ଶିକ୍ଷାଜ୍ୟୋତି ସମ୍ମାନ ସମାରୋହ ଉଦ୍‌‌ଘାଟିତ

ଆଠଗଡ :  ଆଠଗଡର ଫୋରମ ଅଫ୍‌‌ ଏକାଡେମିକ୍ସ ପକ୍ଷରୁ ଶନିବାର ୨ଦିନିଆ ଶିକ୍ଷାଜ୍ୟୋତି ସମ୍ମାନ ସମାରୋହ ସ୍ଥାନୀୟ ମହିଳା କଲେଜ ସନ୍ନିକଟ ମିନିଷ୍ଟାଡିୟମଠାରେ ଉଦ୍‌‌ଘାଟିତ ହୋଇଯାଇଛି । ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ସମାରୋହକୁ ଉଦ୍‌‌ଘାଟନ କରି ଶିକ୍ଷା ହିଁ ମଣିଷ ଜୀବନରେ ସାର୍ଥକତା ଆଣିଥାଏ ଏବଂ କେବଳ ଡିଗ୍ରୀ ବା ଚାକିରୀ ପାଇଁ ନୁହଁ ବରଂ ଜ୍ଞାନ ଆହରଣ ପାଇଁ ଶିକ୍ଷା ଗ୍ରହଣ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ଶିକ୍ଷା ସହିତ ସାଧାରଣ ଜ୍ଞାନ ଆହରଣ, କ୍ରୀଡା, ନୃତ୍ୟ ସଂଗୀତ, କଳା, ସଂସ୍କୃତି ଓ ସାମାଜିକ ପରମ୍ପରା ସଂପର୍କରେ ବିଦ୍ୟାର୍ଥୀଙ୍କର ରୁଚି ରହିବା ଜରୁରୀ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତପ୍ରକାଶ କରିଥିଲେ । ଫୋରମ ଅଫ ଏକାଡେମିକ୍ସର ସଭାପତି ଡଃ ଦାମୋଦର ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉଦ୍‌‌ଘାଟନୀ ସମାରୋହରେ ନଗରପାଳ ସସ୍ମିତା ରାଉତ, ଆଠଗଡ ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲ ଓ ତିଗିରିଆ ବ୍ଲକ ଶିକ୍ଷାଧିକାରୀ ପ୍ରିୟରଞ୍ଜନ ହୋତା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍‌‌ବୋଧନ ଦେଇଥିଲେ।

ପ୍ରଥମ ଦିନରେ ଆଠଗଡ ଓ ତିଗିରିଆ ବ୍ଲକ ସମେତ ଟାଙ୍ଗିଚୌଦ୍ୱାର ବ୍ଲକର ୬ଟି ପଞ୍ଚାୟତ ଅଞ୍ଚଳରେ ଥିବା ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏଥିରେ ୩୩ଟି ବିଦ୍ୟାଳୟସ୍ତରୀୟ ଓ ୧୪ଟି ମହାବିଦ୍ୟାଳୟସ୍ତରୀୟ ଦଳ ଉଚ୍ଚକୋଟୀର ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଗୀତିକାର ରାଧାନାଥ ଦାସ, ଶିକ୍ଷାବିତ୍‌‌ କମଳା ନାୟକ, ଜଗବନ୍ଧୁ ତୁଙ୍ଗସାମନ୍ତ, ଶରତ ଚନ୍ଦ୍ର ବାରିକ ଓ ଶତୃଘ୍ନ ବେହେରା ବିଚାରକ ଭାବେ ସାଂସ୍କୃତିିକ କାର୍ଯ୍ୟକ୍ରମର ମୂଲ୍ୟାୟନ କରିଥିଲେ। ଶିକ୍ଷାବିତ୍‌‌ ନୀଳମଣି ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫୋରମ ଅଫ ଏକାଡେମିକ୍ସର ସଂପାଦକ ଡଃ ଶଶିଭୂଷଣ ମିଶ୍ର ବିବରଣୀ ଉପସ୍ଥାପନ କରିଥିବାବେଳେ ମୁଖ୍ୟ ସଂଯୋଜକ ରାମଚନ୍ଦ୍ର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଂଯୋଜକ ଲଳିତ ମୋହନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ଆୟୋଜନରେ ସମସ୍ତ ସିଆରସିସି ଓ ବହୁ ଶିକ୍ଷକ-ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

ରବିବାର ଅନ୍ତିମ ଦିବସରେ ଆଠଗଡ ତିଗିରିଆ ଓ ଟାଙ୍ଗିଚୌଦ୍ୱାର ବ୍ଲକରେ ଥିବା ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଗତ ମାଟ୍ରିକ ପରୀକ୍ଷା, +୨ ଓ +୩ ପରୀକ୍ଷାରେ ଉତ୍କର୍ଷତା ପ୍ରତିପାଦିତ କରିଥିବା ଛାତ୍ରଛାତ୍ରୀଙ୍କୁ ଲ୍ୟାପଟପ୍‌‌ ଓ ଟ୍ରଫି ଆଦି ପ୍ରଦାନ କରାଯିବ ବୋଲି ଏକାଡେମିକ୍ସ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.