ରମଜୀବୀମାନଙ୍କ ବଞ୍ଚିବାର ଦାବିକୁ ସରକାର ଓ ମାଲିକ ଶ୍ରେଣୀ ଗ୍ରହଣ କରୁନାହାନ୍ତି। କେନ୍ଦ୍ର ସରକାର ଗତ ୩/୬/୨୦୨୧ ରେ ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। କମିଟିର ଅଧ୍ୟକ୍ଷ ପ୍ରଫେସର ଅଜିତ ମିଶ୍ର ଇସ୍ତଫା ଦେଇ ଦେବା ଯୋଗୁ କଲିକତା ବିଶ୍ୱବିଦ୍ୟାଳୟର ପ୍ରଫେସର ଏସ.ପି ମୁଖାର୍ଜୀଙ୍କୁ ଅଧ୍ୟକ୍ଷ ପଦରେ ନିଯୁକ୍ତି ଦିଆଯାଇଛି। ଏହି କମିଟି ସର୍ବନିମ୍ନ ମଜୁରି ନିର୍ଦ୍ଧାରଣବେଳେ କ୍ୟାଲୋରୀ ସଂପର୍କୀୟ ଧାରାକୁ ଗ୍ରହଣ କରିବେ ନାହିଁ ବୋଲି କହି ସାରିଲେଣି। ସୁତରାଂ ଏହାର ପରିଣାମ ଏବେଠାରୁ କଳନା କରାଯାଇପାରେ।

ଭାରତର ଅର୍ଥନୀତିରେ ସଂପଦ ଉତ୍ପାଦନକାରୀ ଶ୍ରମଜୀବୀମାନଙ୍କର ଅଂଶ ବୃଦ୍ଧି ନ ଘଟିଲେ, ଭାରତର ଅର୍ଥନୈତିକ ସଂକଟ ଆହୁରି ଗଭୀର ହେବ। ଶ୍ରମିକ, ଖଟିଖିଆମାନଙ୍କର କ୍ରୟ କ୍ଷମତା ବୃଦ୍ଧି ନ କରାଇ ସେମାନଙ୍କୁ ପେଜ ତୋରାଣି ଦେଲେ, ଏ ଦେଶର ଭବିଷ୍ୟତ ଯେ ଉଳ ହୋଇ ପାରିବ ନାହିଁ, ତାହା କ’ଣ ଆମର ଶିକ୍ଷିତ ବୁଦ୍ଧିଜୀବୀ ନାଗରିକମାନେ ବୁଝି ପାରୁନାହାନ୍ତି ? ତା’ ସତ୍ତ୍ବେ ବି ସେମାନେ ନିରବ କାହିଁକି?

ଦେଶବାସୀ ଆପଣାଛାଏଁ ନିଜର ଦାବି ହାସଲ କରିପାରିବେ ନାହିଁ। ସେମାନଙ୍କୁ ସଂଗଠିତ କରିବାକୁ ହେବ, ଶିକ୍ଷିତ କରିବାକୁ ହେବ ଓ ଆନ୍ଦୋଳନ ରାସ୍ତାରେ ପରିଚାଳିତ କରିବାକୁ ହେବ। ତା’ହେଲେ ସଂପଦ ଉତ୍ପାଦନକାରୀମାନେ ନିଜକୁ ସଂପଦ ଦଖଲକାରୀଙ୍କଠାରୁ ବଞ୍ଚାଇ ରଖିପାରିବେ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories