ସ୍ବଦେଶ ଫେରିଲେ ସୋନାଲୀ

0

ମୁମ୍ବଇ: କ୍ୟାନସର୍ ସହିତ ଲଢ଼େଇ କରୁଥିବା ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ ୪ ମାସ ପରେ ନ୍ୟୁୟର୍କରୁ ଭାରତ ଫେରିଛନ୍ତି। ରବିବାର ରାତିରେ ସ୍ବାମୀ ଗୋଲ୍ଡି ବେହଲଙ୍କ ସହ ତାଙ୍କୁ ମୁମ୍ବଇ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା। କ୍ୟାନସର୍ ଚିହ୍ନଟ ହେବା ପରେ ଚିକିତ୍ସା ପାଇଁ ସେ ନ୍ୟୁୟର୍କ ଯାଇଥିଲେ। ଏବେ କିଛିଦିନ ପାଇଁ ମୁମ୍ବଇ ଆସିଛନ୍ତି ବୋଲି ସେ କହିଛନ୍ତି।

ବର୍ତ୍ତମାନ ମଧ୍ୟ ସୋନାଲୀ କ୍ୟାନସର୍ ସହିତ ଲଢ଼ୁଛନ୍ତି। ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି। ହେଲେ ଏଭଳି ସ୍ଥିତିରେ ମଧ୍ୟ ତାଙ୍କ ମୁହଁରେ ସେହି ଚିରାଚରିତ ହସ ବଜାୟ ରହିଛି। ଗତ ଜୁଲାଇ ୪ ତାରିଖରେ ଜଣାପଡ଼ିଥିଲା ଯେ ସୋନାଲୀଙ୍କୁ କ୍ୟାନସର୍ ରେ ପୀଡ଼ିତ। ସେ ନିଜେ ସାମାଜିକ ଗଣମାଧ୍ୟମ ଜରିଆରେ ଏହି ସୂଚନା ଦେଇଥିଲେ। ତା’ପରେ ଚିକିତ୍ସା ପାଇଁ ନ୍ୟୁୟର୍କ ଯିବା କଥା ମଧ୍ୟ ସେ ଜଣାଇଥିଲେ। ସେହିପରି ନ୍ୟୁୟର୍କରୁ ମୁମ୍ବଇ ଫେରିବା କଥା ସାମାଜିକ ଗଣମାଧ୍ୟମରେ ଜରିଆରେ ସେ ତାଙ୍କ ପ୍ରଶଂସକ ଓ ବନ୍ଧୁ ମାନଙ୍କୁ ଜଣାଇଥିଲେ। ଏନେଇ ସେ ଲେଖିଥିଲେ,“ମୁଁ ଫେରୁଛି, ଯେଉଁଠି ମୋ ହୃଦୟ ରହିଛି। ଏବେ ମୁଁ ଯାହା ଅନୁଭବ କରୁଛି, ତାକୁ ଶବ୍ଦରେ ପ୍ରକାଶ କରିପାରିବି ନାହିଁ। କିନ୍ତୁ ମୁଁ ମୋ ଭାବନାକୁ ପ୍ରକାଶ କରିବାକୁ ଚେଷ୍ଟା କରୁଛି। ମୋ ପରିବାର ଓ ବନ୍ଧୁମାନଙ୍କୁ ପୁଣି ଦେଖିବା ଖୁବ୍ ଆନନ୍ଦଦାୟକ ହେବ। ସେମାନଙ୍କ ପାଇଁ ମୁଁ ଖୁବ୍ ଉତ୍ସାହିତ, ଯେଉଁମାନେ ମତେ ଭଲ ପାଆନ୍ତି।”

ନ୍ୟୁୟର୍କରେ ଥିବା ସମୟରେ ବିଭିନ୍ନ ସମୟରେ ସୋନାଲୀ ସାମାଜିକ ଗଣମାଧ୍ୟମରେ ତାଙ୍କ ମନ କଥା ଲେଖୁଥିଲେ ଓ ଫଟୋ ମଧ୍ୟ ଶେୟାର କରୁଥିଲେ। ଏମିତି କରିବା ଦ୍ୱାରା କ୍ୟାନସର୍ ସହିତ ଲଢ଼େଇ କରିବାକୁ ଶକ୍ତି ପାଉଥିଲେ ବୋଲି ସେ କହିଥିଲେ।

Leave A Reply