ଅତି ତରବରରେ ୨୦୧୭ ଜୁନ୍ରେ ‘ଏକ ଦେଶ ଏକ ଟିକସ’ ଘୋଷଣା କଲାବେଳେ ଦେଶର ପ୍ରଧାନମନ୍ତ୍ରୀ ଯେତେସବୁ ଆଶ୍ୱାସନା ଓ ପ୍ରତିଶ୍ରୁତି ଦେଇଥିଲେ ସେଥିମଧ୍ୟରେ ସବୁଠାରୁ ବଡ଼ ପ୍ରତିଶ୍ରୁତି ଥିଲା ଏହି ଦେଶର ଅର୍ଥନୀତି ସ୍ଥିର ରହିବ ଓ ସର୍ବକାଳୀନ ଅଭିବୃଦ୍ଧି ଘଟିବ। ଏହା ଏକ ଐତିହାସିକ ସଂସ୍କାର। ଏପରି ହିସାବ ଦେବାବେଳେ ତାଙ୍କ ଅର୍ଥନୈତିକ ପରାମର୍ଶଦାତାଙ୍କର ସହଯୋଗ ନେଇଥିଲେ କି ନାହିଁ ଜଣାନାହିଁ, ମାତ୍ର ସେ ନିଶ୍ଚୟ ଭାବିନେଇଥିଲେ ଯେ ସେ ଆସିବା ପୂର୍ବସ୍ଥିତିରେ ଦେଶର ଅର୍ଥନୀତିରେ ଯେଉଁ ଅସ୍ଥିରତା ଦେଖାଦେଇଥିଲା ତାକୁ ଖତମ କରି ଏକ ସ୍ଥିର ଅଭିବୃଦ୍ଧି ହାର ଆଣିବେ ଓ ପ୍ରଧାନମନ୍ତ୍ରୀ ଅର୍ଥଶାସ୍ତ୍ରୀ ମନମୋହନ ସିଂହଙ୍କଠାରୁ ସେ ଜଣେ ଅଭିଜ୍ଞ ଅର୍ଥନୀତିଜ୍ଞ ବୋଲି ପ୍ରମାଣିତ କରିବେ। ଏହା ସତ୍ୟ ଯେ, କାରଣ ଯାହା ଥାଉ ନା କାହିଁକି, ୨୦୧୨ ମସିହାରୁ ୨୦୧୪ ମସିହା ଭିତରେ ଦେଶର ଅର୍ଥନୀତି ନିଶ୍ଚୟ ତଳ ଉପର ହେଉଥିଲା ବା ତଳମୁହାଁ ହେଇଥିଲା। ମୁଦ୍ରାସ୍ଫୀତିକୁ ୨୦୧୩-୧୪ର ୬%ରୁ କମି ୨୦୧୪-୧୫ରେ ୩.୪%ରେ ଥିଲା। ଅର୍ଥାତ୍ ୨୦୧୩-୧୪ରେ ଏହା ୯.୪% ସ୍ତରରେ ଥିଲା। ବଜାରର ଏହି ଅସ୍ଥିରତା ସହିତ ଦେଶର ଅଭିବୃଦ୍ଧି ହାରରେ ମଧ୍ୟ ଖୁବ୍ ଗୋଟାଏ ବିପଜ୍ଜନକ ସ୍ଥିତି ଉପୁଜିଥିଲା। ଭାରତର ବାର୍ଷିକ ଅଭିବୃଦ୍ଧି ହାର (ଜିଡିପି) ୨୦୦୧ ରେ ୪.୮୪%, ବୃଦ୍ଧିପାଇ ୨୦୦୫ ମସିହାରେ ୭.୯୨%ରେ ପହଞ୍ଚିଥିଲା। ଏହି ସମୟରେ ଦେଶର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ଥିଲେ।
ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ଏହି ହାର ୨୦୦୫ରେ ୭.୯୨% ଥିବାବେଳେ ତଳ ଉପର ହେଇ ତାଙ୍କ ଶାସନର ଶେଷବର୍ଷରେ ୭.୪୧%ରେ ପହଞ୍ଚିଥିଲା। ସେହି ଅଭିବୃଦ୍ଧିର ଗତି ଊର୍ଦ୍ଧ୍ବମୁଖୀ ହୋଇ ୨୦୧୪-୧୫ରେ ୮.%ରେ ପହଞ୍ଚିଥିଲା। ବିମୁଦ୍ରାୟନ ହେତୁ ହେଉ ଅବା ଅନ୍ୟ କୌଣସି କାରଣରୁ ଅଭିବୃଦ୍ଧି ୨୦୧୬-୧୭ରେ ୬.୮୦%କୁ ପୁନର୍ବାର ଖସିଲା। ଦ୍ରବ୍ୟ ସେବାକର ଲାଗୁ ହେବା ବଡ଼ ଆର୍ଥିକ ସଂସ୍କାର ହେବ ଓ ଲକ୍ଷ ଲକ୍ଷ କୋଟି ଟଙ୍କାର କଳାଧନ ଦେଶର ରାଜକୋଷକୁ ଫେରି ଆସିବ, ଟିକସ୍ ଫାଙ୍କି କମିବ, ବଜାରର କ୍ରୟ ବିକ୍ରୟ ବୃଦ୍ଧି ପାଇବ ଓ ରାଜ୍ୟ ତଥା ଦେଶର ଆର୍ଥିକ ସ୍ଥିତି ସ୍ଥିର ହେବ। ରାଜ୍ୟ ତଥା ଦେଶର ଆର୍ଥିକ ସ୍ଥିତିରେ ଗୋଟାଏ ବଡ଼ ସୁଧାର ନିଶ୍ଚୟ ଆସିବ ବୋଲି ଶ୍ରୀ ମୋଦୀ ସଂସଦରେ କହିଥିଲେ।
ଦେଶରେ ଚାଲିଥିବା ସମାନ୍ତରାଳ ଅର୍ଥନୀତି ଲୋପପାଇବ, ଟଙ୍କା କାରବାରରେ ସ୍ୱଚ୍ଛତା ଆସିବ ବୋଲି ମଧ୍ୟ କହିଥିଲେ। ସେ ସମସ୍ତ ଭୁଲ୍ ପ୍ରମାଣିତ ହେଲା। ପୂର୍ବ ଅପେକ୍ଷା ଦେଶ ଓ ରାଜ୍ୟର ଅର୍ଥନୀତିରେ ଅନେକ ବିପର୍ଯ୍ୟୟ ଓ ଅସ୍ଥିରତା ଦେଖାଦେଲା। ଦ୍ରବ୍ୟ ଓ ସେବାକର କ୍ଷେତ୍ରରେ ଅଭିବୃଦ୍ଧି ପ୍ରତିବର୍ଷ କମିବାରେ ଲାଗିଲା। ୨୦୧୭ରେ ୧.୪୬%, ୨୦୧୮ରେ ୦.୨୬%, ୨୦୧୯ରେ ୨.୪୯%, ୨୦୨୦ରେ ୧୨.୦୧% କମିଲା। କରୋନା ମହାମାରୀ ପାଇଁ ଏପରି ବିପର୍ଯ୍ୟୟ ଘଟିଲା ବୋଲି କୁହାଯାଇ ନପାରେ। କାରଣ କରୋନାର ପ୍ରଭାବ ୨୦୨୦ରେ ପୂର୍ଣ୍ଣଭାବେ ପଡ଼ିଛି, ଏହା ପୂର୍ବରୁ ନୁହେଁ। ଅଭିବୃଦ୍ଧି ହାର ୨୦୧୭-୧୮ରେ ୬.୯% ଥିଲା। କରୋନା ପୂର୍ବବର୍ଷ ଯଥାକ୍ରମେ ୨୦୧୮-୧୯ ରେ ୬.୫% ଓ ୨୦୧୯-୨୦ରେ ୪% ଥିଲା।
ତେବେ କରୋନା ବର୍ଷର ପ୍ରଥମ ଅବସ୍ଥାରେ ଅବଶ୍ୟ ଏହା ଅତ୍ୟନ୍ତ ଅସ୍ଥିର ଓ ନିମ୍ନମୁଖୀ ହେଲା। ଏହି ଅଭିବୃଦ୍ଧି ରସାତଳମୁଖୀ ହୋଇ ୭.୨%କୁ ଖସିଲା; କିନ୍ତୁ ପରେ ଦେଖାଗଲା ଯେ ରାଜ୍ୟ ବା ଦେଶର ପରୋକ୍ଷ କର ବୃଦ୍ଧିରେ କରୋନା ମହାମାରୀ ସହାୟକ ହେଲା; ଯଦିଓ କେବଳ କୃଷି କ୍ଷେତ୍ରକୁ ଛାଡ଼ି ଅନ୍ୟ ସବୁ କ୍ଷେତ୍ରରେ ଅଭିବୃଦ୍ଧି କମିଲା। ଚଳିତ ଆର୍ଥିକ ବର୍ଷର ଅଭିବୃଦ୍ଧି ହାର ୯.୨%ରେ ରହିବ ବୋଲି ଜାତୀୟ ସର୍ବେକ୍ଷଣ ସଂସ୍ଥା (ଏନ୍ଏସ୍ଓ)ର ତଥ୍ୟ ଅନୁସାରେ କୁହାଯାଇଛି। ଅବଶ୍ୟ ଆର୍ବିଆଇର ଆକଳନ ଅନୁସାରେ ୯.୫%କୁ ଯିବ ବୋଲି କୁହାଯାଇଥିଲା। କେତେକ ତଥ୍ୟାଭିଜ୍ଞ ସଂସ୍ଥା ଏହା ୯% ରହିବ ବୋଲି ଆକଳନ କରିଛନ୍ତି। ସମସ୍ତ ଆକଳନର ଅସ୍ଥିରତା ଭିତରେ ଅର୍ଥଶାସ୍ତ୍ରୀମାନେ ଏହି ଅଭିବୃଦ୍ଧି ନଅ ଅଙ୍କ ଛୁଇଁବ ନାହିଁ ବୋଲି ମତ ରଖିଛନ୍ତି।
ତେବେ ଅନେକ ଅର୍ଥଶାସ୍ତ୍ରୀଙ୍କ ଗଣନାରୁ ଜଣାଯାଏ ଚଳିତବର୍ଷ ମଧ୍ୟ ଅଭିବୃଦ୍ଧି ହାର କୋଭିଡ୍ର ପୂର୍ବ ସ୍ଥିତି (୮%) ଫେରିବ ନାହିଁ। ଯଦିଓ ବଜାରରେ ଉଚ୍ଚହାରରେ ସେବା ଓ ଦ୍ରବ୍ୟକର ଆଦାୟ, ଏହି ଦୁଇ ବର୍ଷରେ କିଛି ମାତ୍ରାରେ ସଫଳତା ଆଣିଛି, ତାହା କେବଳ କରୋନା ଚିକିତ୍ସା କ୍ଷେତ୍ରରେ ଆଣିଛି। ଟିକାଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଔଷଧ, ସାବୁନ ଓ ବିଶୋଧକ, ବିଭିନ୍ନ ଘରେ ବ୍ୟବହାର କଲାଭଳି ଯନ୍ତ୍ରପାତି, ଯଥା- ଅକ୍ସିମିଟର, ବିଶୋଧନ ଯନ୍ତ୍ର ଆଦିରୁ ଆଦାୟ ହୋଇଛି। ଏଥିସହିତ ଘରେ ରହି ଚିକିତ୍ସିତ ହେଉଥିବା ବ୍ୟକ୍ତି ବା ଘରୋଇ ବ୍ୟବହାର ନିମନ୍ତେ ହୋଟେଲ ଖାଦ୍ୟ ଜମାଟୋ ଓ ସ୍ୱିଗି ପ୍ରଭୃତି ସଂସ୍ଥା ଜରିଆରେ ଉଚ୍ଚହାରରେ ଟିକସ୍ ଥାଇ ୨୦୨୦-୨୧ ଅପେକ୍ଷା ୨୦୨୧-୨୨ରେ ସରକାରୀ ତହବିଲକୁ ଯାଇଛି। ସବୁଠାରୁ ବଡ଼ ସଫଳତା ଅଭିବୃଦ୍ଧିକୁ କରୋନାର ଏହି ଦୁଇବର୍ଷ ମଧ୍ୟରେ ଦେଶକୁ ଖଣି କ୍ଷେତ୍ରରୁ ମିଳିଛି। ଏହା ଏକ ଉଚ୍ଚ ଡିଆଁ ମାରି ୨୦୨୧ରେ ୧୪.୩% ଅଭିବୃଦ୍ଧି ଘଟାଇଛି। ଏହି ତିନିଟି କାରଣରୁ ଯଥା କରୋନା ଚିକିତ୍ସା, ଔଷଧ ଆଦି ସାମଗ୍ରୀ ଖାଦ୍ୟ ମଗାଇବା ଓ ଖଣି କାର୍ଯ୍ୟ ପାଇଁ ଦେଶରେ ଅର୍ଥନୈତିକ ଅଭିବୃଦ୍ଧି ଚଳଚଞ୍ଚଳ ଥିବା ସ୍ୱୀକାର କରିବାକୁ ହେବ।
ଖାଉଟି ଦ୍ରବ୍ୟ (ଏଫ୍ଏମ୍ସିଜି)ର ଦରବୃଦ୍ଧି ଘଟୁଥିବା କାରଣରୁ ମଧ୍ୟ ଦ୍ରବ୍ୟ ଓ ସେବାକର ବାବଦ ଆୟ ବୃଦ୍ଧି ଘଟିଛି। ଅଧିକନ୍ତୁ ଉଚ୍ଚ ହାରର ଜିଏସ୍ଟି ଅନେକ ଦ୍ରବ୍ୟ ଉପରେ ଲାଗୁ ରହିଥିବା ମଧ୍ୟ ଅନ୍ୟ ଏକ କାରଣ। ତେବେ ଜିଏସ୍ଟି ଅନେକ ଅଦଳବଦଳ ଗତ ୪୫ଟି ପରିଷଦ ବୈଠକରେ କରାଯାଇଛି। ୨୦୧୭ରୁ ଜିଏସ୍ଟି କ୍ଷେତ୍ରରେ ଏହି ଅସ୍ଥିରତା ଲାଗୁ ରହିଥିବା ଦେଖାଯାଉଛି। ଯଦିଓ କେତେକ କ୍ଷେତ୍ରରେ ରିଆତି ମଧ୍ୟ ଘୋଷଣା କରାଯାଇଛି। ଜିଏସ୍ଟି ପରିଷଦ ୪୫ ଥର ବସି ‘ଦର’ ବଦଳାଇ ଚଢ଼ାଦର କରିବା ସହିତ ରିଆତି ଦେବା ଆଦିରୁ ଅନେକ ଅସ୍ଥିରତା ସୃଷ୍ଟି ହୋଇଛି।
ସେପ୍ଟେମ୍ବର ୧୭ରେ ବସିଥିବା ପରିଷଦର ନିଷ୍ପତ୍ତି ଅନୁସାରେ ଜିଏସ୍ଟି ଅନ୍ତର୍ଭୁକ୍ତ ୧୩୦୦ଟି ଉତ୍ପାଦନ ଓ ୫୦୦ଟି ସେବା ବ୍ୟବସ୍ଥା ରହିଲା। ଏହା ବଦଳି ଏବେ ୧୨୧୧ଟି ବିଷୟରେ ଅଛି ଓ ୧୮%କୁ ୧୭୭ଟି ବିଷୟ ଯାଇଛି। କିଛି ଉତ୍ପାଦନ ଉପରେ ଟିକସ୍ ହାର ୧୮%ରୁ ୧୨%କୁ ମଧ୍ୟ ଯେ ନ କମିଛି, ତାହା ନୁହେଁ। ବେପାରୀଙ୍କ ଚାପ ଓ ଭୋଟ ଲୋଭ ହେତୁ ଅନେକ ଦ୍ରବ୍ୟ ଓ ସେବା ଉପରେ ବସିଥିବା କର ନିର୍ଦ୍ଧାରଣ ଏ କଡ଼ ସେ କଡ଼ ହେବା ଦେଖାଯାଇଛି। ସଂସ୍କାରର ମୂଳ ପ୍ରଚାର ପୂରାପୂରି ବାଟ ହୁଡ଼ିଛି। ଟିକସ୍ ରିଆତି ବଢ଼ି ଚାଲିଛି, ଅସ୍ଥିରତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଯାହା ଫଳରେ ସଂସ୍କାରର ବଡ଼ ଘୋଷଣା ଫଳପ୍ରଦ ହେବା ବଦଳରେ ଅସ୍ଥିର ହୋଇ ଉଠିଛି। ନଭେମ୍ବର ୨୦୧୭ ଓ ଜାନୁୟାରୀ ୨୦୧୮ରେ ପରିବର୍ତ୍ତନ ଘଟିଲା। ଏହା ନିର୍ବାଚନ ପୂର୍ବବର୍ତ୍ତୀ ସ୍ଥିତି।
ଜିଏସ୍ଟି ଫାଙ୍କି ଅନେକ ଭାବରେ ବୃଦ୍ଧି ପାଇଛି। ଗତ ୬ ବର୍ଷରେ ଜିଏସ୍ଟି ନିର୍ଦେଶକ ୧୫୮ଜଣକୁ ୯୩୫୯ ଟଙ୍କା ଫାଙ୍କି ପାଇଁ ନୋଟିସ୍ ଦେଇଥିଲେ ମଧ୍ୟ ଗୋଟିଏ ବି ଟଙ୍କା ଆଦାୟ ହୋଇନାହିଁ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି। ବିଭିନ୍ନ ଜାଗାରେ ଖାଲି ଚଢ଼ଉ ପରେ ଚଢ଼ଉ ଚାଲିଛି। ଜିଏସ୍ଟି ଫାଙ୍କିର ସମ୍ବାଦ ପ୍ରଚାରିତ ହେଉଛି, ହେଲେ ଫଳାଫଳ ଶୂନ।
କପଡ଼ା ବେପାରୀମାନଙ୍କର ପ୍ରତିବାଦ ହେତୁ ସେବା ଦ୍ରବ୍ୟକର ପରିଷଦ କପଡ଼ା ଉପରେ ଟିକସ୍ବୃଦ୍ଧିକୁ ଘୁଞ୍ଚାଇ ଦେଇଛନ୍ତି। ଉତ୍ତରପ୍ରଦେଶ ନିର୍ବାଚନ ବେଳେ ଏହା ବୃଦ୍ଧି ନକରିବାକୁ ରାଜନୈତିକ ଚାପ ମଧ୍ୟ ଥିଲା। ହେଲେ ନିର୍ବାଚନ ପରେ ଏହା ଯେ ନ ବଢ଼ିବ ତା କହି ହେବନାହିଁ। ଏହି ଟିକସ୍ ହାର ୫%ରୁ ୧୨%କୁ ବଢ଼ାଇବାର ପ୍ରସ୍ତାବ ରହିଛି। ସମସ୍ତ କପଡ଼ା ବଜାର ଏଥିରୁ ଅସ୍ଥିର ହୋଇ ଉଠିବ ଏବଂ ଦରଦାମ୍ ବୃଦ୍ଧି ଘଟିବ; କିନ୍ତୁ ଜୋତା ଓ ଚପଲ ଆଦି ୫% ରୁ ୧୨%କୁ ଜିଏସ୍ଟି ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ଟିକସ୍ ଚଳିତବର୍ଷ ଜାନୁଆରୀ ୧ ତାରିଖରୁ ଲାଗୁ ହୋଇଛି। ଅନେକ ପଦାର୍ଥ ଉପରେ ଟିକସ୍ କମାଇବା ବା ଛାଡ଼ କରିବା ଉପରେ ବେପାରୀ ତଥା ରାଜ୍ୟମାନଙ୍କର ଚାପ ବଢ଼ି ଚାଲିଛି।
ରାଜନୈତିକ ବିଚାର ନେଇ କେନ୍ଦ୍ର ସରକାର ଓ କେନ୍ଦ୍ର ଅର୍ଥମନ୍ତ୍ରୀ ଏହା ଯେ ଭବିଷ୍ୟତରେ ବିଚାର ନକରିବେ ତା’ ନୁହେଁ, ଗୋଟିଏ ବିଚାର ବିମର୍ଶ ମଧ୍ୟ ଚାଲିଛି ଯେ ଏତେ ଗୁଡ଼ିଏ ଟିକସ୍ ସ୍ତର କମାଇ ଦେବା ନିମନ୍ତେ। ଅର୍ଥାତ୍ ବର୍ତ୍ତମାନ ଥିବା ୦%, ୫%, ୧୨%, ୧୮%, ୨୮% ବଦଳରେ ତିନିଟି ଦର ଧାର୍ଯ୍ୟ ହେବ; ଯାହା କି ବଜାରକୁ ପୁନଶ୍ଚ ଅସ୍ଥିର କରିବ, ଖାଉଟିକୁ ମଧ୍ୟ କରିବ। ଦେଶ ଲାଭବାନ ହୋଇପାରେ, କାରଣ ପରିଷଦ ଦର ଧାର୍ଯ୍ୟ କଲାବେଳେ ନିଶ୍ଚିତ ଭାବରେ ରାଜସ୍ୱ ସମୀକରଣ (Revenue neutratisation) ଉପରେ ଗୁରୁତ୍ୱ ଦେବ, ହେଲେ ଖାଉଟି ରାଜ୍ୟଗୁଡ଼ିକ ଏଥିପାଇଁ ଅନେକ ଅର୍ଥନୈତିକ ଅସ୍ଥିରତାର ସମ୍ମୁଖୀନ ହେବେ। ସବୁଠାରୁ ବେଶୀ ବିପର୍ଯ୍ୟୟ ରାଜ୍ୟଗୁଡ଼ିକ ପାଇଁ ଆସିବ, ଯେଉଁ ସମୟରେ ପେଟ୍ରୋଲ, ଡିଜେଲ୍ ଆଦି ଜିଏସ୍ଟି ଅନ୍ତର୍ଭୁକ୍ତ ହେବ ଏବଂ ସମ୍ବିଧାନ ସଂଶୋଧନ ଅନୁସାରେ ପାଇବାକୁ ଥିବା କ୍ଷତି ଭରଣା ୨୦୨୨ ଜୁଲାଇରୁ ଉଠିଯିବ।
କୋଭିଡ୍ ଦ୍ୱିତୀୟ ଲହର ବେଳେ ଗତ ଏପ୍ରିଲ ମାସରେ ଜି.ଏସ୍.ଟି ଆଦାୟ ୧ଲକ୍ଷ ୪୧ ହଜାର କୋଟି ଟଙ୍କା ମିଳିଥିଲା। ପରେ ଓମିକ୍ରନ ଆସିବାର ଆଶଂକା ପ୍ରଚାରିତ ହେବା ପରେ ଗତ ଅକ୍ଟୋବର ମାସରେ ୧,୩୦,୧୨୭ କୋଟି ଟଙ୍କା, ନଭେମ୍ବରରେ ୧,୩୧,୫୨୬ କୋଟି ଟଙ୍କା ଓ ଡିସେମ୍ବର ମାସରେ ୧,୨୯,୭୮୦ କୋଟି ଟଙ୍କା ଆଦାୟ ଦେଖିବାକୁ ମିଳିଲା, କୋଭିଡ୍ ବା ଓମିକ୍ରନର ପ୍ରଭାବ ଯେ ଜିଏସ୍ଟି ବୃଦ୍ଧିର କାରଣ ଏହା ପ୍ରମାଣ କରିଥାଏ। ଅଧିକନ୍ତୁ ଏକ ହିସାବରୁ ଜଣାଯାଏ ଯେ ଉଭୟ ଜମାଟୋ ଏବଂ ସ୍ୱିଗି ଏ ବର୍ଷ ଆରମ୍ଭରେ ଦୈନିକ ୨୦ଲକ୍ଷ ଗ୍ରାହକ ନିମନ୍ତେ ଖାଦ୍ୟ ଯୋଗାଇଥିଲେ। ଏବେ ଏହି ବ୍ୟବସ୍ଥାର ଟିକସ୍ ହାର ବଢ଼ାଇ ଦିଆଯାଇଛି। ଆକ୍ରାନ୍ତର ଭୟ ଆଶଙ୍କାରେ ବା ଘରେ ଥିବା ରୋଗୀମାନେ ବାହାରକୁ ନ ଯାଇ ଖାଦ୍ୟ ସାମଗ୍ରୀ ଅନ୍ଲାଇନ୍ରେ ମଗାଇଥାନ୍ତି। ଏହା ହେଉଛି ଓମିକ୍ରନ୍ର ପ୍ରଭାବ।
ଅଧିକନ୍ତୁ ଖଣିଜ ସମ୍ପଦଭରା ରାଜ୍ୟ ଯଥା ଓଡ଼ିଶାରେ ଜିଏସ୍ଟି ଅଭିବୃଦ୍ଧି ଗୋଟିଏ ଗୋଟିଏ ମାସରେ ୪୬%ରୁ ଊର୍ଦ୍ଧ୍ବ ହୋଇଥିବା ଦେଖାଯାଇଛି। ଦେଶରେ ଆଶାତୀତ ଭାବେ ପରୋକ୍ଷ କର ଜିଏସ୍ଟି ୨୦୨୧-୨୨ ବର୍ଷର ଅନେକ ମାସରେ ୧ଲକ୍ଷ ୩୦ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ବ ହୋଇଛି ଓ ଗୋଟିଏଗୋଟିଏ ମାସରେ ୧ ଲକ୍ଷ ୪୨ ହଜାର କୋଟି ଟଙ୍କା ଛୁଇଁଛି। ଏ କଥା ଜୋର୍ ଦେଇ କୁହାଯାଇପାରେ ଟିକସ୍ ସଂସ୍କାର ହେତୁ ଜିଏସ୍ଟି ବୃଦ୍ଧି ଘଟିଥିବା ଆଦୌ କୁହାଯାଇ ପାରିବ ନାହିଁ; ବରଂ ଦେଶର ଅର୍ଥନୀତିରେ ସୃଷ୍ଟି ହୋଇଥିବା ଚରମ ଅସ୍ଥିରତା ପ୍ରମାଣ କରିଛି, ସଂଘୀୟ ବ୍ୟବସ୍ଥା ମଧ୍ୟରେ ରାଜ୍ୟଗୁଡ଼ିକ ଅଧିକରୁ ଅଧିକ କେନ୍ଦ୍ର ଉପରେ ନିର୍ଭରଶୀଳ ହୋଇ ଉଠିଛନ୍ତି। ଏକ ନବ ଔପନିବେଶୀୟ ଶାସନର ପ୍ରସାର ଘଟିଛି।

