www.samajalive.in
Sunday, December 14, 2025
15.1 C
Bhubaneswar

ପରିବର୍ତ୍ତନର ବାର୍ତ୍ତାବହ

ଆଗାମୀ ଦିନରେ ଜାତୀୟ ରାଜନୀତିରେ କେଜରିୱାଲ୍‌ଙ୍କ ‘ଦିଲ୍ଲୀ ମଡେଲ୍‌’ ପ୍ରୟୋଗର ବାଧ୍ୟବାଧକତା ସୃଷ୍ଟି ହେବ, ତାହାକୁ ଅସ୍ବୀକାର କରିହେବ ନାହିଁ

ପରିବର୍ତ୍ତନ ପ୍ରୟାସୀ ନିର୍ବାଚନ ଫଳକୁ ନେଇ ନିରାଶ ହେବାରେ କିଛି ବିଚିତ୍ରତା ନାହିଁ। ଆସନ୍ତା ସାଧାରଣ ନିର୍ବାଚନରୁ ଦେଶରେ ବିକଳ୍ପ ନେତୃତ୍ବର ଅଭ୍ୟୁଦୟ ଘଟିବାର ସମ୍ଭାବନା ଧୂଳିସାତ୍‌ ହୋଇଛି। ଦେଶର ରାଜନୈତିକ ରଙ୍ଗମଞ୍ଚରୁ ପ୍ରତିପକ୍ଷ ବିରୋଧୀ ଜାତୀୟଦଳ ଏକ ପ୍ରକାର ପୋଛି ହୋଇଯାଇଛି। ସେ ଯେ ଅଣ୍ଟା ସଳଖି ଆସନ୍ତା ଦୁଇବର୍ଷ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତାରେ ଅବତୀର୍ଣ୍ଣ ହୋଇପାରିବ ଏ ନେଇ ଅନେକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ତେବେ ଏହି ନୈରାଶ୍ୟ ମଧ୍ୟରେ ସମ୍ଭାବନାର ଆଲୋକ ଯେ ଦିକ୍‌ଦିକ୍‌ ହୋଇ ଜଳୁଛି ତାହାକୁ ଗଭୀରତାର ସହ ଅନୁଧ୍ୟାନ କଲେ ସ୍ପଷ୍ଟ ବାରି ହୋଇପଡ଼ିବ। ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ ଆଦ୍‌ମୀ ପାର୍ଟି (ଆପ୍‌) ନବେରୁ ଅଧିକ ଆସନ ହାସଲ କରି ଯେଉଁ ଐତିହାସିକ ସଫଳତା ଲାଭ କରିଛି ତାହା ନୂଆ ରାଜନୈତିକ ଆଦର୍ଶ ଓ ସମୀକରଣର ଭିତ୍ତିଭୂମି ପକାଇଛି କହିଲେ ଭୁଲ ହେବ ନାହିଁ। ଭାରତ ଭଳି ଏକ ଜନମଙ୍ଗଳକାରୀ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏ ପର୍ଯ୍ୟନ୍ତ ମତଦାତାଙ୍କ ଏକ ବୃହତ୍‌ ଅଂଶକୁ ଅଯୋଗ୍ୟ, ମୂର୍ଖ ଓ ଅଥର୍ବ କରି ରଖାଯାଇଛି। ଏମାନଙ୍କୁ କେବଳ କ୍ଷମତାସୀନ ଦଳ ବା ସରକାର ସେମାନଙ୍କ ନିପାରିବାରପଣିଆକୁ ନାନା ପ୍ରଲୋଭନରେ କବଳିତ କରି ନିଜ ସପକ୍ଷରେ ମତଦାନ ପାଇଁ ଅନୁପ୍ରେରିତ କରିଆସିଛନ୍ତି। ଏମାନଙ୍କୁ ଯୋଗ୍ୟ ଓ ସଚେତନ ନ କରିବା ପଛରେ କ୍ଷମତାର ନିହିତ ସ୍ବାର୍ଥ ରହିଛି। ତେଣୁ ଶିକ୍ଷା ଓ ସ୍ବାସ୍ଥ୍ୟ ଭଳି ଗୁରୁତ୍ବପୂର୍ଣ୍ଣ ଦିଗ ପ୍ରତି କ୍ରମାଗତ ଅବହେଳା କରାଯାଉଛି।

- Advertisement -

ପୂର୍ଣ୍ଣାଙ୍ଗ ରାଜ୍ୟର ମର୍ଯ୍ୟାଦା ହାସଲ କରିନଥିବା ଦିଲ୍ଲୀରେ ନିର୍ବାଚିତ ସରକାର କ୍ଷମତାସୀନ ହେଉଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଓ ମନମାନିରୁ ମୁକ୍ତ ହେବା ସମ୍ଭବପର ନୁହେଁ। ଯଦି ଦୁଇ ବ୍ୟବସ୍ଥା ଗୋଟିଏ ଦଳ ଅଧୀନରେ ଶାସନ କରେ ଏବେ ଯେଉଁ ବି‌େ‌ଦ୍ବଷ ଓ ବିଭ୍ରାଟ ପରିଲକ୍ଷିତ ହେଉଛି ତାହା ଲୋକଲୋଚନକୁ ଆସନ୍ତା ନାହିଁ। କେନ୍ଦ୍ରରେ ମୋଦୀ ସରକାର ଓ ଦିଲ୍ଲୀରେ କେଜରିୱାଲ ସରକାର କ୍ଷମତାରେ ଥିବାରୁ ଆବଶ୍ୟକ ସହଯୋଗ ଓ ସହଭାଗିତା ପରିଲକ୍ଷିତ ହୁଏନାହିଁ। ଶାସନଗତ ଆବଶ୍ୟକତା ଦୃଷ୍ଟିରୁ କେନ୍ଦ୍ର ଉପରେ ଦିଲ୍ଲୀ ସରକାରଙ୍କ ବାଧ୍ୟ ନିର୍ଭରଶୀଳତାକୁ ଅସ୍ବୀକାର କରିହେବ ନାହିଁ। ‘ଦିଲ୍ଲୀ ମଡେଲ’ ଓ ‘ଗୁଜରାଟ ମଡେଲ’​ରେ ଯେଉଁ ବିରୋଧାଭାସ ରହିଛି ତାହା ଦୁଇ ପକ୍ଷର ରାଜନୈତିକ ଓ ପ୍ରଶାସନିକ ସହଯୋଗରେ ବାଧକ ସାଜିଛି। ଏହା ସତ୍ତ୍ବେ ଆପ୍‌ ଦିଲ୍ଲୀରେ କ୍ରମାଗତ ଦୁଇଥର କେବଳ କ୍ଷମତାସୀନ ହୋଇନି, ପ୍ରତିପକ୍ଷ ଦୁଇ ଜାତୀୟ ଦଳକୁ ସମ୍ପୂର୍ଣ୍ଣ ରୂପେ ନିରସ୍ତ୍ର କରିଛି। ବୃହତ୍ତମ ଦଳର କ୍ଷମତା ଅହଂକାରର ବାହୁଛାୟା ତଳେ ଏହି ସଫଳତାର ଉପଲବ୍ଧି ମାଧ୍ୟମରେ କେଜରିୱାଲ ଚଳିତ ନିର୍ବାଚନରେ ଆଉ ପାଦେ ଆଗକୁ ବଢ଼ିବାରେ ସମର୍ଥ ହୋଇଛନ୍ତି।

ଦିଲ୍ଲୀବାସୀଙ୍କ ଜୀବନଧାରଣ ମାନ​‌େ​‌ର ଉନ୍ନତି ଆଣିବାପାଇଁ ଶିକ୍ଷା ଓ ସ୍ବାସ୍ଥ୍ୟ ଭଳି ମୌଳିକ ସେବାରେ କେବଳ ଆଖିଦୃଶିଆ ଉନ୍ନତି ଆଣିବାରେ ସରକାର କେବଳ ସମର୍ଥ ହୋଇନାହିଁ, ଶସ୍ତା ବିଜୁଳି ଓ ପାଣି ଯୋଗାଣ ସାଙ୍ଗକୁ ମହିଳା ସୁରକ୍ଷା ଓ ସଶକ୍ତୀକରଣକୁ ଗୁରୁତ୍ବ ଦିଆଯାଇଛି। ଏହି ‘ଦିଲ୍ଲୀ ମଡେଲ’ ପଡ଼ୋଶୀ ପଞ୍ଜାବ ଓ ହରିୟାଣା ରାଜ୍ୟବାସୀଙ୍କୁ ଅନେକାଂଶରେ ପ୍ରଭାବିତ କରିଛି। ପଞ୍ଜାବବାସୀ ରାଜ୍ୟର ଅକାଳୀ ଓ କଂଗ୍ରେସ ସରକାରଙ୍କୁ ଠିକଣାଭାବେ ପରଖିଛନ୍ତି। ଉଭୟ ସରକାର ରାଜ୍ୟବାସୀଙ୍କୁ ନିରାଶାର ଅନ୍ଧକାର ମଧ୍ୟକୁ ଠେଲି ଦେଇଥିବା ସମସ୍ତଙ୍କ ବୋଧଗମ୍ୟ ହୋଇଥିଲା। ତେଣୁ ଦ୍ବିତୀୟ ଉଦ୍ୟମରେ ଆପ୍‌କୁ ପଞ୍ଜାବବାସୀ ନିରଙ୍କୁଶ ସମର୍ଥନ ଦେଇଛନ୍ତି। ତେବେ ରାଜ୍ୟ ଯେଉଁ ଋଣଯନ୍ତାରେ ବୁଡ଼ିରହିଛି ସେଥିରେ ପ୍ରତିଶ୍ରୁତ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମକୁ ସଫଳତାର ସହ କାର୍ଯ୍ୟକାରୀ କରିବା ନୂଆ ସରକାରଙ୍କ ପାଇଁ ନିଶ୍ଚୟ ବଡ଼ ଆହ୍ବାନ ହେବ।

ଆପ୍‌ ପାଇଁ ଅଙ୍କୁଶବିହୀନ ପଞ୍ଜାବ ଭଳି ପୂର୍ଣ୍ଣାଙ୍ଗ ରାଜ୍ୟ କ୍ଷମତା ହାସଲ କରିବା ନିଶ୍ଚୟ ଏକ ନିଆରା ଅନୁଭବ। ସ୍ବାଧୀନ ଭାବେ ଲୋକାଭିମୁଖୀ ଯୋଜନାକୁ କାର୍ଯ୍ୟକାରୀ କରିବାର ବିପୁଳ ସୁଯୋଗ ଥିଲେ ମଧ୍ୟ ଏ କ୍ଷେତ୍ରରେ ଅର୍ଥ ନିଶ୍ଚୟ ବାଧକ ହେବ। ଋଣଭାର ଯଦି ରାଜ୍ୟ ଜିଡିପିର ୪୨.୫ ପ୍ରତିଶତ ହୁଏ ତେବେ ସରକାରଙ୍କ ଶକ୍ତି ଓ ସାମର୍ଥ୍ୟ ଏବଂ ରାଜ୍ୟବାସୀଙ୍କ ଭରସା ପରାହତ ହେବାର ସମ୍ଭାବନା ଅଧିକ। ଆହୁରି ମଧ୍ୟ ଦିଲ୍ଲୀ ଏକ ସ୍ବୟଂଶାସିତ ଅଞ୍ଚଳ ହୋଇଥିବାରୁ ଏହାର କାର୍ଯ୍ୟ ପରିସର ସୀମିତ; କିନ୍ତୁ ଆର୍ଥିକ ଦୃଷ୍ଟିରୁ ବେଶ୍‌ ସ୍ବଚ୍ଛଳ। ତେଣୁ ସେଠାରେ କେଜରିୱାଲ୍ ସରକାର ତାଙ୍କର ଜନମଙ୍ଗଳକାରୀ ଯୋଜନାକୁ ଠିକଣା ଭାବେ କାର୍ଯ୍ୟକାରୀ କରିବାକୁ ସୁଯୋଗ ପାଇଛନ୍ତି। ଏଥିପାଇଁ ଅବଶ୍ୟ ତାଙ୍କୁ କମ୍‌ ଲଢ଼େଇ କରିବାକୁ ପଡ଼ିନାହିଁ। ପଞ୍ଜାବରେ କ୍ଷମତାକୁ ନେଇ ସେପରି ସ୍ଥିତି ନାହିଁ ଏବଂ ଆପ୍‌ ସରକାର ସେ ଦୃଷ୍ଟିରୁ ସଂପୂର୍ଣ୍ଣ ସ୍ବାଧୀନ; କିନ୍ତୁ ଏହି ରାଜ୍ୟର ଆର୍ଥିକ ଦୁଃସ୍ଥିତି ଅଭିନବ ଯୋଜନା କାର୍ଯ୍ୟକାରୀ କରିବା କ୍ଷେତ୍ରରେ ବଡ଼ ପ୍ରତିବନ୍ଧକ। ଏହା ସତ୍ତ୍ବେ ଶିକ୍ଷା ଓ ସ୍ବାସ୍ଥ୍ୟକୁ ଆପ୍‌ ସରକାର ଅଗ୍ରାଧିକାର ଦେବେ ଓ ବଜେଟ ବ୍ୟବସ୍ଥାରେ ଏହା ନିଶ୍ଚୟ ପ୍ରତିଫଳିତ ହେବ ବୋଲି ଆଶା କରାଯାଏ। ଆଗାମୀ ଦିନରେ ଜାତୀୟ ରାଜନୀତିରେ କେଜରିୱାଲଙ୍କ ‘ଦିଲ୍ଲୀ ମଡେଲ’ ପ୍ରୟୋଗର ଯେ ବାଧ୍ୟବାଧକତା ସୃଷ୍ଟିହେବ ତାହାକୁ ଅସ୍ବୀକାର କରିହେବ ନାହିଁ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories