www.samajalive.in
Sunday, December 14, 2025
23.1 C
Bhubaneswar

ଓଡ଼ିଶାରେ ଡିଜିଟାଲ ସମାନତା

‘ସମାଜ’ (୮ା୧) ସମ୍ପାଦକୀୟ ପୃଷ୍ଠାର ‘ପ୍ରାପ୍ତପତ୍ର’ ସ୍ତମ୍ଭରେ ଜଣେ ବରିଷ୍ଠ ନାଗରିକ ନିଜର ଖଜଣା ପ୍ରଦାନ କରିବା ବେଳେ କିପରି ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇଥିଲେ ତାହା ପ୍ରକାଶିତ ହୋଇଥିଲା। ଭୂରାଜସ୍ବ ସହିତ ଅନେକ ସେବାକୁ ଆଧୁନିକୀକରଣ କରାଯାଇଛି। ନିକଟରେ ନିଜର ମୁଖଚିତ୍ର ଚିହ୍ନଟ ପ୍ରକ୍ରିୟାରେ ପେନ୍‌ସନଭୋଗୀ ନିଜର ଜୀବିତ ପ୍ରମାଣ ପତ୍ର ଦାଖଲ କରିବା ପାଇଁ ବ୍ୟବସ୍ଥା ଆରମ୍ଭ ହୋଇଛି। ଗୋଟିଏ ପକ୍ଷରେ ପ୍ରତିଦିନ ଅନେକ ପ୍ରକାରର ସରକାରୀ ସେବାକୁ ଡିଜିଟାଲ କରାଯାଉଥିବା ବେଳେ ଏହା ଫଳରେ ସରକାରୀ କଳରୁ ଦୁର୍ନୀତି ହଟାଇବା ସହିତ ସରକାରୀ ଯୋଜନା ଓ ସେବାଗୁଡିକ ଅଧିକ ଲୋକାଭିମୁଖୀ ହେବାର ସମ୍ଭାବନା ରହିଛି ବୋଲି ଆଶା କରାଯାଉଛି।

ଗତ ସାଧାରଣ ନିର୍ବାଚନ ପରେ ଗାନ୍ଧୀ ଜୟନ୍ତୀ ଅବସରରେ ଓଡ଼ିଶା ସରକାର ‘ମୋ ସରକାର ୫-ଟି’ର ଆରମ୍ଭ କରିଥିଲେ। ଏହାର ଏକ ମାସ ପୂର୍ବରୁ ରାଜସ୍ଥାନ ସରକାର ‘ଜନ ସୂଚନା ପୋର୍ଟାଲ’ର ଶୁଭାରମ୍ଭ କରିଥିଲେ। ଏହି ଦୁଇଟି ସରକାରୀ ଅଭିଯାନର ଉଦ୍ଦେଶ୍ୟ ପ୍ରାୟ ସମାନ ଥିଲେ ମଧ୍ୟ ବର୍ତ୍ତମାନ କିନ୍ତୁ ତୃଣମୂଳ ସ୍ତରରେ ଯୋଜନାର କାର୍ଯ୍ୟକ୍ରମ କେତେ ସଫଳ ରୂପାୟଣ ସମ୍ଭବ ହୋଇଛି ତାହା କେବଳ ସ୍ପଷ୍ଟ ଭାବରେ ଜ୍ଞାତ ହୁଏ ଯେତେବେଳେ ଆମେ ଏହି ଦୁଇଟି ସରକାରୀ କଳରେ ସ୍ୱଚ୍ଛତା ଆଣିବା ପାଇଁ ପ୍ରୟାସକୁ ତର୍ଜମା କରିଥାଉ। ସୂଚନା ଅଧିକାର ଆଇନର ଜନ୍ମସ୍ଥାନରେ କାର୍ଯ୍ୟ ସମ୍ପାଦନ କରୁଥିବା ବର୍ତ୍ତମାନ ସୁଦ୍ଧା ଜନ ସୂଚନା ପୋର୍ଟାଲ ମାଧ୍ୟମରେ ୧୧୫ଟି ବିଭାଗର ୨୬୯ଟି ସେବା ମିଳିପାରୁଛି। ୫୬୨ଟି ସରକାରୀ ଯୋଜନାର ସମସ୍ତ ପ୍ରକାର ତଥ୍ୟ ମିଳିପାରୁଛି।

- Advertisement -

ଆୟୁଷ୍ମାନ ଭାରତ, ମନରେଗା, ଇ-ଶ୍ରମ ପଞ୍ଜୀକରଣ ପରି କେନ୍ଦ୍ରୀୟ ଯୋଜନାର ସବିଶେଷ ତଥ୍ୟ ଓ ସୁବିଧା ମଧ୍ୟ ରାଜ୍ୟ ସରକାରଙ୍କ ପୋର୍ଟାଲରେ ଉପଲବ୍ଧ ହେଉଛି। ରାଜସ୍ଥାନରେ ଡିଜିଟାଲ ସାକ୍ଷରତା ଓ ସଞ୍ଚାର ବ୍ୟବସ୍ଥାର ଭିତ୍ତିଭୂମି ଅଧିକ ସୁଦୃଢ ସତ୍ତ୍ୱେ ଅନେକ ପ୍ରକାରର ଡିଜିଟାଲ ସେବା ଯୋଗାଇ ଦେବାକୁ ରାଜସ୍ଥାନ ସରକାର ସୂଚନା ପ୍ରଯୁକ୍ତି ବିଜ୍ଞାନ ସେବା ପ୍ରଦାନ କରୁଥିବା କିଛି ଘରୋଇ ସଂସ୍ଥାଗୁଡ଼ିକ ସହିତ ବୁଝାମଣା କରି ପ୍ରତ୍ୟେକ ପଞ୍ଚାୟତ ଓ ୱାର୍ଡରେ ଇ-ମିତ୍ର କେନ୍ଦ୍ର (କିଓସ୍କ) ସ୍ଥାପନ କରିଛନ୍ତି। ରାଜ୍ୟରେ ବର୍ତ୍ତମାନ ପ୍ରାୟ ଛତିଶ ହଜାରରୁ ଅଧିକ କିଓସ୍କ କାର୍ଯ୍ୟ କରୁଛି। ସେଠାରେ ଅଧିକାଂଶ ସେବା ରାଜ୍ୟ ସରକାରଙ୍କ ଅନେକ ବିଭାଗ ପକ୍ଷରୁ ନିଃଶୁକ୍ଳ କରାଯାଇଥିବା ବେଳେ ଯେଉଁ ସେବା ପାଇଁ ପାରିଶ୍ରମିକ ଦେବାକୁ ହେବ, ତାହା ମଧ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଛି। ନିଜର ନିକଟତମ କିଓସ୍କ ବିଷୟ ଉପରେ ସମସ୍ତ ପ୍ରକାରର ତଥ୍ୟ ହିତାଧିକାରୀ ଜନ ସୂଚନା ପୋର୍ଟାଲର ଆପ୍ ମାଧ୍ୟମରେ ସଂଗ୍ରହ କରିପାରିବେ।

ଯଦି କୌଣସି କିଓସ୍କର କର୍ମଚାରୀ କୋୖଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରନ୍ତି ତେବେ ସେହି ବିଷୟ ଉପରେ ନାଗରିକମାନେ ଅଭିଯୋଗ ଦାଖଲ କରିପାରିବେ। ସରକାର ତଦନ୍ତ କରିବା ପରେ ଯଦି ନାଗରିକଙ୍କ ଅଭିଯୋଗର ସତ୍ୟତା ପ୍ରମାଣିତ ହୁଏ, ତେବେ ସେହି କିଓସ୍କକୁ କଳା ତାଲିକାଭୁକ୍ତ କରାଯାଏ ଓ ତାହାର ତଥ୍ୟ ୱେବସାଇଟ ଓ ଆପ୍‌ରେ ମଧ୍ୟ ଉପଲବ୍ଧ ହୁଏ। ଫଳରେ ନାଗରିକମାନେ ଭବିଷ୍ୟତରେ ହଇରାଣ ହୁଅନ୍ତି ନାହିଁ। ଇ-ମିତ୍ର ମାଧ୍ୟମରେ ବରିଷ୍ଠ ନାଗରିକ ଗୃହରେ ବସି ଟ୍ରେନ୍‌ ଟିକଟ କିଣିବା ସହିତ ବ୍ୟାଙ୍କିଙ୍ଗ ସୁବିଧା ମଧ୍ୟ ପାଇପାରୁଛନ୍ତି।
ଓଡ଼ିଶାରେ ଡିଜିଟାଲ ସାକ୍ଷରତା ଓ ସଞ୍ଚାର କ୍ଷେତ୍ର ଉଭୟ ଦୁର୍ବଳ। ଗ୍ରାମାଞ୍ଚଳରେ ସାଧାରଣ ଲୋକେ ବିଭିନ୍ନ ପ୍ରକାରର ତଥ୍ୟ ଓ ସେବାରୁ ବଞ୍ଚିତ ହେଉଛନ୍ତି କିମ୍ବା ଅତ୍ୟଧିକ ମାତ୍ରାରେ ଖର୍ଚ୍ଚାନ୍ତ ହେଉଛନ୍ତି।

ଜଣେ ଦିନମଜୁରିଆ ନିଜର ମଜୁରି ଛାଡି ସହରକୁ ଆସି ନିଜର ଇ-ଶ୍ରମରେ ନିଜର ନାମ ପଞ୍ଜୀକରଣ କରୁଛି। ତେଣୁ ମୋଟାମୋଟି ଭାବରେ କହିବାକୁ ଗଲେ ବିଶେଷ ଭାବେ ଗାଁଗହଳିରେ ଅର୍ଦ୍ଧଶିକ୍ଷିତ ଲୋକଙ୍କ ପାଇଁ ଡିଜିଟାଲ ସେବା ଗୋଟିଏ ପ୍ରମୁଖ ସମସ୍ୟା ରୂପେ ଆତ୍ମ ପ୍ରକାଶ କରୁଛି। ସରକାର ଲୋକଙ୍କ ସୁବିଧା ପାଇଁ ବିଭିନ୍ନ ପ୍ରକାରର ଡିଜିଟାଲ ସେବାର ପ୍ରଚଳନ କରୁଥିଲେ ମଧ୍ୟ ତୃଣମୂଳ ସ୍ତରରେ ଏହା ପହଞ୍ଚିଲା ବେଳକୁ ତାହା ବୋଝ ହୋଇପଡୁଛି। ସାଧାରଣ ଲୋକଙ୍କ ପାଇଁ ତାହା ସହଜରେ ବ୍ୟବହାରଯୋଗ୍ୟ ହୋଇପାରୁନାହିଁ। ଛାତ୍ରଛାତ୍ରୀମାନେ ମଧ୍ୟ ନିଜର ଛାତ୍ରବୃତ୍ତି ଓ ନାମଲେଖା ଇତ୍ୟାଦି ବିଷୟରେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ହାତରୁ ଅର୍ଥ ବ୍ୟୟ କରି ନିକଟ ସହରକୁ ନ ଗଲେ ନ ଚଳେ। ଆଗକୁ ଆହୁରି ବିଭିନ୍ନ ପ୍ରକାରର ସେବାକୁ ଡିଜିଟାଲକୁ ପରିବର୍ତ୍ତନ କରାଯିବ। ଯଦି ଡିଜିଟାଲ ସେବାକୁ ସମ୍ପୂର୍ଣ୍ଣ ଭାବରେ ସରକାରଙ୍କ ଅଧୀନରେ ରଖାନଯାଏ, ତେବେ ସମାଜର ନିମ୍ନବର୍ଗ ଶୋଷିତ ହେବା ସୁନିଶ୍ଚିତ। ସବୁ ସେବା ଯଦି ସମସ୍ତଙ୍କ ନିକଟରେ ନ ପହଞ୍ଚି ପାରିଲା, ତେବେ ସଫଳତା ହାସଲ କରିବା ଅସମ୍ଭବ। ସମଗ୍ର ରାଜ୍ୟରେ ଏକ ଉନ୍ନତ ମାନର ଡିଜିଟାଲ ସେବା ପ୍ରଦାନ କରିବା ପାଇଁ ଏକ ସ୍ୱତନ୍ତ୍ର ଭିତ୍ତିଭୂମିକୁ ବିକଶିତ କରିବାର ଆବଶ୍ୟକତା ରହିଛି।

ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଛି। ଜନପ୍ରତିନିଧିମାନେ ମୂଲ୍ୟବାନ ଭୋଟ ଭିକ୍ଷା କରିବା ପାଇଁ ଭୋଟରଙ୍କ ଦ୍ୱାରସ୍ଥ ହେବେ। ନାଗରିକମାନେ ନିଜର ପଞ୍ଚାୟତ କାର୍ଯ୍ୟାଳୟରେ ବିଭିନ୍ନ ପ୍ରକାରର ଡିଜିଟାଲ ସେବାକୁ ଉପଲବ୍ଧ କରାଇବା ପାଇଁ ନିଜର ମହତ୍ତ୍ବପୂର୍ଣ୍ଣ ଦାବି ରଖନ୍ତୁ। ଖାଦ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ ପରି ଡିଜିଟାଲ ସମାନତା ଦାବି ମଧ୍ୟ ଏକ ମୌଳିକ ଅଧିକାର। ଡିଜିଟାଲ ବୈଷମ୍ୟକୁ ଦୂର କରିବା ସରକାରଙ୍କ ପ୍ରଧାନ କାର୍ଯ୍ୟ ହେଉ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories