ପୁଣି ସିଧୁଙ୍କ ବିବାଦୀୟ ବୟାନ; ଦକ୍ଷିଣ ଭାରତ ଗସ୍ତ କରିବା ଅପେକ୍ଷା ପାକିସ୍ତାନ ଯିବା ଉତ୍ତମ
ନୂଆଦିଲ୍ଲୀ : ପାକିସ୍ତାନ ଗସ୍ତ କିମ୍ବା ସେଠାକାର ସେନା ମୁଖ୍ୟ କ୍ୱାମାର ଜାଭେଦ ବଜୱାଙ୍କୁ ଆଲିଙ୍ଗନ କରିବା ନେଇ ତାଙ୍କର କୌଣସି ଅବଶୋଷ ନ ଥିବା ପୁନଃ ପ୍ରକାଶ କରିଛନ୍ତି ପୂର୍ବତନ କ୍ରିକେଟ୍ ଖେଳାଳୀ ତଥା ପଞ୍ଜାବ ମନ୍ତ୍ରୀ ନବଜୋତ ସିଂ ସିଧୁ। ଏହି ପରିପ୍ରେକ୍ଷୀରେ ମନ୍ତବ୍ୟ ଦେବା ବେଳେ ସେ ଦକ୍ଷିଣ ଭାରତକୁ ପାକିସ୍ତାନ ସହ ତୁଳନା କରିବାକୁ ପଛାଇ ନାହାନ୍ତି। କସୌଲୀ ସାହିତ୍ୟ ଉତ୍ସବର ପ୍ରଥମ ସଂସ୍କରଣରେ ଉଦ୍ବୋଧନ ଦେଇ ସେ କହିଛନ୍ତି, ଦକ୍ଷିଣ ଭାରତ ଗସ୍ତ କରିବା ତୁଳନାରେ ପାକିସ୍ତାନ ଯିବା ଉତ୍ତମ। ଦକ୍ଷିଣ ଭାରତ ଗସ୍ତ କରିବା ବେଳେ ସେଠାକାର ଭାଷା ବୁଝିବାକୁ ଅତ୍ୟନ୍ତ କଷ୍ଟ କରିବାକୁ ପଡେ। ଭଡକମ୍ ଭଳି ଦୁଇ-ତିନୋଟି ଶବ୍ଦ ଭିନ୍ନ ଅନ୍ୟ କିଛି ବୁଝିହୁଏ ନାହିଁ। ସେଠାକାର ଖାଦ୍ୟ ଠିକ୍ଠାକ୍; ମାତ୍ର ସଂସ୍କୃତି ସମ୍ପୂର୍ଣ୍ଣ ଭିନ୍ନ। ପାକିସ୍ତାନ ଗସ୍ତ କଲେ ସେଠାକାର ପରିବେଶ ଆପଣାର ଲାଗେ। କାରଣ ସେଠାକାର ଲୋକେ ପଞ୍ଜାବୀ ଓ ଇଂରାଜୀ ଭାଷା କୁହନ୍ତି ଯାହାକି ବୁଝିବାରେ ବିଶେଷ ଅସୁବିଧା ହୋଇ ନ ଥାଏ। ସିଧୁଙ୍କ ଏହି ମନ୍ତବ୍ୟକୁ ନେଇ ପୁନଃ ବିବାଦ ମୁଣ୍ଡ ଟେକିଛି।