‘ସିନ୍ଦୂର’ ସଙ୍କେତ

ଭୁବନେଶ୍ଵର:  କାଶ୍ମୀରର ପହଲଗାଓଁ ଉପତ୍ୟକାରେ ଏପ୍ରିଲ ୨୨ର ନିଷ୍ଠୁରତମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ମେ ୬-୭ ମଧ୍ୟରାତ୍ରିରେ ପଚିଶ ମିନିଟ ଧରି ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନ(ଅପରେସନ ‘ସିନ୍ଦୂର’)ରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ର ନଅଟି ସ୍ଥାନରେ ଅବସ୍ଥିତ ଆତଙ୍କବାଦୀଙ୍କ ଭିତ୍ତିଭୂମିକୁ ନଷ୍ଟ କରାଯାଇଛି। ବାୟୁସେନା ଆକ୍ରମଣରେ ବହୁ ଆତଙ୍କବାଦୀ ନିପାତ ହୋଇଥିବା ମଧ୍ୟ କୁହାଯାଉଛି। କେନ୍ଦ୍ର ସରକାର ଏ ସମ୍ପର୍କରେ ବୁଧବାର ବିଧିବଦ୍ଧ ଭାବେ ସୂଚନା ଦେବା ସହ ଆତଙ୍କବାଦର ଧ୍ବଂସସାଧନ ପାଇଁ ତାଙ୍କର ଅଙ୍ଗୀକାରବଦ୍ଧତାକୁ ଦର୍ଶାଇଛନ୍ତି। କହିବା ବାହୁଲ୍ୟ ଯେ ପହଲଗାଓଁ ଘଟଣା ପରଠାରୁ ସମଗ୍ର ଦେଶରେ ପାକିସ୍ତାନ ପ୍ରତି ଆକ୍ରୋଶ ସହ ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ନେଇ ଜନମତ ପ୍ରକାଶ ପାଇଆସୁଛି।
ସେନା କାର୍ଯ୍ୟାନୁଷ୍ଠାନ ଯେ ଅତ୍ୟନ୍ତ ସୁଚିନ୍ତିତ ଓ ଯୋଜନାବଦ୍ଧ ଭାବେ ଉଚିତ ସମୟରେ କରାଯାଇଛି, ସେଥିରେ ସନ୍ଦେହ ନାହିଁ। ଭାରତ ବିଶ୍ବର ପ୍ରମୁଖ ଦେଶଙ୍କ ସମେତ ଜାତିସଙ୍ଘ ପରି ଗୁରୁତ୍ବପୂର୍ଣ୍ଣ ଅନ୍ତର୍ଜାତୀୟ ଅନୁଷ୍ଠାନକୁ ବିଭିନ୍ନ ପ୍ରକାରେ ଅବଗତ କରାଇବା ପରେ ଏହି ପଦକ୍ଷେପ ନେଇଛି। ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଲକ୍ଷ୍ୟ ସୁନିର୍ଦିଷ୍ଟ କରି ଅତ୍ୟାଧୁନିକ ଉନ୍ନତ ଯୁଦ୍ଧାସ୍ତ୍ରରେ ଆତଙ୍କବାଦୀଙ୍କ ଶିବିରକୁ ଧ୍ବଂସ କରାଯାଇଛି। ଏଥିରେ କୌଣସି ପାକିସ୍ତାନୀ ସାମରିକ ଘାଟି ବା ସାଧାରଣ ଲୋକଙ୍କ ଭିତ୍ତିଭୂମିକୁ ନିଶାଣ କରାଯାଇନାହିଁ। ଭାରତ ସରକାର ଏହି ସାମରିକ କାର୍ଯ୍ୟାନୁଷ୍ଠାନକୁ ‘ସୁନିୟନ୍ତ୍ରିତ’, ‘ଅଣଉତ୍ତେଜନାମୂଳକ’ ଓ ‘ମପାଚୁପା’ ବୋଲି ବର୍ଣ୍ଣନା କରିଛନ୍ତି। ଏହା ନିଶ୍ଚିତ ଭାବେ ଭାରତର ଆକ୍ରମଣକୁ ନ୍ୟାୟସଙ୍ଗତ ବୋଲି ଆନ୍ତର୍ଜାତିକ ସ୍ତରରେ ବାର୍ତ୍ତା ପ୍ରଦାନ କରିବ।
ଗୁରୁତ୍ବପୂର୍ଣ୍ଣ କଥା ହେଲା ଭାରତ ଉପରେ ଅନେକ ଥର ଘାତକ ଆକ୍ରମଣ କରି ଶହଶହ ଲୋକଙ୍କ ଜୀବନ ନେଇଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା, ଜୈସ-ଏ-ମହମ୍ମଦ ଓ ହିଜବୁଲ ମୁଜାହିଦ୍ଦିନର ମୁଖ୍ୟାଳୟ ଉପରେ ଏଥର ଆକ୍ରମଣ କରାଯାଇଛି, ଯେଉଁଠି ୨୦୦୮ ମୁମ୍ବଇ ଆକ୍ରମଣଠାରୁ ଆରମ୍ଭ କରି ପହଲଗାଓଁ ଗଣହତ୍ୟା ପର୍ଯ୍ୟନ୍ତ, ବିଭିନ୍ନ ନରସଂହାରରେ ସଂପୃକ୍ତ ଆତଙ୍କବାଦୀଙ୍କୁ ତାଲିମ ଦିଆଯାଇଥିଲା। ବାହାବଲପୁରସ୍ଥ ଜୈସ ନେତା ମସୁଦ ଅଜହର୍‌ର ଆଡ୍ଡା ଓ ମୁରିଦ୍‌କେ ସହରସ୍ଥ ଲସ୍କର ପ୍ରତିଷ୍ଠାତା ହାଫିଜ ସଇଦର ଆଡ୍ଡାକୁ ସେନା ଧ୍ବଂସ କରିଥିବା କୁହାଯାଉଛି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଏହି ଆକ୍ରମଣ କେବଳ ପହଲଗାଓଁ ନୁହେଁ; ପୂର୍ବ ଆକ୍ରମଣଗୁଡ଼ିକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ କରାଯାଇଛି। ୨୦୧୬ରେ ନିୟନ୍ତ୍ରଣ ରେଖା (ଏଲଓସି) ସେପଟେ ପିଓକେରେ ଅବସ୍ଥିତ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରାଯାଇଥିବାବେଳେ ୨୦୧୯ରେ ବାଲାକୋଟରେ ସେନା କାର୍ଯ୍ୟାନୁଷ୍ଠାନ ହୋଇଥିଲା। ଏବେ ଅନ୍ତର୍ଜାତୀୟ ସୀମା (ଆଇବି) ସେପଟେ ତଥା ପାକିସ୍ତାନ ଭିତରେ ଭାରତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାକିସ୍ତାନକୁ କଡ଼ା ସନ୍ଦେଶ ଦେଇଛି।
ଏହା ପୂର୍ବରୁ ଭାରତର ଆକ୍ରମଣ ଆଶଙ୍କା ପ୍ରକାଶ କରି ପାକିସ୍ତାନ ଜାତିସଂଘ ସୁରକ୍ଷା ପରିଷଦରେ ଫେରାଦ ହୋଇଥିବାବେଳେ ତାକୁ ତୁର୍କୀ ବ୍ୟତୀତ ଆଉ କେହି ସିଧାସଳଖ ସମର୍ଥନ ନ କରିବା ଗୁରୁତ୍ବପୂର୍ଣ୍ଣ। ପରିଷଦର ସଦସ୍ୟ ରାଷ୍ଟ୍ରଗୁଡ଼ିକ ଓଲଟି ପାକିସ୍ତାନର ପରମାଣୁ ଅସ୍ତ୍ର ପ୍ରୟୋଗ ଧମକ ଓ କ୍ଷେପଣାସ୍ତ୍ର ପରୀକ୍ଷଣକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ସୁତରାଂ ଆନ୍ତର୍ଜାତିକ କୂଟନୀତିରେ ଅନ୍ତତଃ ବର୍ତ୍ତମାନ ଭାରତର ପଲା ପାକିସ୍ତାନଠୁ ଭାରି ରହିଥିବା ମନେହେଉଛି। ତେବେ ରଣନୀତି ପାକିସ୍ତାନ ବିରୋଧୀ ନହୋଇ ‘ଆତଙ୍କବାଦ ବିରୋଧୀ’ ହେଲେ ଅନ୍ୟମାନେ ପ୍ରତ୍ୟକ୍ଷ ସମର୍ଥନ କରିବାକୁ ଆଗେଇ ଆସିବେ। ସେଥିପ୍ରତି ଯତ୍ନବାନ ହେବା ଉଚିତ।
ଅବଶ୍ୟ ଭାରତ ସରକାର ଓ ସେନା ଏଥିପ୍ରତି ସଚେତନ ଥିବା ମନେହୁଏ। ଏ ପରିପ୍ରେକ୍ଷୀରେ ଗଣମାଧ୍ୟମକୁ ସୂଚନା ଦେବାବେଳେ ବୈଦେଶିକ ସଚିବ ବିକ୍ରମ ମିସ୍ରିଙ୍କ ବିବୃତି ଉଲ୍ଲେଖନୀୟ। ସେ ପହଲଗାଓଁ ଆକ୍ରମଣ ଉପରେ ଜାତିସଂଘ ସୁରକ୍ଷା ପରିଷଦର ସଦ୍ୟତମ ବୟାନର ଉଲ୍ଲେଖ କରି କହିଛନ୍ତି ଯେ ଅପରାଧୀ ଓ ଆତଙ୍କବାଦୀଙ୍କ ପୃଷ୍ଠପୋଷକଙ୍କୁ ଉତ୍ତରଦାୟୀ କରିବା ପାଇଁ ଯେଉଁ ଆହ୍ବାନ ଦିଆଯାଇଥିଲା, ଭାରତ ସେହି ଅନୁସାରେ ହିଁ କାର୍ଯ୍ୟ କରୁଛି। ଆତଙ୍କବାଦର ଭିତ୍ତିଭୂମି ଉପରେ ଆକ୍ରମଣ କରି ଭାରତ ବିଶ୍ବବ୍ୟାପୀ ରହିଥିବା ଆତଙ୍କବାଦ ବିରୋଧୀ ନିୟମର ଅନୁପାଳନ କରିଛି। ସେ ଅନ୍ତର୍ଜାତୀୟ ସ୍ତରରେ ପ୍ରତିବନ୍ଧକ ଲଗାଯାଇଥିବା ଆତଙ୍କବାଦୀଙ୍କୁ ପାକିସ୍ତାନ ଆଶ୍ରୟ ଦେଉଥିବା କହି ଭାରତର ଦୃଷ୍ଟିକୋଣକୁ ସ୍ପଷ୍ଟ କରିଛନ୍ତି। କେବଳ ସେତିକି ନୁହେଁ; ତା’ ମାଟିରେ ପରିଚାଳିତ ଓ ପରିବର୍ଦ୍ଧିତ ଆତଙ୍କବାଦୀ ସଂଗଠନଗୁଡିକ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାରେ ପାକିସ୍ତାନର ବିଫଳତାର ଉଦାହରଣ ଉପସ୍ଥାପନ କରାଯାଇଛି। ୨୬/୧୧ ମୁମ୍ବଇ ଆକ୍ରମଣରେ ଜଡିତ ଲସ୍କର ଆତଙ୍କବାଦୀ ସାଜିଦ ମୀରକୁ ପାକିସ୍ତାନ ପ୍ରଥମେ ମୃତ ଘୋଷଣା କରିଥିଲା; କିନ୍ତୁ ପରେ ୨୦୨୨ରେ ‘ଫାଇନାନ୍‌ସିଆଲ ଆକ୍ସନ ଟାସ୍କଫୋର୍ସ’ (ଏଫ୍‌ଏଟିଏଫ୍‌) ଦ୍ୱାରା ଲଗାଯାଇଥିବା ନିୟମ ପାଳନ କରିବା ପାଇଁ ତାକୁ ଗିରଫ କରାଯାଇଥିବା ଦର୍ଶାଇଥିଲା। ପାକିସ୍ତାନର ଏହି ଦୋମୁହଁା ନୀତି ପ୍ରତି ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ଆକର୍ଷଣ କରାଯିବା ମହତ୍ତ୍ବପୂର୍ଣ୍ଣ।
ଅପରପକ୍ଷେ, ସେନାର ‘ଅପରେସନ ସିନ୍ଦୂର’ ପରେ ପାକିସ୍ତାନ ପକ୍ଷରୁ ନିୟନ୍ତ୍ରଣ ରେଖାର ଏ ପଟକୁ ଅବିଶ୍ରାନ୍ତ ତୋପ ବର୍ଷଣ କରିବା ଫଳରେ ବହୁ ଘରଦ୍ବାର ନଷ୍ଟ ହେବା ସହ ପ୍ରାୟ ଦଶ ଜଣ ଭାରତୀୟଙ୍କ ପ୍ରାଣହାନି ଘଟିବା ଦୁର୍ଭାଗ୍ୟଜନକ। ପାକିସ୍ତାନର ଏଭଳି ହରକତ ଅବଶ୍ୟ ନୂଆ ନୁହେଁ। ବାରମ୍ବାର ଅସ୍ତ୍ରବିରତି ଚୁକ୍ତିର ଉଲ୍ଲଙ୍ଘନ ତା’ ପାଇଁ ନିଶ୍ଚୟ ଆଗାମୀ ସମୟରେ କାଳ ପାଲଟିବ। ଆହୁରି ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ଓ ପାକିସ୍ତାନର ତଥାକଥିତ ପାଲଟା ଜବାବ ବିଷୟରେ ବହୁ ବିଭ୍ରାନ୍ତିକର ସୂଚନା, ଫଟୋ ଓ ଭିଡିଓ ଛଡ଼ାଯାଉଛି। ଭାରତ ସରକାର ଏସବୁ ବିଷୟରେ ସଚେତନ ରହିବାକୁ ଯେଉଁ ପରାମର୍ଶ ଦେଇଛନ୍ତି, ତାହାକୁ ଜନସାଧାରଣ ଗୁରୁତ୍ବ ଦେବା ଉଚିତ। ଭାରତ ବିରୋଧୀ ମିଥ୍ୟା ସୂଚନା ପ୍ରସାରଣ କରୁଥିବାରୁ ପାକିସ୍ତାନର ନିଉଜ୍‌ ଚ୍ୟାନେଲ୍‌ଗୁଡ଼ିକୁ ଭାରତରେ ନିଷିଦ୍ଧ କରାଯାଇଛି। ଆମ ଦେଶର କେତେକ ନିଉଜ୍‌ ଚ୍ୟାନେଲ୍‌ ଓ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ମଧ୍ୟ ଭ୍ରାନ୍ତ ସୂଚନା ତଥା ସେନା ସମ୍ପର୍କିତ ସମ୍ବେଦନଶୀଳ ତଥ୍ୟ ପ୍ରସାର କରୁଥିବା ଦେଖାଯାଉଛି। ସେମାନେ ସେଥିରୁ ନିବୃତ୍ତ ହେବା ବାଞ୍ଛନୀୟ। ବର୍ତ୍ତମାନ ସରକାର ଦେଶବ୍ୟାପୀ ଯେଉଁ ସୁରକ୍ଷା ‘ମକ୍‌ ଡ୍ରିଲ୍‌’ ଆୟୋଜନ କରୁଛନ୍ତି, ସେଥିପ୍ରତି ସମସ୍ତେ ସଚେତନ ରହିବା ଦରକାର, ଯେପରି କି ଆବଶ୍ୟକ ବେଳେ ତାହା କାମରେ ଆସିବ।

 

Comments are closed.