ପିକଅପ ଧକ୍କାରେ ପୁଅ ମୃତ, ମା’ ଗୁରୁତର

ଗୋପାଳପୁର: ଗୋଳନ୍ଥରା ଥାନା ଅଧୀନ ଗୋବିନ୍ଦନଗର ଜାତୀୟ ରାଜପଥ କଡ଼ରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଦ୍ରୁତଗାମୀ ପିକଅପ ଭ୍ୟାନ ଏକ ବାଇକକୁ ଧକ୍କା ଦେବାରୁ ପୁଅର ମୃତ୍ୟୁ ଘଟିଥିବା ବେଳେ ମା’ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ କେ. ନୂଆଗାଁ ଥାନା ଅଧୀନ ଦେଉଳ ମାଦୁଳି ଗ୍ରାମର ଵି.ପୁରୁଷୋତ୍ତମ (୩୮)। ଗୁରୁତର ଆହତ ଵି. ଆଚାମ୍ମାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଶୁକ୍ରବାର ସକାଳ ସାଢେ ୯ଟାବେଳେ ପୁରୁଷୋତ୍ତମ ଏବଂ ତାଙ୍କ ମା’ ନିଜ ଗାଁରୁ ଏକ ବାଇକ ଯୋଗେ ମଦନମୋହନପୁର ଗାଁକୁ ଆସୁଥିଲେ। ୧୬ନଂ ଜାତୀୟ ରାଜପଥର ଗୋବିନ୍ଦନଗର ପେଟ୍ରୋଲ ପମ୍ପ ନିକଟରେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ ପିକଅପ ଭ୍ୟାନ ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ଫଳରେ ମା ଓ ପୁଅ ଉଭୟେ ରାସ୍ତାରେ ଛିଟିକି ପଡିଥିଲେ। ସ୍ଥାନୀୟ ଲୋକେ ଗୁରୁତର ଆହତ ଆଚାମ୍ମାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୋଲିସ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ମେଡିକାଲକୁ ପଠାଇଛି। ଏ ନେଇ ଥାନାରେ ଏକ ମାମଲା ନଂ ୫୮୧/୨୪ ରୁଜୁ ହୋଇଛି।
Comments are closed.