କମିବ ବିଦ୍ୟାଳୟ ଖରାଛୁଟି
ନୂଆ ଶିକ୍ଷାବର୍ଷ ସମୀକ୍ଷା ବୈଠକ ଆଜି
ଭୁବନେଶ୍ବର : ରାଜ୍ୟରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଚଳିତ ମାସ ୨ ତାରିଖରୁ ସକାଳୁଆ ବିଦ୍ୟାଳୟ କରାଯାଇଛି। ତେବେ ନୂଆ ଶିକ୍ଷାବର୍ଷ ଆରମ୍ଭ ନେଇ କୌଣସି ନିଷ୍ପତ୍ତି ସରକାରୀସ୍ତରରେ ନିଆଯାଇନି। ଏହାକୁ ନେଇ ଅଭିଭାକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆସନ୍ତାକାଲି ସମୀକ୍ଷା ବୈଠକ ଡକାଯାଇଛି। ବିଭାଗୀୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅପରାହ୍ଣ ୪ଟାରେ ଏହି ବୈଠକ ହେବ। ଏଥିରେ ପାଠପଢ଼ା ସମ୍ବନ୍ଧରେ ସମୀକ୍ଷା ସହ ନୂଅା ଶିକ୍ଷାବର୍ଷ ସମ୍ବନ୍ଧରେ ନିଷ୍ପତ୍ତି ନିଆଯିବ। ଅନ୍ୟପକ୍ଷରେ ଗ୍ରୀଷ୍ମାବକାଶ ବା ଖରାଦିନଆ ଛୁଟି ସମ୍ବନ୍ଧରେ ମଧ୍ୟ ବିଭାଗ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇନି। ଛାତ୍ରଛାତ୍ରୀଙ୍କ ପାଠପଢ଼ା କରୋନା ଯୋଗୁଁ ବହୁଳ ଭାବେ ପ୍ରଭାବିତ ହୋଇଥିବାରୁୁ ଏଥର ଖରା ଛୁଟି କାଟ କରିବାକୁ ଯୋଜନା କରାଯାଇଛି। ଖରାଛୁଟି କାଟ କରି ବିଦ୍ୟାର୍ଥୀଙ୍କ ପାଠପଢ଼ା ଭରଣା କରାଯିବ। ଏ ସମ୍ବନ୍ଧେର ବିଭାଗ ପକ୍ଷରୁ ଘୋଷଣା କରାଯାଇ ନ ଥିଲେ ମଧ୍ୟ ଖୁବ୍ଶୀଘ୍ର ବିଭାଗ ପକ୍ଷରୁ ସମୀକ୍ଷା କରାଯିବା ପରେ ନିଷ୍ପତ୍ତି ନିଆଯିବ।
ରାଜ୍ୟରେ ୨୦୨୨-୨୩ ନୂଆ ଶିକ୍ଷାବର୍ଷ ପାଇଁ କେନ୍ଦ୍ରୀୟ ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଶିକ୍ଷାନୁଷ୍ଠାନର ପାଠପଢ଼ା ଆରମ୍ଭ ହୋଇଛି। ରାଜ୍ୟ ପରିଷଦ ଦ୍ବାରା ପରିଚାଳିତ ଶିକ୍ଷାନୁଷ୍ଠାନରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ଚଳିତ ମାସ ୪ ତାରିଖରୁ ନୂଆ ଶିକ୍ଷାବର୍ଷ କେନ୍ଦ୍ରୀୟ ପରିଷଦ ଦ୍ବାରା ପରିଚାଳିତ ବିଦ୍ୟାଳୟରେ ଆରମ୍ଭ ହୋଇଛି। ରାଜ୍ୟରେ ଥିବା ସରକାରୀ ବିଦ୍ୟାଳୟରେ କେବେ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ ବୋଲି ଓଡ଼ିଶା ଅଭିଭାବକ ମହାସଙ୍ଘ ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀଙ୍କୁ ଚିଠିଲେଖି ପ୍ରଶ୍ନ କରାଯାଇଛି। ୨୦୨୨-୨୩ ନୂତନ ଶିକ୍ଷାବର୍ଷକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହେଉଛି। ମୁଖ୍ୟତଃ କେନ୍ଦ୍ରୀୟ ଓ ରାଜ୍ୟ ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ବିଦ୍ୟାଳୟରେ ଏକକ ଶିକ୍ଷାବର୍ଷ ସମାନ ସମୟରେ ଆରମ୍ଭ କରିବାକୁ ମହାସଂଘ ପକ୍ଷରୁ ଦାବି କରାଯାଇଛି। ଖରାଛୁଟି ଘୋଷଣା ସହ ରାଜ୍ୟରେ ନୂଆ ଶିକ୍ଷାବର୍ଷ ଆରମ୍ଭ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ବିଭାଗ ପକ୍ଷରୁ ଖୁବ୍ଶୀଘ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ଏଥିରେ ବିଦ୍ୟାର୍ଥୀଙ୍କ ପାଠପଢ଼ା ସମୀକ୍ଷା କରାଯିବ। କେତେ ପାଠ ପଢ଼ାଯାଇଛି ତାହା ସମୀକ୍ଷା କରାଯିବା ସହ ନୂଆ ଶିକ୍ଷାବର୍ଷ ସମ୍ବନ୍ଧରେ ନିଷ୍ପତ୍ତି ନିଆଯିବ। ଗ୍ରୀଷ୍ମାବକାଶ ନେଇ ଏଯାବତ୍ କୌଣସି ନିଷ୍ପତ୍ତି ନିଆଯାଇନି।
Comments are closed.