ମା’ ଭଦ୍ରକାଳୀଙ୍କ ସିଂହବାହିନୀ ବେଶ
ଭଦ୍ରକ: ସପ୍ତମାତୃକା ବେଶର ଚତୁର୍ଥ ଦିବସରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ଦୁର୍ଗତିନାଶିନୀ, ବିପଦହାରିଣୀ ମା’ ଦୁର୍ଗା ରୂପେ ସିଂହବାହିନୀ ବେଶରେ ପୁଜପାଇଛନ୍ତି। ମା’ଙ୍କ ଏହି ସିଂହବାହିନୀ ବେଶକୁ ଦର୍ଶନ କରିବା ପାଇଁ ପୀଠରେ ଭକ୍ତମାନଙ୍କ ଭିଡ ଲାଗି ରହିଥିଲା। ସିଂହବାହିନୀ ବେଶରେ ମା’ ନାଲି ପାଟ ବସ୍ତ୍ର ପରିଧାନ କରି ସ୍ଵର୍ଣ୍ଣ ରୂପା ଅଳଙ୍କାର ସହିତ ବିଭିନ୍ନ ଆଭୂଷଣରେ ସଜ୍ଜିତ ହୋଇଥିଲେ। ସିଂହର ପୃଷ୍ଠ ଦେଶରେ ବିରାଜମାନ କରି ତ୍ରିଶୂଳ, ଗଦା, ଖଡଗ ଓ ଚକ୍ର ଧାରଣ କରିଥିଲେ। ମା’ଙ୍କ ଚତୁର୍ଦ୍ଧାମୂର୍ତ୍ତି ଭକ୍ତମାନଙ୍କୁ ଆକୃଷ୍ଟ କରିଥିଲା। ସିଂହବାହିନୀ ବେଶରେ ଦର୍ଶନ କଲେ ଭକ୍ତର ଗ୍ରହ ଦଶା ଓ ରିଷ୍ଟ ଖଣ୍ଡନ ହେବା ସହିତ ଭକ୍ତ ବିପଦ ମୁକ୍ତ ହୁଏ ବୋଲି ବିଶ୍ୱାସ କରାଯାଏ। ଭାରତ ବର୍ଷର ଅନ୍ୟ ଶକ୍ତି ପୀଠଠାରୁ ଏହା ଅନନ୍ୟ ଅଟେ, କାରଣ ଏହି ପୀଠରେ ପାର୍ଶ୍ୱ ଦେବତା ରୂପେ ଜଗନ୍ନାଥ, ବଳଭଦ୍ର ଓ ମାତା ସୁଭଦ୍ରା ପୂଜା ପାଉଛନ୍ତି। ଗୋଟିଏ ପାର୍ଶ୍ୱରେ ବିଷ୍ଣୁ ଅନ୍ୟ ପାର୍ଶ୍ୱରେ ପରମ ବୈଷ୍ଣବୀ ମା’ ଭଦ୍ରକାଳୀ ଅର୍ଥାତ ଗୋଟିଏ ପାର୍ଶ୍ୱରେ ମା’ ଦୁର୍ଗା ଅନ୍ୟ ପାର୍ଶ୍ୱରେ ମାଧବଙ୍କ ସମନ୍ୱୟରେ ଏହି ପୀଠକୁ ଐତିହାସିକମାନେ ଦୁର୍ଗାମାଧବ ପୀଠ ବୋଲି ବର୍ଣ୍ଣନା କରିଛନ୍ତି। ଏହି ଦୁର୍ଗାମାଧବ ପୀଠରେ ମା’ ଆଜି ସିଂହବାହିନୀ ବେଶ ଧାରଣ କରି ଭକ୍ତମାନଙ୍କୁ ଅଭୟ ପ୍ରଦାନ କରିଛନ୍ତି। ମହାଯଜ୍ଞର ଚତୁର୍ଥ ଦିବସରେ ପୀଠରେ ଗୀତା ପାଠ, ଶତଚଣ୍ଡୀପାଠ, ବେଦପାଠ, ନାମ ସଂକୀର୍ତ୍ତନ ଚାଲୁରହିଛି। ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ନୃତ୍ୟ କଳାକାରମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସୋମବାର ମା’ଙ୍କର ଜଗଦ୍ଧାତ୍ରୀ ବେଶ ନିମନ୍ତେ ସେବାୟତମାନଙ୍କ ଦ୍ଵାରା ପ୍ରସ୍ତୁତି ଚୁଡାନ୍ତ ହୋଇଛି।
Comments are closed.