ମୃତ୍ତିକା ଓ ମଣିଷ

ପାଣି, ପବନ, ଅଗ୍ନି, ଆକାଶ ଓ ମୃତ୍ତିକାକୁ ନେଇ ଏହି ପୃଥିବୀର ଜୀବନସତ୍ତା। ଏଥିରୁ କୌଣସି ଗୋଟିଏରେ ଯଦି ପ୍ରାକୃତିକ ଉପାଦାନରେ କୌଣସି ପରିବର୍ତ୍ତନ ଆସିଯାଏ ତା’ହେଲେ ତାହା ପୃଥିବୀ ପାଇଁ ବିପଦ। ଏହି ସମସ୍ତ ଉପାଦାନ ହେଉଛନ୍ତିି ଜୀବନ୍ତ। ଏମାନଙ୍କର ଜୀବନ ଅଛି। ମୃତ୍ତିକାର ମଣିଷ ଭଳି ଜୀବନ ଅଛି, ସେ ବି ଜଣେ ନାରୀ ଭଳି ରଜସ୍ୱଳା ହୋଇପାରେ, ଓଡ଼ିଶାର ଗଣପର୍ବ ରଜ ହେଉଛି ଏହାର ବାର୍ତ୍ତାବହ। ମାଟିକୁ ଭାରତରେ କାହିଁ କେଉଁ ପ୍ରାଚୀନ କାଳରୁ ଧରିତ୍ରୀ ମାତା ବୋଲି ଭାରତୀୟ ସମାଜ ମାନିଆସିଛି। ମଣିଷର ସ୍ୱାସ୍ଥ୍ୟ ଉପରେ ମୃତ୍ତିକାର ଯଥେଷ୍ଟ ପ୍ରଭାବ ପଡିଥାଏ। ପ୍ରତ୍ୟକ୍ଷ, ପରୋକ୍ଷ, ସକାରାତ୍ମକ, ନକାରାତ୍ମକ ସବୁ ପ୍ରକାରର ପ୍ରଭାବ ମୃତ୍ତିକା ଆମ ସ୍ୱାସ୍ଥ୍ୟ ଉପରେ ପକାଇପାରେ।
ଜୀବଜଗତର ସୃଷ୍ଟି ଆଜକୁ ୫୦ ଲକ୍ଷ ବର୍ଷ ତଳେ ବୋଲି ବୈଜ୍ଞାନିକମାନେ କହୁଛନ୍ତି। ଏହାର ଆହୁରି କେତେ ଲକ୍ଷ ବର୍ଷ ଆଗରୁ ମୃତ୍ତିକାର ସୃଷ୍ଟି। ହେଲେ ବୋଧହୁଏ ଲକ୍ଷ ଲକ୍ଷ ବର୍ଷ ଧରି ସମ୍ପୂର୍ଣ୍ଣ ଜୀବଜଗତର ଖାଦ୍ୟ ଓ ପାନୀୟ କଥା ବୁଝିଆସିଥିବା ଏହି ମୃତ୍ତିକା ଉପରେ ବିଗତ ୫୦ ରୁ ୧୦୦ ବର୍ଷ ଭିତରେ ସବୁଠାରୁ ବେଶୀ ଅତ୍ୟାଚାର ହେଉଛି। ବ୍ୟାପକ ପରିମାଣର ରାସାୟନିକ ସାରର ବ୍ୟବହାର, ଶିଳ୍ପ ଓ ସହରୀ ଆବର୍ଜନା, ଜଙ୍ଗଲ କ୍ଷୟ, ଅନିୟନ୍ତ୍ରିତ ନିର୍ମାଣ ଆଦି କାରଣ ପାଇଁ ମୃତ୍ତିକା ଏବେ ବିପଦରେ। ଏସବୁ ଏହି ବିଗତ ଶହେ ବର୍ଷ ଭିତରେ ସୀମା ଲଙ୍ଘିଛି। ଆମେ ଏବେ ଯେତିକି ଉଦ୍‌ବେଗ ଜଳ ପ୍ରଦୂଷଣକୁ ନେଇ ଦେଖାଉଛେ, ଯେତିକି ଉଦ୍‌ବେଗ ବାୟୁ ପ୍ରଦୂଷଣକୁ ନେଇ ଦେଖାଉଛେ ସେତିକି ଉଦବେଗ ଏବେ ମୃତ୍ତିକା ପାଇଁ ଦେଖାଇବାକୁ ପଡିବ। ମୃତ୍ତିକାର ମୃତ୍ୟୁ ଅର୍ଥ ପୂରା ପୃଥିବୀରେ ଖାଦ୍ୟ ଓ ଜଳ ସଙ୍କଟ।
ପୃଥିବୀରେ ମୋଟ ଖାଦ୍ୟ ଉତ୍ପାଦନର ୯୯ ପ୍ରତିଶତ ଆସୁଛି ସିଧାସଳଖ ମାଟିରୁ ନହେଲେ ମାଟି ସହିତ ସମ୍ପର୍କିତ କ୍ଷେତ୍ରରୁ। ମୃତ୍ତିକା କେବଳ ଆମକୁ ପନିପରିବା, ଶସ୍ୟ ବା ଫଳ ଦିଏ ନାହିଁ; ବରଂ ଆମେ ଆଇଁଷ ଆକାରରେ ଯେଉଁ ମାଛ ମାଂସ ଖାଇଥାଉ ତାହା ବି ଆସେ ଏହି ମୃତ୍ତିକାରୁ। ଆମେ ବିଭିନ୍ନ ଖାଦ୍ୟଶସ୍ୟ, ପନିପରିବା, ଫଳମୂଳରେ ଯେଉଁ ଭିଟାମିନ୍‌, ପ୍ରୋଟିନ୍‍ ବା ଅନ୍ୟ ଯାହାଯାହା ପାଉଛେ ସେ ସବୁର ମୂଳ ଆଧାର ହେଉଛି ମୃତ୍ତିକା। କେବଳ ସେତିକି ନୁହେଁ ଆମେ ଔଷଧ ରୂପରେ ବିଭିନ୍ନ ପ୍ରକାର ରୋଗ ହେଲେ ଯେଉଁ ଆଣ୍ଟିବାୟୋଟିକ ଖାଉଛେ ତାହାର ମୂଳ ଉତ୍ସ ହେଉଛି ମୃତ୍ତିକା। ମାଟି କେବଳ ଜୀବଜଗତ ପାଇଁ ଖାଦ୍ୟ ପ୍ରସ୍ତୁତିରେ ନୁହେଁ ବରଂ ମଧୁର ପିଇବା ପାଣି ଯୋଗାଇବାରେ ମଧ୍ୟ ସେତିକି ଗୁରୁତ୍ୱପୁର୍ଣ୍ଣ ଭୂମିକା ନେଇଥାଏ। ବର୍ଷା ଜଳକୁ ମାଟି ହିଁ ଶୋଷି ଧାରଣ କରି ରଖେ ଓ ତଳକୁ ନେଇ ପିଇବା ଉପଯୋଗୀ ପାଣିରେ ବଦଳାଇ ଥାଏ। ସମୁଦ୍ର ପରେ ଯଦି ଆଉ କେଉଁ ଉପାଦାନର ପରିବେଶ ଉପରେ ବେଶି ପ୍ରଭାବ ସିଧାସଳଖ ଥାଏ ତାହା ହେଉଛି ମୃତ୍ତିକା। ଯଦି ପୃଥିବୀରେ ମୃତ୍ତିକା ସୁରକ୍ଷିତ ରହିବ ନାହିଁ ତା’ହେଲେ ବିଶ୍ୱର ଲୋକମାନଙ୍କୁ ଖାଦ୍ୟ ଓ ପାଣି କିଛି ବି ମିଳିବ ନାହିଁ।
ମୃତ୍ତିକା ତିଆରି ହେବାର ସମୟ ଏକ ଧୀର ପ୍ରକ୍ରିୟା। ମାତ୍ର ଅଧ ସେଣ୍ଟିମିଟରର ମାଟି ତିଆରି ହେବାକୁ ପାଖାପାଖି ୧୦୦ ବର୍ଷ ଲାଗେ; କିନ୍ତୁ ମିଳିତ ଜାତିସଙ୍ଘ ଖାଦ୍ୟ ଓ କୃଷି ସଙ୍ଗଠନର ରିପୋର୍ଟ ଅନୁସାରେ ବର୍ତ୍ତମାନ ସମୟରେ ପୃଥିବୀରୁ ବାର୍ଷିକ ୭୫ ବିଲିୟନ ଟନ ମୃତ୍ତିକା ନଷ୍ଟ ହେଉଛି। ତାକୁ ଯଦି ଆମେ ମୁଣ୍ଡ ପିଛା ହିସାବ କରିବା ତାହେଲେ ବର୍ଷକୁ ମୁଣ୍ଡପିଛା ୯ ଟନର ମାଟି ବିଭିନ୍ନ କାରଣରୁ କ୍ଷୟ ହୋଇ ଚାଲିଛି। ମୃତ୍ତିକା ଏକ ଅସରନ୍ତି ପ୍ରାକୃତିକ ଉତ୍ସ ନୁହେଁ। ମାଟିର ବିଗତ ୪୦ ବର୍ଷ ଭିତରେ ୪୦% ଉପର ମୃତ୍ତିକା କ୍ଷୟ ହୋଇସାରିଲାଣି। ଏହାର ବଡ କାରଣ ହେଉଛି ଜଙ୍ଗଲ କ୍ଷୟ, ନିର୍ମାଣ କାର୍ଯ୍ୟ, ଖଣିଜ ସମ୍ପଦର ଉତ୍ତୋଳନ, ପ୍ରାକୃତିକ ବିପର୍ଯ୍ୟୟ ଇତ୍ୟାଦି। ମାଟି କ୍ଷୟ ଉଭୟ ପ୍ରାକୃତିକ ଓ ମନୁଷ୍ୟକୃତ ଭାବରେ ହୋଇଥାଏ। ହେଲେ ବର୍ତ୍ତମାନ ସବୁଠାରୁ ବଡ ବିପଦ ହେଉଛି ମାଟିର ବିଷାକ୍ତୀକରଣ ଯାହା ସମ୍ପୂର୍ଣ୍ଣ ଭାବରେ ମନୁଷ୍ୟକୃତ। ଆପଣ ବିଶ୍ୱାସ କରିବା ପାଇଁ ହୁଏତ କୁଣ୍ଠାବୋଧ କରିପାରନ୍ତି ଯେ ଗୋଟିଏ ଗ୍ରାମ ମୃତ୍ତିକାରେ ୫୦ ହଜାରରୁ ଅଧିକ କ୍ଷୁଦ୍ର ଓ ଅତି କ୍ଷୁଦ୍ର ଅଣୁଜୀବ ଜୀବିତ ଅବସ୍ଥାରେ ଥାଆନ୍ତି। ଏମାନେ ସବୁ ସମ୍ପୂର୍ଣ୍ଣ ଜୈବ ଓ ଉଦ୍ଭିଦ ଶୃଙ୍ଖଳର ଏକ ସଦସ୍ୟ। ହେଲେ ମୃତ୍ତିକା ବିଷଯୁକ୍ତ ହୋଇଯିବାରୁ ଏବେ ସେହି ଅଣୁଜୀବମାନେ ଲୋପ ପାଇଯାଉଛନ୍ତି। ସେହିପରି କଳକାରଖାନା ଓ ସହରର ଆବର୍ଜନା ଆଦି ମୃତ୍ତିକାରେ ପଡିବା କାରଣରୁ ମୃତ୍ତିକାରେ ବିଭିନ୍ନ କ୍ଷତିକାରକ ଉପାଦାନ ବଢୁଛି ଯାହା ତା’ର ଉପର ଭାଗକୁ କ୍ଷତି କରୁଛି। ଯଦି ଏହାକୁ ନିୟନ୍ତ୍ରଣ ନକରାଯାଏ ତାହେଲେ ଏହାର ଯେଉଁ ନକାରାତ୍ମକ ପ୍ରଭାବ ସମ୍ପୂର୍ଣ୍ଣ ଜୀବ ଓ ଉଦ୍ଭିଦ ଜଗତରେ ପଡିବ ତାହାର କୁପରିଣାମରୁ ମୁକୁଳିବା ଏକଦମ କଷ୍ଟ। ଥରେ ପରିକଳ୍ପନା କରନ୍ତୁ ଯଦି ଚା​‌େ​‌ଷାପଯୋଗୀ ମୃତ୍ତିକା ପୃଥିବୀପୃଷ୍ଠରୁ ଲୋପ ପାଇଯିବ ତା’ହେଲେ କି ପ୍ରକାରର ଅବସ୍ଥା ସୃଷ୍ଟି ହେବ?
ଏବେ ବିଶ୍ୱରେ ପାଖାପାଖି ୫୦% ଜନସଂଖ୍ୟା ସହରରେ ରହୁଛନ୍ତି। ଆଗାମୀ ୩୦ ବର୍ଷ ଭିତରେ ଏହା ୭୦%କୁ ଛୁଇଁବ। ଧୀରେଧୀରେ ଚାଷ କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ କମୁଛି ଏବଂ ଚାଷ ହେଉଥିବା ଜମିର ପରିମାଣ ମଧ୍ୟ କମୁଛି। ଆଗକୁ ଆହୁରି କମିବ। ହେଲେ ଜନସଂଖ୍ୟା ବଢୁଛି। ତେଣୁ ବଢୁଥିବା ଖାଦ୍ୟ ଆବଶ୍ୟକତାକୁ ପୂରଣ କରିବା ପାଇଁ ରାସାୟନିକ ସାରର ବ୍ୟବହାର ବଢିଛି ଏବଂ ଜମିରେ ବର୍ଷକୁ ଅନେକ ଥର ଫସଲ ଉତ୍ପାଦନ କରାଯାଉଛି। ଏଥିରେ ଏବେ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି। ପୁଣି ଆମକୁ ଜୈବିକ କୃଷିକୁ ଫେରିବାକୁ ପଡିବ। ଆମେ ଯଦି ଏକ ଏକର ଜମିରେ କୌଣସି ରାସାୟନିକ ସାର ବ୍ୟବହାର ନକରି ଜୈବକ ସାର ପ୍ରୟୋଗ କରୁଛେ ତାହେଲେ ମାଟିର ଜଳଧାରଣ କ୍ଷମତା ୨୦ ହଜାର ଗ୍ୟାଲନ ବଢିଯାଏ। ଏହା ସହିତ କୃଷି ପଦ୍ଧତିରେ ମଧ୍ୟ ପରିବର୍ତ୍ତନ କରିବା ପାଇଁ ପଡିବ ଯାହାଦ୍ୱାରା କି ମୃତ୍ତିକା ତା’ର ସ୍ୱାଭାବିକତାକୁ ବଜାୟ ରଖିପାରିବ। ଗୋଟିଏ ସ୍ଥାନରେ ପାଣିର ସୁବିଧା ନାହିଁ ଯଦି ସେଠାରେ ଜଳସେଚନର ସୁବିଧା କରାଯାଇ ପାଣି ଦୂରରୁ ଆଣି ଚାଷ କାମ କରାଯାଇପାରେ; କିନ୍ତୁ ଯଦି କୌଣସି ସ୍ଥାନରେ ମୃତ୍ତିକା ବିଗିଡିଗଲା ତା’ହେଲେ ସେଠାରେ ଚାଷ କାମ କରିବା ଅସମ୍ଭବ।
ପରିବେଶର ସୁରକ୍ଷାରେ ମୃତ୍ତିକାର ଯେଉଁ ବଡ ଭୂମିକା ରହିଛି ତାକୁ ଆମେ ଉପେକ୍ଷା କରିପାରିବା ନାହିଁ। ଯେଉଁ ଅଙ୍ଗାରକାମ୍ଳ ନିଗର୍ମନକୁ ନେଇ ସାରା ବିଶ୍ୱ ଏବେ ତ୍ରସ୍ତ ତାକୁ ନିୟନ୍ତ୍ରଣ କରିବାରେ ମୃତ୍ତିକାର ସବୁଠାରୁ ବଡ ଭୂମିକା ରହିଛି। ପୃଥିବୀର ସମୁଦାୟ ଅଙ୍ଗାରକାମ୍ଳର ୪ ଭାଗରୁ ୩ ଭାଗ କେବଳ ମୃତ୍ତିକାରେ ଅଛି। ବାକି ୧ ଭାଗ ଅଙ୍ଗାରକାମ୍ଳ ଅଛି ପୃଥିବୀ ପୃଷ୍ଠରେ ଯାହାର ନିର୍ଗମନ ଆଜି ଜୀବ ଜଗତ ପାଇଁ ଚିନ୍ତାର କାରଣ। ଚିନ୍ତା କରନ୍ତୁ ଯଦି ମୃତ୍ତିକାର ଶୃଙ୍ଖଳକୁ ଆମେ ବିଗାଡିଦେବା ତା’ହେଲେ କି ପରିସ୍ଥିତି ହେବ। ଏ ପର୍ଯ୍ୟନ୍ତ ଜଳ ପ୍ରଦୂଷଣ ବା ବାୟୁ ପ୍ରଦୂଷଣକୁ ନେଇ ଯେତିକି ଜନ ଜାଗରଣ ତିଆରି ହୋଇଛି ସେତିକି ଜାଗରଣ ମୃତ୍ତିକା ପ୍ରଦୂଷଣକୁ ନେଇ ହୋଇନାହିଁ।
ପୃଥିବୀର ସମୁଦାୟ ଜୀବଜଗତ, ଉଭିଦ ଜଗତ, ଅଣୁଜୀବ, ବ୍ୟାକ୍ଟେରିଆର ୮୭% ଭାଗ ପୃଥିବୀପୃଷ୍ଠର ଉପରି ଭାଗ​‌େ​‌ର ଥିବା ୩୯ ଇଞ୍ଚ ମାଟି ଉପରେ ନିର୍ଭରଶୀଳ। ମିଳିତ ଜାତିସଂଘର ଆକଳନ ଅନୁସାରେ ଆଉ ୪୦ ବର୍ଷ ପରେ ପୃଥିବୀର ଅଧା ଅଞ୍ଚଳରେ ଚା‌େ‌ଷାପଯୋଗୀ ମୃତ୍ତିକାର ଅଭାବ ଦେଖାଦେବ। ସେତେବେଳେ ଆମ ପାଖରେ ଖାଦ୍ୟ ଉତ୍ପାଦନ ପାଇଁ ମୃତ୍ତିକା ନଥିବ। ଭବିଷ୍ୟତ ପିଢି ପାଇଁ ଆମେ ଯଦି ମୃତ୍ତିକା କଥା ନଭାବିବା ତା’ହେଲେ ଆମେ ନିଜ ହାତରେ ପୃଥିବୀ ବିନାଶର ନକ୍‌ସା ଆଙ୍କିଲା ଭଳି ହେବ। ବାୟୁ ପ୍ରଦୂଷଣକୁ ଆମେ ଚାହିଁଲେ କଳକାରଖାନାକୁ ନିୟନ୍ତ୍ରଣ କରି, ଗାଡିର ଇନ୍ଧନକୁ ବଦଳାଇ ସୁଧାରି ପାରିବା। ଜଳ ପ୍ରଦୂଷଣକୁ ମଧ୍ୟ ଶିଳ୍ପ କାରଖାନା ଓ ସହରାଞ୍ଚଳର ଆବର୍ଜନାକୁ ନିୟନ୍ତ୍ରଣ କରି ରୋକିପାରିବା ହେଲେ ମୃତ୍ତିକା ସଂରକ୍ଷଣ ଓ ପ୍ରଦୂଷଣକୁ ରୋକିବା ଏତେ ସହଜ ବିଷୟ ନୁହେଁ; ଏହା ଏକ ଲମ୍ବା ପ୍ରକ୍ରିୟା।

ଅନିଲ ବିଶ୍ବାଳ
ହରିରାଜପୁର,ପୁରୀ
ଦୂରଭାଷ: ୯୪୩୮୫୭୯୨୯୦

Comments are closed.