ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତର ଉପଲବ୍ଧି ଉଲ୍ଲେଖନୀୟ
ଶିକ୍ଷା ଜ୍ୟୋତି ସମ୍ମାନ ସମାରୋହ ଉଦ୍ଯାପିତ
ଆଠଗଡ : ଆଠଗଡର ଫୋରମ ଅଫ ଏକାଡେମିକ୍ସ ପକ୍ଷରୁ ସ୍ଥାନୀୟ ମିନିଷ୍ଟାଡିୟମ ଠାରେ ଚାଲିଥିବା ୨ଦିନିଆ ଶିକ୍ଷା ଜ୍ୟୋତି ସମ୍ମାନ ସମାରୋହ ରବିବାର ଉଦ୍ଯାପିତ ହୋଇଯାଇଛି । ଏହି ଅବସରରେ ଆଠଗଡ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ବିଭିନ୍ନ ହାଇସ୍କୁଲ ଓ କଲେଜ ସ୍ତରରେ ମାଟ୍ରିକ ପରୀକ୍ଷା ଏବଂ +୨ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବିଦ୍ୟାର୍ଥୀ, ଭଲ ଫଳାଫଳ କରିଥିବା ଶିକ୍ଷାନୁଷ୍ଠାନ ଓ ଉତ୍ତମ ଶିକ୍ଷାଦାନ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଉପଲକ୍ଷେ ଫୋରମ ଅଫ ଏକାଡେମିକ୍ସର ସଭାପତି ଡଃ ଦାମୋଦର ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ ମହାକାଶ ଓ ପରମାଣୁ ବିଜ୍ଞାନ କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରି ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ ହୋଇପାରିଛି ବୋଲି ମତପ୍ରକାଶ କରିଥିଲେ। ଚନ୍ଦ୍ରରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ପରେ ଏବେ ସୂର୍ଯ୍ୟଙ୍କ ଉପରେ ଗବେଷଣା ପାଇଁ ଆଦିତ୍ୟ ଏଲ-୧ର ସଫଳ ଉତ୍କ୍ଷେପଣ ଇସ୍ରୋର ବୈଜ୍ଞାନିକଙ୍କର ଅକ୍ଲାନ୍ତ ପରିଶ୍ରମ ଓ ଗବେଷଣାର ଫଳ ବୋଲି ଶ୍ରୀ ସ୍ୱାଇଁ କହିବା ସହିତ ଇସ୍ରୋର ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଥିଲେ। ସଂପ୍ରତି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ ୨୦୨୦ର ନୂତନ ଶିକ୍ଷାନୀତିକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମାଲୋଚନା କରିଥିଲେ। ଏହା ଆମ ଦେଶର ଶିକ୍ଷା ବ୍ୟବସ୍ଥାରେ ଦିଗ ଓ ଦର୍ଶନକୁ ଭୁଲ ବାଟରେ ପରିଚାଳିତ କରିବ ଏବଂ ଭବିଷ୍ୟତ ବଂଶଧରଙ୍କ ପାଇଁ ତ୍ରୁଟିଯୁକ୍ତ ତଥ୍ୟ ଉପସ୍ଥାପନ ଦ୍ୱାରା ସମାଜ ଉପରେ ଏହାର ସୁଦୂରପ୍ରସାରୀ କୁପ୍ରଭାବ ପଡିବ ବୋଲି ମତବ୍ୟକ୍ତ କରିଥିଲେ।
ଏଥିରେ ମୁଖ୍ୟବକ୍ତା ଭାବେ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର ରାଜନୀତି ବିଜ୍ଞାନ ପ୍ରଫେସର ଡଃ ରାଧାନାଥ ତ୍ରିପାଠୀ ଯୋଗଦେଇ ଶିକ୍ଷାର ଆବଶ୍ୟକତା, ମହତ୍ତ୍ୱ, ଉପଯୋଗିତା, ଜୀବନ ଉପରେ ଏହାର ପ୍ରଭାବ ଏବଂ ସମାଜର ଉନ୍ନତି କ୍ଷେତ୍ରରେ ଶିକ୍ଷାର ଭୂମିକା ସଂପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଜ୍ଞାନ ଆହରଣର ଜିଜ୍ଞାସା ଶିକ୍ଷା ଗ୍ରହଣର ମୂଳମନ୍ତ୍ର ହେବା ଆବଶ୍ୟକ। ସମୟ ସହ ତାଳଦେଇ ଏବଂ ସମାଜର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶିକ୍ଷା ପଦ୍ଧତିରେ ପରିବର୍ତ୍ତନ ଜରୁରୀ ବୋଲି ଡଃ ତ୍ରିପାଠୀ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଆଠଗଡ ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲ ଓ ତିଗିରିଆ ବ୍ଲକ ଶିକ୍ଷାଧିକାରୀ ପ୍ରିୟରଞ୍ଜନ ହୋତା ଯୋଗଦେଇ ଉଦ୍ବୋଧନ ଦେଇଥିଲେ। ଏକାଡେମିକ୍ସର ସଭାପତି ଡଃ ମହାପାତ୍ର ଓ ସଂପାଦକ ଡଃ ଶଶିଭୂଷଣ ମିଶ୍ର ବିଗତ ୨୦୧୬ମସିହାରୁ ଏହି ଅନୁଷ୍ଠାନ ଦ୍ୱାରା ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦିତ କରିଆସୁଥିବା ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ଓ ପୁରସ୍କୃତ କରିବା ଫଳରେ ଆଠଗଡ ଅଞ୍ଚଳର ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଶିକ୍ଷାପ୍ରତି ଆଗ୍ରହ ଓ ପ୍ରତିଯୋଗିତାମୂଳକ ମନୋଭାବ ବୃଦ୍ଧି ପାଇଛି ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ସଂଯୋଜକ ଡଃ ରାମଚନ୍ଦ୍ର ସାହୁ ଏକାଡେମିକ୍ସର ବିବରଣୀ ଉପସ୍ଥାପନ କରିଥିଲେ। ସଂଯୋଜକ ନୀଳମଣି ନାୟକ ଓ ଲଳିତମୋହନ ନାୟକ ନିଜର ବକ୍ତବ୍ୟ ରଖିଥିଲେ।
ଏହି ଅବସରରେ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡ ରଖିଥିବା ଆଠଗଡ ବ୍ଲକର ସରକାରୀ ହାଇସ୍କୁଲଗୁଡିକର ୧୨ଜଣ, ତିଗିରିଆର ୨୩ଜଣ ଏବଂ ଘରୋଇ ହାଇସ୍କୁୁଲଗୁଡିକର ୨୨ଜଣ ବିଦ୍ୟାର୍ଥୀଙ୍କୁ ଲ୍ୟାପଟପ ପ୍ରଦାନ କରାଯାଇଥିଲା। ସେହିପରି +୨ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ବିଭିନ୍ନ କଲେଜର ୪ଜଣ ଓ +୩ର ୩ଜଣଙ୍କୁ ଲ୍ୟାପଟପ ପ୍ରଦାନ କରାଯାଇଥିଲା। ଏଥିସହିତ ଆଠଗଡ ନିର୍ବାଚନ ମଣ୍ଡଳିର ୫୬ଟି ହାଇସ୍କୁଲର ମାଟ୍ରିକ ପରୀକ୍ଷାରେ ପ୍ରଥମ ୫ଟି ସ୍ଥାନ ଅଧିକାର କରିଥିବା ବିଦ୍ୟାର୍ଥୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ତା ଛଡା +୨ ପରୀକ୍ଷାରେ ୧୫ଟି ଭଲ ପ୍ରଦର୍ଶନ କରିଥିବା ୧୫ଟି କଲେଜର ୭୫ଜଣଙ୍କୁ ପୁରସ୍କୃତ କରାଯାଇଥିଲା। ଏଥି ସହିତ ଶତ ପ୍ରତିଶତ ଫଳାଫଳ ହାସଲ କରିଥିବା ଆଠଗଡ ବ୍ଲକ ୧୭ଟି, ତିଗିରିଆ ବ୍ଲକର ୧୦ଟି ଓ ଟାଙ୍ଗିଚୌଦ୍ୱାର ବ୍ଲକର ଗୋଟିଏ ହାଇସ୍କୁଲକୁ ଏବଂ ୧୦ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉତ୍ତମ ଶିକ୍ଷାଦାନ ପାଇଁ ପୁରସ୍କୃତ କରାଯାଇଥିଲା। ସେହିପରି ଶନିବାର ଅନୁଷ୍ଠିତ ନୃତ୍ୟସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ୨୮ଟି ଆଞ୍ଚଳିକ ଶିକ୍ଷା ମଣ୍ଡଳ ଓ ୧୬ଟି କଲେଜର ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏହି ଅବସରରେ ପୁରସ୍କୃତ କରାଯାଇଥିଲା।
Comments are closed.