ସିକିମ୍ ମୁଖ୍ୟମନ୍ତ୍ରୀଙ୍କ ଉପରୁ ଅଯୋଗ୍ୟ ଆଦେଶ ହଟିଲା
ନୂଆଦିଲ୍ଲୀ: ସିକିମ୍ ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂହ ତମାଙ୍ଗଙ୍କ ଅଯୋଗ୍ୟ ଅବଧିକୁ ନିର୍ବାଚନ କମିସନ ରବିବାର ୬ବର୍ଷରୁ ୫ବର୍ଷ ହ୍ରାସ କରିଛନ୍ତି। ତାଙ୍କ ଅଯୋଗ୍ୟ ଅବଧି ୧୩ମାସକୁ ହ୍ରାସ ପାଇଛି। ଏଥିସହିତ ତାଙ୍କୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ପାଇଁ ସୁଯୋଗ ପ୍ରଦାନ କରାଯାଇଛି। ୨୦୧୮ ଅଗଷ୍ଟ ୧୦ରୁ ତମାଙ୍ଗଙ୍କ ଅଯୋଗ୍ୟ ଅବଧି ଆରମ୍ଭ ହୋଇଥିଲା ଏବଂ ୨୦୨୪ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଏହା ଜାରି ଥିଲା। ଦୁର୍ନୀତି ମାମଲାରେ ଗିରଫ ହୋଇ ତମାଙ୍ଗ ଜେଲ୍ ଯାଇଥିଲେ। ବର୍ଷେ କାଳ ଜେଲ୍ରେ ବିତାଇ ଫେରିବା ଦିନ ହିଁ ତାଙ୍କୁ ନିର୍ବାଚନ କମିସନ ୬ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରିବା ସହ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ଉପରେ ପ୍ରତିବନ୍ଧ ଲଗାଇଥିଲେ। ଜୁଲାଇ ମାସରେ ତମାଙ୍ଗ ଲୋକପ୍ରତିନିଧି ଆଇନର ଧାରା-୧୧ ଆଧାରରେ ଅଯୋଗ୍ୟ ଘୋଷଣା ନିର୍ଦେଶ ପ୍ରତ୍ୟାହାର ପାଇଁ ନିର୍ବାଚନ କମିସନଙ୍କୁ ଆବେଦନ କରିଥିଲେ। ଏ ନେଇ ସେ ସୁପ୍ରିମକୋର୍ଟ ଯାଇଥିଲେ ଏବଂ କୋର୍ଟ ମଧ୍ୟ ଏହା ଉପରେ ନିର୍ବାଚନ କମିସନଙ୍କ ମତାମତ ଲୋଡ଼ିଥିଲେ।
ତମାଙ୍ଗଙ୍କ ସିକିମ୍ କ୍ରାନ୍ତିକାରୀ ମୋର୍ଚ୍ଚା ସହିତ ବିଜେପି ମେଣ୍ଟ ଘୋଷଣା କରିବାର ଦିନକ ପରେ ନିର୍ବାଚନ କମିସନ୍ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି। ଗତ ଏପ୍ରିଲେର ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ସିକିମ୍ କ୍ରାନ୍ତିକାରୀ ମୋର୍ଚ୍ଚା ବିଜୟ ହାସଲ କରି ସରକାର ଗଢ଼ିଛି। ଅଯୋଗ୍ୟ ଘୋଷିତ ହୋଇଥିବାରୁ ନିର୍ବାଚନ ଲଢ଼ି ନ ଥିଲେ ମଧ୍ୟ ତମାଙ୍ଗ ମଇ ୨୭ରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହି ପଦରେ ରହିବା ପାଇଁ ତାଙ୍କୁ ୬ମାସ ମଧ୍ୟରେ ବିଧାନସଭା ନିର୍ବାଚନରେ ବିଜୟ ହାସଲ କରିବାକୁ ପଡ଼ିବ। ତମାଙ୍ଗ ୧୯୯୦ରେ ପ୍ରାଣୀ ସମ୍ପଦ ମନ୍ତ୍ରୀ ଥିବା ସମୟରେ ଗାଈ ଆବଣ୍ଟନରେ ବିପୁଳ ସରକାରୀ ଅର୍ଥ ହେରଫେର ହୋଇଥିବାର ଅଭିଯୋଗ ହୋଇଥିଲା। ୨୦୦୩ରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ଓ ସେ ଏଥିପାଇଁ ଦୋଷୀ ସାବ୍ୟସ୍ତ ହୋଇ ବର୍ଷେ କାଳ ଜେଲ୍ ଯାଇଥିଲେ।
Comments are closed.