ପ୍ରଣବ ପ୍ରକାଶଙ୍କ ସହ ଶୀତଳଷଷ୍ଠୀ ସମନ୍ୱୟ ସମିତିର ସାକ୍ଷାତ ଆଲୋଚନା
ସମ୍ବଲପୁର : ଆଗାମୀ ୨୦ ତାରିଖରୁ ସମ୍ବଲପୁର ଠାରେ ଆରମ୍ଭ ହେଉଥିବା ବିଶ୍ୱ ପ୍ରସିଦ୍ଧ ମହାଦେବ ଓ ମାତା ପାର୍ବତୀଙ୍କ ପବିତ୍ର ସପ୍ତାହବ୍ୟାପି ବିବାହ ଉତ୍ସବ ପାଇଁ ପ୍ରାକ ପ୍ରସ୍ତୁତି ଏବେ ଜୋରସୋରରେ ଚାଲିଛି । ଏହି କ୍ରମରେ ସମ୍ବଲପୁରର ସର୍ବପୁରାତନ ନନ୍ଦପଡା, ଝାଡୁଆପଡା ଓ ମୁଦିପଡା ଯାତ୍ରା କମିଟିକୁ ନେଇ ଗଠିତ ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ଦଳ ପବିତ୍ର ଦେବ ବିବାହ ଉତ୍ସବ ଶୀତଳଷଷ୍ଠୀ ଯାତ୍ରା ନିମନ୍ତେ ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ (ବବି)ଙ୍କୁ ଝାରସୁଗୁଡା ଠାରେ ସାକ୍ଷାତ କରିଛନ୍ତି । ଗୁରୁବାର କମିଟିର କାର୍ଯ୍ୟକାରୀ ସଭାପତି ଅମୂଲ୍ୟ କୁମାର ମିଶ୍ରଙ୍କ ନେତୃତ୍ୱରେ ପ୍ରଶାନ୍ତ ବରେଇ, ସରୋଜ ଦଲପତ, ସୁଶାନ୍ତ ପୁରୋହିତ, ସୁନୀଲ ଦାଶ, ପାର୍ଥସାରଥୀ ମିଶ୍ର, ଗୋପାଳ ପୃଷେଠ, ରାଜୀବ ମାଝୀ, ହିମାଂଶୁ ପାଣିଗ୍ରାହୀ ପ୍ରମୁଖ ଶ୍ରୀଦାସଙ୍କୁ ସାକ୍ଷାତ କରି ଆଗାମୀ ଶୀତଳଷଷ୍ଠୀ ଉତ୍ସବ ବିଷୟରେ ଆଲୋଚନା କରିଛନ୍ତି । ଏହି ଅବସରରେ ଶ୍ରୀ ଦାସ ଶୀତଳ ଷଷ୍ଠୀ କମିଟିର ପ୍ରତିନିଧି ମଣ୍ଡଳୀ ସହିତ ଆଲୋଚନା ସମୟରେ ଆଗାମୀ ଦିନରେ ଏହି ପବିତ୍ର ଦେବ ବିବାହ ଉତ୍ସବ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ଏକ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି କାର୍ଯ୍ୟକାରୀ ସଭାପତି ଅମୂଲ୍ୟ ମିଶ୍ର କହିଛନ୍ତି।
ଅପରପକ୍ଷରେ ବିଗତ ବର୍ଷ ରାଜ୍ୟ ସଂସ୍କତି ମନ୍ତ୍ରାଳୟ ପକ୍ଷରୁ ପ୍ରଦାନ କରାଯିବାକୁ ଥିବା ୧୫ ଲକ୍ଷ ଟଙ୍କା ଶୀତଳଷଷ୍ଠୀ ମିଳିତ କ୍ରିୟାନୁଷ୍ଠାନ କମିଟିକୁ ମିଳିଯାଇଛି । ଏଥି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉଚ୍ଚ ଶିକ୍ଷାମନ୍ତ୍ରୀ ଇଂ ରୋହିତ ପୂଜାରୀଙ୍କୁ କମିଟି ତରଫରୁ ଧନ୍ୟବାଦ ଓ କୃତଜ୍ଞତା ଅର୍ପଣ କରାଯାଇଛି । ଆଜିର ଏହି ସାକ୍ଷାତ ସମୟରେ ପୂର୍ବତନ ମନ୍ତ୍ରୀ ତଥା ବଡମ୍ବାର ବିଧାୟକ ଦେବୀ ପ୍ରସାଦ ମିଶ୍ର, ସମ୍ବଲପୁର ଜିଲା ବିଜେଡି ସଭାପତି ଇଂ ସିଦ୍ଧାର୍ଥ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.