ଡେସ୍କ: ବିହାରର ସାରନ ଜିଲ୍ଲା ଅନ୍ତର୍ଗତ ଛାପ୍ରାରେ ଆଜି ବିସ୍ଫୋରଣ ଯୋଗୁ ଏକ ବାସଗୃହ ଭୁଶୁଡ଼ି ପଡିବା ଯୋଗୁ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେଠାକାର ପୁଲିସ ଏସପି ସନ୍ତୋଷ କୁମାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭୁଶୁଡ଼ି ପଡିଥିବା ବାସଗୃହ ତଳେ ରହି ଯାଇଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ଜାରି ରହିଛି। ଘଟଣାସ୍ଥଳରେ ଫରେନସିକ ଓ ବୋମା ନିଷ୍କ୍ରିୟକାରୀ ଦଳ ପହଁଚିଥିବା ସେ କହିଛନ୍ତି।
ସେ କହିଛନ୍ତି ଯେ କେଉଁ ପରିସ୍ଥିତିରେ ବିସ୍ଫୋରଣ ଘଟିଲା ସେ ନେଇ ତଦନ୍ତ ଆରମ୍ଭ ହୋଇଛି। ଏହି ବିସ୍ଫୋରଣରେ ଆହତ ଲୋକମାନଙ୍କୁ ଛାପ୍ରା ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଆହତଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି। ଖଇରା ପୁଲିସ ଷ୍ଟେସନ ଅନ୍ତର୍ଗତ ଖୋଦେଇବାଗ ଅଂଚଳର ରିୟାଜ ମିଆଁ ନାମକ ବ୍ୟକ୍ତିଙ୍କ ଘରେ ଏହି ବିସ୍ଫୋରଣ ଘଟିଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ବେନିୟମ ଭାବେ ବହୁ ପରିମାଣର ବାଣ ରଖାଯାଇଥିଲା। ଏହି ବିସ୍ଫୋରଣରେ ନିକଟରେ ଥିବା ଅନ୍ୟ ୬ଟି ବାସଗୃହ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି।



