ସ୍ମାର୍ଟ କ୍ଲାସରେ ପାଠ ପଢିବା ପାଇଁ ସ୍ମାର୍ଟ ଲାଗୁଛି : ଛାତ୍ର-ଛାତ୍ରୀ

୫-ଟି ରୂପାନ୍ତରିତ ସ୍କୁଲରେ ପାଠ ପଢିବା ପାଇଁ ବଢୁଛି ପିଲାଙ୍କ ଆଗ୍ରହ

ହରଭଙ୍ଗା : କରୋନା ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା ଶିକ୍ଷାଦାନ। ଶିକ୍ଷାନୁଷ୍ଠାନ ବନ୍ଦ ଯୋଗୁଁ ଦୀର୍ଘ ଦେଢବର୍ଷ ହେଲା ପିଲାଏ ସ୍କୁଲ ଆସିପାରୁ ନଥିଲେ । ଗତ ୧୫ରୁ ଷଷ୍ଠ, ସପ୍ତମ ପିଲାଙ୍କ ପାଠପଢା ଆରମ୍ଭ ହୋଇଛି । ଏହା ପୂର୍ବରୁ ଅକ୍ଟୋବର ୨୫ରେ ଅଷ୍ଟମ, ତା ପୂର୍ବରୁ ଜୁଲାଇ ୨୬ରେ ନବମ ,ଦଶମ ପିଲାଙ୍କ ସ୍କୁଲ ପାଠପଢା ଆରମ୍ଭ ହୋଇଥିଲା । ପିଲାଙ୍କ ଅନୁପସ୍ଥିତିରେ ଫିକା ପଡିଥିବା ଶିକ୍ଷାନୁଷ୍ଠାନ ପୁର୍ନବାର ଖୋଲିବା ଯୋଗୁଁ ପିଲାଙ୍କ ଗହଳି ଚହଳିରେ ତାର ପୂର୍ବ ଅବସ୍ଥାକୁ ଫେରିଛି । ସବୁଠାରୁ ବଡକଥା ହେଲା କରୋନା ପରେ ପିଲାଙ୍କ ସ୍କୁଲ ଆସିବା ଏବଂ ପାଠପଢିବା ପ୍ରତି ଆଗ୍ରହ ବଢିଥିବା ପିଲାଙ୍କ ମୁହଁରୁ ଶୁଣିବାକୁ ମିଳୁଛି । ଏଭଳି ଏକ ମହାବିପତି ସମୟରେ ରାଜ୍ୟ ସରକାରଙ୍କ ୫-ଟି ସ୍କୁଲ ରୂପାନ୍ତରୀଣ ଯୋଜନା ଗ୍ରାମାଚଂଳ ଗରିବ ମେଧାବୀ ଛାତ୍ରଙ୍କ ଉଚ୍ଚଶିକ୍ଷା ନିମନ୍ତେ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି । ୫-ଟିରେ ରୁପାନ୍ତରିତ ପରେ ବୌଦ୍ଧଜିଲ୍ଲା ହରଭଙ୍ଗା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ରୂପରେଖ ବଦଳି ଯାଇଛି । ୧୯୬୫ ମସିହାରେ ସ୍ଥାପିତ ୫୬ ବର୍ଷ ପୁରାତନ ଶିକ୍ଷାନୁଷ୍ଠାନ ପ୍ରଥମ ପର୍ଯ୍ୟାୟରେ ସରକାରଙ୍କ ୫-ଟିରେ ସାମିଲ ହୋଇଥିଲା । ବର୍ତ୍ତମାନ ଏହି ଶିକ୍ଷାନୁଷ୍ଠାନରେ ଷଷ୍ଠରୁ ଦଶମ ପର୍ଯ୍ୟନ୍ତ ୪୩୬ ପିଲା ପାଠପଢୁଛନ୍ତି । ଏମାନଙ୍କ ଶିକ୍ଷାଦାନ ପାଇଁ ବର୍ତମାନ ୧୩ଜଣ ଶିକ୍ଷକ ରହିଛନ୍ତି । କଳା ଏବଂ ହିନ୍ଦୀ ଶିକ୍ଷା ପାଇଁ ଆଉ ୨ଜଣ ଶିକ୍ଷକ ଆବଶ୍ୟକତା ରହିଛି । ପିଲାଙ୍କ ଶିକ୍ଷାଦାନ ପାଇଁ ୭ଟି ଶ୍ରେଣୀ ଗୃହ ସାଙ୍ଗକୁ ଗୋଟିଏ ବିଜ୍ଞାନ ଲ୍ୟାବ୍‌, କମ୍ପ୍ୟୁଟର ଲ୍ୟାବ୍‌, ଇ-ପାଠଗାରା, ଭୋକେସନାଲ ଲ୍ୟାବ ସହିତ ସ୍ପୋର୍ଟସ ଗୃହ , ପ୍ରଧାନ ଶିକ୍ଷକ ଏବଂ କମନ ଗୃହ ରହିଛି । ନବମ ,ଦଶମ ପିଲାଙ୍କ ପାଠ ପଢିବା ପାଇଁ ୪ଟି ସ୍ମାର୍ଟ କ୍ଲାସ ରୁମ୍ ନିର୍ମାଣ ହୋଇଛି । ସ୍ମାର୍ଟ କ୍ଲାସରୁମରେ ଏଲ.ଇ.ଡି ଭଳି ଲାଗିଥିବା ସ୍ମାର୍ଟ ବୋର୍ଡରେ ପାଠପଢା ପିଲାଙ୍କ ଆଗ୍ରହକୁ ବୃଦ୍ଧି କରିଛି । ସରକାରୀ ସ୍କୁଲର ଘରୋଇ ସ୍କୁଲ ଭଳି ରୂପରେଖ ବାସ୍ତବରେ ଉଭୟ ଶିକ୍ଷକ, ଛାତ୍ର ଛାତ୍ରୀଙ୍କ ପାଠପଢା ଏବଂ ଶିକ୍ଷାଦାନକୁ ବୃଦ୍ଧିକରିଥିବା ଅନୁମାନ କରିହେଉଛି । ସରକାରୀ ସ୍କୁଲରେ ଘରୋଇ ସ୍କୁଲଭଳି ଶିକ୍ଷାବ୍ୟବସ୍ଥା ଆଗକୁ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ କେତେଫଳପ୍ରଦ ହେଉଛି ତାକୁ କେବଳ ଦେଖିବା ବାକି ରହିଛି ।

ଏ ସର୍ମ୍ପକରେ ଛାତ୍ରଛାତ୍ରୀଙ୍କ ମତାମତ
ରୋଜାଲିନୀ ମହାରଣା (ଅଷ୍ଟମ ଶ୍ରେଣୀ) -ସ୍କୁଲ ଖୋଲିବା ଯୋଗୁ ବହୁତ ଖୁସି ଲାଗୁଛି । ଅନଲାଇନ ପାଠପଢା ଅପେକ୍ଷା ସ୍କୁଲ ପାଠପଢା ବହୁତ ଭଲ । ଆଗଭଳି ୧୦ଟାରୁ ୪ଟା ସ୍କୁଲରେ ପାଠପଢା ହେଲେ ଭଲ ହୁଅନ୍ତା ।
ସୋନାଲି ଗୁପ୍ତା (ଷଷ୍ଠ ଶ୍ରେଣୀ) -ଦୀର୍ଘ ଦେଢବର୍ଷ ପରେ ଆମେ ସ୍କୁଲକୁ ଆସୁଛୁ । ସାଙ୍ଗ ସାଥିଙ୍କ ସହିତ ସ୍କୁଲରେ ପାଠପଢିବା ମଜା ଲାଗୁଛେ ।
ସମୀର ବେହେରା (ସପ୍ତମ ଶ୍ରେଣୀ) -ସ୍କୁଲ ବନ୍ଦ ଯୋଗୁଁ ଘର କାମ ସହିତ ପାଠପଢା ହେଉଥିଲା । ମାତ୍ର ସ୍କୁଲ ଖୋଲିବା ଯୋଗୁଁ କମ ସମୟ ପାଠପଢା ହେଲେ ବି ଭଲ ଲାଗୁଛେ ।
ଶାନ୍ତନୁ ଦନାୟକ -ଆମ ସ୍କୁଲ ୫ଟିରେ ସାମିଲ ପରେ ସ୍କୁଲ ପୁରା ନୂଆ ନୂଆ ଲାଗୁଛି । ସ୍ମାର୍ଟ କ୍ଲାସରେ ବସି ପାଠପଢିବା ପାଇଁ ସ୍ମାର୍ଟ ଲାଗୁଛି । ଛୁଟି ଦିନେ ସ୍କୁଲ ଆସିବା ଲଗି ମନ ହେଉଛେ ।

Comments are closed.