ଓଡ଼ିଆ ସ୍ବାଭିମାନର ସୁଦକ୍ଷ ସେନାପତି

ଭୁବନେଶ୍ଵର: ନିଜର ସମସ୍ତ ଐତିହ୍ୟ ଐଶ୍ୱର୍ଯ୍ୟ ହରାଇ ବାହ୍ୟ ରାଜ୍ୟଙ୍କ ଦୃଷ୍ଟିରେ ଯେତେବେଳେ ଓଡ଼ିଶା ଥିଲା ଏକ ବଣ ଜଙ୍ଗଲ ପରିବେଷ୍ଟିତ, ବାତ୍ୟା ବନ୍ୟା ମରୁଡ଼ିର ଅପନ୍ତରା ଅଜଣା ପ୍ରାନ୍ତ, କର୍ମ ବିମୁଖ ନିର୍ବେଦ ଜାତିର ଆବାସ ଭୂମି, ଦାରିଦ୍ର୍ୟ ନିଷ୍ପେଷିତ ବିଡ଼ମ୍ବିତ ଗୋଟାଏ ଗୌରବ ହରାଇଥିବା ରାଜ୍ୟ, ଠିକ୍ ସେହି ସମୟରେ କଟକ ଜିଲା ସତ୍ୟଭାମାପୂର ଐତିହାସିକ ଚୌଧୁରୀ ପରିବାରରେ ୧୮୪୮‌ମସିହା ଅପ୍ରେଲ ୨୮ ତାରିଖରେ ମଧୁସୂଦନ ଦାସ ଜନ୍ମଗ୍ରହଣ କରିଥିଲେ। ଗ୍ରାମ ଚାଟଶାଳୀରେ ବାଲ୍ୟ ଶିକ୍ଷା, କଟକ ରେଭେନ୍ସା କଲେଜିଏଟ୍ ସ୍କୁଲରେ ହାଇସ୍କୁଲ ଶିକ୍ଷା, କଲିକତା ବିଶ୍ୱବିଦ୍ୟାଳୟରୁ ଉଚ୍ଚ ଶିକ୍ଷା (ବି.ଏ.) ଲାଭ କରି (୧୮୭୦) ଓଡ଼ିଶାର ପ୍ରଥମ ଗ୍ରାଜୁଏଟ୍ ହେବାର ଗୌରବ ଅର୍ଜନ କରିଥିଲେ ମଧୁସୂଦନ। କଲିକତା ବିଶ୍ୱବିଦ୍ୟାଳୟରୁ ଆଇନ ଉପାଧି ଲାଭ କରି ଓଡ଼ିଶାର ସର୍ବପ୍ରଥମ ଆଡଭୋକେଟ୍ ହେବାର ମୁକୁଟ ପରିଧାନ କଲେ। ଭାଇସରୟ ଲର୍ଡ ରିପ୍ପନ ୧୮୮୨ ବେଳକୁ ଭାରତବର୍ଷରେ ସ୍ୱାୟତ୍ତ ଶାସନ ଘୋଷଣା କରି ଦେଶରେ ମୁନିସିପାଲଟି ସଂସ୍ଥା ଗଠନ କଲେ। ମଧୁସୂଦନ ଅଦମ୍ୟ ଚେଷ୍ଟା କରି ଓଡ଼ିଶାର ସର୍ବବିଧ ଉନ୍ନତି ଓ ସ୍ୱାୟତ୍ତ ଶାସନ ବିଷୟରେ ଲୋକମାନଙ୍କୁ ଅବଗତ କରିବା ପାଇଁ କଟକ ପ୍ରିଣ୍ଟିଂ କମ୍ପାନୀ କୋଠାରେ ଏକ ସାଧାରଣ ସଭାର ଆୟୋଜନ କରି ଉତ୍କଳ ସଭା ଗଠନ କଲେ।ଏହି ଶକ୍ତିଶାଳୀ ଅନୁଷ୍ଠାନ ହେଉଛି ଓଡିଶାର ପ୍ରଥମ ବିଧିବଦ୍ଧ ରାଜନୈତିକ ଅନୁଷ୍ଠାନ। ଶ୍ରୀ ଦାସ ଏହାର ମୁଖ୍ୟ ସୂତ୍ରଧର ଭାବରେ ସମ୍ମୁଖରେ ରହି ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ ଆରମ୍ଭ କରିଦେଲେ। କଟକ ରେଭେନ୍ସା ‘ଲ’ କଲେଜରେ ଅବୈତନିକ କ୍ଲାସ କରି ‘ଲ’ କଲେଜ ବନ୍ଦ ହୋଇଯିବା ପରିସ୍ଥିତିରୁ ‘ଲ’ କଲେଜକୁ ରକ୍ଷା କଲେ। ୧୮୮୭ରେ କଟକ ଜିଲା ବୋର୍ଡର ଅଧ୍ୟକ୍ଷ ହୋଇ ଓଡ଼ିଆଙ୍କର ସ୍ବାଭିମାନ ପାଇଁ ଯାବତୀୟ ପଦକ୍ଷେପ ଗ୍ରହଣ କଲେ।
ସ୍ବତନ୍ତ୍ର ଉତ୍କଳ ଗଠନର ସ୍ବପ୍ନ, ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକୀକରଣ, କୃଷିଭିତ୍ତିକ ଓଡ଼ିଶାର ଉନ୍ନତି, କୁଟୀରଶିଳ୍ପର ପୁନରୁତ୍ଥାନ, ଅନଗ୍ରସର ଓଡ଼ିଶାକୁ ଦାରିଦ୍ର୍ୟ କବଳରୁ ମୁକ୍ତ କରି ଭାରତର ଅନ୍ୟ ରାଜ୍ୟ ସହିତ ସମକକ୍ଷ କରିବା ପାଇଁ ମଧୁସୂଦନଙ୍କ ପ୍ରାଣ ସର୍ବଦା ଚେଷ୍ଟିତ ରହିଲା। ସୁସଂଗଠିତ ରାଜନୈତିକ ଅନୁଷ୍ଠାନ ‘ଉତ୍କଳସଭା’ ମାଧ୍ୟମରେ ଲର୍ଡ ରିପନଙ୍କ ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ ଅଂଶଗ୍ରହଣ କରି ରାଜ୍ୟବାସୀଙ୍କୁ ପ୍ରୋତ୍ସାହିତ କଲେ। ମଧୁବାବୁ ଅନୁଭବ କଲେ ପଡ଼ୋଶୀ ରାଜ୍ୟମାନଙ୍କ ଠାରୁ ଓଡିଆ ଭାଷାଭାଷୀ ଅଞ୍ଚଳମାନଙ୍କୁ ଅଲଗା କରି ଏକ ସ୍ବତନ୍ତ୍ର ଓଡ଼ିଶା ଗଠନ ନକଲେ ଓଡ଼ିଆମାନଙ୍କର କୌଣସି ଉନ୍ନତି ସମ୍ଭବ ନୁହେଁ। କୃଷିର ଉନ୍ନତି, ଶିଳ୍ପର ବିକାଶ, କୁଟୀରଶିଳ୍ପ, ଗମନାଗମନ, ରେଳପଥ ଆଦି ସବୁକୁ ଗୁରୁତ୍ବ ଦେଇ ମଧୁବାବୁ ଇଂରେଜ ସାହେବମାନଙ୍କର ଦୃଷ୍ଟି ଆକର୍ଷଣ କଲେ। ‘ଉତ୍କଳସଭା’ ମାଧ୍ୟମରେ ୧୮୫୦ ମସିହା ଗଠିତ ଭାରତୀୟ ଜାତୀୟ କଂଗ୍ରେସ କଲିକତା ସଭାରେ ଓଡ଼ିଶାର ‘ଉତ୍କଳସଭା’କୁ ଜାତୀୟ ପ୍ଲାବନରେ ଯୋଡ଼ି ଓଡ଼ିଆଙ୍କର ସ୍ବାଭିମାନକୁ ବୃଦ୍ଧି କରିଥିଲେ। ‘ଉତ୍କଳସଭା’ ଜରିଆରେ ଓଡ଼ିଶାର ବିଭିନ୍ନ ଅଞ୍ଚଳ ଗସ୍ତ କରି ରାଜନୈତିକ ଜାଗରଣ ସୃଷ୍ଟି କରି ଓଡ଼ିଶାର ସ୍ବାର୍ଥକୁ ସାର୍ବଜନୀନ କରିବା ଥିଲା ମଧୁବାବୁଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା। ସର୍ବପ୍ରଥମେ ମଧୁବାବୁଙ୍କ ଜରିଆରେ ଲବଣ କର ବିରୋଧରେ ଆନ୍ଦୋଳନ ହେଲା ଓ ଲବଣ କର ସର୍ବସାଧାରଣ ସ୍ବାର୍ଥ ବିରୋଧୀ ବୋଲି ଆନ୍ଦୋଳନକୁ ଆଗେଇ ନେବାରେ ମଧୁବାବୁ ଢେର୍ ପ୍ରଯତ୍ନ କରିଥିଲେ। ୧୮୯୬ ମସିହା ବଙ୍ଗଳା ଲେଜିସଲେଟିଭ୍ କାଉନସିଲ ସଭାରେ ମଧୁବାବୁ ଓଜସ୍ବିନୀ ଭାଷଣ ଦେଇ ଓଡ଼ିଶାର ନମକୀମାହାଲକୁ ମାନ୍ଦ୍ରାଜଠାରୁ ଫେରାଇଆଣି ଓଡ଼ିଆମାନଙ୍କୁ ନ୍ୟାୟ ଦେବାରେ ବିଶେଷ ସଫଳତା ପାଇଲେ। ଏଠାରେ ପ୍ରକାଶ ଥାଉକି ୧୯୩୦ ମସିହାରେ ମହାତ୍ମା ଗାନ୍ଧୀ ଲବଣ ସତ୍ୟାଗ୍ରହ କରି ଯେଉଁ ବୈପ୍ଳବିକ ଆନ୍ଦୋଳନ କରିଥିଲେ ତାହାର ୪୭ବର୍ଷ ପୂର୍ବରୁ ମଧୁବାବୁ ଏହି ଅଧିକାରକୁ ଫେରାଇଆଣିବାରେ ଭାରତର ପ୍ରଥମ ସୂତ୍ରଧର ଥିଲେ। ଓଡ଼ିଶା ଛୋଟନାଗପୁର, ମୁନିସିପାଲ ନିର୍ବାଚନ ମଣ୍ଡଳୀରୁ ମଧୁବାବୁ ବଙ୍ଗଳା ଲେଜିସଲେଟିଭ୍ କାଉନସିଲକୁ ନିର୍ବାଚିତ ହେବାରେ ସର୍ବପ୍ରଥମ ଲୋକ ପ୍ରତିନିଧି ହେବାରେ ଗୌରବ ଅର୍ଜନ କଲେ।
ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଲାଗି ଯେଉଁଠାରେ ଆଲୋଚନା ହେଉଥିଲା ସେ ବିଷୟରେ ପରାମର୍ଶ ଓ ପଥ ନି​‌େ​‌ର୍ଦଶ ଲାଗି ମଧୁବାବୁଙ୍କୁ ଲୋଡ଼ା ଯାଉଥିଲା। ୧୯୦୩ରେ ଉତ୍କଳ ସମ୍ମିଳନୀ ଗଠିତ ହେଲା। ଉତ୍କଳ ସମ୍ମିଳନୀ ଓଡ଼ିଆ ଏବଂ ଓଡ଼ିଶା ବାହାରେ ୩୧୮ଗୋଟି ଶାଖା ଗଢ଼ି ଓଡ଼ିଶାର ସ୍ବାର୍ଥ ସ୍ବାଭିମାନ ସଂପର୍କରେ ଆଲୋଚନା କରି ଲୋକଙ୍କ ମଧ୍ୟରେ ଜାତୀୟ ଭାବନା ସୃଷ୍ଟି କରାଯାଉଥିଲା। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥାଟି ହେଲା ମଧୁବାବୁ ଭାରତୀୟ ଜାତୀୟ କଂଗ୍ରେସର ଜଣେ ଅଗ୍ରଗଣ୍ୟ ନେତା ଥିଲେ ମଧ୍ୟ ସର୍ବପ୍ରଥମେ ଓଡ଼ିଶାର ଆଞ୍ଚଳିକ ସମସ୍ୟା ଗୁଡିକର ଦୂରୀକରଣ ଦିଗରେ ଗୁରୁତ୍ବ ଦେଇ ଜାତୀୟ ନେତା ହେବାର ଗୌରବକୁ ଏଡାଇଯାଇଥିଲେ। ଏପରି ମହତ ଗୁଣ ଗୋପବନ୍ଧୁଙ୍କ ବ୍ୟତୀତ ତାଙ୍କ ସମସାମୟିକ ଅନ୍ୟ କୌଣସି ଜନନେତାଙ୍କ ଠାରେ ଦେଖିବାକୁ ମିଳେନା।
୧୮୮୦ ମସିହାରେ ମଧୁସୂଦନ ଦାସ ପ୍ରଦେଶ ଗଠନର ଭାଷା ସଂସ୍କୃତି ଭିତ୍ତିରେ ପ୍ରଦେଶ ଗଠନର ଯେଉଁ ମୂଳ ନୀତି କଥା କହିଥିଲେ ସେହି ନୀତିକୁ ୧୯୫୬ ମସିହାରେ ଭାରତ ସରକାର ଗ୍ରହଣ କରି ନେଇଥିଲେ। ଏହି ଶତାବ୍ଦୀର ସୂର୍ଯ୍ୟ ସ୍ବତନ୍ତ୍ର ଉତ୍କଳର ପ୍ରକାଣ୍ଡ ବଟବୃକ୍ଷ ସଦୃଶ ଓଡ଼ିଶାର ଯାବତୀୟ ଝଡ ବତାଶକୁ ଦୀର୍ଘ ବର୍ଷ ଧରି ଏହି ବିଶାଳ ବୃକ୍ଷ ସୁରକ୍ଷା ଦେଉଥିଲା। ଜୀବନର ଅନ୍ତିମ ସମୟରେ ଓଡ଼ିଶା କଥା ଭାବି ଚିନ୍ତିତ ହୋଇ ପଡୁଥିଲେ ମଧୁବାବୁ। ସେ ଆଗରୁ ଯାହାଙ୍କୁ ଉତ୍ତରାଧିକାରୀ ଭାବରେ ସ୍ଥିର କରିଥିଲେ ତାଙ୍କର ସେଇ ଏକାନ୍ତ ପ୍ରିୟ ଗୋପବନ୍ଧୁ ଓଡ଼ିଶାର ଦୁର୍ଭାଗ୍ୟକୁ ଇହଧାମରେ ନଥିଲେ।‌ ସତ୍ୟବାଦୀ ଗୋଷ୍ଠୀର ଅନ୍ୟତମ ମହାନ ସନ୍ଥ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଉପରେ ଶେଷ ଭରସା ସ୍ଥାପନ କରି ୧୯୩୪ ମସିହା ଫେବୃୟାରୀ ୪ତାରିଖରେ ଉତ୍କଳ ମୁକୁଟର କୋହିନୁର ଚିର ନିଦ୍ରାରେ ଶୋଇଗଲେ।

Comments are closed.